~ ଓଡ଼ିଆ ଅସ୍ମିତାର ମହାପର୍ବ ~
୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । ଲୋକାରଣ୍ୟ କଟକ ସହରର ଇଦଗାପଡ଼ିଆ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧିମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ ।
ସମସ୍ତ ଆୟୋଜନ ତଦାରଖ କରିବାରେ ବ୍ୟସ୍ତ ପଞ୍ଚାବନ ବର୍ଷୀୟ ଜଣେ ଜଣାଶୁଣା ପ୍ରୌଢ଼ । ମନରେ କିନ୍ତୁ ଯୁବକର ଉଦ୍ଦାମତା ।ଶରୀର ଶୀର୍ଣ୍ଣ, ଦେହରେ ସାହେବୀ ପୋଷାକ, ମୁଣ୍ଡରେ ପଗଡ଼ି । ନବାଗତମାନେ ଗୋଟିଏ ପରେ ଗୋଟିଏ ପହଞ୍ଚି ଅଭିବାଦନ ଜଣାଇ, ପଦେ ଅଧେ କଥା ହୋଇ ନିଜ ନିଜର ସ୍ଥାନ ଅଳଙ୍କୃତ କରି ଚାଲିଛନ୍ତି ।
ଅନେକ ଆଶା ଓ ସମ୍ଭାବନା ମଧ୍ୟରେ ଆଗାମୀ ଉତ୍କଳର ସ୍ଵପ୍ନ ଦେଖୁଛନ୍ତି ପ୍ରୌଢ଼ଜଣକ । ଏହି ବୀରପ୍ରସବିନୀ ଜନନୀର ପୁତ୍ରଗଣ କ’ଣ ସତରେ ପୂର୍ବଗୋୖରବ ଓ ପୂର୍ବସାହସ ମନେପକେଇ ଆଗେଇ ଆସିବେ ନାହିଁ ? କାନ୍ଧରେ କାନ୍ଧ ମିଳାଇ ଜନନୀର ଖଣ୍ଡବିଖଣ୍ଡିତ ଶରୀରକୁ ପୁଣି ଥରେ ବିମଣ୍ଡିତ କରି ପାରିବେ ନାହିଁ ? ଅସମ୍ଭବ ନୁହେଁ କେବେ ! ନେତୃତ୍ଵ ପାଇଁ ତ ଏ ଭୂଖଣ୍ଡରେ ଅନେକ ଅଛନ୍ତି ! ସେଇଥିପାଇଁ ତ ଏହି ସମ୍ମିଳନୀ ।
ଡିସେମ୍ବର ମାସ ୩୦ ତାରିଖ । ଶୀତର ପ୍ରକୋପରେ ଥରି ଯାଉଥିଲା କଟକ ସହର । ପ୍ରବଳ ଶୈତ୍ୟକୁ ଖାତିର୍ ନକରି ଜନ ସମାଗମ ବଢ଼ିବାରେ ଲାଗିଥିଲା। ଏହାହିଁ ସ୍ଵତନ୍ତ୍ର ଉତ୍କଳ ଗଠନର ଅସୁମାରୀ ଆଶା, ସମ୍ଭାବନା, ଦୃଢ଼ତା । ଏହି ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ଅବସରରେ #ଜାତି_ଐରାବତଙ୍କ କଣ୍ଠରୁ ଝରି ପଡିଥିଲା —
“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଝରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁ ନୀରେ ।”
ପ୍ରସ୍ତାବ ଦେଲେ ସେ, ଏହି ସମ୍ମିଳନୀ “ଉତ୍କଳ ସମ୍ମିଳନୀ” ନାମରେ ନାମିତ ହେଉ । ସେହି ଦିନର ସଭାରେ ଉତ୍କଳସୂର୍ଯ୍ୟ ମଧୁବାବୁଙ୍କ ଅଭିଭାଷଣ ଥିଲା, “ଏହି ସମ୍ମିଳନୀ ନାମ ‘ଉତ୍କଳ ସମ୍ମିଳନୀ’ । ଏଥିରେ ସମସ୍ତ ଉତ୍କଳଭାଷୀ ଅଞ୍ଚଳର ମଙ୍ଗଳଜନକ ପ୍ରସ୍ତାବମାନ ଗ୍ରହଣ କରାଯାଇ କାର୍ଯ୍ୟରେ ପରିଣତ ହେବ ।
ବର୍ତ୍ତମାନ ଇଂରେଜ ସରକାର ବାହାଦୂରଙ୍କ ରାଜତ୍ଵରେ ଓଡ଼ିଶାର ସୀମା ଢେର୍ କମିଯାଇଛି । ଫଳରେ ଦେଖା ଯାଇଛି ଯେ, ସମ୍ବଲପୁର, ଛୋଟ ନାଗପୁର, ମେଦିନୀପୁର, ଗଞ୍ଜାମ ଇତ୍ୟାଦି ସ୍ଥାନମାନ ଓଡ଼ିଶା ବାହାରେ ରହିଯାଇଛନ୍ତି । ସେସବୁ ଅଞ୍ଚଳରେ ଓଡ଼ିଆଙ୍କ ସଂଖ୍ୟା ବହୁତ, ସେଥିପାଇଁ ସମସ୍ତ ଉତ୍କଳଭାଷୀ ଅଞ୍ଚଳକୁ ଉତ୍କଳ ବୋଲି ନାମ ଦିଆ ହୋଇଛି ଏବଂ ଏହି ସମ୍ମିଳନୀର ନାମ ‘ଉତ୍କଳ ସମ୍ମିଳନୀ‘ ହୋଇଅଛି । ବର୍ତ୍ତମାନ ଉତ୍କଳ ସମ୍ମିଳନୀ ଉତ୍କଳୀୟମାନଙ୍କର ମଙ୍ଗଳ ସାଧନ ଅଭିପ୍ରାୟରେ ସ୍ଥାପିତ ହୋଇଅଛି ।

ଯେଉଁମାନେ ଉତ୍କଳକୁ ସେମାନଙ୍କର ଗୃହ ସ୍ଵରୂପ ମଣିଅଛନ୍ତି, ସେମାନେ ଭିନ୍ନ ଜାତୀୟ ହେଲେ ସୁଦ୍ଧା ସେମାନଙ୍କୁ ଉତ୍କଳୀୟ ବୋଲି ଗଣନା କରାଯିବ । ଯେଉଁ ମାନେ ଅନେକ ଦିନ ହେଲା ଏଠାକୁ ଆସି ଓଡ଼ିଶାକୁ ଆପଣାର ମାତୃଭୂମି ସ୍ଵରୂପ ଗ୍ରହଣ ଏବଂ ସ୍ଵୀକାର କରୁଅଛନ୍ତି ଏବଂ ଓଡ଼ିଆମାନଙ୍କର ହିତ ସାଧନକୁ ସ୍ଵଜାତିର କର୍ତ୍ତବ୍ୟ କର୍ମ ବୋଲି ମନେ କରୁଛନ୍ତି, ସେମାନଙ୍କୁ ଆମ୍ଭେମାନେ ଉତ୍କଳୀୟ ବୋଲି ଡାକୁଅଛୁ ।
ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ଵର୍ଗ ଅପେକ୍ଷା ବଡ଼ ଅଟନ୍ତି । ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଅଛନ୍ତି । ତାହାଙ୍କର ଡାକ ନଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଅଭାବମୋଚନ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ କଦାପି ସ୍ଥିର ହୋଇ ରହି ନପାରୁ ।
ସ୍ବଦେଶ ପ୍ରତି ଯେପରି ସ୍ନେହ ସେହିପରି ମାତୃଭାଷା ପ୍ରତି ମଧ୍ୟ ସ୍ନେହ କରିବା ଦରକାର । ଉତ୍କଳ ଭାଷାର ଯେତେଦୂର ଉନ୍ନତି କରିବା ଉଚିତ ସେତେଦୂର ଉନ୍ନତି ହୋଇ ନାହିଁ । ତଥାପି ଉତ୍କଳର ସାହିତ୍ୟ ଆକାଶରେ ଉଜ୍ଜ୍ୱଳ ତାରକାମାନଙ୍କ ଅଭାବ ନାହିଁ । ଉତ୍କଳ ଦେଶର ଇତିହାସରେ ଏପରି ଗୋଟିଏ ସଭା ଅଭିନବ ବ୍ୟାପାର ।ଏ ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହୋଇଅଛି । ଏହି ଦେଶ ହିତକର କାର୍ଯ୍ୟରେ ଆପଣମାନଙ୍କ ସହିତ ଭାଗୀ ହୋଇଥିବାରୁ ମୁଁ ନିଜକୁ କୃତାର୍ଥ ମନେ କରୁଛି ।”
ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଗୃହୀତ ପ୍ରସ୍ତାବମାନ ଓଡ଼ିଶାର ଜନସାଧାରଣଙ୍କ ମନରେ ଆଣିଥିଲା ପ୍ରତ୍ୟୟ, ଆଶା, ସମ୍ଭାବନା ଓ ସର୍ବୋପରି ଏକ ହୋଇ ଏହି ଭୂଖଣ୍ଡର ମର୍ଯ୍ୟାଦା ରକ୍ଷା କରିବା। ନୂତନ ଆଶାର ସଞ୍ଚାର ହୋଇଥିଲା ଓ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶାକୁ ସମଗ୍ର ଦେଶରେ ସ୍ଵତନ୍ତ୍ର ଉତ୍କଳ ଭାବେ ପରିଚିତ କରାଇବା ।
ଉତ୍କଳ ସମ୍ମିଳନୀର ସେହି ମହାନ ଅଧିବେଶନର ୧୨୦ତମ ପୂର୍ତ୍ତିପାଳନ ପାଇଁ ଅଣ୍ଟାଭିଡ଼ିଛି ଅନ୍ତରଙ୍ଗ କଳିଙ୍ଗ ! ୨୦୧୩ ମସିହା ଡ଼ିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ସେ କାର୍ଯ୍ୟକ୍ରମରେ ସ୍ରୋତରେ ସାମିଲ ହେଇଛନ୍ତି କଟକସ୍ଥ #ମଧୁସ୍ମୃତି_ସୁରକ୍ଷା_ମଞ୍ଚ ଏବଂ ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମସ୍ଥ ମଧୁପୁର ମହାବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା ତଥା ଶିକ୍ଷାନବୀଶଗଣ !
ଅନୁଷ୍ଠିତ କାର୍ଯ୍ୟକ୍ରମ:
୧. ମଧୁପୁର ମହାବିଦ୍ୟାଳୟରେ ଏକ ଆଲୋଚନା ସଭା (Seminar) ଅନୁଷ୍ଠିତ, ଉକ୍ତ ସଭାରେ ତିନି ଜଣ ଗବେଷକ ସେମାନଙ୍କର ପ୍ରବନ୍ଧ ଉପସ୍ଥାପନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନଙ୍କର ଅଂଶଗ୍ରହଣ ।
୨. ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ କୁଳବୃଦ୍ଧଙ୍କ ଚିତ୍ର ଅଙ୍କନର ପ୍ରତିଯୋଗିତା ।
୩. କଟକ ଇଦଗା ପଡ଼ିଆରୁ ଭବ୍ୟ ଶୋଭାଯାତ୍ରାରେ ଏକ ପ୍ରଜ୍ଜ୍ଵଳିତ ଜ୍ୟୋତି ବାହାରିଥିଲା, ଐତିହାସିକ କଲଣ ଗ୍ରାମରେ ଉକ୍ତ ଜ୍ୟୋତିକୁ ପାରମ୍ପରିକ ରୀତିରେ ଶଂଖ, ବେଦପାଠ, ହରିବୋଲ ହୁଳହୁଳି ଧ୍ୱନିରେ ସ୍ବାଗତ କରାଯାଇ ମହାବିଦ୍ୟାଳୟ ପରିସରରେ ସ୍ଥାପନ କରାଗଲା ।
୪. ମହାବିଦ୍ୟାଳୟ ପରିସରରେ ମଧୁବାବୁଙ୍କର ଏକ ଆବକ୍ଷ ମୂର୍ତ୍ତି ସ୍ଥାପନ ।
୫. ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍କର୍ଷ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ !
ବିଶ୍ୱରେ ଓଡ଼ିଆ ବୋଲି ଆମକୁ ପରିଚୟ ଦିଆଇଥିବା ଓଡ଼ିଆ ଜାତି ଓ ଓଡ଼ିଶାର ଏକମାତ୍ର ଗୌରବାବହ ଅନୁଷ୍ଠାନ ଉତ୍କଳ ସମ୍ମିଳନୀର ୧୨୦ତମ ପୂର୍ତ୍ତିଦିବସ ପାଳନ କାର୍ଯ୍ୟକ୍ରମରେ କଲଣ ତଥା ଆଖପାଖ ଗ୍ରାମର ବାସିନ୍ଦାମାନେ ଯୋଗଦେଇ ନିଜକୁ ଧନ୍ୟ କରିଥିଲେ ।
ବନ୍ଦେ ଉତ୍କଳ ଜନନୀ
Utkala Sammilanee
Madhupur
Kalana
Madhubabu
Odiapride
Odia Asmitara Mahaparba