~ ଲିଙ୍ଗରାଜ ପାଣିଗ୍ରାହୀ ~

ଲେଖା: ଅମୃତେଶ ଖଟୁଆ

ସ୍ଵତନ୍ତ୍ର ଓଡ଼ିଶା ଗଠନ ସମୟର ଯେଉଁ ଗୌରବାବହ ଇତିହାସ ସ୍ମରଣୀୟ, ତହିଁରେ ବିଶିଷ୍ଟ ଆଇନଜୀବୀ, ବିଚାରପତି, ଶିକ୍ଷାମନ୍ତ୍ରୀ, ବାଚସ୍ପତି ତଥା କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ସମ୍ଯକ ରୂପେ ଆଦରଣୀୟ । ଗଞ୍ଜାମ ଜିଲ୍ଲାର ପୋଲସରାରେ ୨୧ ମାର୍ଚ୍ଚ ୧୮୯୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଲିଙ୍ଗରାଜ ପାଣିଗ୍ରାହୀ।  ପିତା ଗୋପୀନାଥ ପାଣିଗ୍ରାହୀ ଶିକ୍ଷକତା କରୁଥିଲେ।

ଭଞ୍ଜନଗରରେ ଲିଙ୍ଗରାଜ ପ୍ରାଥମିକ ଶିକ୍ଷା, ଆସିକାରେ ମାଧ୍ୟମିକ ଶିକ୍ଷା ଓ ଖଲ୍ଲିକୋଟ କଲେଜରେ ଇଣ୍ଟରମିଡିଏଟ ପଢି ମାନ୍ଦ୍ରାଜରେ ବି.ଏ. ଏବଂ ଆଇନ ଅଧ୍ୟୟନ କଲେ। ଛାତ୍ର ଜୀବନରୁ ସେ ଜଣେ ବିଶେଷ ପ୍ରତିଭାଧର ଥିଲେ।

ଆସିକାରେ ପଢୁଥିଲା ବେଳେ ଲିଙ୍ଗରାଜ ଦେଶମିଶ୍ରଣ ଆନ୍ଦୋଳନ ପ୍ରତି ଆକୃଷ୍ଟ ହୋଇଥିଲେ। ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀଙ୍କ ଦୟନୀୟ ଅବସ୍ଥା ତାଙ୍କ ମନକୁ ଆନ୍ଦୋଳିତ କରେ। ମାନ୍ଦ୍ରାଜରେ ଅଧ୍ୟୟନ କାଳରେ ଡକ୍ଟର ଆନିବେଶାନ୍ତ ତାଙ୍କ ଇଂରାଜୀ ଭାଷଣ ଶୁଣି ମୁଗ୍ଧ ହୋଇଥିଲେ। କ୍ରମଶଃ ଆନିବେଶାନ୍ତଙ୍କ ସହ ତାଙ୍କର ଘନିଷ୍ଠ ପରିଚୟ ହୁଏ। ଯୁବକ ଲିଙ୍ଗରାଜଙ୍କୁ ଦେଶକାର୍ଯ୍ୟ ପ୍ରତି ବାରମ୍ବାର ଉତ୍ସାହିତ କରୁଥିଲେ। ବିଭିନ୍ନ ସ୍ଥାନରେ ଉତ୍କଳ ସମ୍ମିଳନୀର ଅଧିବେଶନଗୁଡିକରେ ଯୋଗଦେଇ ସେ ଓଜସ୍ଵିନୀ ସ୍ଵରରେ ଓଡ଼ିଆ ମାନଙ୍କ ଦାବି ଉପସ୍ଥାପନ କରିଥିଲେ ତଥା ବିଭିନ୍ନ ସ୍ମାରକପତ୍ର ପ୍ରସ୍ତୁତିରେ ଅଂଶଗ୍ରହଣ କରିଥିଲେ।

୧୯୩୧ ମସିହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଚିହ୍ନଟ କରିବା ପାଇଁ “ଓଡ଼ନେଲ କମିଟି” ଗଠିତ ହେଲା। ଏହି କମିଟି ଗଞ୍ଜାମ, ଜୟପୁର ଓ ବିଶାଖାପାଟଣା ଅଞ୍ଚଳ ବୁଲି ସାକ୍ଷ୍ୟ ଗ୍ରହଣ କଲେ। ମାନ୍ଦ୍ରାଜ ସରକାର ୧୯୩୧ ମସିହାରେ ଦେଇଥିବା ଜନଗଣନା ରିପୋର୍ଟରେ ଅନେକ ତ୍ରୁଟି ଦର୍ଶାଇ ସେତେବେଳେ ଲିଙ୍ଗରାଜ ମହୋଦୟ ସପ୍ରମାଣେ କମିଟି ସମ୍ମୁଖରେ ଯୁକ୍ତି ବାଢିଥିଲେ। ସେତେବେଳେ ସିଏ ଓଡ଼ିଶାର ସରକାରୀ ଓକିଲ। ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଦେଇଥିଲେ। ଆନ୍ଧ୍ରର ନେତାମାନେ ଘୋଷଣା କରିଥିଲେ ଯେ ଋଷିକୂଲ୍ୟା ନଦୀର ଦକ୍ଷିଣ ପାର୍ଶ୍ଵରୁ ଇଞ୍ଚେ ଜମି ମଧ୍ଯ ଓଡ଼ିଶା ପ୍ରଦେଶ ପାଇଁ ଦିଆଯିବ ନାହିଁ। ଦୃଢ଼ ପ୍ରତିବାଦ ଜଣାଇ ଶ୍ରୀ ପାଣିଗ୍ରାହୀ ୧୯୩୨ ମସିହା ଅଗଷ୍ଟ ମାସରେ ବ୍ରହ୍ମପୁର ଠାରେ ଉତ୍କଳ ସମ୍ମିଳନୀର ଏକ ସ୍ଵତନ୍ତ୍ର ଅଧିବେଶନର ଆୟୋଜନ କରନ୍ତି। ଶଶିଭୂଷଣ ରଥ ଓ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଏ ସମସ୍ୟା ଉତ୍ଥାପନ କରନ୍ତି।

ସମ୍ମିଳନୀରେ ସ୍ଥିରୀକୃତ ସିମଲା ଯାଇ ଏକ ୧୪ ଜଣିଆ ପ୍ରତିନିଧି ଦଳ ବଡ଼ ଲାଟ ଲର୍ଡ଼ ୱେଲିଙ୍ଗଟନଙ୍କୁ ସାକ୍ଷାତ୍ କରି ଏ ସମସ୍ୟା ସମ୍ପର୍କରେ ଅବଗତ କରିବ। ଏହା ପରେ ୧୯୩୨ ମସିହାରେ ଅନୁଷ୍ଠିତ ଲଣ୍ଡନରେ ତୃତୀୟ ଗୋଲ ଟେବୁଲ ବୈଠକରେ ରାମଚନ୍ଦ୍ର ମର୍ଦ୍ଦରାଜ ଓ ଭୁବନାନନ୍ଦ ଦାସଙ୍କ ସହ ଲିଙ୍ଗରାଜ ଯାଇ ଓଡ଼ିଆଙ୍କ ଦାବି ଉପସ୍ଥାପନ ଅନ୍ତେ ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୁଏ।

ପରବର୍ତ୍ତୀ କାଳରେ ଜାତୀୟ କଂଗ୍ରେସର ଓଡ଼ିଶା ଶାଖାରେ ଲିଙ୍ଗରାଜ ସ୍ଵାଧୀନତା ଆନ୍ଦୋଳନକୁ ତୀବ୍ରତର କରାଇବା ସହ ଦେଶ ମିଶ୍ରଣ ଆନ୍ଦୋଳନର ଜଣେ ନିଷ୍ଠାପର କର୍ଣ୍ଣଧାର ରୂପେ ସର୍ବତ୍ର ଚର୍ଚ୍ଚିତ ଥିଲେ। ଖଲ୍ଲିକୋଟ କଲେଜର ଅଚଳାବସ୍ଥା ସମୟରେ ସେ ତାହାର ଉପ-ସଭାପତି ଦାୟିତ୍ୱ ଗ୍ରହଣ କରି ଦୀର୍ଘ ୨୪ ବର୍ଷ କାଳ ରହିଥିଲେ। ଏଥି ମଧ୍ୟରେ ତାଙ୍କ ଅବଦାନ ଅବିସ୍ମରଣୀୟ।

ବ୍ରହ୍ମପୁର ମହିଳା କଲେଜ, ବ୍ରହ୍ମପୁର ମେଡିକାଲ କଲେଜ ସମେତ ନାନାଦି ଅନୁଷ୍ଠାନ ସ୍ଥାପନାରେ ସେ ଜଣେ ଅବିସ୍ମୃତ ବ୍ୟକ୍ତିତ୍ଵ। ସେ ପୁଣି ଥିଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ସେ ଶିକ୍ଷାମନ୍ତ୍ରୀ ରହିଥିଲେ। ଏହା ପରେ ନିଜ ଅସାମାନ୍ୟ ବ୍ଯକ୍ତିତ୍ଵର ଆତ୍ମପ୍ରକାଶ ପରେ ବିଜୁ ପଟ୍ଟନାୟକଙ୍କ ଶାସନକାଳରେ ସେ ଓଡିଶା ବିଧାନସଭାର ବାଚସ୍ପତି ରୂପେ ଅଧିଷ୍ଠିତ ହୁଅନ୍ତି। ହେଲେ, ଏହି ବରପୁତ୍ର ୧୯୬୯ ମସିହା ଅଗଷ୍ଟ ମାସ ୨୩ ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

Lingaraj Panigrahi Amritesh Khatua 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago