~ ମୂର୍ଖ ହେବାରେ ଆନନ୍ଦ ~
ରଚନା: ଓଁ ଅଭିଜ୍ଞାନ ସାହୁ
ପ୍ରତିଦିନ ଗୋଟେ ଗଧ ତା ମାଲିକର ଜିନିଷପତ୍ର ବୋଝ ନେଇ ଜଣେ ପଣ୍ଡିତଙ୍କ ଘର ସାମ୍ନା ଦେଇ ଯାଏ । ପଣ୍ଡିତ ଗଧକୁ ଦେଖି ଭାବନ୍ତି ଆହା ଯଦି ସେ ମୋ ଭଳି ଜ୍ଞାନୀ ହୋଇଥାନ୍ତା ତେବେ କଣ ଏମିତି ବୋଝ ବୋହୁଥାନ୍ତା !!
ଦିନେ ଗଧ ପଣ୍ଡିତଙ୍କୁ ଦେଖି ହସିଦେଲା । ଏହା ପଣ୍ଡିତଙ୍କ ଅହଙ୍କାରକୁ ବାଧିଲା । ସାମାନ୍ୟ ଗୋଟେ ଗଧ ସେ ପୁଣି ତାଙ୍କ ଭଳି ଜଣେ ଜ୍ଞାନୀ ଲୋକକୁ ଦେଖି ହସିବ ! ପଣ୍ଡିତ ଭାବିହେଲେ ଯଦି ଗଧ ତାଙ୍କୁ ଦେଖି ହସିଲା ତେବେ ହସିଲା କାହିଁକି? ଏହି ଚିନ୍ତାରେ ସେ ସେଦିନ ଠିକଭାବେ ଖାଇପାରିଲେ ନାହିଁ କି ଶୋଇପାରିଲେ ନାହିଁ । ତାପର ଦିନ ବୋଝ ନେଇ ଯାଉଥିବା ଗଧକୁ ଅଟକେଇ ହସିବାର କାରଣ ପଚାରିଲେ । ଗଧ କହିଲା, ଆଶ୍ଚର୍ଯ୍ୟ, ଆପଣଙ୍କ ଭଳି ବିଜ୍ଞ ବ୍ୟକ୍ତି ଏଇ ମାମୁଲି ହସକୁ ନେଇ ଗତକାଲି ଠାରୁ ଚିନ୍ତାରେ ଅଛନ୍ତି ! ମୁଁ ତ ମାଲିକର ବୋଝକୁ ଠିକଣା ଜାଗାରେ ପହଞ୍ଚେଇ ଦେଇ ଖୋଲା ପଡ଼ିଆରେ ଦିନଯାକ ଘାସ ଚରି ଖୁସିରେ ଅଛି ହେଲେ ଆପଣ ଗତକାଲି ଠାରୁ ମୋ ହସର ବୋଝ ମୁଣ୍ଡେଇ ବୁଲୁଛନ୍ତି !!!
ମୂର୍ଖ ହେବାରେ ଗୋଟାଏ ଆନନ୍ଦ ଅଛି ବୋଲି କୁହାଯାଏ । ପଣ୍ଡିତ ତାଙ୍କ ପାଣ୍ଡିତ୍ୟ ପାଇଁ ଗର୍ବ କରନ୍ତି ହେଲେ ମୂର୍ଖ ଭିତରେ ଗର୍ବ ନଥାଏ । ଗଧ ଗର୍ବ କରେନି । ତଳକୁ ମୁଣ୍ଡ ପୋତି ମାଲିକର ସବୁ ବୋଝ ବୋହିଚାଲେ । ବୋହିଲାବେଳେ ମାଲିକର କାମ କରୁଛି ବୋଲି ଜାଣେ । ବୋଝ ହାଲୁକା ହେଲା ପରେ ଖାଇ ପିଇ ଶୋଇବାରେ ଆନନ୍ଦ ନିଏ । ଦାର୍ଶନିକ ଜଣେ କହିଥିଲେ ଜ୍ଞାନ ସବୁଠୁଁ ବଡ଼ ବୋଝ । ଯେତେଯେତେ ଆମେ ଜ୍ଞାନ ଆହରଣ କରୁ ସେତେ ସେତେ ବୋଝର ଚାପ ଆମ ମନ ଓ ମସ୍ତିଷ୍କ ଉପରେ ପଡେ । ଯେଉଁମାନେ ସେହି ବୋଝକୁ ସଠିକ ମାର୍ଗରେ ବିନିଯୋଗ କଲେ ସେମାନେ ଆଜି ପ୍ରଜ୍ଞାପୁରୁଷ ଆଉ ଯେଉଁମାନେ ତାକୁ ଭୁଲ ରାସ୍ତାରେ ଲଗେଇଲେ ସେମାନେ ସମାଜ ପାଇଁ ବୋଝ ହେଇଗଲେ ।
ରାବଣ ଥିଲେ ଋଷି ପୁତ୍ର । ମହାଜ୍ଞାନୀ ଓ ବେଦଜ୍ଞ । ସୁବର୍ଣ୍ଣ ହରିଣର ଭ୍ରମ ଦେଖେଇଲେ, ନିଜେ ସାଧୁ ବେଶ ଧାରିଲେ । ଛଳ କପଟକରି ସୀତାଙ୍କୁ ହରଣ କଲେ । ମଲା ବେଳକୁ ଜାଣିଲେ ସୀତାଙ୍କୁ ହରଣ ପାଇଁ ସେ ଯେଉଁ ଖେଳ ରଚିଥିଲେ ତାର ସୂତ୍ରଧର ଆଉ ଜଣେ । ଅସଲ ଖେଳ ତ ତାଙ୍କ ସହ ହୋଇଯାଇଛି । ଯେଉଁ ସୀତାଙ୍କ ପାଇଁ ପୂରା ଲଙ୍କା ଜଳିଗଲା, ପୁଅ ମଲା, ଭାଇ ଅଲଗା ହେଇଗଲା, ଛାର ବାନର ପାଖରେ ଅପମାନିତ ହେଲେ ଓ ନିଜ ପ୍ରାଣ ଗଲା ସେ ସୀତା ସତ ସୀତା ନଥିଲେ ତାହା ତାଙ୍କ ଛାଇ ଥିଲା। ରାବଣ ପଣ୍ଡିତ ହୋଇ ମୁର୍ଖଙ୍କ ଭଳି କାମ କଲେ । ନିଜେ ତ ମଲେ ପୁରା ଲଙ୍କାବାସୀ ବି ତାର ଭୟାବହତା ଭୋଗିଲେ । ମୂର୍ଖ ହେବା ପାପ ନୁହେଁ ହେଲେ ପଣ୍ଡିତ କେହି ମୂର୍ଖପ୍ରାୟ କାର୍ଯ୍ୟ କଲେ ସମାଜ ପାଇଁ ବିପଦ ନିଶ୍ଚୟ । ମୁଁ ଯେଉଁ ମୂର୍ଖ ହେବାରେ ଆନନ୍ଦ କଥା କହୁଛି ତାହା ଜାଣିସିଆଣା ମୂର୍ଖଙ୍କ କଥା । ଏହି ଜାଣିସିଆଣା ମୁର୍ଖଙ୍କୁ ଚିହ୍ନିବା କଷ୍ଟ ନୁହେଁ । ସାମାଜିକ ଗଣମାଧ୍ୟମରେ ଏଭଳି ମୂର୍ଖ ଏବେ ମାଳ ମାଳ । ନିଦେଇ ଯାଇଥିବା ଲୋକକୁ ଉଠେଇ ହେବ। କିନ୍ତୁ ଚେଇଁ ଶୋଇଥିବା ଲୋକକୁ ଉଠେଇବା କଷ୍ଟ । ପାଗଳ ଲୋକକୁ ଠିକ କରିବା ପାଇଁ ଔଷଧ ଅଛି ହେଲେ ଜାଣିଶୁଣି ପାଗଳ ଅଭିନୟ କରୁଥିବା ଲୋକ ପାଇଁ କିଛି ଔଷଧ କାହିଁ ! ଜଣେ ମୁର୍ଖକୁ ବୁଝେଇହେବ ହେଲେ ଜାଣିସିଆଣା ମୂର୍ଖଙ୍କୁ ବୁଝେଇବା ଅସମ୍ଭବ । ଏହିଭଳି ପଣ୍ଡିତ ମୁର୍ଖମାନେ ପ୍ରାୟତଃ ଗୋଷ୍ଠୀବାଦରେ ବିଶ୍ୱାସ କରନ୍ତି । ଗୋଷ୍ଠୀ ଏମାନଙ୍କୁ ଜେଡ ପ୍ଲସ ସୁରକ୍ଷା ଦିଏ । ମୂର୍ଖଙ୍କ ଗୋଷ୍ଠୀରେ ସମସ୍ତେ ନେତା ଆଉ ସମସ୍ତେ ସମସ୍ତଙ୍କ ଚେଲା । ଜଣେ ପୋଖତ ମଦୁଆ ଭିଡ଼ ଭିତରେ କେତେଜଣ ମଦୁଆ ଅଛନ୍ତି ଯେମିତି ଦେଖିକି ଚିହ୍ନି ଦିଏ ସେମିତି ମୂର୍ଖମାନଙ୍କୁ ମୂର୍ଖ ହିଁ ଚିହ୍ନି ପାରେ ।ସେମାନେ ଚୁମ୍ବକ ଭଳି ଆପେ ଯୋଡି ହୋଇ ଗୋଷ୍ଠୀ ତିଆରି ଦିଅନ୍ତି ।
ସବୁ ଶାସକ ଚାହଁନ୍ତି ସେମାନଙ୍କ ପ୍ରଜା ମୂର୍ଖ ହୋଇଥାନ୍ତୁ । କାରଣ ପ୍ରଜା ବେଶୀ ଶିକ୍ଷିତ ହେଲେ ପ୍ରଶ୍ନ ପଚାରିବେ । ଶାସନରେ ଛିଦ୍ର ଖୋଜି ବିଦ୍ରୋହ କରିବେ , ସମାଲୋଚନା କରିବେ । ପ୍ରଜା ମୂର୍ଖ ହେଲେ ଅତି ଉତ୍ତମ । ମୂର୍ଖମାନଙ୍କୁ କିଛି ମନଲୋଭା କାମରେ ଲଗେଇଦେଲେ ସେମାନେ ଖୁସି ଖୁସି ସେହିଥିରେ ବ୍ୟସ୍ତ ରହିଯିବେ। ଶୀତଳ ଯୁଦ୍ଧ ସମୟରେ ଆମେରିକା ଭଳି କିଛି ଦେଶ ଅନ୍ୟ ବିକାଶଶୀଳ ଦେଶମାନଙ୍କୁ ନିଜ ଅକ୍ତିଆରରେ ରଖିବା ପାଇଁ ଏହାର ସଫଳ ପ୍ରୟୋଗ କରିଥିବାର ପ୍ରମାଣ ରହିଛି। ଦେଶର ଯୁବସମାଜଙ୍କୁ ଅନେକ ଅପ୍ରାସଙ୍ଗିକ କାମରେ ବ୍ୟସ୍ତ ରଖିଲେ ସେମାନେ ଦେଶର ଅନ୍ୟ କିଛି ବିଷୟ ଚିନ୍ତା କରିବେ ନାହିଁ । ବିଡମ୍ବନା ଏହିକି ଯେ ମତ୍ତ ହାତୀକୁ ମଣ କରିବାକୁ ଯେମିତି ପୋଷା ହାତୀଙ୍କ ସାହାଯ୍ୟ ନିଆଯାଏ ସେମିତି ଏବେ ଦେଶର ଯୁବଶକ୍ତିଙ୍କୁ ବ୍ୟସ୍ତ ରଖିବାକୁ ଏହି ଜାଣିସିଆଣା ମୁର୍ଖମାନେ ପୂରା ଦମରେ ଲାଗିପଡ଼ିଛନ୍ତି । ମାନବ ସମାଜର ଉତ୍ପତ୍ତି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତର ସମ୍ପୁର୍ଣ୍ଣ ଇତିହାସ ଏହି ଜାଣିସିଆଣା ମୁର୍ଖମାନଙ୍କ ନଖଦର୍ପଣରେ ଥାଏ । ପ୍ରତିରକ୍ଷା ଠାରୁ ଧର୍ମରକ୍ଷା ପର୍ଯ୍ୟନ୍ତ ଓ ରାଜନୀତି ଠାରୁ ଅର୍ଥନୀତି ପର୍ଯ୍ୟନ୍ତ ସବୁ ବିଷୟରେ ଅପାର ପାଣ୍ଡିତ୍ୟ ରଖୁଥିବା ଏହି ବର୍ଗର ମୂର୍ଖଙ୍କ ସାମ୍ନାରେ ପୃଥିବୀର ସବୁ ପଣ୍ଡିତ ଛାର ପୋକ ସଦୃଶ । ଆଜିର ସାମାଜିକ ଗଣମାଧ୍ୟମକୁ ଦେଖିଲେ କିଏ ପକୃତ ମୂର୍ଖ ଓ କିଏ ପଣ୍ଡିତ ଜାଣିବା ମୁସ୍କିଲ ।
ଜାଣିଶୁଣି ମୂର୍ଖ ହେବା ଭଳି ଅନ୍ୟକୁ ମୂର୍ଖ ବନେଇବାର ଏକ ଅଭିନବ ଟ୍ରେଣ୍ଡ ଏବେ ଦେଖିବାକୁ ମିଳୁଛି । ସବୁଠୁ ଉଚ୍ଚଶିକ୍ଷିତ ତଥା ପଣ୍ଡିତ ମନେହେଉଥିବା ଏହି ଲୋକମାନେ ଆଜି ସାଇବର ଠକେଇର ଶିକାର ଅଧିକ ହେଉଛନ୍ତି । କାରଣ ଚତୁର ଜାଣନ୍ତି ଅସଲ ମୁର୍ଖଙ୍କୁ ଠକିବା କଷ୍ଟ କିନ୍ତୁ ପଣ୍ଡିତ ହୋଇ ମୁର୍ଖଙ୍କ ଭଳି କାମ କରୁଥିବା ଲୋକଙ୍କୁ ଠକିବା ସହଜ । ମୂର୍ଖ ଯେତିକି ବୁଝନ୍ତି ସେତିକିରେ ସନ୍ତୁଷ୍ଟ ଥାନ୍ତି । ପଣ୍ଡିତ ଅନ୍ୟକୁ ବୁଝାନ୍ତି ଅଧିକ କିନ୍ତୁ ନିଜେ ବୁଝନ୍ତି କମ୍। କେବଳ ଠକି ହେବା ପର୍ଯ୍ୟନ୍ତ ଏମାନେ ସୀମିତ ନାହାଁନ୍ତି । ଶିକ୍ଷିତ ପଣ୍ଡିତମାନେ କିପରି ସ୍ୱଳ୍ପ ଶିକ୍ଷିତ ବା ମୂର୍ଖମାନଙ୍କ ଦାସତ୍ୱ ପାଇଁ ବ୍ୟାକୁଳ ତାହା ଦେଶର ସ୍ୱାଧୀନତାତ୍ତୋର ଶାସନ ଅବସ୍ଥାକୁ ଅନୁଧ୍ୟାନ କଲେ ଜଣା ପଡେ । ଦେଶ ସ୍ଵାଧୀନ ହେବା ପର ଠାରୁ ଆଜି ଯାଏଁ ଅନେକ ମୂର୍ଖଙ୍କୁ ଶାସନଗାଦୀରେ ବସେଇବା ପଛରେ ପଣ୍ଡିତମାନଙ୍କ ଅବଦାନକୁ ଅସ୍ୱୀକାର କରିହେବନାହିଁ । ସ୍ୱଳ୍ପ ଶିକ୍ଷିତ ମନ୍ତ୍ରୀଙ୍କ ପାଗଳ ପ୍ରଳାପକୁ ଚରିତାର୍ଥ କରିବାକୁ ସାମାଜିକ ଗଣମାଧ୍ୟମ ଠାରୁ ନେଇ ଫାଇଲ ଚାଷ ପର୍ଯ୍ୟନ୍ତ ଏହି ଶିକ୍ଷିତ ପଣ୍ଡିତ ଗୋଷ୍ଠୀ ଦିନ ରାତି ଏକ କରିଦେଉଛନ୍ତି । ପ୍ରତିବଦଳରେ ଏହି ମୁର୍ଖମାନଙ୍କ ସାନିଧ୍ୟ ପାଇ ତଥାକଥିତ ପଣ୍ଡିତ ବଡ଼ବାବୁମାନେ କିଭଳି କୃତକୃତ୍ୟ ହୁଅନ୍ତି ତାହା କାହାକୁ ଅଛପା ନାହିଁ । ଏବର ଚନ୍ଦ୍ରଗୁପ୍ତଙ୍କ ପ୍ରଭୁତ୍ୱ ପ୍ରତି ଆନୁଗତ୍ୟ ନ ରଖିଲେ ଖୋଦ ଚାଣକ୍ୟଙ୍କ ନିସ୍ତାର ନାହିଁ । ମୋଟଉପରେ କହିବାକୁ ଗଲେ ମୁର୍ଖମାନଙ୍କ ପ୍ରଭୁତ୍ୱକୁ ସ୍ୱୀକାର କରିବାକୁ ଶିକ୍ଷିତ ତଥା ପଣ୍ଡିତମାନଙ୍କ ଭିତରେ ଯେଉଁ ପ୍ରତିଯୋଗିତା ଚାଲିଛି ତାହା ଏ ଶତାବ୍ଦୀର ଅନ୍ୟତମ ପ୍ରମୁଖ ବିସଙ୍ଗତି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ପଣ୍ଡିତମାନେ ବେଶୀ ଜାଣନ୍ତି ବେଶି ଚିନ୍ତା କରନ୍ତି । ଏମିତି କୁହନ୍ତୁ ଯିଏ ଯେତେ ଚିନ୍ତିତ ସେ ସେତେ ଅଧିକ ପଣ୍ଡିତ ବୋଲାଉଛନ୍ତି । ସକାଳୁ ଉଠିଲେ ଏମାନଙ୍କୁ ପୃଥିବୀ ଚିନ୍ତା ମାଡିବସେ । ଦେଶ ବିପଦରେ, ଧର୍ମ ବିପଦରେ, ଜାତି ବିପଦରେ , ଜନତା ଓ ନେତା ଉଭୟ ବିପଦରେ, ମୋଟଉପରେ ଏମାନଙ୍କ ପାଇଁ ସମଗ୍ର ପୃଥିବୀ ବିପଦରେ । ଆଉ ବିପଦରୁ ଉଦ୍ଧାରିବା ପାଇଁ ଏମାନେ ବୌଦ୍ଧିକ ମନ୍ଥନର ଯେକୌଣସି ସ୍ତରକୁ ଯାଇପାରନ୍ତି । ଗୋଟିଏ ନାରୀ ପଛରେ ସମଗ୍ର ଅସୁରମାନଙ୍କୁ ବ୍ୟସ୍ତ ରଖି ଦେବତାମାନେ ଅମୃତ ଲୁଟିନେଲେ । ଏବର ଅସୁରମାନେ ଏହି ତଥାକଥିତ ଅତି ପଣ୍ଡିତମାନଙ୍କୁ ଦେଶକୁ ବିପଦରୁ ଉଦ୍ଧାରିବା କାର୍ଯ୍ୟରେ ଲଗେଇ ସେପଟେ ଦେଶ ଲୁଟିନେଲେଣି । ଆଜି ଏହି ପଣ୍ଡିତମାନେ ପ୍ରକାଶ୍ୟରେ ନିଜ ଭିତରେ କଥା କଟାକଟିକୁ ନେଇ ବାଡ଼ିଆ ପିଟା ସହ ଶାଳୀନ ଅଶାଳୀନ ଶବ୍ଦ ପ୍ରୟୋଗ କରିବାକୁ ମଧ୍ୟ ଲଜ୍ଜିତ ମନେ କରୁନାହାଁନ୍ତି । କ୍ରିୟା ବିହୀନ ପ୍ରତିକ୍ରିୟାରେ ଲିପ୍ତ ଏହି ପଣ୍ଡିତମାନେ ଦେଶକୁ ବିପଦରୁ ଉଦ୍ଧାରିବା ପାଇଁ ଏକପଦୀ ଦୁଇପଦୀ ଚାରିପଦୀ ଲେଖାରେ ବ୍ୟସ୍ତ ଥିବା ବେଳେ ଦେଶର ଅଶିକ୍ଷିତ ଓ ‘ମୂର୍ଖ’ ବୋଲାଉଥିବା ଖଟିଖିଆ ଗରିବ ଏ ସବୁରୁ ଢେର ଦୂରରେ । ତା ପାଇଁ ଗତକାଲି, ଆଜି ଓ ଆସନ୍ତାକାଲି ଭିତରେ କିଛି ପ୍ରଭେଦ ନାହିଁ । ଗତକାଲି ଖଟିଲେ ଖାଉଥିଲା ଓ ଆସନ୍ତାକାଲି ବି ଖଟିଲେ ଖାଇବ। ତା ଭାଗ୍ୟ ଯେଉଁ ତିମିରେ କୁ ସେଇ ତିମିରେ । ସେ ନୀତି ଅନୀତି,ଧର୍ମ,ଜାତି ଇତ୍ୟାଦିର ବିପଦ ଆପଦ କଥା ଚିନ୍ତା କରି ଅଯଥା ବୋଝ ମୁଣ୍ଡାଏନି । ତା ପାଇଁ ଏ ସବୁ ପ୍ରସଙ୍ଗ ଆଦୌ ନୁହେଁ । ସେ ଜାଣି ପାରୁଛି ଏ ସବୁ ସୁଦ୍ଦୁ ଅବସର ବିନୋଦନ । ବୌଦ୍ଧିକ କସରତଜୀବୀ ପଣ୍ଡିତମାନଙ୍କ ନିଜକୁ ଚିନ୍ତିତ ରଖିବା ପାଇଁ ସ୍ୱସୃଷ୍ଟି ପ୍ରସଙ୍ଗ । ଆଉ ଆମ ଭଳି ସାଧାରଣ ଅଜ୍ଞାନ ଲୋକ ଯିଏ ଦେଖୁ, ଶୁଣୁ, ବୁଝୁ କିନ୍ତୁ ମୁହଁରେ ତୁଣ୍ଡି ଦେଇ ଭକୁଆ ବୋଲାଇବାର କ୍ଳେଶ ବୋହୁ । ବୋହିବା କାମଟି ଆଉ କିଏ କରେ ଯେ !
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

2 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

3 days ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

3 days ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

3 days ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago