ଲେଖା: ନିରଞ୍ଜନ ସାହୁ
“ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ଵର୍ଗ ଅପେକ୍ଷା ବଡ଼ ଅଟନ୍ତି। ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ତାହାଙ୍କର ଡାକ ନ ଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଅଭାବ ମୋଚନ ନ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କଦାପି ସ୍ଥିର ହୋଇ ରହି ନପାରୁ ।
ସ୍ଵଦେଶ ପ୍ରତି ଯେପରି ସ୍ନେହ ସେହିପରି ମାତୃଭାଷା ପ୍ରତି ମଧ୍ୟ ସ୍ନେହ କରିବା ଦରକାର। ଉତ୍କଳ ଭାଷାର ଯେତେଦୂର ଉନ୍ନତି କରିବା ଉଚିତ ସେତେଦୂର ଉନ୍ନତି ହୋଇନାହିଁ। ତଥାପି ଉତ୍କଳର ସାହିତ୍ୟ ଆକାଶରେ ଉଜ୍ଜ୍ୱଳ ତାରକାମାନଙ୍କର ଅଭାବ ନାହିଁ।ଏ ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହୋଇଅଛି। ଏହି ଦେଶହିତକର କାର୍ଯ୍ୟରେ ଆପଣମାନଙ୍କ ସହ ଭାଗୀ ହୋଇଥିବାରୁ ମୁଁ ନିଜକୁ କୃତାର୍ଥ ମନେ କରୁଛି” ।
ଏ ଉକ୍ତି ଥିଲା ୧୯୦୩ ମସିହାରେ କଟକର ଇଦଗା ପଡ଼ିଆରେ ଆୟୋଜିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେସନରେ ସଭାପତିଙ୍କର । ସେହି ସଭାପତି ଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳ ଦେଶରେ ଆଧୁନିକ ରାମରାଜ୍ୟର ପ୍ରବର୍ତ୍ତକ !
ବାଲ୍ୟାବସ୍ଥାରେ ପିତାଙ୍କ ମୃତ୍ୟୁ ହେବାରୁ ମୟୁରଭଞ୍ଜ ଶାସନ କୋର୍ଟ ଅଫ୍ ଵାର୍ଡ୍ସ ଅଧିନରେ (ଇଂରେଜ) ପରିଚାଳିତ ହେଉଥିଲା। ଜଣେ ବ୍ରିଟିଶ ସାହେବ ଓ ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଶ୍ରୀରାମଚନ୍ଦ୍ର ରେଭେନ୍ସା ମହାବିଦ୍ୟାଳୟରୁ ଏମ୍.ଏ ପାଶ୍ ପରେ ରାଜ୍ୟଭାର ବହନ କରି ଶାସନ ଆରମ୍ଭ କଲେ। ସେ ଥିଲେ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟର ଅଧିକାରୀ। ତାଙ୍କ ଚିନ୍ତା ଓ ଚେତନାର ଦିଗବଳୟ ଥିଲା ଯୋଜନ ବ୍ୟାପୀ। ସେହି ଆଧାରରେ ଆରମ୍ଭ ହେଲା ଆଗାମୀ ଶାସନ କାଳ ।
କୃଷିକ୍ଷେତ୍ରରେ ଉନ୍ନତି ପାଇଁ ବହୁ ସ୍ଥାନରେ ବନ୍ଧ, ପୁଷ୍କରିଣୀ, କେନାଲ ଖୋଳାଇ କୃଷକବତ୍ସଳ ରାଜା ଭାବେ ପରିଚିତ ହୋଇଥିଲେ ରାଜା ଶ୍ରୀରାମଚନ୍ଦ୍ର। ତାଙ୍କ ଦ୍ଵାରା ବାରିପଦା ସହରରେ ଆଧୁନିକ ଡାକ୍ତରଖାନା ସ୍ଥାପନା ସହିତ ଶିକ୍ଷାର ପ୍ରସାର ନିମନ୍ତେ ୪୩୧ଟି ବିଦ୍ୟାଳୟ ସ୍ଥାପନା ଭାରତର ଅନ୍ୟାନ୍ୟ ଦେଶୀୟ ରାଜ୍ୟମାନଙ୍କର ଆଖି ଖୋଲି ଦେଇଥିଲା।
ଶିଳ୍ପପ୍ରତିଷ୍ଠା ପାଇଁ ରେଳପଥ ନିର୍ମାଣ, ଗମନାଗମନ ସୁବିଧା ଲାଗି ରେଳଷ୍ଟେସନ ପ୍ରତିଷ୍ଠା ନିଶ୍ଚିତ ଭାବେ ଉଲ୍ଲେଖନୀୟ ଅବଦାନ ଶ୍ରୀରାମଚନ୍ଦ୍ରଙ୍କର। ମୟୂରଭଞ୍ଜ ରାଜ୍ୟକୁ ଚାରୋଟି ସବଡିଭିଜନରେ ବିଭକ୍ତ କରି ଭାରତୀୟ ଶାସନ ବ୍ୟବସ୍ଥା ଉପରେ ନୂତନ ପରିକଳ୍ପନା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିଛନ୍ତି ଆମର ହିତ୍ୟୈଷୀ ମହାନୁଭବ ରାଜା। ଓଡ଼ିଶାରେ ଏକ ଚିକିତ୍ସାଳୟ ପାଇଁ କି ସୁନ୍ଦର ପରିକଳ୍ପନା ! ଅତଃ ପ୍ରତିଷ୍ଠିତ ହେଲା ଆଜିର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ ସହରରେ।
ତାଙ୍କ ମାତୃଭାଷା ପ୍ରୀତିର ପଟାନ୍ତର ନାହିଁ। ସେଇଥିପାଇଁ କୁଳବୃଦ୍ଧ ମଧୁସୂଦନ ତାଙ୍କୁ ବରଣ କରିଥିଲେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତି ଆସନ ପାଇଁ। ଯୋଗ୍ୟ ବ୍ୟକ୍ତିର ସଠିକ ମୂଲ୍ୟାୟନ କରିଥିଲେ ମଧୁବାବୁ !
ପରମ ହିତୈଷୀ, ପ୍ରଜାବତ୍ସଳ, ଜ୍ଞାନୀ, ଉତ୍କଳମାତାର ସୁଯୋଗ୍ୟସନ୍ତାନ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଯଥାର୍ଥରେ ଥିଲେ ଆଧୁନିକ ରାମରାଜ୍ୟର ପ୍ରବର୍ତ୍ତକ ।
Maharaja Sri Rama Chandra Bhanja Deo Mayurbhanj Utkal Sammlani Madhubabu Madhusudan Das
© Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago