ଉପସ୍ଥାପନା: ବିଜୟ ସାହୁ
1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ ଛାତ୍ରାବାସର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟ ଅତିଥି । ଛାତ୍ର ନେତାମାନେ ଖବର ପାଇଲେ ଦିଲ୍ଲୀରେ ସୀମା କମିଶନ ସୁପାରିଶକୁ ନିଖିଳ ଭାରତ କଂଗ୍ରେସ କମିଟି ଗ୍ରହଣ କରି ନେବାକୁ ଯାଉଛି ।ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଚାପରେ ଓଡ଼ିଶାର ଷଢ଼େଇକଳା -ଖରସୁଆଁ ବିହାରରେ ମିଶିଯିବ । କିଛି ଛାତ୍ର ନେତା ନବବାବୁଙ୍କୁ ଭେଟିବାକୁ ଚାହିଁଲେ । କିନ୍ତୁ ସୁପରିଟେଣ୍ଡେଣ୍ଟ ସିଧାସଳଖ ଅନୁମତି ଦେବେ ନାହିଁ । କମ୍ୟୁନିଷ୍ଟ ପାର୍ଟିର ଛାତ୍ରନେତା ଗିରିଜା ଭୂଷଣ ପଟ୍ଟନାୟକ ଗୋଟିଏ ଚିଠା ପଠେଇଲେ ।
ଛାତ୍ରନେତାଙ୍କ ନାମ ଦେଖି ତୁରନ୍ତ ଭିତରକୁ ଆସିବାକୁ କହିଲେ । ପ୍ରଥମେ ପ୍ରତିକ୍ରିୟା ଦେଲେ – “କିହୋ ବିପ୍ଲବୀମାନେ, କେବେ ଠାରୁ ସାକ୍ଷାତକାର କାର୍ଡ ପଠେଇବାକୁ ସ୍ଥିର କରିଲଣି ? ତମ ଛାତ୍ରସଙ୍ଘ ସଭାପତି କୁଆଡେ ଗଲା” ? ସେତେବେଳେ ହରିଶ ଚନ୍ଦ୍ର ବକ୍ସିପାତ୍ର କଲେଜ ଛାତ୍ର ସଂଘର ସଭାପତି । ଉତ୍ତର ମିଳିଲା, “ସେ ଗାଁକୁ ଚାଲିଯାଇଛନ୍ତି” ।
ନବବାବୁ କହିଲେ, “ତୁମେମାନେ ଯାହା କରିବା କଥା କର, କିଛି ଆଖିଦୃଶିଆ କର, ନ ହେଲେ ଏ କଂଗ୍ରେସ ନେତାମାନେ ଚେତିବେ ନାହିଁ । ଆମେମାନେ ଇସ୍ତଫା ଦେଉଛୁ, ମୁଁ ଇସ୍ତଫାପତ୍ର ନେଇ କାଲି ଦିଲ୍ଲୀ ଯାଉଛି । ଭଲ ଭାବେ କିଛି କର” ।
(ସୂତ୍ର – ଗିରିଜା ପଟନାୟକ)
ଛାତ୍ରମାନେ କହିଲେ, “ଅନେକ ଛାତ୍ରନେତା କଟକରେ ନାହାନ୍ତି । ଆମେ କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବୁ” ।
ନବବାବୁ ଉତ୍ତର ଦେଲେ, “ବିପ୍ଲବ କଣ ଅନୁମତି ନେଇ କରାଯାଏ ବିପ୍ଲବୀ ? କୋଉ ବିପ୍ଳବର ଇତିହାସରୁ ପଢିଛ” ?
ସେଇ ରାତିରୁ ଶହ ଶହ ଛାତ୍ର କଟକ ମଧୁପୁର ହାଉସରେ ଥିବା ରେଡ଼ିଓ ସେଣ୍ଟର ଘେରାଉ କଲେ । ମାଳତୀ ଚୌଧୁରୀ ନେତୃତ୍ୱ ନେଲେ। ପୋଲିସ ଗୁଳି ଚଳେଇଲା । ଛାତ୍ରନେତା ସୁନୀଲ ଦେ ଶହୀଦ ହେଲେ । ମାଳତୀ ଚୌଧୁରୀ ବିବୃତି ଦେଲେ, ଏ ସରକାରର ମତିଭ୍ରମ ଘଟିଛି ।
ସେତେବେଳେ ନବବାବୁ ରାଜନୀତିରୁ ଓହରି ଯାଇ ବାଜିରାଉତ ଆଶ୍ରମରେ ଜୀବନର ଶେଷ କର୍ମକ୍ଷେତ୍ର ବାଛି ନେଇଥାନ୍ତି । ଦିନେ ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥା ଆଶ୍ରମରେ ପିଲାମାନଙ୍କୁ ଫିଲ୍ମ ଦେଖେଇବାକୁ ଆସିଲେ । ମାଳତୀ ଚୌଧୁରୀ ସର୍ତ୍ତ ରଖିଲେ, କୌଣସି ବେସରମ ଚିତ୍ର ଯେମିତି ଫିଲ୍ମରେ ନଥିବ । ଆଶ୍ରମରେ ଫିଲ୍ମ ଚାଲିଲା । କିଛି ସମୟ ପରେ ମାଳତୀ ଚୌଧୁରୀ ଆସି ପହଞ୍ଚିଲେ । ଠିଆ ହେଲେ । ତାପରେ କିଛି ଦୃଶ୍ୟ ଦେଖି କହିଲେ, ଫିଲ୍ମ ବନ୍ଦ କର ।
ଫିଲ୍ମ ଵାଲା ଡରିଯାଇ ନବବାବୁଙ୍କ ପାଖରେ ପହଁଚିଲେ । ନବବାବୁଙ୍କୁ କହିଲେ, ଆମେ ତ ବାଛି ବାଛି ଫିଲ୍ମଟି ଆଣିଥିଲୁ । ଆଉ ଭଲ କୋଉଠୁ ପାଇବୁ ? ସବୁ କଥା ଶୁଣି ନବବାବୁ କହିଲେ, ନୁମା ଟିକିଏ କଡା ମଣିଷ । ସିଏ ସିନା ଭେଲ ଓ ଭଲ ଉଭୟ ଦେଖିଲେ ଭେଲ କୋଉଟା ଭଲ କୋଉଟା ଜାଣି ପାରନ୍ତେ । ହଉ, ତମେମାନେ କାଲି ସୁସୁଡା ଗାଁରେ ଫିଲ୍ମ ଦେଖେଇବ । ସେଇଠି ବାଜିରାଉତ ଛାତ୍ରାବାସ । ମାଳତୀ ଦେବୀ ସେଠିକି ଯିବେ ନାହିଁ । ମୁଁ ପିଲାଙ୍କୁ ଚୁପଚାପ ସେଠିକି ପଠେଇ ଦେବି ।
କିନ୍ତୁ ପିଲାମାନେ ନୁମାଙ୍କୁ ଭାରି ଡରୁଥିଲେ । ନବବାବୁ ସେମାନଙ୍କୁ ଫିଲ୍ମ ଯୋଜନା କହିବାରୁ ସେମାନେ କହିଲେ କେମିତି ଯିବୁ, ଧରା ପଡିଯିବୁ ? ନବବାବୁ କହିଲେ, ଏତିକି କଥା ନୁମା ଶିଖେଇ ନାହାନ୍ତି, କଣ ମଣିଷ ହେବ ? ଶୁଣ, ରାତିରେ ଆଲୁଅ ଲିଭେଇ ଦେଵ, ମଶାରୀ ପକେଇ ଦେଵ, ତକିଆକୁ ଖଟରେ ଲମ୍ବା ରଖି ତା ପରେ ଚାଦର ଘୋଡେଇ ଦେଵ । ତାପରେ କବାଟ ଆଉଜେଇ ଚାଲିଯିବ । ଫେରି ଆସି ଚୁପଚାପ ଶୋଇଯିବ । ପିଲା ସେୟା କରି ଚାଲିଗଲେ । କିନ୍ତୁ ନୁମା ଖବର ପାଇ ଯାଇଥିଲେ । ହଷ୍ଟେଲ ତାଲା ପକେଇ ଦେଲେ । ପିଲେ ଫେରିବା ପରେ ଉପାୟଶୂନ୍ୟ ହେଇ ବାରଣ୍ଡାରେ ବସିଲେ ।
ନୁମା ରାତିରେ ଦେଖିଲେ ନବବାବୁ ନାହାନ୍ତି । ଘର ଭିତରେ ଖୋଜିଲେ । ଭାବିଲେ ବୋଧେ ନବବାବୁ ପିଲାଙ୍କୁ ଧରି ଫିଲ୍ମ ଦେଖିବାକୁ ଯାଇଛନ୍ତି । ନୁମା ଛାତ୍ରାବାସକୁ ଗଲେ । କବାଟ ଖୋଲି ଦେଖିଲେ ଗୋଟିଏ ଖଟରେ ଶୋଇଛନ୍ତି । ଏଠି କଣ କରୁଛ ? କଣ କରିବି, ପିଲେ ଯେତେବେଳେ ଫିଲ୍ମ ଦେଖିବାକୁ ଗଲେ ଓ କେହି ଛାତ୍ରାବାସ ଜଗିବ ନା ନାହିଁ ? ମୁଁ ଜଗିଥିଲି, ଟିକିଏ ଆଖି ଲାଗିଗଲା ।
ନବବାବୁ କି ନିର୍ମଳ ହୃଦୟର ନ ଥିଲେ !
1962 ଚୀନ ଭାରତ ସୀମାବିବାଦ । ନବବାବୁ ମତ ଦେଲେ ଆମ ଆଡୁ ପ୍ରଥମେ ସଂଘର୍ଷ କରିଛୁ, ଆମର ଭୁଲ । ମ୍ୟାକମୋହନ ଲାଇନ ଏକ କାଳ୍ପନିକ ରେଖା, ଚୀନ ଏହାକୁ କେବେ ସ୍ୱୀକାର କରିନାହିଁ । କଟକ ଟାଉନ ହଲରେ ଗୋଟିଏ ସଭା ଡାକିଲେ । ଯେତେ ମ୍ୟାପ, ଡାଟା, ପୁରୁଣା ଇତିହାସ ଗୋଟି ଗୋଟି ଦେଖେଇଲେ । ତାଙ୍କର ଯୁକ୍ତି ସମସ୍ତଙ୍କୁ ବିସ୍ମିତ କଲା ।
କାହାର ସାହସ ଥିଲା ନେହୁରଙ୍କ କାର୍ଯ୍ୟାନୁଷ୍ଠାନକୁ (FORWARD POLICY) ବିରୋଧ କରିବ ଓ ଭାରତ ଭୁଲ କରିଛ ବୋଲି ସଭା କରି କହିବ ? ନବକୃଷ୍ଣ ଚୌଧୁରୀ ଭାରତର ସେଭଳି ଏକ ବିରଳ ବ୍ୟକ୍ତିତ୍ୱ ଥିଲେ । ସମଗ୍ର ଦେଶରେ ଓ ବିଶେଷ କରି ସୋସାଲିଷ୍ଟ, ଜନସଂଘ ଓ କଂଗ୍ରେସର ଅଧିକାଂଶ ତୁଙ୍ଗ ନେତାଙ୍କ ଭିତରେ ଚୀନବିରୋଧୀ ମାନସିକତା ସୃଷ୍ଟି ହେଇ ସାରିଥିବା ବେଳେ ଖୋଲାଖୋଲି ଅପ୍ରିୟ ସତ୍ୟ ପଛରେ ଠିଆ ହେବା ମଣିଷ ଥିଲେ ନବକୃଷ୍ଣ ଚୌଧୁରୀ ।
~ ଜମିଦାରଙ୍କ କଥା ~
ମୁଖ୍ୟ ମନ୍ତ୍ରୀ ଥିବା ବେଳେ ଥରେ ଭୁବନେଶ୍ୱର ଆଖପାଖ ଲୋକ ଆସି ତାଙ୍କ ପାଖରେ ଅଭିଯୋଗ କଲେ ଜମିଦାରମାନେ ଭାଗଚାଷୀ ଆଇନ ବଳରେ ଆମେ ପାଇଥିବା ଜମି ଛାଡ଼ୁନାହାନ୍ତି । ନବବାବୁ କହିଲେ, ମୁଁ ଆଇନ କରିଦେଲି ବୋଲି ସେମାନେ ତମକୁ ସହଜରେ ଛାଡ଼ିଦେବେ ? ତମର ଠେଙ୍ଗା ନାହିଁ କି ? ଗୋଡେଇ ପାରୁନା ?
ଆଜ୍ଞା, ପୋଲିସ ଯିବ, ଆମକୁ ଗିରଫ କରିବ ।
ହଁ, ପୋଲିସ ଯିବ, ଲାଠି ମାରିବ, ଜେଲରେ ପୁରେଇବ ।
ସ୍ୱାଧୀନତା ପାଇଁ କଣ ଲୋକେ ଲାଠି ଗୁଳି ଖାଇ ନାହାନ୍ତି, ନା ଜେଲ ଯାଇନାହାନ୍ତି ? ସେମାନେ ଜମିଦାରଙ୍କ ପାଇଁ ଥିଲେ, ବର୍ତ୍ତମାନ ବି ସରକାର ଜମିଦାରଙ୍କର । ଅଧିକାର ପାଇଁ ପୁଣି ଲଢ଼େଇ କର ।
ବାଣପୁର ନିର୍ବାଚନ ମଣ୍ଡଳୀର କମ୍ୟୁନିଷ୍ଟ ବିଧାୟକ ବିଧାନସଭାରେ ପ୍ରଶ୍ନକଲେ ତାଙ୍କ ଅଞ୍ଚଳରେ ଜମିଦାରମାନେ ଗୁଣ୍ଡା ପଠେଇ ଚାଷୀଙ୍କ ଫସଲ କାଟି ନେଉଛନ୍ତି । ନବବାବୁ ମୁଖ୍ୟମନ୍ତ୍ରୀ ଭାବେ ଉତ୍ତର ଦେଲେ, ହେଇ ହୋ ପାଇକ ଅଞ୍ଚଳର ହିରୋ, ଲାଠି, ସାଞ୍ଜୁ, ଖଣ୍ଡାକୁ କଣ ଘରେ ରଖି ପୂଜା କରୁଛ ?
ମୁଖ୍ୟମନ୍ତ୍ରୀ ବେଳେ ରାଜ୍ୟ ବଜେଟର ଚିଠା ଯେତେବେଳେ ଆସିଲା ସେ ଦେଖିଲେ ତାଙ୍କ ନିର୍ବାଚନ ମଣ୍ଡଳୀର ରତ୍ନଗିରି ବ୍ରିଜ ପାଇଁ ₹30 ଲକ୍ଷ ବ୍ୟୟବରାଦ ହେଇଛି । ନିଜ କଲମରେ ସେଠି ଛକି ପକେଇ କହିଲେ, ଗରିବ ରାଜ୍ୟ, ସମ୍ବଳ କମ, ତମେ ମୋ ଅଞ୍ଚଳରେ ଏକ ବ୍ରିଜ ପାଇଁ ₹30 ଲକ୍ଷ ବ୍ୟୟ କରିବ । ଲୋକେ କହିବେ ନବବାବୁ ଏତେ ଗୁଡ଼ାଏ ଟଙ୍କା ନିଜ ଅଞ୍ଚଳ ପାଇଁ ନେଇଗଲେ । ଅବଶ୍ୟ ଆଜିକାଲି ଦେଶର ସର୍ବୋଚ୍ଚ ଶାସକ ଭୋଟ ରାଜନୀତି ପାଇଁ 2000 କୋଟି ଟଙ୍କାର ମୂର୍ତ୍ତି ନିର୍ମାଣ କରି ବାହାଦୂରୀ ଦେଖେଇବାକୁ କୁଣ୍ଠିତ ହେଉନାହାନ୍ତି, ବରଂ ନିଜର ରାଜକୀୟ ଜୀବନଶୈଳୀ ପାଇଁ ହଜାର ହଜାର କୋଟି ଟଙ୍କାର ଅଫିସ ନିର୍ମାଣ ଓ ବିମାନ ଖର୍ଦ୍ଦି କରି ଗୌରବ ଅନୁଭବ କରୁଛନ୍ତି ।
ଜରୁରୀ ପରିସ୍ଥିତି ପୂର୍ବରୁ ଜୟପ୍ରକାଶଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ଜୟପ୍ରକାଶ ଓଡ଼ିଶା ଗସ୍ତରେ । ବିଭିନ୍ନ ଜାଗାରେ ତାଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ଶେଷରେ ଦୁଇଟି ବଡ଼ ଜନସଭା । ଗୋଟିଏ କଟକ ବାଲିଯାତ୍ରା ପଡ଼ିଆରେ ଓ ଶେଷଟି ବାଣୀବିହାର ପ୍ରାଙ୍ଗଣରେ । ନବକୃଷ୍ଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂଘର୍ଷ ସମିତିର ନିଷ୍ପତ୍ତି ଥାଏ ଜେପିଙ୍କୁ ଆନ୍ଦୋଳନ ଚଳେଇବା ଉଦେଶ୍ୟରେ ଏକ ଲକ୍ଷ ଟଙ୍କାର ମୁଣି ପ୍ରଦାନ କରାଯିବ । କିନ୍ତୁ ଏହି ପାଣ୍ଠି ଜନସାଧାରଣଙ୍କ ଠାରୁ ଆଦାୟ ହେବ । ଏହି ପାଣ୍ଠି ସଂଗ୍ରହ କୌଣସି ରସିଦ ଜରିଆରେ ନୁହେଁ । କୂପନ ଜରିଆରେ ହେବ । କୂପନର ମୂଲ୍ୟ ଟଙ୍କେ । ଅର୍ଥାତ ଘର ଘର ବୁଲି ଜଣଠୁଁ କେବଳ ଟଙ୍କେ ସଂଗ୍ରହ ହେବ । ଏହି ଟଙ୍କିକିଆ ପାଣ୍ଠି ଦାନ ପଶ୍ଚାତ ଯେଉଁ ବିଚାର ଥିଲା, ଲକ୍ଷେ ଟଙ୍କା ସଂଗ୍ରହ ଅର୍ଥ ଲକ୍ଷେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା । ଅବଶ୍ୟ ଆଜିକାଲି ହଜାର ହଜାର କୋଟି ଟଙ୍କା ନିର୍ବାଚନ ପାଣ୍ଠି ସଂଗ୍ରହ କଲେ ବି ତାର ହିସାବ କେହି ମାଗିବାକୁ ସାହସ କରୁ ନାହାନ୍ତି ।
ନବକୃଷ୍ଣ ଚୌଧୁରୀ ଜଣେ ଆଧୁନିକ ଜ୍ଞାନବିଜୟ ଜଗତର ସବୁ କ୍ଷେତ୍ରରେ ବିଚରଣ କରିଥିବା ବିରଳ ଋଷିପ୍ରତିମ ମଣିଷ । ଯେଉଁମାନେ ଏହି ମହାନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତାଙ୍କୁ କେତେ ଚିହ୍ନିଛନ୍ତି ସେମାନେ ହିଁ ବ୍ୟକ୍ତ କରିବେ । ମୋର ଦୃଢ଼ ବିଶ୍ୱାସ ସେ ସିଂହାସନ ପ୍ରତି ସର୍ବନିମ୍ନ ଆସକ୍ତି ରଖି ନଥିବା ରାଷ୍ଟ୍ରନୀତିଜ୍ଞ, ଭ୍ରଷ୍ଟାଚାର ଓ ଛଳନା ର ବହୁ ଦୂରରେ ଥିବା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବହୁ ଉର୍ଦ୍ଧ୍ବରେ, ସେ ଓଡ଼ିଆର ଜୀବନକାଳ ମଧ୍ୟରେ ଅଶ୍ମିତାର ଡିଣ୍ଡିମ ପିଟିବା ପାଇଁ କେବେ ପ୍ରୟାସ କରି ନାହାନ୍ତି, ଅଥଚ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ଆଇନ କରିଥିଲେ, ଆମେ ତାଙ୍କୁ କୌଣସି ଭୌଗଳିକ ସୀମା ସରହଦ ମଧ୍ୟରେ ଆବଦ୍ଧ କରି ପାରିବା ନାହିଁ । ସେ ସମ୍ବିଧାନର ଅନୁଛେଦ, ଧାରା, ବ୍ୟାଖ୍ୟାର ପରିସୀମା ସାହସର ସହିତ ଅତିକ୍ରମ କରି ପାରିଥିଲେ, ତେଣୁ ନକ୍ସଲମାନଙ୍କୁ ରାଷ୍ଟ୍ରଦ୍ରୋହୀ ଘୋଷଣା କରିବା ଚିନ୍ତା କେବେ କରି ନଥିଲେ । ରେନେସାଁ ଯୁଗର ପରୀକ୍ଷିତ ଡେମୋକ୍ରାଟ ଓ ଆମ କାଳଖଣ୍ଡର ଜଣେ ଯୁଗପୁରୁଷ ଥିଲେ ସେ ।
Nabakrushna Choudhury Malati Choudhury Baji Rout Chhatrabasa Bijaya Sahoo