ଲେଖା: ନିରଞ୍ଜନ ସାହୁ

ମାଦଳାପାଞ୍ଜି ଅନ୍ତର୍ଗତ ରାଜବଂଶ ବିବରଣୀକୁ ଅନ୍ୟାନ୍ୟ ଉପାଦାନ ଦ୍ଵାରା ପରୀକ୍ଷା କରି ଓଡ଼ିଶାର ପ୍ରାମାଣିକ ଇତିହାସ ରଚନା ସମ୍ଭବ ହୋଇଥିଲା। ମାଦଳାପାଞ୍ଜିରେ ମୂଖ୍ୟତଃ ତିନିଗୋଟି ରାଜବଂଶ ଦେଖାଯାଏ,
୧. କେଶରୀ ବଂଶ
୨. ଗଙ୍ଗବଂଶ
୩. ଭୋଇବଂଶ

ମାଦଳାପାଞ୍ଜି ବର୍ଣ୍ଣିତ ଏହି ରାଜବଂଶର ବୃତ୍ତାନ୍ତଗୁଡିକୁ ସମକାଳୀନ ଐତିହାସିକ ଉପାଦାନ ସହ ପରୀକ୍ଷା କରି ଏଗୁଡ଼ିକର ଐତିହାସିକ ସତ୍ୟତା ନିରୂପଣ କରାଯାଇ ପାରେ ।

~ କେଶରୀବଂଶ ~
ପ୍ରାଚୀ ସମିତି ପ୍ରକାଶିତ ମାଦଳାପାଞ୍ଜିରେ ୬୫ ଜଣ ରାଜାଙ୍କ ବିବରଣୀ ରହିଛି। ଏଥିରେ କେଶରୀ ବଂଶ ରାଜାମାନଙ୍କର ରାଜତ୍ଵ କାଳ ୩୯୬ ଶକାବ୍ଦ ଅର୍ଥାତ୍ ୪୭୪ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ୧୦୫୪ ଶକାବ୍ଦ ଅର୍ଥାତ୍ ୧୧୩୨ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଅଛି ।

ମାଦଳାପାଞ୍ଜିରେ ବର୍ଣ୍ଣିତ କେଶରୀ ବଂଶର ଐତିହାସିକ ଗୁରୁତ୍ଵ ସମ୍ପର୍କରେ କେତେକ କାରଣରୁ ସଂଶୟ ଆସିଥାଏ। ମାଦଳାପାଞ୍ଜିରେ ଶକାବ୍ଦ ଶବ୍ଦ ବାରମ୍ବାର ବ୍ୟବହୃତ। କେଶରୀ ବଂଶର ରାଜାମାନଙ୍କ ରାଜତ୍ଵ କାଳ ଶକାବ୍ଦ ଦ୍ଵାରା ନିରୂପିତ ହୋଇଛି। ଓଡ଼ିଶାର ପ୍ରସିଦ୍ଧ ରାଜବଂଶଗୁଡିକ ସେମାନଙ୍କ ରାଜତ୍ଵର ସ୍ମାରକୀ ରୂପେ ନିଜ ନିଜର ଅବ୍ଦ ବ୍ୟବହାର କରୁଥିଲେ। ଓଡ଼ିଶାରେ ଗୁପ୍ତ ଯୁଗରେ ଗୁପ୍ତାବ୍ଦ, ଭୌମରାଜାମାନେ ଭୌମାବ୍ଦ ତତ୍କାଳରେ ବ୍ୟବହାର କରିଥିବା ପ୍ରସଙ୍ଗରେ ଅଭିଲେଖ ମାନଙ୍କରେ ନିଦର୍ଶନ ରହିଛି। ଏସବୁ ଅବ୍ଦର ସଠିକ୍ ଗଣନା ଏବେ ସୁଦ୍ଧା ହୋଇପାରିନାହିଁ। ଏପରି ସ୍ଥଳେ କେଶରୀ ବଂଶ ପରି ପ୍ରଭାବଶାଳୀ ରାଜବଂଶ ଶକାବ୍ଦ ବ୍ୟବହାର ନ କରିବା ବିସ୍ମୟକର ନିଶ୍ଚୟ।
          
ମାଦଳାପାଞ୍ଜି ବର୍ଣ୍ଣିତ କେଶରୀ ବଂଶରେ ୬୫ ଜଣ ରାଜାଙ୍କ ବିବରଣୀ ରହିଛି। ଏହି ନାମଗୁଡିକର ସଂଖ୍ୟା ବିଭିନ୍ନ ଐତିହାସିକମାନଙ୍କ ଦ୍ଵାରା ବିଭିନ୍ନ ରୂପରେ ପ୍ରଦାନ କରାଯାଇଛି। ଯେପରି ମନେହୁଏ, ଏହି ରାଜାମାନଙ୍କ ନାମଗୁଡିକ ଐତିହାସିକ ଉପାଦାନ ଦ୍ଵାରା ସମର୍ପିତ ନୁହେଁ। ବୋଧହୁଏ ବିଭିନ୍ନ ମାଦଳାପାଞ୍ଜି ପୋଥି ନକଲରୁ ଏପରି ସଂଖ୍ୟାରେ ତାରତମ୍ୟ ଦେଖାଯାଏ।


ପୁନଶ୍ଚ ମାଦଳାପାଞ୍ଜିର କେଶରୀ ବଂଶ ରାଜାମାନେ ପାଞ୍ଚଶହ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ଏ ଦେଶରେ ରାଜତ୍ଵ କରିଥିବା ବିବରଣୀ ଏଥିରେ ଲିପିବଦ୍ଧ ହୋଇଅଛି।ପ୍ରକୃତରେ ଏହା ଇତିହାସ ଦ୍ଵାରା ସମର୍ଥିତ ନୁହେଁ। କାରଣ ଏତେ ଦୀର୍ଘକାଳ ଧରି ରାଜତ୍ଵ କରିଥିବା ରାଜବଂଶ ବିଶ୍ଵ ଇତିହାସରେ ବିରଳ। ଇତିହାସରେ କେବଳ ଉଦ୍ୟୋତ କେଶରୀ ନାମଧାରୀ କେଶରୀ ଉପାଧି ଥିବା ରାଜାଙ୍କ ନାମ ସୋମବଂଶରେ ଦେଖିବାକୁ ମିଳେ। ସୋମବଂଶର ପୂର୍ବବର୍ତ୍ତୀ ରାଜବଂଶ ଭୌମବଂଶରେ କେତେକ ରାଜାଙ୍କର କେଶରୀ ସଂଜ୍ଞା ରହିଛି। ସମ୍ଭବତଃ ଏହି ଉଭୟ ରାଜବଂଶ ଜନମୁଖରେ କେଶରୀ ଆଖ୍ୟା ପାଇବା କିଛି ବିଚିତ୍ର ନୁହେଁ। ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାମ୍ର ଓ ଶିଳାଲେଖରୁ ପ୍ରାପ୍ତ ସୋମବଂଶ ସହିତ ମାଦଳାପାଞ୍ଜିର କେଶରୀ ବଂଶ ନାମ ମେଳଥିବା ରାଜାମାନଙ୍କର ଏକ ବିବରଣୀ ଦେଇଛନ୍ତି:

ତାମ୍ରଶିଳାଲେଖ
ଜନମେଜୟ(ଖ୍ରୀଷ୍ଟାବ୍ଦ ୯୧୮ – ୯୪୫)
ପ୍ରଥମ ଯଯାତି (ଖ୍ରୀ ୯୫୦ – ୯୭୫ )
ଭୀମ ରଥ (ଖ୍ରୀ ୯୭୫ – ୧୦୦୦ )
ଧର୍ମ ରଥ (ଖ୍ରୀ ୧୦୦୦ – ୧୦୧୫ )
ନହୁଷ, ଇନ୍ଦ୍ର ରଥ (ଖ୍ରୀ ୧୦୧୫ – ୧୦୨୨)
ଦ୍ଵିତୀୟ ଯଯାତି (ଖ୍ରୀ ୧୦୨୨ – ୧୦୪୦)
ଉଦ୍ୟୋତକେଶରୀ (ଖ୍ରୀ ୧୦୪୦ – ୧୦୬୫)

ମାଦଳାପାଞ୍ଜିପ୍ରାପ୍ତ କେଶରୀ ବଂଶ
ଜନ୍ମେଜୟ କେଶରୀ
ଯଯାତି କେଶରୀ
ଭୀମ କେଶରୀ
ଧର୍ମ କେଶରୀ
ଇନ୍ଦ୍ର କେଶରୀ
ଅନନ୍ତ କେଶରୀ
      
ମାଦଳାପାଞ୍ଜିରେ ଭୁବନେଶ୍ୱରକୁ କେନ୍ଦ୍ର କରି ମୁଖ୍ୟତଃ କେଶରୀ ବଂଶର ବର୍ଣ୍ଣନା କରାଯାଇଛି। ଏହି କେଶରୀ ବଂଶ ପରବର୍ତ୍ତୀ ସମୟରେ ନାନା ଭ୍ରଷ୍ଟାଚାରରେ ଲିପ୍ତ ହେବାରୁ ସେମାନେ ବ୍ରାହ୍ମଣଙ୍କ କୋପଦୃଷ୍ଟିରେ ଧ୍ଵଂସ ହୋଇଥିଲେ। ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାର ଗୁରୁ କବି ଡିଣ୍ଡିମ ଜୀବାଦେବୋଚାର୍ଯ୍ୟ ତାଙ୍କର ‘ଭକ୍ତି ଭାଗବତ‘ ଗ୍ରନ୍ଥରେ ସୋମବଂଶୀ ରାଜାମାନଙ୍କୁ କେଶରୀ ବଂଶ କୁହାଯାଉଥିବାର କେତେକ ପ୍ରସଙ୍ଗ ଲେଖିଛନ୍ତି। ସେହି କେଶରୀ ବଂଶର ରାଜାମାନେ ଯାଜପୁର ଅଞ୍ଚଳରେ ବତ୍ସସ କୁଳରେ ଜାତ ବ୍ରାହ୍ମଣମାନଙ୍କୁ ଗୁରୁ କରିଥିଲେ। ଏହା ପୂର୍ବରୁ ଭୋଜବଂଶ ନାମକ ଏକ ବଂଶ ଥିବା ବିଷୟ ମଧ୍ୟ ଏଥିରେ ରହିଛି। ଏହି ଭୋଜବଂଶ ବୋଧହୁଏ ଭୌମବଂଶ। ଏମାନେ ବିରଜା ଦେବୀଙ୍କର ଏକାନ୍ତ ଭକ୍ତ ଥିଲେ। ମାଦଳାପାଞ୍ଜିରେ ଏହି ଭୋଜବଂଶର ଉଲ୍ଲେଖ ନାହିଁ।

‘ଭକ୍ତି ଭାଗବତ’ (କବି ଡିଣ୍ଡିମ ଜୀବାଦେବାଚାର୍ଯ୍ୟ) ୧୫୧୨ ଖ୍ରୀଷ୍ଟାବ୍ଦରେ ରଚିତ ହୁଏ। ସୁତରାଂ ମାଦଳାପାଞ୍ଜିର କେଶରୀ ବଂଶ ହିଁ ସୋମବଂଶ ଭାବେ ପରିଚିତ ଥିଲା। ଏହି ବଂଶର ବିଲୋପ ପରେ ଗଙ୍ଗବଂଶ ଆରମ୍ଭ ହୋଇଛି। ମାଦଳାପାଞ୍ଜିର କେଶରୀ ବଂଶ ଏକ ଐତିହାସିକ ରାଜବଂଶ ନୁହେଁ ବରଂ ପାଞ୍ଜିକାରଙ୍କ କଳ୍ପନା ପ୍ରସୂତ ଏକ ରାଜବଂଶ ହୋଇପାରେ। ଇତିହାସର ଛାୟାରେ ଏପରି ଏକ କାଳ୍ପନିକ ରାଜବଂଶ ସୃଷ୍ଟି କରି ମାଦଳାପାଞ୍ଜିରେ କେହି ସଂଯୋଜନା କରିବା କିଛି ବିଚିତ୍ର ନୁହେଁ।

ତଥ୍ୟ ଓ ଆଧାର: ଡ଼. ବାଉରୀ ବନ୍ଧୁ କର, ଓଡ଼ିଆ ସାହିତ୍ୟର ଇତିହାସ

Madala Panji Odisha Itihasa © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago