~ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ~

ଲେଖା: ଅମୃତେଶ ଖଟୁଆ

“ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି,
ପାଆନ୍ତୁ ସଂସ୍କାର କରି ସତ୍ବର,
କେହି ମୂଢ଼ମତି କଲେ ହେଁ ଆପତ୍ତି
ଅବଶ୍ୟ ସହାୟ ହେବେ ଈଶ୍ୱର।”

ମୁକ୍ତିମଣ୍ଡପ ବିରୋଧରେ ଅନ୍ଧପରାଏ ସକଳେ ଯେତେବେଳେ ଥାଆନ୍ତି ତୂଷ୍ଣୀଭୂତ, ଏକା ସେତେବେଳେ ଏହି ‘ନିବେଦନ’ ସ୍ଵରରେ ଛଳନାକ୍ତ ରକ୍ଷଣଶୀଳତାକୁ ବିରୋଧ କରିଥିଲେ ଏହି ମହାମହିମ! ପୁରୀରେ ‘କଳାପାହାଡ଼‘ ବୋଲାଇଲେ ସିନା, କିନ୍ତୁ ଜ୍ଞାତିକୁଟୁମ୍ବରେ ସିଏ ବୋଲାଇ ପାରିଥିଲେ ଏକ ମାତ୍ର ‘ସଂସ୍କାରକ‘। ସଦ୍ୟ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ ପିତା ଧର୍ମ ପଣ୍ଡା ଓ ମାତା ରାଧାଦେବୀଙ୍କ କୋଳମଣ୍ଡନ କରିଥିଲେ ସଂସ୍କାରକ ଶ୍ରୀବତ୍ସ ପଣ୍ଡା। ତାଙ୍କର ଜନ୍ମ ହୁଏ ଅକ୍ଟୋବର ୧ ତାରିଖ, ୧୮୭୦ ମସିହାରେ।

ଶ୍ରୀବତ୍ସଙ୍କ ପରିବାର ଥିଲା ଏକ ରକ୍ଷଣଶୀଳ ବ୍ରାହ୍ମଣ କୁଟୁମ୍ଵ, ମାତ୍ର ଛାତ୍ର ଜୀବନରୁ ସେ ବ୍ରାହ୍ମଣ ପରିବାରର ସଂସ୍କାର ପ୍ରତି ବୀତସ୍ପୃହ ଓ ବିରୋଧୀ ଥିଲେ। ମୁଣ୍ଡରୁ ଲମ୍ବା ଲମ୍ବା ଚୁଟି ସବୁକୁ କାଟି ପକେଇଛନ୍ତି, ଘରର ବଖରାଗୁଡିକରେ ବଡ଼ ବଡ଼ ଝରକା ଲଗେଇଛନ୍ତି, ପୂଜାପାର୍ବଣ ସମୟରେ ମଦ୍ୟପାନ, ଦାନଦକ୍ଷିଣା ଓ ବାଲ୍ୟବିବାହର ବିରୋଧ କରିଛନ୍ତି। ବିଧବା ବିବାହର ସମର୍ଥନରେ ଲେଖାଲେଖି ଓ ବକ୍ତୃତା ଆଦି କରି ସେ ମୈତ୍ରମାନଙ୍କ ମଧ୍ୟରେ ‘ସଂସ୍କାରକ‘ ନାମରେ ପରିଚିତ ଥିଲେ।

କାୟମନୋବାକ୍ଯରେ ସମାଜରେ ସେ ସଂସ୍କାର ଉଦ୍ୟମ ପାଇଁ ସର୍ବଦା ଉଦ୍ୟମ କରିଆସିଛନ୍ତି। ମାଟ୍ରିକ୍ ପଢୁଥିବା ସମୟରେ ତାଙ୍କର ପ୍ରଥମ ପ୍ରବନ୍ଧ ‘ସମ୍ବଲପୁର ହିତୈଷିଣୀ‘ ରେ ପ୍ରକାଶ ପାଏ। ଏହା ପରେ ତାଙ୍କର ଲେଖା ପ୍ରଜାବନ୍ଧୁ, ଉତ୍କଳବାସୀ, ଉତ୍କଳଦର୍ପଣ, ଉତ୍କଳ ସେବକ, ଉତ୍କଳବାର୍ତ୍ତା, ଉତ୍କଳ ଦୀପିକା, ସମ୍ବାଦବାହିକା, ଓଡ଼ିଆ ନବସମ୍ବାଦ, ଗଡ଼ଜାତବାସିନୀ, ଗଞ୍ଜାମ ଗୁଣଦର୍ପଣ, ଆଶା, ପ୍ରଜାମିତ୍ର, ସମାଜମିତ୍ର, ମୁକୁର ପ୍ରଭୃତିରେ ପ୍ରକାଶିତ ହୋଇ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି। ମାନ୍ଦ୍ରାଜରୁ ସ୍ନାତକ ପରେ ରାଜମହେନ୍ଦ୍ରୀ କଲେଜରେ ଦର୍ଶନ ଶାସ୍ତ୍ରରେ ବି.ଏ ପଢିବା କାଳରେ ଆନ୍ଧ୍ରର ବିଖ୍ୟାତ ସଂସ୍କାରକ ବୀରେଶଲିଙ୍ଗମ୍ ପାନ୍ତୁଲୁଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ (କଣ୍ଡୁକରୀ ବୀରେଶଲିଙ୍ଗମ୍ ପାନ୍ତୁଲୁ ତେଲୁଗୁ ସାହିତ୍ୟରେ ନବ୍ୟବାଦୀ ଧାରା ସୃଷ୍ଟି କରିବା ସହ ଅନେକ ସଂସ୍କାର ଉଦ୍ୟମ କରିଥିଲେ। ତାଙ୍କ ରଚିତ ‘ରାଜଶେଖର ଚରିତ୍ରାମୁ’ ତେଲୁଗୁ ସାହିତ୍ୟରେ ସର୍ବପ୍ରଥମ ଉପନ୍ୟାସ। )।

ଏହା ପରେ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ମାତ୍ର ୨୦ ବର୍ଷ ବୟସରେ ସବ୍-ରେଜିଷ୍ଟ୍ରାର କାର୍ଯ୍ୟରେ ଅବସ୍ଥାପିତ। ତତ୍କାଳୀନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସବ୍-ରେଜିଷ୍ଟ୍ରାର ରୂପେ କାର୍ଯ୍ୟ ବହନ ପରେ ୧୯୨୦ରେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରନ୍ତି।

ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ଓ ବିଂଶ ଶତାବ୍ଦୀର ଆଦ୍ୟଲଗ୍ନ ସମଗ୍ର ଭାରତବର୍ଷରେ ସାମାଜିକ ସଂସ୍କାର ପାଇଁ ଏକ ଯୁଗ ଆରମ୍ଭ କରିଦିଏ। ହିନ୍ଦୁ ସମାଜରେ ରକ୍ଷଣଶୀଳ କୁସଂସ୍କାରର ଦୂରୀକରଣ ସହ ସଚେତ ଆଧ୍ୟାତ୍ମିକ ଭାବକୁ ପ୍ରାଧାନ୍ୟ ଦେଇ ଗଢି ଉଠେ ‘ବ୍ରାହ୍ମ ସମାଜ’, ‘ଆର୍ଯ୍ୟ ସମାଜ’ ପରି ସଂଗଠନ। ଏହି ସମୟରେ ଭଞ୍ଜନଗର ନିକଟବର୍ତ୍ତୀ ତନରଡ଼ାଠାରେ ଶ୍ରୀବତ୍ସ ପଣ୍ଡା ଗୋରକ୍ଷାଶ୍ରମ, ବେଦଭବନ ଓ ଆର୍ଯ୍ଯକନ୍ୟା ଗୁରୁକୁଳ ପ୍ରତିଷ୍ଠା କରିଥିଲେ, ଯାହା ଅଦ୍ୟାବଧି ମଧ୍ୟ ତାଙ୍କ ସ୍ମୃତିପୀଠ ରୂପେ ରହିଅଛି । ସରକାରୀ ଚାକିରିରେ ଯେଉଁ ସ୍ଥାନରେ ରହୁଥିଲେ, ସେଠିକାର ଲୋକଙ୍କୁ ବୁଝାଇ ସୁଝାଇ ବାଳିକାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା, ପରଦା ପ୍ରଥାର ଉତ୍ପାଟନ, ଅସ୍ପୃଶ୍ୟତା ଦୂରୀକରଣ, ସ୍ୱତନ୍ତ୍ର ଓଡ଼ିଶା ଗଠନସ୍ୱରାଜ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଅବ୍ୟାହତ ରଖିଥିଲେ ।

ଆର୍ଯ୍ୟ ସମାଜର ଆଦର୍ଶାନୁରାଗୀ ହେତୁ ସେ ପ୍ରତି ଦିନ ପଞ୍ଚମହାଯଜ୍ଞ କରୁଥିଲେ। ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ସହ ଜାତୀୟ କଂଗ୍ରେସ କାର୍ଯ୍ୟକ୍ରମ ସହିତ ସକ୍ରିୟ ରହୁଥିଲେ। ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ଦୁଇଥର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ରୂପେ ମନୋନୀତ କରାଯାଇଛି। ସ୍ଵୀୟ ସକଳ ସଂପତ୍ତି ଗୋରକ୍ଷାଶ୍ରମ, ବିଧବାଶ୍ରମ, ବାଳିକା ବିଦ୍ୟାଳୟ ଓ ଆର୍ଯ୍ୟସମାଜକୁ ଦାନ କରିଛନ୍ତି।

ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ସେ ସ୍ବୀୟ ବ୍ୟୟରେ ଗଞ୍ଜାମର ରସୁଲକୋଣ୍ଡା (ବର୍ତ୍ତମାନର ଭଞ୍ଜନଗର) ଠାରେ ସେ ‘ସ୍ଵଦେଶୀ ପ୍ରେସ୍’ ନାମକ ଏକ ଛାପାଖାନା ପ୍ରତିଷ୍ଠା କରିଥିଲେ। ତାଙ୍କ ସମ୍ପାଦନାରେ ବ୍ରହ୍ମପୁରରୁ ‘ସଂସ୍କାର’ (୧୯୨୫) ଏବଂ ବେଲଗୁଣ୍ଠା ପଲ୍ଲୀବାସୀ ପ୍ରେସ୍’ରୁ ‘ଆର୍ଯ୍ୟ’ ନାମକ ମାସିକ ପତ୍ରିକା ପ୍ରକାଶ ପାଇଥାଏ। ଦୟାନନ୍ଦ ସରସ୍ବତୀଙ୍କ ‘ସତ୍ଯାର୍ଥ ପ୍ରକାଶ’କୁ ଓଡ଼ିଆ ଅନୁବାଦ କରିଥିଲେ। [ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ‘ସତ୍ଯାର୍ଥ ପ୍ରକାଶ‘ ସଂସ୍କୃତରେ ରଚିତ ଏକ କଥୋପକଥନଧର୍ମୀ ପ୍ରବନ୍ଧ ଅଟେ। ଯେଉଁ ଥିରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ ପ୍ରଶ୍ନର ଚାତୁରୀସମ୍ପନ୍ନ ଉତ୍ତର ଅବହିତ। ]

ଏତଦ୍ ବ୍ୟତୀତ, ‘ବୈଦିକ ଧର୍ମ’, ‘ଗୋଧନ’, ‘ସଂସ୍କାର ଗୀତାବଳୀ’, ‘ଜାତିଗୀତି’, ‘ଆର୍ଯ୍ଯଧର୍ମ’, ‘ମୋ ମାତୃଭାଷା’, ‘ଶଶିକଳା ପରିଣୟ’ (‘ବିଧବା ବିବାହ’ ନାଟ୍ଯ), ‘ଜାତୀୟ ଜୀବନ’, ‘ପୋଷ୍ଯପୁତ୍ର’, ‘ହିନ୍ଦୁମାନଙ୍କର ବ୍ରାହ୍ମଣପ୍ରିୟତା’, ‘ପୁନର୍ମୂଷିକ ଭବ’, ‘ଭୁବନେଶ୍ୱର ଦର୍ଶନ’, ‘ତୀର୍ଥଯାତ୍ରା (ଦକ୍ଷିଣାଞ୍ଚଳ)’, ‘ତୀର୍ଥଯାତ୍ରା (ଉତ୍ତରାଞ୍ଚଳ)’, ‘ରେଙ୍ଗୁନ ଯାତ୍ରା’ ତାଙ୍କର ଅନବଦ୍ୟ କୃତିସମୂହ। ‘ପାର୍ବତୀପୁର’ ପ୍ରବନ୍ଧ ତାଙ୍କର ଏକ ଦୀର୍ଘ, ଉପାଦେୟ ପ୍ରବନ୍ଧ ଅଟେ। ତାଙ୍କର ସୁବୋଧ୍ୟ, ସରଳ ଓ ଆବେଗଧର୍ମୀ କାବ୍ୟଗାନରେ ସ୍ବାଧୀନ ଜୀବନର ଆଦର୍ଶ ସହ ସମାଜକୁ ଯୁକ୍ତିନିଷ୍ଠ ଓ ବ୍ୟଙ୍ଗାତ୍ମକ ବାର୍ତ୍ତା ମାଧ୍ୟମରେ ତାଙ୍କର ସଂସ୍କାର ଉଦ୍ୟମ ଆଜି ମଧ୍ୟ ପ୍ରଭାବଶାଳୀ ଓ ଯୁଗୋପଯୋଗୀ। ତାଙ୍କର ଦେହାବସାନ ୧୧ ମଇ, ୧୯୪୩ ମସିହାରେ ଘଟେ।

Sribatsa Panda  Amritesh Khatua 

Spread the love
admin

View Comments

  • Namaskar,
    Shri Sribatsa Panda is brother of my great grandfather Shri Raghunath Panda. I would be interested in knowing more about my forefathers. Will be grateful if I can get in touch with you and you can provide more information.
    Regards
    Subhasish Panda
    s_panda@yahoo.com

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago