ଉପସ୍ଥାପନା: ନିରଞ୍ଜନ ସାହୁ
~ ମୁଁ ଓଡ଼ିଆରେ କାହିଁକି ଲେଖିବି  ~
ସବୁ ଦେଶର ଲେଖକ-ଜାତି ଦରିଦ୍ର ! Suffering is the badge of our tribe!
ଲାଞ୍ଛନା ଆମ୍ଭମାନଙ୍କର ଲାଞ୍ଛନ । ଲାଞ୍ଛନା ଓ ଦୁଃଖ, ସାଧନା ଓ ଅନୁଭୂତିର ଜନନୀ ଓ ଧାତ୍ରୀ । ସାଧନା ଓ ଅନୁଭୂତି ସାହିତ୍ୟ-ସୃଷ୍ଟିର ମେରୁଦଣ୍ଡ । ଯେଉଁମାନଙ୍କ ଜୀବନରେ ସୃଜନାନନ୍ଦ ଅନୁଭବ ଅନୁଭବ କରିବା ପାଇଁ ଆଗ୍ରହ ଅଛି, ସେମାନଙ୍କର ଦୁଃଖ-ଦାରିଦ୍ର୍ୟରେ ଅଭିଭୂତ ନହୋଇ ସେସବୁକୁ ପ୍ରଶାନ୍ତ ଚିତ୍ତରେ ବରଣ କରିନେବା ଉଚିତ । ଅର୍ଜନାନନ୍ଦ ଓ ସୃଜନାନନ୍ଦ ଭିତରେ ଢେର୍ ବ୍ୟବଧାନ । ଅର୍ଜନ ମନୁଷ୍ୟର ଦୈନିକ ଦେହପୋଷଣ ଲାଗି ।
କିନ୍ତୁ କବି ବା ସାହିତ୍ୟିକ, ଦୁଃଖ ଦାରିଦ୍ର୍ୟ ଲାଞ୍ଛନାରେ ନିଷ୍ପେଷିତ ହୋଇ, ଲୋକଲୋଚନର ଅଗୋଚରରେ ଯାହା ସୃଜନ କରନ୍ତି, ତାହା କେବଳ ତାଙ୍କୁ ଆନନ୍ଦ ଦିଏନି, ସେ ଯେଉଁ ଜାତି ବା ଭାଷାର, ସେଗୁଡିକ ପାଇଁ ମଧ୍ୟ ଚିରନ୍ତନ ଆନନ୍ଦ ଆୟୋଜିତ ହୋଇଯାଏ । ଏବଂ ଏହି ସୃଜନ କେବଳ ମାତୃଭାଷାରେ ହିଁ ସମ୍ଭବ । କିଏ ଯଦି ଭାବେ ରବୀନ୍ଦ୍ରନାଥ ଇଂରେଜୀରେ ଲେଖି ନାମ-ଯଶ କରିଛନ୍ତି, ସେ ବୋଧହୁଏ ଭୁଲ୍ କରେ । କବିଗୁରୁଙ୍କର ବାଉଲ-ପ୍ରାଣ ବାଉଲୀ ଭାଷାରେ ହିଁ ସ୍ଵଚ୍ଛଳ ଅନାବିଳ ପ୍ରକାଶ ପାଏ — ଏସବୁର ଇଂରାଜୀ ଅନୁବାଦ ତାଙ୍କର ଅଭିବ୍ୟକ୍ତିକୁ ପ୍ରଚାର କରେ ମାତ୍ର । ଅନେକ ଭାରତୀୟ ଇଂରାଜୀରେ କାବ୍ୟ-କବିତା ଲେଖି ଯଶ ପ୍ରୟାସୀ ହୋଇଛନ୍ତି; କିନ୍ତୁ ଇଂରାଜୀ ସାହିତ୍ୟରେ ନାମ ଖ୍ୟାତି ଗ୍ରନ୍ଥରେ ସେମାନଙ୍କ ଗାର ପଡି଼ନି । ଏ ଦିଗରେ ଓଡ଼ିଶାର ତରୁଣ ଲେଖକମାନଙ୍କୁ ପ୍ରବର୍ତ୍ତାଇବା ଅତ୍ୟନ୍ତ ପରିତାପ ଓ ଦୁଃଖର କଥା ।
ଲେଖକ-ଲେଖିକା ସାହିତ୍ୟ ଛଡ଼ା ଅନ୍ୟ ବୃତ୍ତି ଅବଲମ୍ବନ କରିବାରେ କୌଣସି ଅପରାଧ ବା ଅପମାନ ନାହିଁ । ପ୍ରକୃତିର ନିୟମ ଅନୁସାରେ ପ୍ରତ୍ୟେକଙ୍କୁ ଜୀବିକା ପାଇଁ ସ୍ଵେଦପାତ କରିବାକୁ ହେବ । କେବଳ ଘରେ ବସି କବିତା ଲେଖିବା ପାଇଁ ପ୍ରକୃତିର ସୃଷ୍ଟିରେ କୌଣସି ବ୍ୟବସ୍ଥା ନାହିଁ । ସେଥିପାଇଁ ‘କୀଟସ’ ପରି କବିଙ୍କୁ କମ୍ପାଉଣ୍ଡର ହେବାକୁ ୱାଡସୱର୍ଥଙ୍କୁ ଡାକ ଟିକଟ ବିକିବାକୁ , ବର୍ଣ୍ଣାଡ଼ ଶ’ଙ୍କୁ ଚାଷ କରିବାକୁ ଓ ମଦଖଟି ଦେଖିବାକୁ, ଗଙ୍ଗାଧରଙ୍କୁ ତନ୍ତ ବୁଣିବାକୁ ଓ ରାଧାନାଥଙ୍କୁ ପିଲାଙ୍କ ଖାତା ସଂଶୋଧନ କରିବାକୁ ହେଇଛି । ଉତ୍କଳର ଭବିଷ୍ୟତ ଲେଖକ-ଲେଖିକା ଗଣ ମଧ୍ୟ ଜୀବିକା ପାଇଁ ଅନ୍ୟ ପନ୍ଥା ଦେଖି ସାହିତ୍ୟ ସେବା କରିପାରନ୍ତି । ସେଥିରେ ଲଜ୍ଜା ବା ଦୁଃଖ ନାହିଁ ।
ଉତ୍କଳର ତରୁଣ-କିଶୋର ଲେଖକ ଓ ଲେଖିକାଗଣ, ମାତୃଭାଷାର ହୀନ ଅବସ୍ଥା ଦେଖି ତାକୁ ତୁମେ ମୂଳରୁ ଅବଜ୍ଞା କରିବାକୁ ଶିଖିବ କି ? ସୁନ୍ଦରୀ ବା ଅସୁନ୍ଦରୀ ହେଲେ ହେଁ ତମର ମା’ ଓ ଭଉଣୀ ଯେପରି ସ୍ନେହମୟୀ ମା’ ଓ ଭଉଣୀ, ତମର ମାତୃଭାଷା ମଧ୍ୟ ସେହିପରି ତମର ମାତୃଭାଷା । ଏହା ସଙ୍ଗେ ଆମର ପ୍ରାଣର ସମ୍ବନ୍ଧ । ଆମର ପ୍ରିୟଜନ ମାନେ ଏହି ଭାଷାରେ କଥା କହି ଆମର ପ୍ରାଣର ଦାବଦାହ ଦୂର କରନ୍ତି; ଇଂରାଜୀରେ ନୁହେଁ ତ ! ଏ ଦେଶର ଜଳ, ପବନ, ମାଟି, ପ୍ରକୃତି ପରି, ଏ ଭାଷା ମଧ୍ୟ ଆମ ଜୀବନର ଏକ ଅଚ୍ଛେଦ୍ୟ ଉପାଦାନ । ହେଲୁଁ ଆମେ ଦରିଦ୍ର; କ୍ଷତି କ’ଣ ? ଦରିଦ୍ରର କ’ଣ ମାତୃସ୍ନେହ ନାହିଁ ? ସେ କ’ଣ ଭାଇ-ଭଗିନୀର, ବନ୍ଧୁ-ବାନ୍ଧବଙ୍କର ସ୍ନେହାନନ୍ଦ ପାଏନା ? ଲାଭାଲାଭ ବା ଜମାଖର୍ଚ୍ଚ କ’ଣ ଏ ସବୁଠାରୁ ବଡ଼ ପଦାର୍ଥ ? ଦାରିଦ୍ର୍ୟ ଓ ଲାଞ୍ଛନା ମଧ୍ୟରେ ସତ୍ୟ ଓ ଅନୁଭୂତି ଲାଗି ସାଧନା କର ଓ ସେହି ସାଧନାରେ ମାତୃଭାଷାକୁ ମଣ୍ଡିତ କର । ଜମା-ଖର୍ଚ୍ଚ ତୁମ ଜୀବନର ଲକ୍ଷ୍ୟ ନହେଉ । ଚିରଦାରିଦ୍ର୍ୟ ବୀଣାପାଣିଙ୍କର ଚରଣ-ଶତଦଳର ସୌରଭ ତୁମର ଦରିଦ୍ର ଜୀବନକୁ ସୁରଭିତ କରୁ ।
କୌଣସି ‘ନାମଜାଦା’ ଓଡ଼ିଆ — ଯାହାଙ୍କର କବି ଭାବରେ ଖୁବ୍ ଯଶ ଥିଲା ଦିନେ, କିନ୍ତୁ ଯଶ ହୋଇସାରିଲା ପରେ ପିଲାଳିଆ ଭାବ ଛାଡ଼ି ‘ପୁରୁଷିଆ’ ଭାବରେ ଏବେ କେବଳ ଅର୍ଥାର୍ଜନରେ ମନ ଦେଇଥିବାର କୁହାଯାଉଛି ଏବଂ ତାଙ୍କରି ଉଦାହରଣ ଦ୍ଵାରା ଅନ୍ୟ ଲେଖକଲେଖିକାମାନଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା ହୋଇଛି । ଏହି ନାମଜାଦା ଓଡ଼ିଆ କିଏ ତା ଜାଣିଥିଲେ, ତାଙ୍କର ସାହିତ୍ୟିକ ଦାନର କି ମୂଲ୍ୟ ତାହା ଆମ୍ଭେମାନେ ନିରୂପଣ କରିଥାନ୍ତୁ ।
କିନ୍ତୁ ୟା ମଧ୍ୟ ହୋଇପାରେ ଯେ, ସେହି ନାମଜାଦା ଓଡ଼ିଆଙ୍କ ଭିତରେ ଯାହା ଥିଲା, ସେ ତା ଦେଇସାରିଲା ପରେ ଯେତେବେଳେ ଆଉ କିଛି ନୂଆ ଦେବାକୁ ଦେଖିଲେନି, ସେତେବେଳେ ବୁଦ୍ଧିମାନ ପରି ସେ ନୀରବତା ଅବଲମ୍ବନ କଲେ । ଏହାକୁ ସାହିତ୍ୟିକ ମୃତ୍ୟୁ କୁହାଯାଇପାରେ; କିନ୍ତୁ ଏଥିରେ ଆତଙ୍କିତ ହେବାର କୌଣସି କାରଣ ନାହିଁ; କାରଣ ସ୍ଵାଭାବିକ ମୃତ୍ୟୁ ପରି ସାହିତ୍ୟିକ-ମୃତ୍ୟୁ ମଧ୍ୟ ଅନେକ ସାହିତ୍ୟିକ ଜୀବନରେ ଆସେ । ତାକୁ ଅପମୃତ୍ୟୁ ପରି ଆତଙ୍କର ବିଷୟ ଭାବିବାର କିଛି ନାହିଁ ବା ଓଡ଼ିଆ ଭାଷାର ଏଥିରେ କୌଣସି ସମ୍ବନ୍ଧ ନାହିଁ । ତେଣୁ ଓଡ଼ିଆ ଭାଷା ଛାଡ଼ି ଇଂରାଜୀ ଚର୍ଚ୍ଚା କରିବାର ଉପଦେଶ ନିରର୍ଥକ ।
କବି ବା ସାହିତ୍ୟିକ-ଯଶ ଅତ୍ୟନ୍ତ ମୋହକର । ଏଥିପାଇଁ ଅନେକ ଏଥିରେ ହାତ ଦିଅନ୍ତି, ଆମ ପରି ଅନେକ ‘ମନ୍ଦଃ କବିଯଶଃପ୍ରାର୍ଥୀ’। କିନ୍ତୁ ଏହି ଯଶ ଉଚ୍ଚ ଦରର ପ୍ରତିଭା ସାପେକ୍ଷ । ଗଙ୍ଗାଧର ବା ଫକୀରମୋହନଙ୍କ ପ୍ରତିଭା ଆମ ପରି କ୍ଷୁଦ୍ର ସାଧାରଣ କାହୁଁ ପାଇବେ ? କିନ୍ତୁ ସାଧନା ଦ୍ବାରା ଅନେକ କ୍ଷେତ୍ରରେ ଏପରି ସିଦ୍ଧି ଲାଭ ହୋଇଛି, ଯାହା କେବଳ ପ୍ରତିଭା ଘେନି ହୋଇନପାରେ ।
ତା’ ଦ୍ଵାରା ଲେଖକ ଯଶ ପାଇବା ସଙ୍ଗେ ସଙ୍ଗେ ଦେଶ ଓ ଭାଷାର ମଙ୍ଗଳ କରିଯାଇଛନ୍ତି । ଉଦାହରଣ ସ୍ୱରୂପ ପଣ୍ଡିତ ଗୋପୀନାଥ ନନ୍ଦ ଓ ବାଣୀଭୂଷଣ ମୃତ୍ୟୁଞ୍ଜୟ ରଥଙ୍କ କଥା କୁହାଯାଇପାରେ । ଏମାନଙ୍କର ବିଶିଷ୍ଟ ପ୍ରତିଭା ନଥିଲା; କିନ୍ତୁ ଏମାନେ ସାଧନା କରି ଅନେକ ଗ୍ରନ୍ଥ ଲେଖିଯାଇଛନ୍ତି, ଯାହାର କିଛି ନା କିଛି ସାହିତ୍ୟିକ ମୂଲ୍ୟ ଅଛି । ତେଣୁ ସାହିତ୍ୟକୁ ପିଲାଖେଳ ଭାବିବା ଉଚିତ ନୁହେଁ — ଏହା ଏକ ସାଧନାର କ୍ଷେତ୍ର ବୋଲି ମନେ ରଖିବା ଉଚିତ ।
ଶ୍ରୀଯୁକ୍ତ ରମେଶଚନ୍ଦ୍ର ଦତ୍ତ ଇଂରାଜୀରେ ଯେଉଁ ଉପନ୍ୟାସ ବା କବିତା ଲେଖିଥିଲେ, ସେଗୁଡିକର ସତ୍ତା ଆଉ ନାହିଁ । ବଙ୍କିମ ଚନ୍ଦ୍ରଙ୍କ ଅନୁରୋଧରେ ସେ ବଙ୍ଗଳା ଲେଖିବା ଆରମ୍ଭ କରି ଯେଉଁଗୁଡିକ ଲେଖି ଯାଇଛନ୍ତି, ସେହି କେବଳ ତାଙ୍କର ସାହିତ୍ୟିକ ନାମକୁ ବଜାୟ ରଖିବ । ଅବଶ୍ୟ ଏପରି ଅନେକ ବିଷୟ ଅଛି, ଯାହା କି ଓଡ଼ିଆରେ ଲେଖି ହେବନି ବା ଲେଖିଲେ କେବଳ ଗୋଟିଏ ଛୋଟ ଦେଶରେ ସୀମାବଦ୍ଧ ରହିବ । ସେ ସ୍ଥଳରେ ବିସ୍ତୃତ-ପ୍ରଚାରିତ ଭାଷାର ଆଶ୍ରୟ ନେବା ଉଚିତ । ସେଥିପାଇଁ ଚନ୍ଦ୍ରଶେଖର ତାଙ୍କ ଗ୍ରନ୍ଥକୁ ସଂସ୍କୃତରେ ଲେଖିଲେ ଓ ରମେଶଚନ୍ଦ୍ର ଭାରତୀୟ ଅର୍ଥଶାସ୍ତ୍ରକୁ ଇଂରେଜୀରେ ଲେଖିଲେ । ଏପରି ଲେଖିବାରେ ମାତୃଭାଷାକୁ କୌଣସି ଅବମାନନା ନାହିଁ । କୌଣସି ଓଡ଼ିଆ ଯଦି ଏପରି କୌଣସି ବିଷୟରେ ହାତ ଦେଇଥାନ୍ତି, ତେବେ ସେ କେବଳ ଇଂରେଜୀ କାହିଁକି, ଜଗତରେ ଯେତେ ଭାଷା ଅଛି, ସେସବୁରେ ଲେଖନ୍ତୁ । କିନ୍ତୁ ଆମ୍ଭେମାନେ ଯେତେବେଳେ ଦେଖୁଛୁ ଯେ, ଆମର ଭାଷାର ଅବସ୍ଥା ଶୋଚନୀୟ, ସେତେବେଳେ ପ୍ରତ୍ୟେକ ଲେଖକ ଲେଖିକା ଗୋଟିଏ ଗୋଟିଏ ବିଷୟ ଧରି ସେହି ଦିଗରେ ସାଧନା କରି ଭାଷାକୁ ଅଳଙ୍କୃତ କରିବାକୁ ଚେଷ୍ଟା କରିବା ଉଚିତ । ଜଣେ ରବୀନ୍ଦ୍ରନାଥ ବଙ୍ଗଭାଷାକୁ ବଡ଼ କରିନାହାନ୍ତି; ଅସଂଖ୍ୟ ଛୋଟ ଛୋଟ ଲୋକଙ୍କର ସାଧନାରେ ତାହା ପରିପୁଷ୍ଟ । ଆମେ ରବୀନ୍ଦ୍ରଙ୍କ ଯଶ ପାଇବା ପାଇଁ ଇଂରେଜୀରେ ଲେଖା ଆରମ୍ଭ କରିବା ବାତୁଳତା । ଆମେ ଛୋଟ — ତେଣୁ ନିଜକୁ ଛୋଟ ବୋଲି ସ୍ଵୀକାର କରି ଆମର ଏହି ଛୋଟ ଭାଷାଟିର ହିଁ ଉନ୍ନତିରେ ଲାଗିବା ବୁଦ୍ଧିମାନର କାର୍ଯ୍ୟ ।
** (ଏହି ପ୍ରତିବାଦ ଲେଖିବାର ତିରିଶ ବର୍ଷ ପରେ ଲେଖକ ପଛକୁ ଅନାଇ ଦେଖୁଛି ଯେ, ଯିଏ “ଓଡ଼ିଆରେ କାହିଁକି ଲେଖିବି” ବୋଲି ନିଜ ମାତୃଭାଷା ପ୍ରତି ଅପମାନସୂଚକ ସ୍ଳୋଗାନ ଉଠାଇଥିଲେ, ସେ ନିଜେ ଓଡ଼ିଆରେ ଲେଖି ଯେଉଁ ପରିମାଣରେ ଧନ-ମାନରେ ଉପକୃତ ହୋଇଛନ୍ତି ଉତ୍କଳ ଦେଶରେ, ସମସାମୟିକ କାଳରେ, ସେପରି ଅନ୍ୟ କେହି ହୋଇ ନାହିଁ ଏବଂ ଏହି ଜାତୀୟବାଦୀ ଅଧମ ଲେଖକ ଓଡ଼ିଆ ଓ ଇଂରେଜୀ ଉଭୟ ଭାଷାରେ ତା’ ଜାତିର ସେବା କରିବାକୁ ଯାଇ ବାରମ୍ବାର ତା’ ନିଜ ଲୋକଙ୍କ ଦ୍ୱାରା କ୍ରୁଶବିଦ୍ଧ ହୋଇଛି ମାତ୍ର । ଗ୍ରୀକ୍ ପୁରାଣରେ ଭାଗ୍ୟଦେବତାକୁ ବୃଥାରେ ଅନ୍ଧ ବୋଲି ଚିତ୍ରିତ କରାଯାଇନାହିଁ ! ତେବେ ଯିଏ, “ଓଡ଼ିଆରେ କାହିଁକି ଲେଖିବି” ବୋଲି ସ୍ଵର ଉତ୍ତୋଳନ କରିଥିଲେ ଏବଂ ଉପଦେଶ ଅନୁଯାୟୀ ଇଂରେଜୀ ବା ଅନ୍ୟ କୌଣସି ଭାଷାରେ ଖଣ୍ଡିଏ ହେଲେ ବହି ନ ଲେଖି ମଧ୍ୟ, ଓଡ଼ିଶା ଦେଶ ଓ ଓଡ଼ିଆ ଭାଷା ତାଙ୍କୁ ଯେ ଯଥେଷ୍ଟ ଧନ-ମାନ ଯୋଗାଇଛି, ତେବେ, ତାହାହିଁ ହେବା ଉଚିତ, କେବଳ ଓଡ଼ିଆରେ ଲେଖିବା ପାଇଁ, ତରୁଣ ଓଡ଼ିଆ ଲେଖକମାନଙ୍କର ପ୍ରକୃଷ୍ଟ ପ୍ରେରଣା !!) – ଡ. ସାହିତ୍ୟଭାସ୍କର ମାୟାଧର ମାନସିଂହ
ସୌଜନ୍ୟ: ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ଗ୍ରନ୍ଥାବଳୀ (୪ର୍ଥ ଭାଗ)
Odiare Kahinki Lekhibi Sahitya Bhaskar Dr. Mayadhar Mansingh
Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago