ଲେଖା: ନିରଞ୍ଜନ ସାହୁ

ମାଦଳାପାଞ୍ଜି ବହୁ ପ୍ରାଚୀନ କାଳରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଶ୍ରୀଜଗନ୍ନାଥ ମନ୍ଦିରର ବିବରଣୀ ସକାଶେ ଉପାଦାନ ରୂପେ ବ୍ୟବହୃତ। ଏହା ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏ କଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି। 1825 ମସିହାରେ Andrew Stirling ଓଡ଼ିଶା ସମ୍ପର୍କିତ ବିବରଣୀ ପ୍ରଥମେ ମାଦଳାପାଞ୍ଜିରୁ ସଂଗ୍ରହ କରି Asiatic Research Journalରେ ପ୍ରକାଶ କରିଥିଲେ।
             
ମାଦଳା ପାଞ୍ଜିରେ ଜଗନ୍ନାଥ ମନ୍ଦିରର ବିବରଣୀ ପରିଲକ୍ଷିତ ହୁଏ।ଖୁରୁଧା ଗଜପତି ରାଜା ମାନଙ୍କର ଧାରାବାହିକ ସୂଚନା ଏଥିରେ ଲିପିବଦ୍ଧ ହୋଇଅଛି। ଆସାମର ‘ବୁରୁଞ୍ଜି’, ସିଂହଳର ‘ଧାତୁବଂଶ’, କାଶ୍ମୀରର ‘ରାଜତରଙ୍ଗିଣୀ’ ପରି ମାଦଳାପାଞ୍ଜି ଉତ୍କଳର ସାମାଜିକ, ସାଂସ୍କୃତିକ ଓ ରାଜବଂଶର ଏକ ବିବରଣୀମୂଳକ ରଚନା। ଏହାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, (କ) ପୂଜାବିଧି ସମ୍ବନ୍ଧୀୟ ଓ ମନ୍ଦିର ନିର୍ମାଣର ବିବରଣୀ, (ଖ) ରାଜବଂଶାବଳୀ । ଏହି ରାଜବଂଶାବଳୀ ଏବଂ ପୂଜା ଓ ମନ୍ଦିର ସମ୍ପର୍କୀୟ ବିବରଣୀ ଭିନ୍ନ ଭିନ୍ନ ଲୋକ ଲେଖୁଥିବା କଥା ଆଲୋଚକଗଣ କହନ୍ତି। ଦେଉଳକରଣ ମନ୍ଦିର ଓ ପୂଜା ସମ୍ବନ୍ଧୀୟ ବିବରଣୀ ଏବଂ ତଢାଉକରଣ ରାଜବଂଶର ବିବରଣୀକୁ ଲିପିବଦ୍ଧ କରୁଥିଲେ। ପୁଣି କୋଷ୍ଠକରଣ ନାମରେ ଅନ୍ୟ ଜଣେ ସେସବୁକୁ ଯତ୍ନରେ ସାଇତି ରଖିବାକୁ ଦାୟିତ୍ଵ ନିର୍ବାହ କରୁଥିଲେ।


ତାଳପତ୍ରରେ ଲେଖାହୋଇ ମର୍ଦ୍ଦଳ ଆକାରରେ ବିଡ଼ା ହୋଇ ମନ୍ଦିରରେ ରଖା ଯାଉଥିବାରୁ ଏହାକୁ ମାଦଳାପାଞ୍ଜି କୁହାଯାଏ ବୋଲି ଅନେକ ଆଲୋଚକ ମତ ରଖିଛନ୍ତି। ଅନ୍ୟ କେତେକଙ୍କ ମତରେ ଦେବଦାସୀ ମାନଙ୍କ ଗର୍ଭରୁ ଜାତ ମୋଦଳୀ ଉପାଧିଧାରୀ ବ୍ୟକ୍ତିମାନେ ଏହି ପାଞ୍ଜି ଲେଖିବା ପାଇଁ ନିଯୁକ୍ତି ପାଉଥିଲେ। ପୁରୀ ମନ୍ଦିରରେ ଦେବଦାସୀ ପରମ୍ପରା ବହୁ କାଳରୁ। ଓଡ଼ିଶାରେ ‘ମୋଦଳୀ’, ‘ମାଦଳୀ’ ହେଉଛି ଏକ ରାଜଦତ୍ତ ଉପାଧି। ଏମାନଙ୍କ ଦ୍ବାରା ଲିଖିତ ପାଞ୍ଜି ‘ମାଦଳାପାଞ୍ଜି‘ ନାମରେ ପ୍ରସିଦ୍ଧ ଥିଲା।
       
ଲିପିତତ୍ଵବିତ୍ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ବିଭିନ୍ନ ଅଭିଲେଖରେ ‘ମୋଦଲୁଗା‘ ଓ ‘ମୋଦଳୀ‘ ଶବ୍ଦର ପ୍ରୟୋଗ ହୋଇଥିବା ଦର୍ଶାଇଛନ୍ତି। ଏହି ଶବ୍ଦ ଗୁଡିକ ତେଲୁଗୁ ଶବ୍ଦ। ଏହି ଶବ୍ଦରୁ ‘ମାଦଳା‘ ଶବ୍ଦର ଉତ୍ପତ୍ତି ହେବା ବିଚିତ୍ର ନୁହେଁ। ମାଦଳାପାଞ୍ଜିର ଅର୍ଥ ଏହି ଅନୁଯାୟୀ ହେଉଛି, ଯେଉଁ ପାଞ୍ଜି ପ୍ରଥମେ ଲେଖା ଯାଇଥିଲା। କେତେକ ଐତିହାସିକ ମତ ଦିଅନ୍ତି ଯେ, ‘ମୁଦଳ’ ଶବ୍ଦରୁ ମାଦଳା ଶବ୍ଦ ଆସିଅଛି। ମୁଦଳର ଅର୍ଥ ହେଉଛି ମୁଦ ଦେବା। ଜଗନ୍ନାଥ ମନ୍ଦିରରେ ପ୍ରତିଦିନ ରାଜାଙ୍କ ନିର୍ଦ୍ଦେଶରେ ମୁଦ ଦିଆଯାଉଥିଲା। ଏଣୁ ମୁଦଳ ଶବ୍ଦ ମାଦଳାରେ ପରିଣତ ହୋଇଥାଇପାରେ। ‘ମାଦଳାପାଞ୍ଜି’ ନାମକରଣ ମୂଳରେ ଏହି ମୁଦଳ ଶବ୍ଦଟି ବିଚାରକୁ ନିଆଯାଇଛି ବୋଲି ଅଧିକାଂଶ ଐତିହାସିକ, ଆଲୋଚକ ମତ ରଖିଛନ୍ତି।
       
ମାଦଳାପାଞ୍ଜିରେ ରାଜବଂଶର ବିବରଣୀକୁ ପ୍ରାଧାନ୍ୟ ଦିଆଗଲେ ମଧ୍ୟ ଏଥିରେ ବହୁଳାଂଶରେ କିମ୍ବଦନ୍ତୀ, ଜନଶ୍ରୁତି ରହିଛି। ଏହା ରାଜାଙ୍କ ନିର୍ଦ୍ଦେଶରେ ଲେଖା ଯାଇଥିବା ଅସମ୍ଭବ ନୁହେଁ। ‘ମାଦଳା’ ନାମ ସହ ଜଗନ୍ନାଥଙ୍କର ମଧୁର ସମ୍ପର୍କ ରହିଛି। ଏଣୁ ହୁଏତ ଜଗନ୍ନାଥଙ୍କ ସମ୍ବନ୍ଧିତ ଓ ଗଜପତି ରାଜାମାନଙ୍କ ବିବରଣୀମୂଳକ ରଚନାକୁ “ମାଦଳାପାଞ୍ଜି” ନାମ ପ୍ରଦାନ କରାଯାଇଛି।
         
ତଥ୍ୟ ଓ ଆଧାର: ଓଡ଼ିଆ ସାହିତ୍ୟର ଇତିହାସ, ଡ. ବାଉରୀବନ୍ଧୁ କର 

Madala Panji Odisha Itihasa © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago