ଲେଖା: ନିରଞ୍ଜନ ସାହୁ

ଗଡ଼ଜାତ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ଏକ ଭୟାବହ ରୂପ ଧାରଣ କରିଥିବା ରାଜ୍ୟମାନଙ୍କ ମଧ୍ୟରୁ ନୟାଗଡ଼ ଥିଲା ଅନ୍ୟତମ । ସେହିଠାରେ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମର ଯୂପକାଠିରେ ଚାରିଜଣ ପ୍ରାଣବଳି ଦେଇଥିଲେ । ତନ୍ମଧ୍ୟରୁ ଜଣେ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ଅନ୍ୟ ତିନିଜଣ ପୋଲିସ ଅତ୍ୟାଚାରରେ ମୃତ୍ୟୁ ବରଣ କରିଥିଲେ ।

ଗୋଟିଏ ଦୃଷ୍ଟିରୁ ବିଚାର କଲେ ନୟାଗଡ଼ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା ୧୯୪୨ ମସିହା ଜୁଲାଇ ମାସ ତେର ତାରିଖରେ ନନ୍ଦିଘୋରରେ ଅନୁଷ୍ଠିତ ପ୍ରଜା ମଣ୍ଡଳର ଏକ ବୈଠକରୁ । ସେହି ବୈଠକରେ ରାଜାଙ୍କ ବିରୋଧରେ ଏପରିକି ଆବଶ୍ୟକ ପଡିଲେ ଇଂରେଜ ସରକାର ବିରୋଧରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ସେମାନେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ତେଣୁ ସେମାନଙ୍କୁ ଗିରଫ କରାଯାଇଥିଲା । ଇଂରେଜ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫୋୖଜ ଆନ୍ଦୋଳନର ପ୍ରମୁଖ କର୍ମୀଙ୍କୁ ବନ୍ଧୁକ ଓ ସଙ୍ଗିନ୍ ମୁନରେ କ୍ଷତବିକ୍ଷତ କରିଦେଇଥିଲେ । ସତ୍ୟାଗ୍ରହୀମାନଙ୍କୁ ଘଉଡା଼ଇବା ପାଇଁ ସେମାନଙ୍କ ଉପରେ ନିର୍ମମ ଲାଠି ପ୍ରହାର କରାଯାଇଥିଲା । ଏହିସବୁ ପଦକ୍ଷେପ କର୍ମୀମାନଙ୍କୁ ଅଧିକ ଉତ୍ତେଜିତ କରାଇଥିଲା ।

ଜୁଲାଇ ୧୩ ତାରିଖର ସମାବେଶ ପରେ ଅଗଷ୍ଟ ୧୭ ତାରିଖ ଦିନ ନୟାଗଡ଼ ରାଜ୍ୟର ରାଜନୀତିକ ଆକାଶରେ ଦୁର୍ଦ୍ଦିନର ଘନଘଟା ଦେଖାଦେଇଥିଲା । ସେହିଦିନ ସ୍ଥାନୀୟ ପୋଲିସ ଓ ଚୌକିଦାରଙ୍କ ସହ ତିନି ଶହ ଶିଖସୈନ୍ୟ ଓଡ଼ଗାଁରେ ପହଞ୍ଚି ସେଠାରେ ନେତାଙ୍କ ଘର ଲୁଟ୍ କରିବା ସଙ୍ଗେ ସଙ୍ଗେ ନାରୀମାନଙ୍କ ପ୍ରତି ଆସୌଜନ୍ୟ ବ୍ୟବହାର କରିବାରେ ପଶ୍ଚାତପଦ ହୋଇ ନଥିଲେ । କ୍ରମେ କ୍ରମେ ନୟାଗଡ଼ର ରାଜନୈତିକ ଅବସ୍ଥା ଗୁରୁତର ରୂପ ଧାରଣ କରିଥିଲା । ତେଣୁ ନେତାମାନେ ୧୯୪୨ ମସିହା ଅକ୍ଟୋବର ୮ ତାରିଖ ଦିନ ବାହାଡାଝୋଲା ନିକଟବର୍ତ୍ତୀ ମାଳ ଅଞ୍ଚଳର ମଧୁଆଖଳି ପଡ଼ିଆରେ ଶତାଧିକ କର୍ମୀ ଓ ଜନସାଧାରଣଙ୍କୁ ଏକତ୍ରିତ କରି ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ପଡ଼ିଆରେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ବ୍ୟତୀତ ଆଦିବାସୀ ସଂପ୍ରଦାୟର ଜଣେ ଉଦ୍ଦାମ ଯୁବକ, କଷ୍ଟି ଡାକୁଆ

ଏହି ସଭାରେ କଷ୍ଟି ଡାକୁଆର ପ୍ରେରଣାଦାୟକ ଭାଷଣ ଉପସ୍ଥିତ ଜନତା, ବିଶେଷତଃ ଆଦିବାସୀ ଭାଇଭଉଣୀଙ୍କ ଉପରେ ବେଶ୍ ଭଲ ପ୍ରଭାବ ପକାଇଥିଲା । ପରେ ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଅକ୍ଟୋବର ୧୦ ତାରିଖ ଦିନ ନୂଆଗାଁ ଥାନା ଦଖଲ କରାଯିବ । ତଦନୁଯାୟୀ ସେଦିନ ନୂଆଗାଁ ଅଭିମୁଖେ ଗୋଟିଏ କର୍ମୀଦଳ ଯାଇଥିଲେ । ସେହି ଦଳରେ ଯୋଗ ଦେଉଥିଲେ କଷ୍ଟି ଡାକୁଆ ଓ ତାଙ୍କ ନେତୃତ୍ଵରେ ଅନ୍ୟ କେତେକ ଆଦିବାସୀ ସଂପ୍ରଦାୟର ବ୍ୟକ୍ତି । ତା’ ପୂର୍ବ ଦିନ ରାତିରେ ସେମାନେ ନୟାଗଡ଼ରୁ ବାହାରିଥିଲେ । ସେଦିନ ଥିଲା ଆଶ୍ଵିନ ଅମାବାସ୍ୟାର ଘନକୃଷ୍ଣ ରାତ୍ରୀ । ସେମାନେ ୧୦ ତାରିଖ ସକାଳ ସାତଟା ବେଳେ ନୂଆଗାଁ ଥାନା ସମ୍ମୁଖରେ ପହଞ୍ଚିଥିଲେ । କୁହୁଡି ଯୋଗୁଁ ଦିବାଲୋକର ସ୍ପଷ୍ଟ ଛାପ ବାରି ହେଉ ନ ଥାଏ ।

ଥାନାରେ ନିଆଁ ଲଗେଇବା ସେମାନଙ୍କର ମୂଖ୍ୟ ଉଦ୍ଦେଶ୍ୟ ଥିଲା । ସେମାନଙ୍କୁ ଦେଖି ଆତ୍ମରକ୍ଷା ନିମନ୍ତେ ପୋଲିସ ସବ୍ ଇନ୍ସପେକ୍ଟର ପ୍ରଥମେ କିଛି ଫାଙ୍କା ଗୁଳି ଫୁଟାଇଥିଲେ । ଫଳରେ ସେମାନେ ଅଧିକ ଉତ୍ତେଜିତ ହୋଇ ଆହୁରି ଆଗକୁ ମାଡ଼ି ଚାଲିଥିଲେ । ଥାନାରେ ଥିବା କନେଷ୍ଟବଳ ଗୁଳି ମାରିବା ଫଳରେ କଷ୍ଟି ଡାକୁଆ ସେଇଠି ଟଳି ପଡିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡିଗଲା ।

ସହିଦ୍ କଷ୍ଟି ଡାକୁଆ
ନୂଆଗାଁ ଗୁଳିକାଣ୍ଡର ଅମର ସହିଦ୍ କଷ୍ଟି ଡାକୁଆ ମହୀପୁର ଠାରୁ ୧୧ କିଲୋମିଟର ଦୂରରେ ନିଘଞ୍ଚ ପାଲବ ପର୍ବତର ଶିର ଦେଶରେ ଅବସ୍ଥିତ କୁସୁବିଡା଼ ଗ୍ରାମରେ ୧୮୯୭ ମସିହାରେ ଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କର ନାମ ଅର୍ଜୁନ ଡାକୁଆ ଓ ମାତାଙ୍କ ନାମ ନାରବା ଦେବୀ । ସେ ଥିଲେ ବାପା ମା’ଙ୍କର ଦ୍ବିତୀୟ ସନ୍ତାନ।ପାଠ ପଢି଼ନଥିଲେ । କାରଣ ତାଙ୍କ ଗାଁ ନିକଟରେ ବିଦ୍ୟାଳୟ ନଥିଲା । ପ୍ରାପ୍ତ ବୟସରେ କଷ୍ଟି ଡାକୁଆ ନୃପତି ନାମରେ ଗୋଟିଏ ଝିଅକୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ପୁତ୍ର, ଗୋଟିଏ କନ୍ୟା ଥିଲେ । ପୁଅ ଦୁହିଁଙ୍କ ନାମ ଥିଲା ସୁଦର୍ଶନ ଓ ସୁରେନ୍ଦ୍ର । କନ୍ୟାର ନାମ ଥିଲା ସାବିତ୍ରୀ ।

(Image Courtesy: Adv. Prashanta Kumar Das, Nayagada)

କଷ୍ଟିଙ୍କର ମୋଟ ଚାରି ଏକର ପାହାଡ଼ିଆ ଜମି ଥିଲା ଓ ସେସବୁ ଚାଷୋପଯୋଗୀ ନଥିଲା । ଦୁଃଖ କଷ୍ଟରେ ଚଳୁଥିବା କଷ୍ଟି କିନ୍ତୁ ବହୁତ ସ୍ଵାଧିନଚେତା ମଣିଷ ଗୋଟିଏ । ୧୯୪୨ ଅକ୍ଟୋବର ୧୦ ତାରିଖ ଦିନ ଅନ୍ୟମାନଙ୍କ ସହ ମିଶି କଷ୍ଟି ନୂଆଗାଁ ଥାନା ଅଭିମୁଖେ ଯାତ୍ରା କରିଥିଲେ । ଥାନାର ଫାଟକ ନିକଟରେ ପହଞ୍ଚିବା ମାତ୍ରେ କନେଷ୍ଟବଳ ଲିଙ୍ଗ ନାଏକ ଗୁଳି ମାରିବା ଆରମ୍ଭ କରିଦେଲା । ତାହା କଷ୍ଟି ଡାକୁଆଙ୍କ ପେଟରେ ଆଘାତ ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ଅନ୍ତବୁଜୁଳି ବାହାରି ଗଲା ଓ ସେଇଠି ସେ ଅଚେତ ହୋଇ ପଡ଼ିଗଲେ । ପାଣି ପାଣି ଚିତ୍କାର କରି ମୁନ୍ଦାଏ ପାଣି ପାଇଁ ହାତଯୋଡ଼ି ଅନାଇ ରହିଲେ । ହୃଦୟହୀନ ଲିଙ୍ଗ ନାଏକ ଏହି ସୁଯୋଗରେ ତାଙ୍କୁ ଥାନା ଭିତରକୁ ଘୋଷାରି ଘୋଷାରି ନେଇ ଗଲା । ତାଙ୍କ ପାଟିରେ ପାଣି ପରିବର୍ତ୍ତେ ପରିଶ୍ରା ଠିକ୍ ହେବ ବୋଲି ଅନ୍ୟ ନମକହାରାମ୍ କନେଷ୍ଟବଳ ମାନେ ବଡ଼ ପାଟିରେ କହୁଥିଲେ । ସେହି କ୍ଷତବିକ୍ଷତ ପେଟରେ ହାତ ଦେଇ ଅତି ଅସ୍ପଷ୍ଟ ଭାବେ ଶେଷ କଥା କହିଥିଲେ, “ମହାତ୍ମାଗାନ୍ଧୀ କି ଜୟ”“ଅନ୍ଧାରୀ ଶାସନ ଲୋପ ହେଉ”। ତା’ପରେ ତାଙ୍କର ପ୍ରାଣବାୟୁ ଉଡିଗଲା । ତାଙ୍କର ଶବକୁ ନେଇ ନିକଟସ୍ଥ କାଞ୍ଜିଆହୁଦାରେ ଫିଙ୍ଗି ଦେଇଥିଲେ ଗୋଲାମ କନେଷ୍ଟବଳମାନେ ।

କଣ୍ଡୁରୀ ପରିଡା଼
କଣ୍ଡୁରୀ ପରିଡ଼ା ଥୁଆବାଡି଼ ଗାଁର । ବାହାଡ଼ାଝୋଲା ସଂଘର୍ଷରେ ଆହତ ହେବା ପରେ ତାଙ୍କୁ ନୟାଗଡ଼ ଜେଲରେ ରଖାଯାଇଥିଲା । ସେତେବେଳେ ତାଙ୍କର ବୟସ ଥିଲା ଅଶୀ । ଏତେ ବୟସ୍କ ହେଲେ ମଧ୍ୟ ଇଂରେଜ ସରକାରଙ୍କ ଗୋଲାମ କନେଷ୍ଟବଳମାନେ ତାଙ୍କ ଉପରେ ଯାବତୀୟ ପ୍ରକାର ଅତ୍ୟାଚାର କରୁଥିଲେ । ଅତ୍ୟାଚାର ଏଭଳି କଷ୍ଟପ୍ରଦ ଥିଲା ଯେ, ସେହି ଜେଲରେ ସଂଗ୍ରାମୀ ଓଡ଼ିଆ ବୀର କଣ୍ଡୁରୀ ପରିଡ଼ା ଆଖି ବୁଜିଲେ ଓ ଶେଷ କଥା କହିଥିଲେ, “ମୋ ପାଇଁ କେହି ଦୁଃଖ କରିବ ନାହିଁ। ମାତ୍ର ମୋର ଏତିକି ଅବଶୋଷ ଯେ , ମୁଁ ସ୍ଵରାଜ ଦେଖି ପାରିଲି ନାହିଁ ।ମୋର ଅନୁରୋଧ, ଆନ୍ଦୋଳନରୁ ଟିକିଏ ହେଲେ କେହି ପଛଘୁଞ୍ଚା ଦେବ ନାହିଁ ।”

ବୁଦ୍ଧି ପରିଡା଼
ସେ ଥିଲେ କଣ୍ଡୁରି ପରିଡ଼ାଙ୍କ ପୁଅ । ବାପା ଓ ପୁଅ ଦୁହେଁ ଥିଲେ ଦେଶପ୍ରେମୀ ଓ ସ୍ଵାଧୀନଚେତା । ବାପା ଓ ପୁଅ ଦୁହେଁ ଗିରଫ ହୋଇଥିଲେ ବାହାଡାଝୋଲା ସଂଘର୍ଷ ଘଟଣାରେ । ପ୍ରଥମେ କଣ୍ଡୁରୀ ପରିଡ଼ା ଆଖି ବୁଜିଲେ ଜେଲ୍ ଭିତରେ ଓ କିଛି ମାସ ପରେ ପୁଅ ବୁଦ୍ଧି ପରିଡ଼ା ସେହି ଜେଲରେ କର୍ମଚାରୀ ମାନଙ୍କ ଅତ୍ୟାଚାର ଫଳରେ ଆଖି ବୁଜିଲେ ।

ଦୟା ବେହେରା
ସେହି ନୂଆଗାଁ ଥାନା ପୋଡ଼ି ଅଭିଯୋଗରେ ଗିରଫ ହୋଇଥିଲେ ଦୟା ବେହେରା । ତାଙ୍କ ଉପରେ ଯାବତୀୟ ଅକଥନୀୟ ଅତ୍ୟାଚାର ହୋଇଥିଲା। ଏମିତି କି ଗୋଟିଏ ସ୍ଥାନାଭାବ ଥିବା ଜେଲଘରେ ତାଙ୍କୁ ରଖିଥିଲେ କନେଷ୍ଟବଳମାନେ । ଏକ ପ୍ରକାର ପଶୁ ଜୀବନ ସେ ବିତାଉଥିଲେ ସେଠାରେ। ଅତ୍ୟାଚାର, ନିର୍ଯ୍ୟାତନା ଓ ଶ୍ୱାସରୁଦ୍ଧ ହେବା ପରିସ୍ଥିତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

(ଏହା ଥିଲା ନୟାଗଡ଼, ନୂଆଗାଁ, ବାହାଡ଼ାଝୋଲା ଅଞ୍ଚଳରେ ଘଟିଥିବା ସ୍ଵାଧୀନତା ଆନ୍ଦୋଳନର କଥା। ଓଡ଼ିଶାର ଇତିହାସରେ ଏହି ଚାରିଜଣଙ୍କ ଉପରେ ଆଧାରିତ ଲେଖା ପ୍ରାୟ ନାହିଁ କହିଲେ ଚଳେ । ସେହି ସଂଗ୍ରାମୀ ଭାଇମାନଙ୍କ ଉଦ୍ଦେଶ୍ୟରେ କୋଟି କୋଟି ପ୍ରଣାମ ।)

ଆଧାର: ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ, ଡ. ଜଗନ୍ନାଥ ପଟ୍ଟନାୟକ
Nayagarh Gulikanda 1942 freedom struggle Quit India Movement
Praja Mandal Movement of Nayagarh Kasti Dakua Niranjan Sahu
Spread the love
admin

View Comments

  • ଅନାଲୋଚିତ ଶହୀଦ ଗାଥା , ଏ ମାଟିର । ପୂଜନୀୟ , ବନ୍ଦନୀୟ ସେମାନେ । ଇତିହାସ ତାଙ୍କୁ ସମ୍ମାନିତ କରିବା ଉଚିତ ।

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago