ଲେଖା: ନିରଞ୍ଜନ ସାହୁ

“ବଣ ମୂଲକର ମୁହିଁ ବାଘ ସିଂହ ବଂଶଧର
ସର୍କସେ ଯାଇ ବଶ ହେଲି ନାହିଁ
ହୋଇ ପାରିଲିକି ଅନ୍ଧଚର ।”

“କଳା ସୃଷ୍ଟିର ଉପଯୋଗ କରି
କରିନେଲି ମୋର କଳାର କାଳ
ଆହତ ବୁକୁରେ ଫେରିଲି ମୋ ପଥେ
କାଳିମା ଘେନି ମୋ ପୁରସ୍କାର।”

ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ସଫଳ, ପ୍ରତିଭାଶୀଳ, କାଳଜୟୀ ସ୍ରଷ୍ଟା ଶ୍ରୀ ରାଧାମୋହନ ଗଡ଼ନାୟକଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷାଚାତୁରୀ, ବିଷୟ ଚୟନରେ ଅନନ୍ୟ । କବିଙ୍କର ନିଜ ଜୀବଦ୍ଦଶାରେ ପ୍ରେମ, କରୁଣା, ମାଟିର ମମତା, ନିର୍ଭୀକ ଭାବ ଫୁଟାଇ ପାରିଥିବା ରଚନାର ସାମଗ୍ରିକ କୃତିକୁ ନେଇ ଯଦି ବିଚାର କରାଯାଏ, ତେବେ କାବ୍ୟ ଭାରତୀ ମା’ ସରସ୍ଵତୀଙ୍କ ଅପାର କରୁଣାରୁ ସେ ସୃଷ୍ଟି କରିଯାଇଥିବା ଅମର ଲେଖନୀରୁ ଅମରଗାଥା, ଯାହା ଥିଲା ତାଙ୍କ ହୃଦୟର ସ୍ଵର, ସେସବୁ ଆମ ଓଡ଼ିଶାର ସାରସ୍ବତ ଭଣ୍ଡାରକୁ ଯୁଗ ଯୁଗ ଧରି ଯାଦୁକର ଭାବରେ ତାଙ୍କର ଯାଦୁକରୀ ଗୁଣରେ ସମସ୍ତଙ୍କୁ ବାନ୍ଧି ରଖିଥିବେ, ଏ କଥା ଧ୍ରୁବ ସତ୍ୟ।

ଲିଙ୍ଗରା ନଦୀ କୂଳରେ ଅବସ୍ଥିତ ଏକ ଛୋଟିଆ ଗାଁ, କଲଣ୍ଡାପାଳ, ଏବେର ଅନୁଗୁଳ ଜିଲ୍ଲାରେ। ସେଇଠି ଜନ୍ମ ନେଇଥିଲେ କବି ରାଧାମୋହନ ଗଡ଼ନାୟକ ୧୯୧୧ ମସିହା ଅଗଷ୍ଟ ମାସ ୨୫ ତାରିଖ ଦିନ। ପରେ ସାହିତ୍ୟ ଜଗତକୁ ପଶିଥିଲେ ୧୯୧୯ ମସିହାରେ ଅର୍ଥାତ୍ ଆଠ ବର୍ଷ ବୟସରେ। ସେତେବେଳେ ସେ ଗଡସନ୍ତରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର। ସେହି ପିଲାଦିନରୁ ସେ ଜଣାପଡିଥିଲେ ଯେ ଭବିଷ୍ୟତରେ ଏକ ନାମୀ କବି ହେବେ ନିଶ୍ଚିତ।

ଶବ୍ଦର ତୁଳୀରେ ଅତି ନିଖୁଣ ଭାବରେ ଚିତ୍ରିତ କରିପକାଉଥିଲେ ଅନେକ ଅନେକ କବିତା, ଯାହାକୁ ନେଇ କ୍ରମେ କ୍ରମେ ପ୍ରିୟ ହୋଇଉଠିଲେ ରାଧାମୋହନ ଶିକ୍ଷକ ମାନଙ୍କ ଦୃଷ୍ଟିରେ, କଲଣ୍ଡାପାଳର ଘରେ ଘରେ। ବିରାମ ନେଇ ନଥିଲେ ରଚନାରୁ। ତାଙ୍କୁ ତେର ବର୍ଷ ବୟସ ହେଲାବେଳକୁ ପ୍ରଥମ କବିତା ଅର୍ଥାତ୍ ୧୯୨୪ ମସିହାରେ ପ୍ରକାଶିତ ହୋଇଥିଲା ‘ବନରାଜି ନୀଳା’ ପୁସ୍ତକ।

ସମଗ୍ର ଓଡ଼ିଶାରେ ପ୍ରଥମ ଓ ବୋଧହୁଏ ଏକମାତ୍ର କବି ଯେ ସ୍ଵଲିଖିତ କବିତା ପରବର୍ତ୍ତୀ ସମୟରେ ନିଜେ ହିଁ ମହାବିଦ୍ୟାଳୟ ପାଠ୍ୟକ୍ରମରେ ତାଙ୍କର ନିଜ କବିତା ପଢ଼ି ପରୀକ୍ଷା ଦେବାର ସୌଭାଗ୍ୟ ପାଇଥିଲେ। ଏହା ସୂଚିତ କରେ ‘ଗଡ଼ନାୟକ’ ହିଁ ନିଜ ସହ ନିଜେ ତୁଳନୀୟ। (ପ୍ରକୃତ ପକ୍ଷେ ‘ଆଜ କି ହେଲାରେ କହିତ ନୁହଁଇ ଭାରତୀରେ !’) ଏହି କଥାଟି କେବଳ ତାଙ୍କରି ପାଇଁ ପ୍ରଯୁଜ୍ୟ ବୋଲି ମନେହୁଏ। ଅନେକ ସମୟରେ ରାଧାମୋହନ ଛଦ୍ମନାମରେ କବିତା ପ୍ରକାଶିତ କରାଉଥିବା ଜଣାଯାଏ। ‘ରାଜଜେମା’ କବିତା ଏହାର ଏକ ସୁନ୍ଦର ଉଦାହରଣ, ଯାହା ତାଙ୍କୁ ଚବିଶ ବର୍ଷ ହୋଇଥିବା ବେଳର କବିତା। ଅବଶ୍ୟ ପରବର୍ତ୍ତୀ ସମୟରେ ଛଦ୍ମନାମ ବ୍ୟବହାର ହେଉଥିବା ଜଣାଯାଇନାହିଁ।

କବି ରାଧାମୋହନ ଗଡ଼ନାୟକ ଥିଲେ ପ୍ରକୃତି, ମାଟି, ଦେଶ, ସୌନ୍ଦର୍ଯ୍ୟର ଉପାସକ। ତାଙ୍କର କବି ମନଟି ଆକାଶରୁ ମାଟି, ମାଟିରୁ ଆକାଶ ଛୁଇଁଥିଲା। ତେଣୁ ସେହି କଲମ ମୁନରୁ ଝରି ପଡିଥିଲା ମନର ଭାବକୁ ନେଇ କବିତା, ଯାହା ଛନ୍ଦଯୁକ୍ତ। ରୀତି ଯୁଗର କବିତା ପରି ପ୍ରତୀୟମାନ ଅନେକ ସମୟରେ। ଏହି ମହାନ୍ ଗୀତି କବିତା ମାଧ୍ୟମରେ ଦେଶପ୍ରେମର ବୀଜ ବୁଣି ବୁଣି ସ୍ଵାଧୀନତା ସଂଗ୍ରାମରେ ମଧ୍ୟ ଝାସ ଦେଇଥିଲେ। ବିପ୍ଳବର ବୀଜ ବୁଣି ଶୋଇ ପଡ଼ିଥିବା ଭାଇଭଉଣୀଙ୍କୁ ଆହ୍ବାନ ଦେଇଥିଲେ କବିତା ମାଧ୍ୟମରେ —
“ରାଇଜ ଛାଡ଼ି ଯେ ପଳାଇ ଆସିଛୁ ଆମେ
ଭୀରୁ ବୋଲି ସିନା ଭାବୁଥିବ ତୁମ୍ଭେମାନେ
      ନୋହୁ ଆମେ ପ୍ରାଣ ରଙ୍କ
ଆମେରେ ଏଇଠି ବଜାଇବୁ ଆଜି
      ମଣିଷର ଜୟ ଶଂଖ ।”

କବି ରାଧାମୋହନ ଗଡ଼ନାୟକ କେବଳ ଓଡ଼ିଶା ନୁହେଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ସାହିତ୍ୟପ୍ରେମୀ ଓ ଭାରତର ବିଭିନ୍ନ ଭାଷାର ସାହିତ୍ୟପ୍ରେମୀମାନଙ୍କ ମଧ୍ୟରେ ଖ୍ୟାତି ଅର୍ଜନ କରିଥିଲେ। ଇଂରାଜୀ ପତ୍ରିକା କାରାଭାନ୍ ୧୯୬୦ ମସିହାରେ ସେପ୍ଟେମ୍ବର ସଂଖ୍ୟାରେ ଏହାଙ୍କୁ ସମସାମୟିକ ଭାରତୀୟ ସାହିତ୍ୟରେ ଜଣେ ସଫଳ କବି ଭାବରେ ସମ୍ମାନିତ କରିଥିଲେ। ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଥିବା ଏହି ମହାନ୍ କବିଙ୍କର ସୃଜନୀ ଉପରେ ଆଲୋକପାତ କଲେ ଆମେ ଏହି ଅନବଦ୍ୟ ରଚନା ଗୁଡିକୁ ଭୁଲି ପାରିବା ନାହିଁ କୌଣସିମତେ- ଅର୍ବାଚୀନ ତାରା, ଉତ୍କଳିକା, କାବ୍ୟନାୟିକା, କାଳିଦାସ, କୈଶୋରିକା, ମେଘଦୂତ, ସୌରଭ, ମୌସୁମୀ, ହୀରାଖଣ୍ଡ ଗାଥା, ଶାମୁକାର ସ୍ଵପ୍ନ, ସୂର୍ଯ୍ୟ ଓ ଅନ୍ଧକାର, ନବଜାତକ, ଧୂସରଭୂମିକା, ମାଳିନୀ, ନଦୀର ଢେଉ, ବନରାଜି ନୀଳା, ମହାଯାତ୍ରାର ଶେଷ ସର୍ଗ, ଗାନ୍ଧୀକଥା, ଅନୁଗୁଳ, ପାଣ୍ଡୁ, କୁହୁଡିର ଇତିକଥା, ଆଉ ଜଣେ, ଖଦଡ଼ ଓ ଅନ୍ୟାନ୍ୟ କବିତା, ନୂତନ ଦ୍ରୌପଦୀ, ଆମ ଗୀତା, ବାଇଆର ଗୀତ, କିଏ ଆମ ସରିସା (ଶିଶୁକବିତା), ଗୀତଗୋବିନ୍ଦ, ଦେଶ ବିଦେଶର ପ୍ରେମକବିତା, ସେକ୍ସପିୟରଙ୍କ ସନେଟ୍ (ଅନୁବାଦ) ଇତ୍ୟାଦି।

ଏହି ଜନାଦୃତ ସାହିତ୍ୟିକଙ୍କୁ ଓଡ଼ିଆ ଜାତି ଆପଣାର ସମ୍ମାନ ଉତ୍ସର୍ଗ କରିଛି ବିଭିନ୍ନ ସମୟରେ, ତନ୍ମଧ୍ୟରୁ କେତୋଟି —
ପ୍ରଥମ ସ୍ଵାଭିମାନ ପୁରସ୍କାର (୧୯୯୯)
ଉତ୍କଳଶ୍ରୀ (୧୯୯୯)
ଉତ୍କଳରତ୍ନ (୧୯୯୭), ଉତ୍କଳ ସାହିତ୍ୟ ସମାଜ
ଅତିବଡ଼ି ଜଗନ୍ନାଥ ପୁରସ୍କାର (୧୯୯୩)
ନନ୍ଦିଘୋଷ ପୁରସ୍କାର (୧୯୮୮)
ନୀଳଶୈଳ ପୁରସ୍କାର (୧୯୭୫)
ଡି. ଲିଟ୍ (୧୯୯୭)/ଉତ୍କଳ ବିଶ୍ୱବିଦ୍ୟାଳୟ

ଜାତୀୟ ସ୍ତରରେ ପ୍ରଶଂସିତ ଏହି କବିଙ୍କୁ ‘ପଦ୍ମଶ୍ରୀ’(୧୯୯୦) ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ୧୯୭୫ ମସିହାରେ।

କିନ୍ତୁ ସବୁଠାରୁ ତାଙ୍କ ପାଇଁ ବଡ଼ ପୁରସ୍କାର ଥିଲା, ସେ ଓଡ଼ିଶାର ସାହିତ୍ୟପ୍ରେମୀମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ ଜୀବିତାବସ୍ଥାରେ ଓ ଅଦ୍ୟାବଧି ସେହି ସ୍ଥାନ ବଜାୟ ରହିଛି। ଓଡ଼ିଶାର ଜନମାନସରେ ପ୍ରତିଷ୍ଠିତ ରାଧାମୋହନ ଗଡ଼ନାୟକଙ୍କୁ ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ପ୍ରଣାମ। ପରିଶେଷରେ କବି ମନମୋହନୀ ଦେବୀଙ୍କ ଏକ ପଦ ତାଙ୍କରି ପାଇଁ –

“ଶିଳ୍ପୀ ମୁକୁଟ ମଣି
ଉତ୍କଳ ନଭ ପ୍ରତିଭା-ଦୁର୍ଗ-ନାୟକ-ପଦେ ମୁଁ ଗଣି।
କିମ୍ପାଇଁ କେତେ ଭାବୁକ-ବକ୍ଷ
ଚମକାଇ କେତେ ସାଧନା-କକ୍ଷ
କାବ୍ୟ ନାୟିକା କାବ୍ୟ ତାରକା
ଯୁଗ-ନଭେ ହେଲା ଦେଖା
ମୁଗ୍ଧ ସାଧକ ପରାଣେ ପାତିଲା
ନବୀନ ଆଲୋକ ରେଖା”।

Radha Mohan Gadanayak Radhamohan © Niranjan Sahu

Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

12 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago