ମହାମନିଷୀଗଣ

ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ

ଲେଖା: ନିରଞ୍ଜନ ସାହୁ

ଅନେକ ଅଭାବ ଅନଟନ ଅଣଦେଖାକୁ ଏଡାଇ ସ୍ଵସାଧନା ବଳରେ କୀର୍ତ୍ତିମାନ ହୋଇ ପାରିଥିବା ମଣିଷ ଜଣେ କୀର୍ତ୍ତିମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ । ଜନ୍ମଗ୍ରହଣ କରିଥିଲେ ବରପାଲିରେ, ୧୯୦୦ ମସିହା ମାର୍ଚ୍ଚ ୨୦ ତାରିଖରେ ଏବଂ ସ୍ଵର୍ଗାରୋହଣ କରିଥିଲେ  ୧୯୭୯ ମଇ ମାସ ୭ ତାରିଖରେ ।
            
କୃତାର୍ଥ ଆଚାର୍ଯ୍ୟଙ୍କ ଜୀବନର ପ୍ରତି ପାହାଚରେ ରହିଛି ସଂଘର୍ଷ, ସଂଘାତର କାହାଣୀ। ତାଙ୍କ ସଫଳତାର କୋଣାର୍କ ହେଉଛି ତାଙ୍କ ହାତଗଢା ବିଶ୍ଵପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧବସ୍ତ୍ରରେ ଭରା ସମ୍ବଲପୁରୀ ବସ୍ତ୍ରଭଣ୍ଡାର। ତାଙ୍କରି ଲାଗି ସମ୍ବଲପୁର ବୁଣାକାରମାନଙ୍କୁ ମିଳିପାରିଛି ବିଶ୍ଵରେ ସ୍ଵତନ୍ତ୍ର ପରିଚୟ । ତାଙ୍କ ଅନୁଷ୍ଠାନ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ, କଳିଙ୍ଗ କଳାନୈପୁଣ୍ୟର ବା‍ଙମୟ କୋଣାର୍କ। ବାପୁଜୀଙ୍କ ଆଦର୍ଶ ସ୍ଵଦେଶୀ ବସ୍ତ୍ର ଚିନ୍ତନକୁ ଶୀର୍ଷ ସ୍ଥାନରେ ସେ ପହଞ୍ଚାଇ ପାରିଥିଲେ
        
ବରପାଲିରୁ ପ୍ରାଥମିକ ଶିକ୍ଷାବୃତ୍ତି ପାଇ ଉଚ୍ଚଶିକ୍ଷା ପାଇଁ ସେ ସମ୍ବଲପୁର ଗଲେ। ଅଗତ୍ୟା ପିତାମାତାଙ୍କ ମୃତ୍ୟୁ ହେତୁ ମାଟ୍ରିକ ପରୀକ୍ଷା ଦେଇ ନ ପାରି ଘର ସମ୍ଭାଳିବା ପାଇଁ ବରଗଡ ସଦର ମାରୱାଡ଼ି ପଡ଼ାରେ ବେସରକାରୀ ମାଷ୍ଟର ହେଲେ। ନୀତିନିଷ୍ଠ ନିଷ୍କଳଙ୍କ ସ୍ଵକର୍ମରେ ଦକ୍ଷ ଏହି ଶିକ୍ଷକଙ୍କୁ ସାରା ସହର ଡାକିଲା ‘ମାଷ୍ଟ୍ରେ ଆପଣେ’

ତାଙ୍କର ଆଦର୍ଶ ଥିଲେ ଋଷିପ୍ରାଣ ଆଚାର୍ଯ୍ୟ ହରିହର ଓ ମା’ ରମାଦେବୀ। ସେମାନଙ୍କ ପ୍ରେରଣା ପାଇ ସେ ସୂତାକଟା, ଲୁଗାବୁଣା ପ୍ରଶିକ୍ଷଣ ନେଲେ ଓ ବରଗଡ଼ର ଅମ୍ବାପାଲି ଗ୍ରାମର ଦଳିତମାନଙ୍କୁ ଏ ସମ୍ପର୍କରେ ଶିକ୍ଷା ଦେଲେ। ଚାହୁଁ ଚାହୁଁ ଇଂରେଜ ସରକାରଙ୍କ ଭୟରେ ଲୁଗାବୁଣା ଛାଡିଥିବା ମେହେର ସମ୍ପ୍ରଦାୟ ତାଙ୍କ ସହିତ ଯୋଡ଼ି ହୋଇଗଲେ। ଦିନରାତି ଏକ କରି କୃତାର୍ଥ ଆଚାର୍ଯ୍ୟ ମହୋଦୟ ସୂତାକୁ ଆକର୍ଷଣୀୟ ରଙ୍ଗ ଦେବା, ସମ୍ବଲପୁରୀ ବସ୍ତ୍ର ପାଇଁ ବାନ୍ଧ ନକ୍ସା ପ୍ରସ୍ତୁତିରେ ଲାଗିପଡିଲେ। ସମଗ୍ର ପଶ୍ଚିମ ଓଡ଼ିଶାକୁ ବ୍ୟାପିଗଲା ସମ୍ବଲପୁରୀ ବସ୍ତ୍ରକଳା ଓ ଏହାର ପ୍ରାଣକେନ୍ଦ୍ର ଭାବେ ପ୍ରତିଷ୍ଠା ଅର୍ଜନ କଲା ଆଚାର୍ଯ୍ୟଙ୍କ ବାସସ୍ଥାନ ବରଗଡ଼।

ପ୍ରାତଃ ସ୍ମରଣୀୟ ଅସାଧାରଣ କର୍ମଯୋଗୀ କୃତାର୍ଥଙ୍କ ସ୍ଥାପିତ ସମ୍ବଲପୁରୀ ବସ୍ତ୍ର ଭଣ୍ଡାରକୁ ସମସ୍ତେ ନିଜର ଭାବି କହିଚାଲିଲେ ‘ଆମ ମାଷ୍ଟ୍ରେ ଆଜ୍ଞାଙ୍କ ଦୋକାନ’ । ବରଗଡ଼ ହାଟରେ ଥିବା ଏହି ବସ୍ତ୍ର ଭଣ୍ଡାରର ପ୍ରବେଶ ପଥରେ ଏକ କାଠଚଉକିରେ ମାଷ୍ଟ୍ରେ ଆଜ୍ଞା ଗୁରୁ ଆଚାର୍ଯ୍ୟ ହରିହରଙ୍କ ପରି ହାତବୁଣା ଗାନ୍ଧୀ ଖଦୀ ପିନ୍ଧି ସକାଳୁ ସଞ୍ଜ ଯାଏଁ ବସି ବୁଣାକାରମାନଙ୍କ ସହ ଆଲୋଚନା, ସୁଖଦୁଃଖ ହେଉଥିଲେ ଓ ଭବିଷ୍ୟତରେ ଏହି ବୁଣାକୁ ଚାଲୁ ରଖିବାକୁ ଉପଦେଶ ଦେଉଥିଲେ।

ଏହି କର୍ମଯୋଗୀ ନିଛକ ଗାନ୍ଧୀବାଦୀ ସମବାୟ ସଙ୍ଗଠନ ଜରିଆରେ ଜାତୀୟ ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଯେଉଁ ପନ୍ଥା ବାଛିଥିଲେ ତାହା ସମସ୍ତଙ୍କ ପାଇଁ ଆଦର୍ଶ ହୋଇ ରହିବ। ନିଜ ହାତଗଢା ବସ୍ତ୍ରାଳୟକୁ ପରିବାର ମାଲିକାନାରୁ ମୁକ୍ତ କରି ବସ୍ତ୍ରବିପ୍ଳବ ସହ ସମ୍ପୃକ୍ତ ସମସ୍ତ ବୁଣାକାରଙ୍କୁ ସମର୍ପି ଦେବା ତାଙ୍କ ମହନୀୟତାକୁ ପ୍ରତିପାଦନ କରେ। ସେ ଥିଲେ ସମବାୟ ଆନ୍ଦୋଳନର ପୁରୋଧା। ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଥମ ସଭାପତି, ବରଗଡ଼ ସମବାୟ ଚିନିକଳ, ତୋରା ସମବାୟ ସୂତାକଳ, ପଞ୍ଚାୟତ ମହାବିଦ୍ୟାଳୟ, ବରଗଡ଼ର ପ୍ରତିଷ୍ଠାତା ସଦସ୍ୟ ଥିଲେ କୃତାର୍ଥ ଆଚାର୍ଯ୍ୟ। ଏହି ସବୁ କୀର୍ତ୍ତି ପାଇଁ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିଛନ୍ତି ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ‘ଡକ୍ଟରେଟ’ ପ୍ରଦାନ କରିଛନ୍ତି।

ଆଧାର: ପଣ୍ଡିତ ତ୍ରିଲୋଚନ ମିଶ୍ର, ଉତ୍କଳ ପ୍ରସଙ୍ଗ, ମଇ ୨୦୧୮

© Niranjan Sahu

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago