ଲେଖା: ନିରଞ୍ଜନ ସାହୁ

~ ଯଶସ୍ଵିନୀ ମହାରାଣୀ ଶୁକଦେଇ ~
“ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର ଦୁରବସ୍ଥା ବିମୋଚନ କରିବ। ଅବଶ୍ୟ ସ୍ବୀକାର୍ଯ୍ୟ ଶୁକଦେଇ ସାନ୍ତାଣୀ ଉକ୍ତ ବୀରାଙ୍ଗନାମାନଙ୍କର ସମସ୍ଥାନୀୟ ନୁହଁନ୍ତି। ତେବେ ଏହି ସାମାନ୍ୟ ସ୍ଵଳ୍ପାୟତନ ରାଜ୍ୟକିର୍ତ୍ତୀ ଓଡ଼ିଆଣି ମହାରାଣୀ ଶୁକଦେଇ ସାନ୍ତାଣୀଙ୍କର ପବିତ୍ର ଚରିତ ତୁମ୍ଭମନକୁ କିଞ୍ଚିତ ମାତ୍ର ଗୌରବାନ୍ଵିତ କରାଏ ତେବେ ମୁଁ ମୋର ଉପହାରକୁ ଅମୂଲ୍ୟ ଜ୍ଞାନ କରିବି ।” (#ଉତ୍କଳ_ଦୀପିକା, ଏପ୍ରିଲ ୭, ୧୮୮୩ ମସିହା)
ଉତ୍କଳ ଦୀପିକା ପୃଷ୍ଠାରେ ସେଦିନର ଏପରି ମନସ୍ଵିନୀ ବୀରାରମଣୀ #ରାଣୀ_ଶୁକଦେଇ, ଆମ ଉତ୍କଳଖଣ୍ଡର ଜଣେ ଅପରାଜେୟ ବୀରାଙ୍ଗନା, ଆଜି କିନ୍ତୁ ଅନାଲୋଚିତ ହୋଇ ରହିଯାଇଛନ୍ତି ଇତିହାସ ଓ ଉତ୍କଳୀୟ ଜନମାନସରେ।
#ବାଙ୍କୀ ଗଡ଼ଜାତର ଊନବିଂଶ ରାଜା ଧନୁର୍ଜୟ ଶ୍ରୀଚନ୍ଦନ ମହାପାତ୍ର, ୧୭୦୦ ମସିହା ଠାରୁ ୧୭୧୫ ପର୍ଯ୍ୟନ୍ତ ରାଜତ୍ୱ କରୁଥିବା ସମୟରେ ଖୋର୍ଦ୍ଧାର ସେ ସମୟର ରାଜାଙ୍କ ସହ କୌଣସି କାରଣରୁ ମନୋମାଳିନ୍ୟ ହେବାରୁ ଯୁଦ୍ଧ ହେଲା। ଯୁଦ୍ଧରେ ବାଙ୍କୀ ରାଜା ଧନୁର୍ଜୟ ଶ୍ରୀଚନ୍ଦନ ମହାପାତ୍ର ପରାସ୍ତ ହେଲେ। ତାପରେ ପଶ୍ଚାତଗତି କଲେ ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ଅନୁସରଣ କରି ବାଙ୍କୀର ରଗଡ଼ି ଗ୍ରାମରେ ଦ୍ଵିତୀୟ ଯୁଦ୍ଧରେ ହତ୍ୟା କଲେ। ଖୋର୍ଦ୍ଧା ରାଜା ବାଙ୍କୀ ଅଧିକାର କରିବା ଉଦ୍ଦେଶ୍ୟରେ ଯାତ୍ରା କରି ଗୋପାଳପୁର ଦକ୍ଷିଣବର୍ତ୍ତୀ ପାଟରେ ଶିବିର କରି ରହିଲେ।
ଏ ସମ୍ବାଦ ମହାରାଣୀ ଶୁକଦେଇଙ୍କ ନିକଟରେ ପହଞ୍ଚିଗଲା। ହୃଦୟର ଶୋକାବେଗ ସମ୍ବରଣ କରି ଯୁଦ୍ଧ କରିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କଲେ, ଏପରିକି ନିଜର ଅଳ୍ପ ବୟସର ପୁଅକୁ ଧରି ଯୁଦ୍ଧ କ୍ଷେତ୍ରକୁ ବାହାରିଲେ। ତାଙ୍କର ଦେଵାନ୍ ଯୁଦ୍ଧ ନକରି ସନ୍ଧି କରିବା ପାଇଁ ରାଣୀଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ଏହାକୁ ଗ୍ରହଣ ନକରି ଦେଵାନଙ୍କୁ କହିଲେ – “ମୁଁ ନିତାନ୍ତ ନିରୂପାୟରେ ସୁଦ୍ଧା ମୋର ପତିହନ୍ତା ନିକଟରେ ବଶ୍ୟତା ସ୍ଵୀକାର କରିବି ନାହିଁ। ଅନୁରୋଧ କରୁଛି, କାଳବିଳମ୍ବ ନକରି ଯୁଦ୍ଧର ଆୟୋଜନ କରିବା ହେଉନ୍ତୁ ଏବଂ ଶତ୍ରୁରାଜାଙ୍କୁ ସମ୍ବାଦ ଦିଅନ୍ତୁ, ଆସନ୍ତାକାଲି ପୁନର୍ବାର ଯୁଦ୍ଧ ହେବ।”
ଏଥିରେ ମଧ୍ୟ ବ୍ୟବର୍ତ୍ତା ବିସ୍ମିତ ହୋଇ ଏପରି ଦୁଃସାହସିକ ପଦକ୍ଷେପ ନ ନେବାକୁ ଅନୁରୋଧ କଲେ। ବୀରାଙ୍ଗନା ରାଣୀ #ଶୁକଦେଇ ଏହି କଥାକୁ କର୍ଣ୍ଣପାତ ନକରି ନିଜର ଶିଶୁପୁତ୍ର ଦୟାନିଧିଙ୍କୁ ନେଇ, ଅଶ୍ଵାରୋହଣ କରି ଯୁଦ୍ଧ କ୍ଷେତ୍ରକୁ ଯିବା ପାଇଁ ଉଦ୍ୟତ ହେଲେ।
ନାରୀ ବୀରତ୍ୱର ଦର୍ଶନରେ ବୃଦ୍ଧ ବ୍ୟବର୍ତ୍ତାଙ୍କ ମନରେ ଅଭୂତପୂର୍ବ ସାହସ ସଞ୍ଚୟ ହେଲା। ଶତ୍ରୁପକ୍ଷକୁ ସମ୍ବାଦ ଦେଇ ନିଜେ ସୈନ୍ୟ ସଂଗ୍ରହ କରିବା ପାଇଁ ଲାଗିପଡିଲେ। ସମୁଦାୟ ରାତ୍ରି ପରିଶ୍ରମ କରି କେତେକ ପାଇକ ସଂଗ୍ରହ କରି ଯୁଦ୍ଧରେ ମହାରାଣୀ ଶୁକଦେଇଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଲେ।
ରାଣୀ ନିଜ ପୁଅକୁ ଜଣେ ବିଶ୍ଵସ୍ତ ସେବକ ପାଖରେ ଛାଡି ଦେଇ ମଣ୍ଡପରେ ଉପସ୍ଥିତ ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ କହିଲେ ମହାରାଣୀ ଶୁକଦେଇ – “ମୁଁ ମୋ ପାଇଁ ବା ମୋ ବାଳକ ଦୟାନିଧି ପାଇଁ ଯୁଦ୍ଧ କରୁନାହିଁ। ତୁମ୍ଭ ପାଇଁ, ତୁମ୍ଭମାନଙ୍କ ବାଙ୍କୀ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଯେଉଁ ବାଙ୍କୀ ସ୍ଵୀୟ ବାହୁବଳରେ ଏତେ ଦିନ ନିଜର ଅକ୍ଷୟ ଯଶ ସଞ୍ଚୟ କରି ଆସିଅଛି, ଆଜି ତାହା ଆମ୍ଭମାନଙ୍କର ଆଳସ୍ୟରେ, ଭୀରୁତାରେ ନଷ୍ଟ ହୋଇଯିବ। ଅତଏବ,
“ବାରେ ଉତ୍ସାହିତ ହୁଅ,
ମନରୁ ଭୀରୁତା ଦୂର କର,
ସାହସ ସଂଗ୍ରହ କର,
ପିତୃକୁଳର ଅମୂଲ୍ୟ ଯଶୋରାଶି ସ୍ମରଣ କର।”
ଶେଷରେ ଉଭୟ ପକ୍ଷର ଭେଟ ହେଲା। ଖୋର୍ଦ୍ଧା ରାଜା ରାଣୀଙ୍କୁ ଦେଖି ଉପହାସ କଲେ। ଭୟଙ୍କର ଯୁଦ୍ଧ ଲାଗିଲା, ବାଙ୍କୀ ସୈନ୍ୟ ପଳାୟନ କରିବାକୁ ଉଦ୍ୟମ କଲେ। ତେବେ ପାଇକମାନଙ୍କ ଛତ୍ରଭଙ୍ଗ ଦେଖି ହତୋତ୍ସାହିତ ନହୋଇ ମାତ୍ର ଦଶ, ପନ୍ଦର ଜଣ ପାଇକମାନଙ୍କୁ ନେଇ ଅତି ସାହସର ସହ ଶତ୍ରୁଦମନ ପାଇଁ ଛିଡ଼ା ହେଲେ ରାଣୀ। ଯୁଦ୍ଧରେ ଆଗେଇ ଚାଲିଲେ, ମାଡ଼ି ମାଡ଼ି ଆସି ଖୋର୍ଦ୍ଧା ରାଜାଙ୍କୁ ଆକ୍ରମଣ ଆରମ୍ଭ କଲେ।
ସେହି ସମୟରେ ରାଣୀଙ୍କ ସହାୟତା ପାଇଁ #ବଡ଼ମ୍ବା ରାଜାଙ୍କ ସୈନ୍ୟବାହିନୀ ସେଠାରେ ପହଞ୍ଚି ଯାଇଥିଲେ। ଛତ୍ରଭଙ୍ଗ ଦେଇ ଚାଲିଯାଇଥିବା ପାଇକମାନେ ଫେରିଆସି ମିଳିତ ହୋଇଗଲେ। ସୈନ୍ୟ ବାହିନୀର ଆକାର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଅତର୍କିତ ଆକ୍ରମଣ ହେଲା ବୀରାଙ୍ଗନା ମହାରାଣୀ ଶୁକଦେଇଙ୍କର ଖୋର୍ଦ୍ଧା ରାଜାଙ୍କ ଉପରେ। ଉଭୟ ପକ୍ଷର ଯୁଦ୍ଧ ଘମାଘୋଟ ଚାଲିଲା ତୁଳସୀପୁର ଓ କଳାପଥର ଠାରେ। ଶେଷରେ ଖୋର୍ଦ୍ଧା ରାଜା ଅନ୍ୟ ଉପାୟ ନପାଇ ଭଙ୍ଗ ଦେଲେ, ମାତ୍ର ବ୍ୟୁହଭେଦ କରିବାରେ ବିଫଳ ହେଲେ, କେତେ ଜଣ ଅନୁଗାମୀଙ୍କ ସହ ବନ୍ଦୀ ହେଲେ ରାଜା।
ମହାରାଣୀ ଶୁକଦେଇ ନିଜ ସୌଜନ୍ୟ ଗୁଣରେ ରାଜାଙ୍କୁ ଅତ୍ୟନ୍ତ ସୁଚାରୁରୂପେ ସମ୍ମାନ ଦେଇ ବିଦାୟ ଦେବାରେ ହେଳା ନକରିବା ହେତୁ ଖୋର୍ଦ୍ଧା ରାଜା ନିଜ ପକ୍ଷରୁ ସନ୍ଧି ପ୍ରସ୍ତାବ ରଖି ବାଙ୍କୀକୁ ସମୁଦାୟ କୁଶପଲ୍ଲା ପ୍ରଗଣା ପ୍ରଦାନ କଲେ। ରାଣୀ କିଛି ବର୍ଷ ପୁତ୍ର ଦୟାନିଧିଙ୍କ ପ୍ରତିଭୁ ହୋଇ ରାଜକାର୍ଯ୍ୟ କରିଥିଲେ। ସେ ଥିଲେ ସୁଶିକ୍ଷିତା।
ଶୁଣାଯାଏ ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ) ପରବର୍ତ୍ତୀ ସମୟରେ ଯେତେବେଳେ ରାଣୀ ଲକ୍ଷ୍ମୀବାଇଙ୍କୁ ସହାୟତା ଦେଇଥିଲେ, ସେତେବେଳେ ସେ ରାଣୀ ଶୁକଦେଇଙ୍କ ସମ୍ପର୍କରେ ଅବଗତ କରାଇ ଯୁଦ୍ଧରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ଏଣୁ ଆମ୍ଭର ଓଡ଼ିଆ ବୀରାଙ୍ଗନା ମହାରାଣୀ ଶୁକଦେଇ ଥିଲେ ରାଣୀ ଲକ୍ଷ୍ମୀବାଇଙ୍କ ଦେଶପ୍ରେମର ଉଜ୍ଜ୍ଵଳ ସାରଥୀ।
ସେହି ବୀରାଙ୍ଗନା ମହାରାଣୀ ଶୁକଦେଇ ଆଜି ଓଡ଼ିଶାର ଅମର କୀର୍ତ୍ତିମାନ୍ ଯୋଦ୍ଧା। ଇତିହାସ ପୃଷ୍ଠାରେ ବହୁଳ ଭାବରେ ଆଲୋଚନା ହୋଇପାରିନି, ଏହାହିଁ ପ୍ରତି ଓଡ଼ିଆର ଖେଦ ଓ ଦୁଃଖ। ନାରୀଜାତିର ଏହି ଗରୀୟସୀ ମା’ଙ୍କୁ ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ପ୍ରଣାମ।
(ଐତିହାସିକ ତଥ୍ୟ ଅନୁଯାୟୀ ସେ ଭାଦ୍ରବ ପୂର୍ଣ୍ଣିମା/ଇନ୍ଦ୍ର ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିଲେ ମହାରାଣୀ ଶୁକଦେଇ। ସାଲ ଗଣନାରେ ବିଭିନ୍ନ ମତ ହେତୁ ସଠିକ୍ ତଥ୍ୟ ଏପର୍ଯ୍ୟନ୍ତ କେହି ଦେଇନାହାନ୍ତି। ତେବେ ୧୬୭୦ରୁ ୧୬୮୦ ହୋଇପାରେ ବୋଲି ଅନୁମାନ କରାଯାଏ।)
ତଥ୍ୟ: ପ୍ରଫେସର କୈଳାସ ଚନ୍ଦ୍ର ଦାଶ
(ବି.ଦ୍ର. ଚିତ୍ରଟି କାଳ୍ପନିକ)
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago