~ ରବି ପଟ୍ଟନାୟକ ~
ଲେଖା: ଅମୃତେଶ ଖଟୁଆ
“ସଂସ୍କାର ହିଁ ମଣିଷର ସବୁଠୁ ବଡ଼ ଶିକୁଳି। ସେଇ କାରାଗାରରେ ବନ୍ଦୀ ହୋଇ ମଣିଷ ତା’ରି ଅନୁକୂଳ ପରିବେଶରେ ଗଢିଉଠେ। ସେଇ ସାମାଜିକ ଚେତନାର ପରିବେଷ୍ଟନୀରେ ନିଜର ଚରିତ୍ର, ବ୍ୟବହାରର ସଂଜ୍ଞା ନିରୂପଣ କରେ। ସେଥିରୁ ବାହାରିଗଲେ ଭିତରୁ ବାହାରୁ ଚିତ୍କାର କରି ଉଠେ, ‘ଫେରିଯା, ଫେରିଯା – ଏ ଦୋଷ, ଅନ୍ୟାୟ, ପାପ ।’
କେତେ ବିରାଟ, କେତେ ବ୍ୟାପ୍ତ ଏ ମଣିଷ ଜାତି। କିନ୍ତୁ ନିଜର ସ୍ବାର୍ଥ ନେଇ ସେ ନିଜକୁ ସୁହାଇଲା ପରି ସମାଜ ଗଢିଛି ଭିନ୍ନ ଭିନ୍ନ ଜାଗାରେ, ବିଭିନ୍ନ ରୂପ ଦେଇ। ଆଜି ହୁଏତ ମୁଁ ସମାଜ ପାଖରେ ଦୋଷୀ। କିନ୍ତୁ ଯଦି କୌଣସି ୟୁରୋପୀୟ ବା ମୁସଲମାନ ସଂପ୍ରଦାୟର ହୋଇଥାଆନ୍ତି, ମୋ ପାଖରେ ହୁଅନ୍ତା ଏଇଟା ଗୋଟାଏ ସାଧାରଣ ବିଷୟ। ଏଥିପାଇଁ ମୋତେ ଅନୁତାପ କରିବାକୁ ପଡ଼ନ୍ତା ନାହିଁ….
…. ସେଇ ଏକା ମଣିଷ। ଅଥଚ ଖାଲି କେଇଟା ମାଇଲ୍ ବ୍ୟବଧାନ। ….  ଗୋଟିଏ ବାଟ ଛାଡି ଅନ୍ୟ ଗୋଟାଏ, କିନ୍ତୁ, ତା’ରି ଭିତରେ ନୀତି, ବିଚାରର କେଡେ ବଡ଼ ବ୍ୟବଧାନ। ଜଣେ ପ୍ରତିରୋଧ କରେ, ଅନ୍ୟ କହେ ଗ୍ରହଣୀୟ। ଗୋଟିଏ ମଣିଷ ଜାତି, ଅଥଚ ତା’ର ଗୋଟିଏ ନିୟମ ନାହିଁ। ତେଣୁ, ମୁଁ ଯୋଉଟା କରିଛି, ସେଇଟା ମାନବିକତା ଦୃଷ୍ଟିରୁ ଭୁଲ୍ ହେଲେ ମଧ୍ୟ ସମାଜ ଦୃଷ୍ଟିରୁ ଭୁଲ୍ ହେବ କାହିଁକି?” (ଅସାମାଜିକର ଡାଏରୀ)
ସ୍ଵୈରତନ୍ତ୍ରିତ ଜଗତ ଓ ମୁକ୍ତବାକ୍ ଅଧରର ଭାଷ୍ୟ – ପୁନଶ୍ଚ କେତୋଟି ପରିବର୍ତ୍ତନ, କେତୋଟି ଅସ୍ତିତ୍ଵର ଘାତସଂଘାତସମ୍ପନ୍ନ ସ୍ଥିତିବାଦ ଆଜି ସମସ୍ତ ସମାଜର ଗୋଟିଏ ଗୋଟିଏ ପୃଥକ୍ ଅଥଚ, ଏକ ଅଭିନ୍ନ ଆକାର ରୂପେ ପ୍ରସରି ଯାଉଛି। ତହିଁ ମଧ୍ୟରୁ ଚରମ ଉତ୍ତାରୁ ସଦ୍ୟତମ ମାନବୀୟ ସମ୍ବେଦନତାର ଉତ୍କୋଚ ଅନ୍ୟତମ! କୌଣସି ବିଦ୍ରୋହ ନଥିଲା, କେବଳ ପରିବର୍ତ୍ତନ! କୌଣସି ଚାକଚାକ୍ଯର ଆଭାସ ମିଳେନା, କେବଳ ଚକ୍ଷୁଷ୍ମାନ କରୁଥିବା ପ୍ରତିଟି ପଲକର ଅବଗାହନ ସେଥିରେ ଅଛି!
ଓଡ଼ିଆ ସାହିତ୍ୟ ଜଗତର ଧରାବନ୍ଧା ରୀତିବଦ୍ଧତାକୁ ତ୍ୟାଗପୂର୍ବକ ମଣିଷ ଜୀବନର ସୂକ୍ଷ୍ମ ପରିବର୍ତ୍ତନ ସହ ଓଡ଼ିଶା, ଭାରତବର୍ଷ ସମେତ ସମଗ୍ର ବିଶ୍ଵ ଚେତନାର ଆଧୁନିକତାରେ ଗଢି ଉଠୁଥିବା ନୂଆ ନୂଆ ତତ୍ତ୍ୱ ସମସ୍ତକୁ ନିଜ ଲେଖନୀରେ ଆହୁରି ପରାଙ୍ଗପୁଷ୍ଟ କରିଥିଲେ ଗାଳ୍ପିକ ରବି ପଟ୍ଟନାୟକ। ୨୧ ଅକ୍ଟୋବର ୧୯୩୫ ମସିହା ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବା ବର୍ତ୍ତମାନର ବଣାଇ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ଭାବେ ଓ ପରବର୍ତ୍ତୀ ସମୟରେ ବଣାଇଗଡ଼ ରାଜକର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପୈତୃକ ଗ୍ରାମ ଥିଲା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ଆମ୍ବଡିହା ଗ୍ରାମ। ତାଙ୍କ ମାତା ଥିଲେ ସୁନ୍ଦରମଣି ଦେବୀ।
ଶୈଶବର ଚାରି ପାଞ୍ଚ ବର୍ଷ ପୈତୃକ ଗ୍ରାମରେ ଅତିବାହିତ କରିଛନ୍ତି। ଦିଗନ୍ତାନୁସରିତ କ୍ଷେତ୍ରମଣ୍ଡଳ ସମେତ ନଭଶ୍ଚୁମ୍ଵୀ ପର୍ବତମାଳା ତଳେ ଦୁଇଟି ବିରାଟ ଆମ୍ଵ ବଗିଚା। ରାଇରଙ୍ଗପୁର ହାଇସ୍କୁଲରୁ ସେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରୁ ପ୍ରାଣୀବିଜ୍ଞାନରେ ସ୍ନାତକ କରିଥିଲେ। ଏହା ପରେ ସେଠାରେ ଭୂତତ୍ତ୍ଵବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପନ ଅନ୍ତେ ଭାରତ ସରକାରଙ୍କ ଭୂତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ଵବିତ୍ ରୂପେ କର୍ମମୟ ଜୀବନ ଆରମ୍ଭ କରିଥିଲେ।
ଦୀର୍ଘ ତିନି ଦଶନ୍ଧି ଧରି ସାରସ୍ଵତ ସାଧନାରେ କଥାସାହିତ୍ୟ ତାଙ୍କ ସୌଜନ୍ଯରେ ଆହୁରି ବ୍ୟାପ୍ତି ପରିଗ୍ରହ କରେ। ତାଙ୍କ କୃତୀତ୍ଵର ସଂଖ୍ୟା ଦୁଇ ଶହରୁ ଉର୍ଦ୍ଧ୍ବ ହେବ, ହେଲେ ଆଜି ବି ଅଗଣିତ ହୃଦୟରେ ତାଙ୍କ ଭାବର ଅନ୍ତଃସ୍ରୋତ ତରଙ୍ଗାୟମାନ! ‘ଅସାମାଜିକର ଡାଏରୀ’ (୧୯୬୭), ‘ଅନ୍ଧଗଳିର ଅନ୍ଧକାର’ (୧୯୭୭), ‘ରାଗତୋଡି’ (୧୯୭୯), ‘ବହୁରୂପୀ’ (୧୯୭୯), ‘ହିରଣ୍ୟଗର୍ଭ’ (୧୯୮୨), ‘ଗଳ୍ପ’ (୧୯୮୨), ‘ବିଷୁବରେଖା’ (୧୯୮୩), ‘ରାଜରାଣୀ’ (୧୯୮୬), ‘ବନ୍ଧ୍ୟା ଗାନ୍ଧାରୀ’ (୧୯୮୮), ‘ଅମରଲିତା’ (୧୯୯୦), ‘ବିଚିତ୍ରବର୍ଣ୍ଣା’ (୧୯୮୧), ‘ଛାୟାପୁତ୍ରର କାଳ’ (୧୯୯୧), ‘ମେଘ ମହ୍ଲାର’ (୧୯୯୨), ‘ପ୍ରେମ ଓ ପ୍ରତିମା’ (୧୯୯୩), ‘ଅବିନଶ୍ଵର’ (୧୯୯୩), ‘ପ୍ରଜାପତିର ଘର’ (୧୯୯୫) ତାଙ୍କର ଗୋଟିଏ ଗୋଟିଏ ଅନବଦ୍ୟ କୃତୀତ୍ଵ!
‘ଅସାମାଜିକ ଡାଏରୀ’ରେ ‘ଦିଆସିଲି କାଠି’ରୁ ନେଇ ‘କଲେଜ ଛକ’ର ସନ୍ଧ୍ୟା ପର୍ଯ୍ୟନ୍ତ ୩୪ଟି ଗଳ୍ପର ସମଷ୍ଟି। ସମାଜ ଓ ସାମାଜିକତା ପର୍ଯ୍ଯବେସିତ ବ୍ଯକ୍ତିର ଅନ୍ତର୍ଦ୍ଵନ୍ଦ୍ଵ ଓ ନାନାବିଧ ଚଳନ୍ତି ଘଟଣାର ଅଭିନବ ରୂପାୟନ ଦ୍ଵାରା ଏହି ଗଳ୍ପ ସମଗ୍ରଟି ପରିପୁଷ୍ଟ। ଅଧୁନାତନ ଜଗତର ଗୋଟିଏ ଗଳ୍ପନାୟକଙ୍କ ମାଉସୀ ଝିଅ ନିରୂପମା ପ୍ରତି ଦୁର୍ବାର ଆକର୍ଷଣ – ସମାଜଦୃଷ୍ଟିରୁ ପାପାଚାର। ସେଥିରେ କୁହାହେଇଛି, “ମଣିଷ ଏକ ବିବେକୀ ଜୀବ। ଯେତେ ଦୁଶ୍ଚରିତ୍ର, ଲମ୍ପଟ ଓ ପାପୀ ହେଲେ ବି ତା’ର ଏକ ବିବେକ ଥାଏ। କିନ୍ତୁ ସେ ଏକ ଦୁର୍ବଳ ବିବେକ। ଯାହାର ଦୁର୍ବଳତାର ସୁଯୋଗ ନେଇ ମନ ଯଥେଚ୍ଛାଚାର କରିଥାଏ . . ସେ ବିବେକର ମଧ୍ୟ ସମୟ ଆସେ, ଯେତେବେଳେ ସେ ପାଏ ଶତସିଂହର ବିକ୍ରମ।”
‘ଅସାମାଜିକ ଡାଏରୀ’ର ପ୍ରକାଶନର ଦୁଇବର୍ଷ ଅନ୍ତେ ତାଙ୍କର ଦ୍ଵିତୀୟ ସମଷ୍ଟି ‘ରାଗତୋଡି’ ପ୍ରକାଶିତ ହୁଏ। ଚାରିଟି ଦୀର୍ଘ ଗଳ୍ପକୁ ନେଇ ସଂସୃଷ୍ଟ। ଏହା ପରେ ପ୍ରକାଶିତ ହେଇଛି ଚଉଦଟି ଗଳ୍ପର ସମାହାରରେ ‘ବହୁରୂପୀ’।  ମୁକ୍ତମନା ମାନବୀୟ ସମାଜ ଓ ଜାଗତିକ ଅଶ୍ରୁତପୂର୍ବ ଅପ୍ରତ୍ୟାଶିତ ଘଟଣାକ୍ରମର ବର୍ଣ୍ଣନାରେ ଜୀବନ-ଜିଜୀବିଷାର ରୂପ ସର୍ବୋପରି ପ୍ରତିପାଦିତ। ସେଥିପାଇଁ ତାଙ୍କର ପ୍ରଥମ ଗଳ୍ପ ସମଷ୍ଟିର ପ୍ରଥମ ଗଳ୍ପ ‘ଦିଆସିଲି କାଠି’ରେ କହିଛନ୍ତି, “ମଣିଷ ଆଘାତ ପାଏ – ତଥାପି ସେ ବଞ୍ଚେ। ଖାଲି ଇଆରି ପାଇଁ। ଭବିଷ୍ଯତଟା ସବୁବେଳେ ଅନ୍ଧାର। କିନ୍ତୁ ଭିତରେ ରହି ବିଜୁଳି ଚକ୍ ଚକ୍ ମାରେ… ସେ ଆଶା।”
ତାଙ୍କର ଏକ ଗଳ୍ପ ‘ବେଲ, ଅଶ୍ଵତ୍ଥ ଓ ବଟବୃକ୍ଷ’ ଗଳ୍ପ ୧୯୭୪ ମସିହାରେ ‘ନବରବି’ ପତ୍ରିକାର ପଞ୍ଚମ ସଂଖ୍ୟାରେ ପ୍ରକାଶ ଲାଭ କରିଥିଲା। ମାତୃପ୍ରେମୀ ନଟବର ବାବୁ ବୈଶାଖୀ ଖରାରୁ ବାହୁଡି ଆସି ଗାଁରେ ପହଞ୍ଚିଛନ୍ତି – ମା’ଙ୍କ ଦେହ ବଡ଼ ଅସୁଖରେ। ହେଲେ, ଏଠାରେ ମଧ୍ୟ ମଣିଷର ସେହି ‘ଦୁର୍ବଳ ବିବେକ’ର ଏକ ମନୋଜ୍ଞ ପରିପ୍ରକାଶ ଘଟିଛି। ମା’ର ପୁଅମାନଙ୍କ ପ୍ରତି ତ୍ୟାଗ କିନ୍ତୁ, ପୁଅମାନେ ମା’ ଦେହକୁ ଦେଖିବା ତ ଦୂର୍, କେହି ମା’ ପ୍ରତି କୃତଜ୍ଞ ନଥିଲେ ଯେପରି! ବର, ଅଶ୍ଵତ୍ଥ ଓ ବେଲ ବୃକ୍ଷରେ ବସି ନାନାବିଧ ଚିନ୍ତା ଉପୁଜୁଥାଏ। ଯେଉଁ ବରଗଛ ପୂଜା ପାଏ, ତା’ର ପତ୍ରଟିଏ ନାହିଁ ଛାଇ ଦେବା ପାଇଁ! ବୁଦ୍ଧ ଯେଉଁ ଅଶ୍ଵତ୍ଥ ମୂଳେ ନିର୍ବାଣ ପାଇଥିଲେ, ନା ସେ ଗଛର କିଛି ଅଛି, ନା ଛାଇ ପଦାଏ ଦେବ? ମନସ୍ପର୍ଶୀ ଧାରାରେ ନିର୍ବାକ୍ ବୃକ୍ଷଙ୍କ ମମତ୍ବର ପରାକାଷ୍ଠା!
କୌଣସି ପରିସ୍ଥିତିରେ, କୌଣସି ଏଟ ପୁରୁଷ, ନାରୀ, ପ୍ରେମିକ, ପ୍ରେମିକା, ରାଜନେତା ବଖ ସେମିତି କୌଣସି ଏକ ଚରିତ୍ରର ମାନସିକତା, ଦ୍ବନ୍ଦ୍ବ, ସଂଘର୍ଷ, ସଙ୍କଟାପନ୍ନ ଆଦିର ଚିତ୍ରାବୟିତ ହୁଏ – ସେହି ଚରିତ୍ରରୁ ନିଷ୍କ୍ରମିତ ହୋଇ ନିଜ ଜୀବନର ବଞ୍ଚିବାର ବାଟ ଖୋଜିବାରେ – ସବୁ ବଞ୍ଚନାକୁ ଛାଡି, ବଞ୍ଚିବାର ସେହି ଗୋଟିଏ ବୋଲି ବିଜୁଳିବତ୍ ଚକମକି ଚହଟା ଆଶାରେ! ଭାଷାପ୍ରୟୋଗ ଓ ଶୈଳୀ ଅପାରମ୍ପରିକ ତଥୈବ ସ୍ଵଗତୋକ୍ତ। କେତେ ବେଳେ ବିଷୟ ସଂଳାପରେ ନାଟକୀୟତା ତ କେତେବେଳେ ବିଷୟ ଓ ପ୍ରସଙ୍ଗର ଦାୟ ଗଳ୍ପର ଆକାର ନିର୍ଣ୍ଣୟରେ ସର୍ବତୋ ପରିଲକ୍ଷିତ!
ତାଙ୍କର ‘ବହୁରୂପୀ’, ‘ଅନ୍ଧଗଳିର ଅନ୍ଧକାର’, ‘ବନ୍ଧ୍ୟାଗାନ୍ଧାରୀ’ ଭଳି ଚିର ଓଜସ୍ଵୀ ଗଳ୍ପ ସମଗ୍ରରେ ରହିଛି ଅବାଞ୍ଛିତ ଭାଗ୍ୟ ଦାୟର ମଣିଷରେ ମୁକ୍ତବାକ୍ ହେଇ ଆଗେଇ ପଳେଇ ଯିବାର ସମୁଦ୍ୟମ – ହେଲେ ଅତିକ୍ରମଣର ସମ୍ଭାବନା ଦମ୍ ମାରିଛି! କାରଣ, ସେ ଅନ୍ଧଗଳିର ବାଞ୍ଛାରେ ଗୋଟିଏ ପରିସୀମାର ଚିହ୍ନ! ଗାଳ୍ପିକ କହନ୍ତି, “ଏ ପାଚେରି ଆଜିକୁ ଲକ୍ଷକୋଟି ବର୍ଷଧରି ଛିଡା ହୋଇ ରହିଛି। ଆଉ କେତେ ମନ୍ଵନ୍ତର ଧରି ଏ ଛିଡା ହୋଇଥିବ ଜିଜ୍ଞାସା ଓ ସତ୍ଯ ଭିତରେ କୌତୂହଳର ଅଲଂଘନୀୟ ପର୍ଦ୍ଦା ଦେଇ। ମୋ ପରି କେତେ ଲୋକ ଆସିଛୀ – ଆହୁରି କେତେ ଲୋକ ଆସିବେ ନୂତନ ସୀମାର ଆବିଷ୍କାର ପାଇଁ, ତଥାପି ମୁଁ ଚେଷ୍ଟା କରିଯିବି ଶେଷ ପର୍ଯ୍ୟନ୍ତ।”
ବିଦ୍ରୋହର ଆନତ ଧ୍ଵନିରେ ଗଳ୍ପର ପଳାଶ ବନରେ ଗାଳ୍ପିକ ରବି ପଟ୍ଟନାୟକ ଦେଇଛନ୍ତି ସ୍ବପନ୍ଥାର ଅନୁରଞ୍ଚନ ! ତାଙ୍କର ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗଳ୍ପ ସମଗ୍ର ‘ହିରଣ୍ୟ ଗର୍ଭ’ର ‘ଗୁମ୍ଫା’ ଗଳ୍ପରେ ଭୀତକାୟ ଶିଶୁବଦନରେ ସ୍ଵାଧୀନତାର ଉନ୍ମୁଖ ବାର୍ତ୍ତା! ବାର୍ତ୍ତା ତ ନୁହେଁ ମୁକ୍ତବାକ୍ ଆହ୍ବାନ! ସେଥିପାଇଁ ସେହି ପିଲାଟି କହିଛି, “ତେଣୁ ମଣିଷକୁ ଅବିଶ୍ଵାସ କରି ତା’ରି ପୃଷ୍ଠଭୂମିରେ ନିୟମ କଲେ ସେ ନିୟମ ଭାଙ୍ଗିବାକୁ ବାଧ୍ୟ !”
୧୯୮୪ ମସିହାରେ ‘ବିଚିତ୍ରବର୍ଣ୍ଣା’ ପାଇଁ ଗାଳ୍ପିକ ରବି ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ ମସିହାରେ ‘ବନ୍ଧ୍ଯା ଗାନ୍ଧାରୀ’ ପାଇଁ ରାମଚନ୍ଦ୍ର ବେହେରାଙ୍କ ସହିତ ଯୁଗ୍ମ ଓ ମରଣୋତ୍ତର ଭାବରେ ‘ଶାରଳା ପୁରସ୍କାର’ ଲଭିଛନ୍ତି। ଆଉ ତାଙ୍କ ଅଧୁନାତନ ଗଳ୍ପ ସମଗ୍ରରେ ଅଛି ‘ପ୍ରଜାପତିର ଘର’ ଯେଉଁଁଥିରେ ‘ଅପହୃତ ଶୈଶବ’ରେ ପିଲାମାନେ ଜେଜେମାଙ୍କ କାହାଣୀକୁ ପୁରୁଣାକାଳିଆ ଠଉରାଇଛନ୍ତି। ବାପା ବି ଇଂଲିଶ୍ ନ୍ୟୁଜ୍’ରେ – ବୁଢୀ ଅସୁରୁଣୀ ଆଜି ହଜିଯାଇଛି ଜେଜେମାଙ୍କ ଆଢୁଆଳରେ! ଏକବିଂଶ ଶତାବ୍ଦୀର ଶିଶୁଙ୍କ କଳ୍ପରୂପ ଆଜି ବାସ୍ତବ – ୧୯୯୧ ରୁ ଆଜି ୨୦୨୦ ମସିହାର ଫାଣ୍ଟମ୍ ପରି କେତେ ଶିଶୁର ମନସ୍ଥ ଚରିତ୍ର!
ଏତଦ୍ ବ୍ୟତୀତ ଗାଳ୍ପିକ ରବି ପଟ୍ଟନାୟକ ୧୯୬୨ ମସିହାରେ ‘ପ୍ରଜାତନ୍ତ୍ର’ , ୧୯୬୬ ମସିହାରେ ‘ବିଷୁବ ଗଳ୍ପ ପୁରସ୍କାର’, ୧୯୬୮ ମସିହାରେ ‘ଝଙ୍କାର’ ପୁରସ୍କାର, ୧୯୮୨ ମସିହାରେ ଧରିତ୍ରୀ ସମ୍ମାନ ଏବଂ ୧୯୮୨ ମସିହାରେ ଝଙ୍କାରର ବିଷୁବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସ୍ଵାଧୀନୋତ୍ତର ଗଳ୍ପଜଗତରେ ତାଙ୍କ ଗଳ୍ପର ଜୀବନ୍ତ ଧାରା ଆଜି ମଧ୍ୟ ସଂପୁଟ ଓ ଆଖିଦୃଶିଆ। ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ଘଟିଥିଲା ।
Rabi Pattnaik Amritesh Khatua
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago