ଜଣା ଅଜଣା

ସମ୍ବଲପୁର ହିତୈଷିଣୀ : ପ୍ରତିଷ୍ଠା ଦିବସ

~ ସମ୍ବଲପୁର ହିତୈଷିଣୀ ~
ଲେଖା: ଅମୃତେଶ ଖଟୁଆ
ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା ସହ ରାଜ୍ଯରେ ପ୍ରଭୂତ ସମୁନ୍ନତି ଫଳେ ପ୍ରଧାନପାଟ ଜଳପ୍ରପାତଠାରୁ ନେଇ ବିବିଧ ସ୍ଥଳରେ ବୈଦ୍ୟୁତିକ ଶକ୍ତିର ପରିଚାଳନାର ଶୁଭଲଗ୍ନ ହେଲା! ଓଡ଼ିଆ ଇତିହାସରେ ତାହା ଥିଲା ଅନ୍ୟତମ ଅବିସ୍ମରଣୀୟ ଇତିହାସ, ଯାହା ଆଜି ବି ସମସ୍ତଙ୍କ ପାଇଁ ଥିଲା ଆଗଧାଡିର ଗୌରବ ଓ ମାଟିର ବୈଶିଷ୍ଟ୍ୟ।
ଜଣେ ଗରୀୟାନ୍ ଅଧିପ ହେତୁ ସେ ନିୟମିତ ସାହିତ୍ୟ ଚର୍ଚ୍ଚାରତ ଥିଲେ। ସେତେବେଳେ ଓଡ଼ିଆ ଆଧୁନିକ ଜଗତରେ ସମ୍ବାତପତ୍ର ପ୍ରତିଷ୍ଠା, ଆଧୁନିକ କାବ୍ଯ ପ୍ରବର୍ତ୍ତନ ସହ ବିବିଧ ପତ୍ରପତ୍ରିକାର ମଧ୍ୟ ଶୁଭାରମ୍ଭ ଘଟିଥିଲା। ବାମଣ୍ଡାଧିପ ଯେଉଁ କଟକରେ ‘ସଂସ୍କାର’ ନାମରେ ଏକ ପତ୍ରିକା ପ୍ରକାଶ କରୁଥିଲେ, ସେହି କଟକରୁ ପ୍ରେସ୍ ଟି ଉଠେଇ ଆଣି ବାମଣ୍ଡାଠାରେ ତାହାକୁ ‘ଜଗନ୍ନାଥ ବଲ୍ଲଭ ପ୍ରେସ୍’ ନାମରେ ସ୍ଥାପନ କରିଥିଲେ। ସେତେବେଳେ ତାଙ୍କ ସହ ସାହିତ୍ୟର ଉନ୍ନତିରେ ସହଯୋଗ କରିଥିଲେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ।
୧୮୮୯ ମସିହା ମଇ ୩୦ ତାରିଖ ଦିନ ଦେବଗଡ ଠାରୁ ପ୍ରକାଶ ପାଇଥିଲା ଗୋଟିଏ ପତ୍ରିକା! ସେହି ପତ୍ରିକାର ଅବଦାନ ଓଡ଼ିଆ ଭାଷା, ସାହିତ୍ୟ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ଥିଲା ଅଭୂତପୂର୍ବ! ଏହି ପତ୍ରିକାର ପ୍ରକାଶନ ଅନ୍ତେ ଶତାଧିକ ପ୍ରବନ୍ଧ, କାବ୍ୟ, ରମ୍ୟରଚନା ସବୁ ପ୍ରକାଶ ପାଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ଏକ ନବ ଦିଗନ୍ତର ପରଶ ଦେଇଥିଲା!
ଏହି ସମ୍ବାଦପତ୍ର ଥିଲା ‘ସମ୍ବଲପୁର ହିତୈଷିଣୀ’। ଏହି ସମ୍ବାଦପତ୍ର ପ୍ରଥମେ ପ୍ରଥମେ ସାପ୍ତାହିକୀ ରୂପେ ପ୍ରକାଶିତ ହେବା ପରେ ପରେ ଏହା ପାକ୍ଷିକ ସମ୍ବାଦପତ୍ର ରୂପେ ପ୍ରକାଶ ଲାଭ କରେ। ‘ଉତ୍କଳ ଦୀପିକା’, ‘ବାଲେଶ୍ଵର ସମ୍ବାଦବାହିକା’, ‘ଗଡ଼ଜାତବାସିନୀ’ ପରି ସମ୍ବାଦପତ୍ରର ସମକାଳୀନ ହେଇ ସୁଦ୍ଧା ଏହି ‘ସମ୍ଵଲପୁର ହିତୈଷିଣୀ’ର ପରିଚୟ ଥିଲା ଭବିତବ୍ୟ ସ୍ଵତନ୍ତ୍ର ଓଡ଼ିଆ ମାଟିକୁ ନୂଆ ଉନ୍ମେଷର ବାର୍ତ୍ତା ସହ ସ୍ଵାଭିମାନୀ ମାଟିକୁ ଜାଗ୍ରତ କରେଇବା!
ଏହି ପତ୍ରିକାର ପ୍ରଥମ ସଂପାଦକ ଥିଲେ ଚତୁର୍ଭୁଜ ପଟ୍ଟନାୟକ। ପ୍ରଥମେ ତାଙ୍କ ସଂପାଦନ ବଳେ କଟକଠାରେ ‘ସଂସ୍କାର’ ପତ୍ରିକାର ପ୍ରକାଶନ ହେଉଥିଲା। ହେଲେ ଅପ୍ରାସଙ୍ଗିକ ଆଲେଖ୍ୟ ଆସୁଥିବାରୁ ସେଥିରୁ ନିବୃତ୍ତ ରଖି ବାମଣ୍ଡା ବା ବର୍ତ୍ତମାନର ଦେଓଗଡ଼ ଠାରେ ‘ସମ୍ଵଲପୁର ହିତୈଷିଣୀ’ର ସମ୍ପାଦନା କରିଥିଲେ। ପରବର୍ତ୍ତୀ ସମୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଦୀର୍ଘକାଳ ବ୍ୟାପୀ ସମ୍ପାଦନା ସମୟରେ ପତ୍ରିକାର ସମୃଦ୍ଧି ଘଟିଥିଲା।
ଏହି ପତ୍ରିକାର ଆଦର୍ଶ ବର୍ଣ୍ଣନା କରି ସେ ଲେଖିଥିଲେ – “ଏହି ପତ୍ରିକା ସମାଜ, ଆଧ୍ୟାତ୍ମିକତା, ରାଜନୀତି ବିଜ୍ଞାନ, ସାହିତ୍ୟ, ନ୍ଯାୟ, ସାମ୍ଵାଦିକତା ଓ ହାସ୍ଯରସିକତା ଆଦି ସମସ୍ତ ଗୁଣରେ ଅଳଙ୍କୃତ ହେଇ ‘ବୁଧ-ହଂସ-କେଳିସର’ ବାମଣ୍ଡା ରାଜ୍ୟର ଶୋଭାବର୍ଦ୍ଧନ କରିବ।” ବାସୁଦେବ ସୁଢଳଦେବଙ୍କ ପ୍ରସିଦ୍ଧ ‘ଚିତ୍ରୋତ୍ପଳା’ କାବ୍ଯ ଏହି ପତ୍ରିକାରେ ନିୟମିତ ପ୍ରକାଶ ପାଇ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା।
ସମଗ୍ର ଓଡିଶାବାସୀଙ୍କ ମଧ୍ୟରେ ଏକତାର ଯୋଗସୂତ୍ର ବାନ୍ଧିପାରିଥିଲା ଏହି ପତ୍ରିକା। ଏହି ପତ୍ରିକାରେ ପରବର୍ତ୍ତୀ ସମୟରେ କବିବର ରାଧାନାଥ ରାୟ, ପଲ୍ଲୀକବି ନନ୍ଦକିଶୋର ବଳ, ମଧୁସୂଦନ ରାଓ, ବିଶ୍ଵନାଥ କର, ଚନ୍ଦ୍ରମୋହନ ମହାରଣା, ଚିନ୍ତାମଣି ମହାନ୍ତି, ବ୍ୟାସକବି ଫକୀରମୋହନ, ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଭଳି ବଦାନ୍ୟ ମାତୃପ୍ରେମୀ ସାହିତ୍ୟିକଙ୍କ ସାରସ୍ଵତ ପ୍ରତିଷ୍ଠା ମଣ୍ଡନ କରିଥିଲା। ଏପରିକି ଲୋକମାନଙ୍କ ଅଗୋଚରରେ ଥିବା ଯୁବ ପ୍ରତିଭା ମଧ୍ୟ ଏହି ପତ୍ରିକା ମାଧ୍ୟମରେ ଲୋକ ଲୋଚନକୁ ଆସିଥିଲେ।
୧୮୯୬ ମସିହାରେ କୋର୍ଟ କଚେରୀ ମାନଙ୍କରେ ଓଡ଼ିଆ ଭାଷାକୁ ଉଚ୍ଛେଦ କରି ତାହାର ସ୍ଥାନରେ ହିନ୍ଦୀକୁ ସରକାରୀ ଭାଷା ରୂପେ ପ୍ରଚଳନ କରିବାରୁ ଓଡ଼ିଆମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟାର ସୂତ୍ରପାତ ହୋଇଥିଲା। ଏହାର ବିରୁଦ୍ଧରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ‘ମାତୃଭାଷା ବିଲୋପ’ ଶୀର୍ଷକରେ ଏକ ଅଗ୍ରଲେଖ ମାଧ୍ୟମରେ ଓଡ଼ିଆମାନଙ୍କୁ ଆନ୍ଦୋଳନ ନିମନ୍ତେ ଆହ୍ଵାନ କରିଥିଲେ। ଏହି ଆନ୍ଦୋଳନ ଫଳରେ ୧୯୦୩ ମସିହାରେ ସମ୍ଵଲପୁରରେ ପୁନଃ ଓଡ଼ିଆ ଭାଷାର ପ୍ରଚଳନ ହୋଇଥିଲା।
ଏହାର ଉପଲକ୍ଷ୍ୟରେ ସ୍ଵଭାବକବି ଗଙ୍ଗାଧର ବର୍ଣ୍ଣନା କରିଲେ –
“ବୁଧ-ହଂସ-କେଳିସର ଦେବଦୁର୍ଗ ଧାମେ,
ଜନମିଲା ସୁପତ୍ରିକା ହିତୈଷିଣୀ ନାମେ।
ଫୁଟିଲା ପ୍ରବନ୍ଧ ଫୁଲ ଛୁଟିଲା ସୁବାଷ,
ଲାଗିଲା ପାଠକଙ୍କ ମଧୁଲିଟଙ୍କ ବିଳାସ।
ଉଠିଲା କବିତା ସିନ୍ଧୁ ତରଙ୍ଗ ପଟଳ,
ପ୍ରତିଭା ଔଷଧ କଲା ପ୍ରତିଭା ପ୍ରବଳ।
ସମାଜ କାନନେ ପଶି ସେ ଚନ୍ଦ୍ର କିରଣ,
କୁ-ରୀତି ମାନଙ୍କୁ କଲା ଯତନେ ହରଣ।”
ଓଡିଶାର ପ୍ରାଚୀନ ଗୌରବ ଆଲୋଚନା ଓ ଦେଶର ତଦାନୀନ୍ତନ କାଳର ଦୁରବସ୍ଥା ଦୂର କରିବାର ନାନାବିଧ ଇଙ୍ଗିତ ପ୍ରଦର୍ଶିତ ହେବା ଦ୍ଵାରା ଏହି ପତ୍ରିକାର ବକ୍ଷ ମଣ୍ଡନ କରିଥିଲା ଏକାଧିକ ତତ୍ତ୍ବ ଓ ମୀମାଂସା, ଯଦ୍ଦ୍ଵାରା ଏହି ପତ୍ରିକାଟି କଟକ, ଗଞ୍ଜାମ, ବାଲେଶ୍ଵର, ସୁଦୂର ରାୟପୁର ଓ ପୁରୀ ଅଞ୍ଚଳରେ ବିଭିନ୍ନ କୁପ୍ରଥାର ଉତ୍ପଟନ ସମ୍ଭବ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ତେଲୁଗୁ ମାନଙ୍କ ଆଧିପତ୍ୟ, କୋର୍ଟ କଚେରୀ ମାନଙ୍କରେ ଓଡ଼ିଆ ଭାଷାକୁ ହୀନମାନ୍ୟତାକୁ ଏହି ‘ସମ୍ବଲପୁର ହିତୈଷିଣୀ’ର ଅବଦାନ ଅନେକ ଥିଲା।
ସେହିପରି ଏହି ପତ୍ରିକାରେ ସ୍ଵଭାବକବି ‘ଭାରତୀ ରୋଦନ’ ଶୀର୍ଷକରେ ମର୍ମସ୍ପର୍ଶୀ କବିତାଟି ଲେଖିଥିଲେ, ଯାହାର କତିପୟ ଉଦ୍ଧୃତି ଏଠାରେ ଉଲ୍ଲିଖିତ –
“କରି ପ୍ରାଣପଣ କରରେ ଯତନ,
ନ ଘଟେ ଯେସନ ମାତୃ ନିର୍ବାସନ।
ରହିବ ଓଡ଼ିଆ ପୁଅର ସମ୍ମାନ,
ଶତ୍ରୁଙ୍କର ଦର୍ପ ହୋଇ ଚୂନ।”
ଏହିପରି ଅନେକ ବିଦ୍ଵଜ୍ଜନ ଯେପରି ସଚ୍ଚିଦାନନ୍ଦ ତ୍ରିଭୁବନଦେବ, ବୃନ୍ଦାବନ ନାଥଶର୍ମା, ଲକ୍ଷ୍ମୀନାରାୟଣ ସାହୁ, ପଦ୍ମଚରଣ ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀଙ୍କ ଆଲେଖ୍ୟ ମଧ୍ୟ ପ୍ରକାଶ ପାଇ ହିତୈଷିଣୀର ମାନ ବୃଦ୍ଧି କରେଇଥିଲା। ସମସ୍ତ ପିଢିଙ୍କୁ ଏହି ପତ୍ରିକା ପ୍ରତିଭା ଉନ୍ମୀଳନର ସୁଯୋଗ ଦେବା ସହ ସମଗ୍ର ଓଡିଶାର ସ୍ଵାତନ୍ତ୍ର୍ୟର ବିଧିମତ ପ୍ରକାଶନ ଓ ଆଲୋଚନା ଦ୍ଵାରା ଓଡ଼ିଆ ଭାଷା ଓ ସାହିତ୍ୟ ନିମନ୍ତେ ଅବିସ୍ମୃତ ଅବଦାନ ରହିଥିଲା।
ଚର୍ଚ୍ଚିତ ‘ଇନ୍ଦ୍ରଧନୁ-ବିଜୁଳି’ ସାହିତ୍ଯିକ ବିବାଦ ମଧ୍ୟରେ ଆଧୁନିକ ସାହିତ୍ୟକୁ ଯୁଗୋପଯୋଗୀ ସ୍ଵୀକୃତି ପ୍ରଦାନ କରିବାରେ ମଧ୍ୟ ଏହି ପତ୍ରିକାର ଅବଦାନ ରହିଛି। ଯେତେବେଳେ ଭଞ୍ଜ ସାହିତ୍ୟ ଓ ରାଧାନାଥୀୟ ସାହିତ୍ୟ ମଧ୍ୟରେ ଟଣାଓଟରା ଲାଗିଥିଲା, ଆଧୁନିକ ସାହିତ୍ୟର ପ୍ରସାର ଓ ପ୍ରତିଷ୍ଠା ନିମନ୍ତେ ଏହି ପତ୍ରିକାର ସଶ୍ରଦ୍ଧ ଉଦ୍ୟମ ଉଲ୍ଲେଖନୀୟ।
ଏତଦ୍ ବ୍ୟତୀତ, ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଏ ପତ୍ରିକାର ଯୋଗଦାନ ସ୍ମରଣୀୟ । ବ୍ରିଟିଶମାନଙ୍କ ଅପଶାସନର ସମାଲୋଚନା କରିବା ସହ ତତ୍କାଳୀନ ଓଡ଼ିଶାର ଗ୍ରାମ୍ୟଚିତ୍ର, ସମବାୟ ସମିତି, ସହଜ ଚିକିତ୍ସା ପଦ୍ଧତି, କୃଷି, ଶିଳ୍ପ ଓ ବାଣିଜ୍ୟ, ଯୋଗାଯୋଗ ଓ ପରିବହନ, ନିଶା ନିବାରଣ, କୁସଂସ୍କାର ଦୂରୀକରଣ ଆଦି ପ୍ରସଙ୍ଗରେ ‘ସମ୍ଵଲପୁର ହିତୈଷିଣୀ’ ଉନ୍ମୁଖ ଥିଲା।  ସମଗ୍ର ଓଡ଼ିଶାର କୋଣାନୁକୋଣ ଆଲୋଚନା ଯୋଗୁଁ ଏହା ଓଡ଼ିଆ ଜାତିକୁ ଏକତ୍ର କରିବାରେ ମଧ୍ୟ ସହାୟକ ହୋଇଥିଲା।
୧୮୯୨ ମସିହାରେ ଏକ ସଂଖ୍ୟାରେ ବ୍ରିଟିଶ ଶାସନକୁ ସମାଲୋଚନା କରି ଲେଖିଥିଲା –
“ପଚିଶ କୋଟି ଭାରତବାସୀଙ୍କୁ କେତେ ଜଣ ଇଂରେଜ ଶାସନରେ ରଖିଛନ୍ତି ? ପିଞ୍ଜରାବଦ୍ଧ ବିହଙ୍ଗର ମଧ୍ୟ ଟିକିଏ ସ୍ଵାଧୀନତା ଅଛି, କିନ୍ତୁ ଭାରତର ହଲିବାର ଅଧିକାର ନାହିଁ । ଇଂରେଜମାନେ ଦେଶୀୟମାନଙ୍କୁ କୁକୁର ବିରାଡି ପରି ଦେଖନ୍ତି । ମନୁଷ୍ୟ ପ୍ରତି ଯେପରି ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ କରିଥାଏ; ଇଂରେଜମାନେ ଏ ଦେଶୀୟମାନଙ୍କ ପ୍ରତି ତାହା କିଛି ମାତ୍ର କରନ୍ତି ନାହିଁ। “
ଏହି ପତ୍ରିକାର ଶେଷ ସମ୍ପାଦନା ଦୀନବନ୍ଧୁ ଗଡ଼ନାୟକ କରିଥିଲେ। ହେଲେ, ଏହି ପତ୍ରିକାର ଆତ୍ମପ୍ରକାଶର ଶେଷ ତାରିଖ ଥିଲା ୧୯୨୩ ମସିହା ମାର୍ଚ୍ଚ ୩ । କିନ୍ତୁ, ଏହି ପତ୍ରିକାର ନିରପେକ୍ଷ ଆଦର୍ଶ ସହ ଓଡ଼ିଆ ଜାତିକୁ ନବଚେତନାରେ ଭରିଦେବାରେ ଯେଉଁ ପ୍ରଭୂତ ଅବଦାନ ଥିଲା, ‘ସମ୍ଵଲପୁର ହିତୈଷିଣୀ’ର ଅବଦାନ ସେଥିରେ ସର୍ବାଦୌ ଅନସ୍ଵୀକାର୍ଯ୍ଯ।
Sambalpur Hiteishini Amritesh Khatua
Spread the love
admin

View Comments

  • ଧନ୍ଯବାଦ ଅନୁଜ ପ୍ରତୀମ ଅମ୍ରିତେଶ ସମ୍ବଲପୁର ହିତୈଷିଣୀ ସଂପର୍କରେ ପାଣ୍ଡିତ୍ଯ ପୂର୍ଣ୍ଣ ଆଲେଖ୍ଯଟି ଉପାଦେୟ ,ଏହି ପତ୍ରିକା ମାଧ୍ଯମରେ ସମାଜର ବହୁବିଧ ସମସ୍ଯା ,ସାହିତ୍ଯ ରାଜନୀତି ଆଦି ପ୍ରକାଶ କରି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା , ଏମିତି ଅନେକ ଲେଖା ଆପଣଙ୍କ ଠାରୁ ପାଠକ ମାନେ ଅପେକ୍ଷା କରନ୍ତି ,ତୁମର ଉଜ୍ଜ୍ବଳ ଭବିଷ୍ଯତ କାମନା କରୁଛି ,ଜୟ ଜଗନ୍ନାଥ I

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago