~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~
ଲେଖା: ଅମୃତେଶ ଖଟୁଆ
ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ । ଧାନ ଅମଳ କରି ଘରକୁ ଆଣିବା ଆଗରୁ କୃଷକ ଘରଣୀ ଏଥିରୁ ଧଳା ଧାନର ଶିଂଶା ବାଛି ବାହାର କରିଲେ ସେଥିରୁ ବେଣୀ ପ୍ରମାଣେ ବାନ୍ଧି ଧାନ ମେଣ୍ଟିବା ଲାଗି ‘ମେଣ୍ଟା’ ପ୍ରସ୍ତୁତ କରି ଏହାକୁ ଶୁଖାଇ ଅତି ଯତ୍ନ ଓ ଆଦରରେ ରଖିଥାଏ । ଅମଳ ପରେ ଖଳାରେ ସେହି ସ୍ତୂପୀକୃତ ଧାନକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ ବଢ଼େ ।
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ସେମାନେ ପକାଇଥାନ୍ତି । ଗୁରୁବାର ଦିନ ବଡ଼ି ଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ଗାଁ ମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତା ଦ୍ୱାରା ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ । ସାନ୍ତାଳମାନେ “ଇରୁ ମାମଣେ”, ଭୂୟାଁମାନେ “ମଗୁଶୁର ଗୁରୁବାର ହଲବା”, ହୋ ସମ୍ପ୍ରଦାୟ ‘ଲକ୍ଷ୍ମୀ ପୂଜା’ କରିଥାନ୍ତି ।
‘ଲକ୍ଷ୍ମୀ’ କହିଲେ ଆବାଳବୃଦ୍ଧବନିତା ଓ ଆଚଣ୍ଡାଳବ୍ରାହ୍ମଣ ସମସ୍ତେ ବୁଝନ୍ତି । ଏ ଶବ୍ଦଟି ଆମ୍ଭମାନଙ୍କ ପ୍ରିୟ । ଏ ଶବ୍ଦଟିକୁ ସୃଷ୍ଟି କରିବା ବେଳେ ବିଧାତା ଏଥିରେ ଏପରି ଅକ୍ଷର ସଂଯୋଗ କରିଛି ଯେ କେଜାଣି କାହିଁକି ଶବ୍ଦ ମାତ୍ରକେ କର୍ଣ୍ଣରେ ପଡ଼ିଲେ ଗୋଟାପଣେ ଗୋଟିଏ ପବିତ୍ର ଜାତିର ଦୃଶ୍ୟ ମାନସପଟରେ ଉଭା ହୁଏ । ମା’ ଲକ୍ଷ୍ମୀ ଏ ଶବ୍ଦ ଅର୍ଥର ଅଧିଷ୍ଠାତ୍ରୀ । ମା’ ଲକ୍ଷ୍ମୀ ବରୁଣନନ୍ଦିନୀ । ଅନାଥନାଥ ଜଗନ୍ନାଥଙ୍କ ପ୍ରାଣବଲ୍ଲଭା । ଆମମାନଙ୍କ ଦେଶ ନାଗରିକମାନେ ତାଙ୍କୁ ଧନଧାନ୍ୟ ଓ ଐଶ୍ବର୍ଯ୍ୟର ପ୍ରଧାନ ପୂଜନୀୟା ଦେବୀ ରୂପେ ପୂଜି ଆସିଛନ୍ତି ଓ ଚାଲିଛନ୍ତି । ମା’ ଲକ୍ଷ୍ମୀଙ୍କୁ ସମର୍ପିତ ଏଇ ଗୁରୁବାର ଗୋଟିକ । କେବଳ ମାର୍ଗଶିର କାହିଁକି, ବାର ମାସ ଭିତରେ ଯେତେ ଗୁରୁବାର ବ୍ରତ ସବୁ ମା’ ଲକ୍ଷ୍ମୀଙ୍କୁ ଘେନି ଗଢ଼ିଉଠିଛି ।
ପୁଣି ମାଘ, କାର୍ତ୍ତିକ, ବୈଶାଖ ମାସରେ ଶୁକ୍ଳପକ୍ଷ ଗୁରୁବାର ଦିନ ଦଶମୀ ତିଥିର ସଂଯୋଗ ଘଟିଲେ, ସୁଦଶାବ୍ରତ ପଡ଼େ । ଏ ଦିନ ଆଡ଼ମ୍ଵରପ୍ରିୟ ଘରର ସାଜସଜ୍ଜା ନ କହିଲେ ସରେ । ଘରେ ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ଲାଗି ଅହର୍ନିଶ ଆୟୋଜନ । ପୂଜାର୍ଚ୍ଚନା ପାଇଁ ଠା’ ସଜ ଯୋଗାଡ଼ । ମହାଲକ୍ଷ୍ମୀଙ୍କ ମାହାତ୍ମ୍ୟ କୀର୍ତ୍ତନ କରି ନାନା ସରସ ପିଠାପଣା ନୈବେଦ୍ୟର ଅଧିକାର ଲାଭ କରିବେ । ଏଥିପାଇଁ ବୁଧବାର ସନ୍ଧ୍ୟାରୁ ହୁଏ ସବୁ ପର୍ବର ଉପକ୍ରମ । ଲକ୍ଷ୍ମୀଙ୍କ ବାର ବୋଲି ମନେ ପକାଇ ଘରର ଭୁଆସୁଣୀମାନେ କାଳି ଅନ୍ଧାରରୁ ଶଯ୍ୟା ତ୍ୟାଗ କରି ଘରଦ୍ବାରମାନ ପରିଷ୍କାର କରି ଗୋମୟ ଲେପନ କରନ୍ତି :
ପ୍ରତି ଘରଦ୍ୱାର ଗୋମୟରେ ଲିପା ହୋଇ ।
ଲକ୍ଷ୍ମୀ ପାଦପଦ୍ମ ଚିତା ପଡ଼ିଥିଲା ତହିଁ ।
ନାରୀମାନେ ସ୍ନାନ ସାରି ପିନ୍ଧି ଝୀନବାସ ।
ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ।
ବ୍ରାହ୍ମଣଙ୍କଠାରୁ ଯେ ଚଣ୍ଡାଳ ପରିଯନ୍ତେ ।
ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ।
ଏ ଧାନମାଣିକା ଗୁରୁବାର ଯେ ଅଟଇ ।
ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତେ ଘଟଇ ।
ଏ ଯେ ଆମ ଲୋକସଂସ୍କୃତି, ନାରୀ କେନ୍ଦ୍ରରେ ଆଦର୍ଶର ଓ ଦାୟିତ୍ବବୋଧର କେତେ ବଡ଼ ଦୃଷ୍ଟାନ୍ତ ! (ହଁ, ଏହାର ତାତ୍ପର୍ଯ୍ୟ ନୁହେଁ ଯେ ପୁରୁଷ ଏଥିପାଇଁ ଦାୟୀ ବା ପୁରୁଷ କୈନ୍ଦ୍ରିକ ସମାଜ ହିଁ ଏହାର ସ୍ରଷ୍ଟା ।) ନାରୀ ହିଁ ସମଗ୍ର ସମାଜରେ ଶିଷ୍ଟ ପରମ୍ପରାର ଅଗ୍ରଦୂତ । ଅଗଣିତ ନାରୀ ହୃଦୟର ସ୍ମାରକୀ ସ୍ବରୂପ ମହାଲକ୍ଷ୍ମୀଙ୍କୁ ନୂଆ ଶସ୍ୟମେଣ୍ଟା ଛଳରେ ଆବାହନ ହିଁ ଏହି କଥାର ଉଦାହରଣ । ଭାରତୀୟ ସଂସ୍କୃତିରେ ଧାର୍ମିକ ସାହିତ୍ଯ (ଓଷା, ବ୍ରତ ଓ ପୁରାଣ) ଏହି କାରଣରୁ ‌ହିଁ ଲିପିବଦ୍ଧ ହେଲା । ପଠନ, ଶ୍ରବଣ, ନାଟକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କ ଦୈନିକ ଆଚରଣ ଶିଷ୍ଟ ସମାଜର ଅଙ୍ଗ ପାଲଟିଲା । ଏଣୁ ଏହି ଦେଶାଚାର ଥିବା ଯାଏଁ କେହି ନିରକ୍ଷର ବା ସିଧାସଳଖ ଦରିଦ୍ର ପଦବାଚ୍ୟ ନୁହେଁ ।
ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ ଏହି କ୍ଷେତ୍ରରେ ଯୁଗାନ୍ତକାରୀ । କାବ୍ୟ ପୁରାଣ ରଚନା କରିବା ଓ କରାଇବା, ଶୁଣିବା ଓ ଶୁଣାଇବା ମଧ୍ୟଯୁଗୀୟ ଓଡ଼ିଆ ଧର୍ମୀୟ ଉପଚାର ଥିଲା । ସମାଜର ଶିଷ୍ଟ ବର୍ଗ ଯେତେବେଳେ ଭାବୁଥିଲେ, ସେମାନେ ହିଁ ଏକାକୀ ସମ୍ଭ୍ରାନ୍ତପଣର ଅଧିକାରୀ, କିନ୍ତୁ ସେତେବେଳେ ଲୋକ ପରମ୍ପରା ମାଧ୍ୟମରେ କୃଷି, କୁଟୁମ୍ବ ଓ ଜୀବିକାକୁ ପିଠି କୁଜା କରି ବୋହି ଆସୁଥିବା ଏ ଧରଣୀ ବୁକୁର ଆଦିମ ମଣିଷ ଯେ ତା’ଠାରୁ ଯଥେଷ୍ଟ ଅଧିକ ସମ୍ଭ୍ରାନ୍ତ । ସେ କାଳେ ହିଁ ଏ କଥା ବୁଝାଇବା ଲାଗି ହିଁ କାହାଣୀ, ଗାଥା ଓ କାବ୍ୟ ସବୁ ସୃଷ୍ଟି । ରାଜସଭାର ଅଳିନ୍ଦ ଭିତରେ ନଗ୍ନ ଯୌନ ପିପାସାର କାବ୍ୟ ଅପେକ୍ଷା ଲୋକବିଶ୍ବାସ ଓ ସଂସ୍କୃତିର ବିଚାରକୁ ସାରମର୍ମ କରିବା ହିଁ ପୁରାଣର ବିଚାର ପାଲଟିଲା ।
ଆଗରୁ ତ ଲକ୍ଷ୍ମୀପୂଜା ଥିଲା, ଆଗରୁ ତ ଲକ୍ଷ୍ମୀଙ୍କୁ ନେଇ ଶାସ୍ତ୍ର ପୁରାଣ ପ୍ରଭୃତି ବୈଦିକ ବାଙ୍ମୟ ଶତମୁଖ । ପୁଣି ଏ ମାଣବସା ଲକ୍ଷ୍ମୀ ପୁରାଣ କଣ ଷୋଡ଼ଶ ଶତାବ୍ଦୀରେ ବଳରାମ ଦାସ ନୂଆ କରି ଆଣିଲେ ? ଏହା କ’ଣ ତାଙ୍କ ନିଜ ପ୍ରବର୍ତ୍ତନ ? ଆଗରୁ ବି ଝାଟି ଘର ଅଗଣା ଦ୍ବାରଠାରୁ ଆରମ୍ଭ କରି ପିଠଉର କମ ଝୋଟି କଟା ଯାଉଥିଲା । ଲକ୍ଷ୍ମୀ ପୂଜା ହେଉ ଅବା ଷଠୀ ଦୁଉଁଛେଇ ପୂଜା, କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ପଞ୍ଚୁକ ପାଞ୍ଚ ଦିନ ହେଉ ବା ରାଇ ଦାମୋଦର ପୂଜା । ସବୁଥିରେ ଝୋଟି ମୁରୁଜ କରାଯାଇ ଦେବଦେବୀଙ୍କ ପୂଜା ହେଉଛି । ହେଲେ ପ୍ରସଙ୍ଗ ଏଠି ଏହା ନୁହେଁ ଯେ ଏହା ଆଗରୁ ପାଳିତ ହେଉଥିଲା ବା ନ ହେଉଥିଲା । କଥା ହେଲା ଗୋଟିଏ ବ୍ରତର ପ୍ରବର୍ତ୍ତନ ହୁଏ ଯେତେବେଳେ, କିଏ ପାଳିଲା, ସେଇଟା ଅଧିକ ଗୁରୁତ୍ବପୂର୍ଣ୍ଣ ।
ସେତେବେଳେ ସମାଜର ଧାରଣା, ଲକ୍ଷ୍ମୀ କେବଳ ବଡ଼ ଘର ଠାକୁରାଣୀ । ଧନ, ଜନ, ଗୋପ ଓ ଲକ୍ଷ୍ମୀ ଯେଉଁମାନଙ୍କ ପାଇଁ ସୁଲଭ, ସେମାନେ ହିଁ ଏ ବ୍ରତ ପାଳି ସୁଖ ଲାଭ କରନ୍ତି । ଅନ୍ୟ ବଣିକ ଓ ସାଧବ ବେପାରୀମାନେ ଏହି ଲକ୍ଷ୍ମୀଙ୍କୁ ସୁମରଣା କରି ନିଜ ସହ ସୁଦୂର ଦେଶ ଦେଶାନ୍ତର ପର୍ଯ୍ଯଟନ କରି ଧନସମ୍ପଦ ମୋତି ମାଣିକ୍ୟ ଅସରପି ଛଳରେ ସକୁଶଳ ଆଣିପାରନ୍ତି । ସେତେବେଳେ ତାଙ୍କ ଘର ଅମାର କୋଠି ନୂଆ ଧାନର ଅମଳ ସହ ଭର୍ତ୍ତି । ସେମାନଙ୍କ ଲାଗି ବର୍ଷବ୍ୟାପୀ ସୁଖସ୍ବାଚ୍ଛନ୍ଦ୍ୟର ପ୍ରଭୂତ ଉପଲବ୍ଧି ଏବଂ ବିଳାସବ୍ୟସନର ଅମାପ ସୁଯୋଗ । ମାତ୍ର, ସମାଜର ବିଭକ୍ତ ଶ୍ରେଣୀର ଲୋକମାନଙ୍କୁ ଏ ଓଷା, ବାର ବ୍ରତର ବିଧି ବିଧାନ ପହଞ୍ଚି ପାରିବା କଷ୍ଟ ଥିଲା ।
ଆମେ ପୂର୍ବରୁ ଆଲୋଚନା କରିଛେ, ଏ ଘଟଣା କାହିଁକି ହୋଇଛି । ସମାଜର ମୂର୍ଦ୍ଧନ୍ୟ ପଣ୍ଡିତ ଗୋଷ୍ଠୀ କେବଳ ନିଜ ବିଦ୍ବତ୍ତା ଓ ଆଭିଜାତ୍ୟର ଗରିମା ପରିବେଷଣ କରିଛନ୍ତି ମୁଷ୍ଟିମେୟ ଜ୍ଞାନର ପୋଥି ଆଉଟାଇ ଦେଇ । ତେଣୁ, ସେମାନେ ଯେଉଁ ବିଦ୍ୟା, ଯେଉଁ ତତ୍ତ୍ବ ଆହରଣ କଲେ ତାହା ତାଙ୍କ ଶୁଚି, ତାଙ୍କ ପବିତ୍ରତା ଓ ସର୍ବୋପରି ତାଙ୍କ ଆଭିଜାତ୍ୟ ବୃଦ୍ଧିରେ ସହାୟକ ହେଲା । ଏସବୁ ଇତର ପ୍ରାଣୀଙ୍କୁ କହିବା ଓ ବୁଝାଇବା ଲାଗି ସେମାନେ ପ୍ରଧାନ ମଣିଲେ ନାହିଁ । କାରଣ, ସେମାନଙ୍କ ପ୍ରଥମ ବିଚାର ନିଜ ଜାତିଠାରୁ ଅନ୍ୟ ଜାତି ବଡ଼ ନୁହେଁ । ନିଜର କୁଳ, ଧର୍ମ ଓ ବୃତ୍ତି ବ୍ୟବହାର ସବୁ ଯେପରି ବାହ୍ୟ ଜାତିର ସଂସ୍ପର୍ଶରୁ ମୁକ୍ତ ରହୁ ।
ନିଜ କୁଳାଚାରକୁ ବାହାର ପ୍ରଭାବରୁ ରକ୍ଷା କରିବା ପ୍ରତ୍ୟେକ କୁଟୁମ୍ଵର ଧର୍ମ ଏହା ସତ । କିନ୍ତୁ, ସେପଟେ ସମାଜର ଗୋଟିଏ ବଡ଼ ଅଙ୍ଗ ଯେ ଏଥିପାଇଁ ଅବହେଳିତ ପତିତ ରହିବ, କ’ଣ ସେମାନଙ୍କ କୁଳାଚାର, କୁଳଧର୍ମ ଓ ବୃତ୍ତି ବେଭାର ନାହିଁ ? ମାନବ ସମାଜରେ ସେମାନେ ମଧ୍ୟ ଧର୍ମପ୍ରିୟ ଓ ନିଜର ମର୍ଯ୍ୟାଦା ପ୍ରତି ସଚେତନ । ଅଧିକନ୍ତୁ, ଯଦି ମୂଲ୍ୟବୋଧ ସଭିଙ୍କ ଲାଗି ପ୍ରତିଷ୍ଠିତ, କେବଳ ବିଦ୍ବଜ୍ଜନ କାହିଁକି ଈଶ୍ବରଙ୍କ ରୂପଗୁଣର ମୁଗ୍ଧ ଉପାସନାର ଏକାକୀ ଅଧିକାରୀ ? ତେଣୁ, ଲକ୍ଷ୍ମୀ ଠାକୁରାଣୀ କେବଳ ଗୋଟିଏ ଗୋଷ୍ଠୀର ସମର୍ଥନକୁ ଗ୍ରହଣ କରିବା ଅପେକ୍ଷା ବୃହତ୍ ସମାଜର କଲ୍ୟାଣମୟୀ ହେବା ବିଧେୟ ‌। ସେଥିପାଇଁ ଲୌକିକ କାବ୍ୟ ପୁରାଣର ସର୍ଜନା ।
ତେବେ ଏହି ଲକ୍ଷ୍ମୀ ପୁରାଣ ଭାରତୀୟ ପ୍ରାଚୀନ ‘ପୁରାଣ’ ସାହିତ୍ୟ ଠାରୁ ଯଥେଷ୍ଟ ସ୍ବତନ୍ତ୍ର ଓ ମୌଳିକ । ଅତୀତରେ ପ୍ରାୟ ପୁରାଣ, ଇତିହାସ ଓ କାବ୍ୟ ଥିଲା ଏକାର୍ଥବୋଧକ । ସଂସ୍କୃତର ଇତିବୃତ୍ତ, ପୁରାବୃତ୍ତ, ପ୍ରାକୃତ ଅମ୍ମାୟ ବା ଆଜିର ଓଡ଼ିଆ ଲୋକକଥା କିମ୍ବଦନ୍ତୀ ଓ ପ୍ରଚୁର ଗାଥା ଆଦି ଯାହା ବୁଝିହୁଏ । ମୋଟ ଉପରେ ଇତିହାସ ଓ ପ୍ରାଚୀନ ପରମ୍ପରାରେ ଯାହା ଶ୍ରୁତି ଓ ସ୍ମୃତି ବିଦ୍ୟା ଆଧାରିତ ଥିଲା, ତାହାକୁ ଲିପିବଦ୍ଧ କ୍ରମରେ ବିଭିନ୍ନ ଉପାଖ୍ୟାନ, ଗାଥା ଓ ଆଖ୍ୟାୟିକା ଛଳରେ ସାଇତି ରଖାଗଲା । ଅଧିକନ୍ତୁ, ବୈଦିକ ସାହିତ୍ୟର ପରବର୍ତ୍ତୀ ଛନ୍ଦୋବଦ୍ଧ ସାହିତ୍ୟ ସୃଷ୍ଟି, ଇତିହାସର ବ୍ୟାଖ୍ୟା ଓ କ୍ରମବିକଶିତ ସମାଜର ବିଧିବିଧାନକୁ ସରଳ ଉପାୟ ଦ୍ବାରା ପୁରୁଷାନୁକ୍ରମେ ପ୍ରଚାର କରେ ପୁରାଣ :
‘ଯସ୍ମାତ୍ ପୁରା ହ୍ୟନିତୀଦଂ ପୁରାଣଂ ତେନ ତତ୍ସ୍ମୃତମ୍ ।
ନିରୁକ୍ତମସ୍ୟ ଯୋ ବେଦ ସର୍ବପାପୈଃ ପ୍ରମୁଚ୍ୟତେ ।।’
‘ବାୟୁ ପୁରାଣ’ କୁହନ୍ତି, ନିଜେ ଦେଖିଥିବା ଦୃଶ୍ୟ ବା ଶୁଣି ଥିବା କଥା ହେଉଛି ଉପାଖ୍ୟାନ, ପିତୃପିତାଙ୍କ ଗୀତ ହେଉଛି ଗାଥା, କାଳ ଓ ଧର୍ମ ସମ୍ବନ୍ଧୀୟ ଯୁଗ ନିର୍ଣ୍ଣୟର ନାମ ‘କଳ୍ପଶୁଦ୍ଧି’ । ଏହାକୁ ଅଧ୍ୟୟନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ବଂଶବିଦ୍ ବା ବଂଶ ପରମ୍ପରା ବିଶେଷଜ୍ଞ । ପ୍ରଥମ ଶ୍ରେଣୀର ବିଦ୍ବାନ ପୁରାଣବେତ୍ତା ବା ପୁରାଣର ସର୍ଜନା ପରବର୍ତ୍ତୀ ଆହରଣ ଓ ବ୍ୟାଖ୍ୟାକାର : ସୂତ, ଶୌନକ, ରୋମହର୍ଷଣ, ସୌତି ବା ଉଗ୍ରଶ୍ରବା, ପରାଶର ଓ ବ୍ୟାସ । ପୁରାଣପାଠର ଅନ୍ୟ ଏକ ଶ୍ରେଣୀ ହେଉଛନ୍ତି ବଂଶଚିନ୍ତକ । ପୁରାଣର ତଥ୍ୟ ସଂଗ୍ରହ କ୍ଷେତ୍ରରେ ଏହି ବଂଶଚିନ୍ତକ ହେଉଛନ୍ତି ମାଗଧ – ସେ ରାଜ ଦରବାରର ଇତିହାସ ରକ୍ଷକ । ସେ ନିଜେ ଜଣେ ପାର୍ଷଦ ରୂପେ ନିଯୁକ୍ତ ହୁଅନ୍ତି ଓ ପୁରାଣବେତ୍ତାଙ୍କୁ ତଥ୍ୟ ପ୍ରସାରିତ କରନ୍ତି ।
ଏହି ପ୍ରସଙ୍ଗରେ ଜଣାଯାଏ ଯେ ଏହି ଋଷିମାନେ ସାଂସ୍କୃତିକ ଇତିହାସର ସୂତ୍ରଧର । ସେମାନେ ବ୍ୟକ୍ତି ନାମରେ ପରିଚିତ ହେଉନଥିଲେ । କୌଣସି ଉପାସ୍ୟ ଶକ୍ତିର ଅଧିକାରରେ କିମ୍ବା ପିତୃପିତାମହଙ୍କ ବଂଶ ବା କୁଳର ପରିଚୟ ଗ୍ରହଣ କରି ସେମାନେ ପରିଚିତ । ସର୍ଗ, ପ୍ରତିସର୍ଗ, ବଂଶ ଓ ବଂଶାନୁଚରିତ ସହ ମନ୍ବନ୍ତର ବ୍ୟାଖ୍ୟା କରିଛନ୍ତି । ପ୍ରତ୍ୟେକ ଧର୍ମ ଗୋଷ୍ଠୀ ନିଜ ନିଜର ଇଷ୍ଟ ଦେବଙ୍କ ମହିମା ଗାନ କରିଛନ୍ତି ଓ ତତ୍କାଳୀନ ସମାଜର ଚିତ୍ର ପ୍ରଦର୍ଶନ କରିଛନ୍ତି । ପ୍ରାଚୀନ ସମାଜର ବିଭିନ୍ନ ଘଟଣାକ୍ରମ ସହିତ ପରିଚିତ ହେବା ପାଇଁ ପୁରାଣ କାର୍ଯ୍ୟ କରିଛି । ବେଦସମ୍ମତ ବାଣୀର ପ୍ରସାର କରୁଥିବାରୁ ଏହା ବିଭିନ୍ନ ସମ୍ପ୍ରଦାୟର ମୁଖପତ୍ର ସ୍ବରୂପ ମଧ୍ଯ ପରିଚିତ ।
କୁହାଯାଏ ଭାରତର ସାଧାରଣ ବ୍ୟକ୍ତି ଓ ନାରୀମାନଙ୍କର ବେଦ ବିଦ୍ୟାର ସାର୍ବଜନୀନ ଯୋଗ୍ୟତା ସେତେବେଳେ ଗୌଣ । ସେମାନଙ୍କୁ ବେଦ ଅବହିତ କରିବା ପାଇଁ ପୁଣି ପୁରାଣର ସୃଷ୍ଟି । ଏହା ବେଦର ଜ୍ଞାନ ତତ୍ତ୍ବ୍ ସହଜ ମୀମାଂସା ଓ ସରଳ ଭାଷାର ବିସ୍ତୃତ ବର୍ଣ୍ଣନା ସାହାଯ୍ୟରେ ଲୋକଙ୍କ ହୃଦୟଙ୍ଗମ କରାଇପାରିଲା । କିନ୍ତୁ ଏହି ବିଚାର ଓ ଦର୍ଶନର ଧାରା ସଂସ୍କୃତ ଭଳି ରାଜକୀୟ ପ୍ରଚାରିତ ଭାଷା ସହିତ ଗଣ୍ଠି ହେଇ ଗୁଡ଼େଇ ରହିଛି, ବର୍ତ୍ତମାନ ଦେଶୀୟ ଭାଷା ସହିତ ଏହାର ସମ୍ପର୍କ କିପରି ରକ୍ଷା ହେବ ? ନିମ୍ନବର୍ଗ ଓ ବଞ୍ଚିତ ତଥା ଅବହେଳିତ ସମାଜ ଲୋକେ ଏହି ବିଦ୍ଵଜ୍ଜନଙ୍କ ଭଳି ଜ୍ଞାନ ଓ ଦକ୍ଷତା ଆହରଣ ଲାଗି ବ୍ୟଗ୍ର ହୋଇ ଉଠିଛନ୍ତି ।
ପ୍ରାନ୍ତୀୟ ଭାଷାଭାଷୀ କବିମାନେ ଏହି ରିକ୍ତସ୍ଥାନ ପୂରଣ କରିଛନ୍ତି ଏବଂ ଶାସ୍ତ୍ରୀୟ ସାହିତ୍ୟ ସେମାନଙ୍କ ବିଦ୍ରୋହ ଭୂମି ଥିଲା । ଭାରତବର୍ଷର ସାମାଜିକ କଲ୍ୟାଣରେ ବ୍ରତୀ ପ୍ରତି ପ୍ରାନ୍ତୀୟ ସାହିତ୍ୟ, ବାସ୍ତବରେ ଅନୁକରଣକୁ ମାଧ୍ଯମ କରିଛି । ଏଥିପାଇଁ ସେ ସମସ୍ତ କବିମାନେ ନିଜର ମୌଳିକତା ରକ୍ଷା ନିମନ୍ତେ ମୂଳ କାହାଣୀ ସହ ନିଜର ମୌଳିକ କାହାଣୀ ସଂଯୋଜିତ କରିଛନ୍ତି । ସଂସ୍କୃତରୁ ସିଧାସଳଖ ଅନୁବାଦ କ୍ଷେତ୍ରରେ ହେଉ କିମ୍ବା ସଂସ୍କୃତ ପୁରାଣର ଅନୁକରଣରେ । ପ୍ରାଚୀନ ଭାଷାରେ ଭାବର ରୂପାନ୍ତର ବେଳେ ପ୍ରାୟତଃ ସ୍ଥାନୀୟ ଜନଜୀବନ ଓ ସଂସ୍କୃତି, କାହାଣୀ, ବିଶ୍ବାସକୁ ପ୍ରାଧାନ୍ୟ ଦେଇଛନ୍ତି । ଏଥିରେ କୌଣସି ଶୈଳୀ କ୍ଷୁଣ୍ଣ ହୋଇନାହିଁ ବରଂ ଚରିତ୍ରମାନଙ୍କ ଆଚରଣ ଉଚ୍ଚାରଣ ପରିବର୍ତ୍ତିତ ।
ସଂସ୍କୃତ ସାହିତ୍ୟରେ ଥିବା ଅଧିକାଂଶ ପୁରାଣ ଓଡ଼ିଆରେ ଅନୁବାଦ ହୋଇଯାଇଛି । ଓଡ଼ିଆ ସାହିତ୍ୟର ଏହି ସ୍ବତନ୍ତ୍ର ‘ପୁରାଣ’ ବିଭାଗ ଅତ୍ୟନ୍ତ ସମୃଦ୍ଧ ଓ ରୁଚିପୂର୍ଣ୍ଣ । ଓଡ଼ିଶାରେ ସେଥିପାଇଁ ଏହି ଦୃଷ୍ଟିରୁ ପଞ୍ଚ ପୁରାଣ ନାମରେ ଗୋଟିଏ ସାରସ୍ବତ ସଙ୍ଘ ବିଶେଷ ଆଦୃତ :
(୧) ଶୂଦ୍ରମୁନି ସାରଳା ଦାସଙ୍କ ‘ମହାଭାରତ’
(୨) କୃପାସିଦ୍ଧ ବଳରାମ ଦାସଙ୍କ ‘ଜଗମୋହନ ରାମାୟଣ’
(୩) ଅତିବଡ଼ୀ ଜଗନ୍ନାଥ ଦାସଙ୍କ ‘ଭାଗବତ’
(୪) ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’
(୫) ପୀତାମ୍ବର ଦାସଙ୍କ ‘ନୃସିଂହ ପୁରାଣ’
ଏଗୁଡ଼ିକ ମଧ୍ୟରେ କେବଳ ଭାଗବତ ହିଁ ଅଷ୍ଟାଦଶ ପୁରାଣ ମଧ୍ୟରେ ‘ଭାଗବତ ପୁରାଣ’ ର ଭାବାନୁବାଦ ମାତ୍ର ଅନ୍ୟ ଚାରିଗୋଟି ଶୈଳୀ ଓ ପାତ୍ର ଦୃଷ୍ଟିରୁ ଯଥେଷ୍ଟ ସ୍ବତନ୍ତ୍ର । ଶୂଦ୍ରମୁନି ସାରଳା ଦାସଙ୍କ ‘ମହାଭାରତ’ର ଚରିତ୍ର ଓ ଉପାଖ୍ୟାନ ସମ୍ପୂର୍ଣ୍ଣ ମୂଳ ସଂସ୍କୃତ ମହାଭାରତ ଅବିକଳ, କିନ୍ତୁ ଆରମ୍ଭ ଓ ଶେଷ ଓଡ଼ିଶାରେ । ଓଡ଼ିଆ ମାଟିର ଚିତ୍ର ଓ ଚରିତ୍ର ପ୍ରତି କୋଣରେ ବିଦ୍ୟମାନ । ସଂସ୍କୃତ ହରିବଂଶ ଅପେକ୍ଷା ଓଡ଼ିଆ ହରିବଂଶ ଅଧିକ ଉପାଖ୍ୟାନ ଭିତ୍ତିକ ଏବଂ କାବ୍ୟ ସମତୁଲ ବର୍ଣ୍ଣନାପ୍ରଧାନ । ଶେଷରେ ଗଞ୍ଜାମର ପୀତାମ୍ବର ଦାସଙ୍କ ‘ନୃସିଂହ ପୁରାଣ’ ସ୍ଥଳ ମାହାତ୍ମ୍ୟ ଗ୍ରନ୍ଥର ଢାଞ୍ଚାକୁ ଗ୍ରହଣ କରି ଲୋକ କାହାଣୀ ଓ ଲୋକ ଚରିତ୍ରଙ୍କ ସୂଚନା ମଧ୍ୟ ଧାରଣ କରେ ।
ଏଠି ‘ପୁରାଣ’ କହିଲେ ଦେବଦେବୀଙ୍କ ବିଷୟକ ବିଭିନ୍ନ ଲୀଳା ସଂରଚନାରେ ଲୋକ ଚରିତ୍ର ମଧ୍ୟ ଯୋଗ ଦେଇଛନ୍ତି । ସଂସ୍କୃତ ପୁରାଣର ପାଠକ ଓ ପୁରାଣବେତ୍ତା ଋଷିମାନଙ୍କ ଭଳି ଏଠି ପୁରାଣ ସ୍ରଷ୍ଟା ଓ ଦ୍ରଷ୍ଟା ଈଶ୍ବର ଆଶୀର୍ବାଦପ୍ରାପ୍ତ । ଈଶ୍ବରଙ୍କ ଦିଗ୍ଦର୍ଶନରେ ଏହି କାର୍ଯ୍ୟକୁ ସେମାନେ ସଫଳ କରି କବିସ୍ବରୂପ ଠିକେ ଠିକେ ଲେଖି ସମାଜ ସଂସ୍କାର ଉଦ୍ଦେଶ୍ୟରେ ଧର୍ମ ପ୍ରଚାର କରିଛନ୍ତି । ସାରଳା ଦାସ ଓଡ଼ିଆ ପୁରାଣ ପରମ୍ପରାର ଜନକ, ଯେ କହିଲେ, ‘ମୁନି ଅଂଶରେ ଜନ୍ମ ହେଲେ କାବ୍ୟ ପାରଇ କହି’ – ଏହି ଦମ୍ଭୋକ୍ତି ତାଙ୍କର କଳ୍ପନା ନୁହେଁ, ଶୂଦ୍ର ପଦବାଚ୍ୟ ଗୋଟିଏ ବ୍ୟକ୍ତିର ବ୍ରହ୍ମବିଦ୍ୟା ଆହରଣରେ ଉତ୍ତୀର୍ଣ୍ଣ ପର ସାଧକର ସ୍ଥିତି ।
ଅନୁରୂପ ଭାବରେ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ । ସେ କାଳର ସମାଜର ଜ୍ଞାନ ଓ ଆଭିଜାତ୍ୟକୁ ଆପଣା କରଗତ ବିଦ୍ୟା ବୋଲି ଭାବୁଥିଲା ବିଦ୍ବେଷୀ ବର୍ଗଙ୍କୁ ଏହା ଚରମ ଆହ୍ବାନ । ଏଠି ପୁରାଣ କହିଲେ ସବୁ ଦେବଦେବୀଙ୍କ ଅବିକଳ ଚରିତ ବର୍ଣ୍ଣନା କରନ୍ତି, କିନ୍ତୁ ସେମାନେ ସଂସାର ହିତରେ ଅବତାରୀ ନ ହୋଇ ସିଧାସଳଖ ସେହି ମଣିଷର ରୂପ ନେଇ ଓହ୍ଲେଇ ଆସନ୍ତି । ସାଧାରଣ ନରନାରୀ ବେଶରେ ଆମ ଗହଣରେ ସାଧାରଣ ସମସ୍ୟାଗୁଡ଼ିକ ସ୍ବଚକ୍ଷୁରେ ଦେଖି ଉପଲବ୍ଧି କରନ୍ତି । ସେମାନେ ପୁଣି ମନୁଷ୍ୟର ପାପ ପୁଣ୍ୟ ଆଦି କର୍ମକୃତ୍ୟକୁ ନିକଟରେ ଦେଖି ନିଜ ମଧ୍ୟରେ ମଣିଷର ଆବେଗ ଓ ସମ୍ବେଦନାକୁ ରୋମନ୍ଥନ କରନ୍ତି ।
ଦେବତା ଯେ ମନୁଷ୍ୟର ଶୁଚି ଓ ପବିତ୍ରତାରେ ନିଶ୍ଚୟ ସୁଲଭ, ଜାତି ଧର୍ମ ନିର୍ବିଶେଷରେ ଏହି ସୃଷ୍ଟି ହିଁ ତା’ର ବାର୍ତ୍ତାବହ । ସେ ଯାହା ହେଉ, ଓଡ଼ିଆ ଭାଷାରେ ପୁରାଣଗୁଡ଼ିକ ଯେ ଏଥିପାଇଁ ପ୍ରକୃଷ୍ଟ ସାମାଜିକ ସାହିତ୍ୟ ସେଥିରେ ଦ୍ବିମତ ନଥାଇପାରେ । ଏହି ଅଭିଜାତ ଶ୍ରେଣୀ ପ୍ରତିପକ୍ଷରେ ସେମାନେ ଆବିଷ୍କାର କଲେ ମାନବିକ ମୂଲ୍ୟବୋର ସର୍ବଦା ସମସ୍ତଙ୍କ କର୍ମ ଯୋଗ୍ୟତା ଓ ପବିତ୍ରତା ସକାଶେ ସୁଲଭ । ସଂସ୍କୃତରେ ପ୍ରଥମତଃ ପୁରାଣ ଏକ ବିଦ୍ୟାବିଶେଷ, ପରେ ଧର୍ମ ସମ୍ପ୍ରଦାୟର ମୁଖପତ୍ର ଓ ଓଡ଼ିଆ ଭାଷାରେ ଅନୁକରଣ ଏବଂ ଆହରଣର ଏକ ବିଶିଷ୍ଟ ଶୈଳୀ ଯାହା ଫଳରେ ଓଡ଼ିଶାରେ ଯେ କେବଳ ସମାଜ ସଂସ୍କାର ଆସିଛି ତାହା ନୁହେଁ । ଓଡ଼ିଶାର ସାଂସ୍କୃତିକ ଇତିହାସ ସଙ୍ଗଠିତ ହୋଇଛି ।
ସାମ୍ପ୍ରଦାୟିକତାକୁ ସମ୍ପୂର୍ଣ୍ଣ ବିଡ଼ମ୍ବନା କହି ପୁରାଣ ସାହିତ୍ୟ ମାଧ୍ୟମରେ ଲୋକ ପରମ୍ପରା ସର୍ବଜନଗ୍ରାହ୍ଯ ପାଲଟେ । ଏହି ‘ଲକ୍ଷ୍ମୀ ପୁରାଣ’ର ପ୍ରସାର ଫଳରେ ଆଜି ଲୋକେ ଘରଦ୍ୱାର ଲିପି ପୋଛି ମାଆ ଲକ୍ଷ୍ମୀଙ୍କ ଆଗମନ ପ୍ରତି ଗୁରୁତ୍ବ ପ୍ରକାଶ କଲେ । ଜାତିଶ୍ରେଣୀ ବିଭାଜିତ ସମାଜ କେବଳ ଗୋଟିଏ ପଟେ କଳୁଷିତ ରହିପାରିବନି । ସମାଜ ଯଦି ସବୁ ଦିଗରୁ ପରିଷ୍କାର ରହିପାରିବ, ତେବେ ହିଁ ସମ୍ପୂର୍ଣ୍ଣ ବିଶ୍ବ ନିଜ ସର୍ବାଙ୍ଗୀନ ଉନ୍ନତିର ବାସନା ଚରିତାର୍ଥ କରିପାରିବ । ସେଥିପାଇଁ ବଳରାମ ଦାସ ମଧ୍ୟ ଲେଖିଲେ,
‘ବଖାଣ କରନ୍ତି ଯାହା ସୁଜ୍ଞ ମୁନିଜନ
ପୁରାଣ ମଧ୍ୟରେ ତାହା କରିଲି ଲେଖନ ।’
ସେଥିପାଇଁ ପୂର୍ବରୁ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ଓଷାବ୍ରତର ଅସ୍ତିତ୍ବ ଥିଲା କିନ୍ତୁ, ସବୁ ବର୍ଗର ଲୋକଙ୍କ ପାଳନଯୋଗ୍ୟ ବିଧିବିଧାନର ଗୋଟିଏ ସୁଚିନ୍ତିତ ସଙ୍କଳନ କଲେ କୃପାସିଦ୍ଧ ବଳରାମ ଦାସ । ପ୍ରଚଳିତ ଦୈନନ୍ଦିନ ଆଚରଣ, ନିତ୍ୟ ନୈମିତ୍ତିକର ‘ପୂର୍ବକଥା’ ବା ପୂର୍ବ ବୃତ୍ତାନ୍ତକୁ ସାମୂହିକ ଶିକ୍ଷାଦାନର ପ୍ରସଙ୍ଗ ସ୍ବରୂପ ବିବେଚନା କଲେ । ଏହାର ସମୟ, ସ୍ଥାନ, ଚରିତ୍ର, ଘଟଣା କୌଣସି ଗୋଟିକ ସତ୍ୟ ନୁହେଁ ଅଥଚ କାହାଣୀର ସଂରଚନାରେ ସମାଜର ବାସ୍ତବ ଦୃଶ୍ୟ ଉଦ୍ଘାଟିତ ହୋଇଯାଏ । ଦୃଷ୍ଟାନ୍ତ ସ୍ୱରୂପ କାହାଣୀରେ ତେଣୁ ବ୍ୟବହୃତ ଚରିତ୍ର ଯଥା ସାଧବାଣୀ ଏବଂ ଶ୍ରୀୟା ଚଣ୍ଡାଳୁଣୀ ତତ୍କାଳୀନ ସମାଜର ଦୁଇ ଶ୍ରେଣୀର ପ୍ରତିନିଧି । ସେମାନେ କାହାଣୀର ଗୋଟିଏ ଗୋଟିଏ ‘ଗଳ୍ପାଣୁ’ ବା ମୋଟିଫ୍ (Motif) !
‘ମୋଟିଫ୍’ ବା ‘ଗଳ୍ପାଣୁ’ କହିଲେ ଗୋଟିଏ ମୁଖ୍ୟ ପ୍ରସଙ୍ଗ ବା ବୃତ୍ତାନ୍ତ ଭିତରେ ମୁଖ୍ୟ ଚରିତ୍ରମାନଙ୍କ ବାର୍ତ୍ତାକୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦର୍ଶାଇବା ଲାଗି ମଧ୍ୟସ୍ଥି ବା ଅନ୍ତରାଳର ଚରିତ୍ର । ପ୍ରତି ଲୋକଗଳ୍ପ ବା ଉପାଖ୍ୟାନର ସେ କ୍ଷୁଦ୍ରତମ ଅଂଶ । ଯେମିତି ଗାଁ ଗଣ୍ଡାର ପ୍ରଚଳିତ ଚକୁଳିଆ ପଣ୍ଡା କଥା, କଲୁରୀବେଣ୍ଟ କଥା, ପକ୍ଷିରାଜ ଘୋଡ଼ା ଗପ, କଥାକୁହା ପ୍ରାଣୀ ଜଗତର କାହାଣୀ, ନାୟକ ଓ ନାୟିକାଙ୍କ ବୀରତ୍ବର କାହାଣୀ ବା କାହାଣୀ ଅନ୍ତରାଳରେ ଆବିର୍ଭୂତ ଦୈବାତ୍ କୌଣସି ଗୋଟିଏ ଯାଦୁକର କଥା । ଏମାନେ ଜଣେ ଜଣେ ମୋଟିଫ୍, ଯେଉଁ ମାନେ ଗୋଟିଏ ପ୍ରଧାନ ଉପାଖ୍ୟାନକୁ ଯୁଗେ ଯୁଗେ ବିସ୍ମୃତିରୁ ରକ୍ଷା କରି ଲୋକ ସମାଜରେ ପ୍ରତିଷ୍ଠିତ ରଖିବାରେ ସାହାଯ୍ୟ କରନ୍ତି ‌।
ସେଥିପାଇଁ ଓଡ଼ିଆରେ ଗୋଟିଏ ସୁନ୍ଦର ପ୍ରବାଦ ଅଛି,
“କହିବା ଲୋକର ପାତକ ନାଶ,
ଶୁଣିବା ଲୋକର ପାତକ ଧ୍ବଂସ ।”
ସେଥିପାଇଁ ବିଶିଷ୍ଟ କବି ଓ ସମାଲୋଚକ ଡ. ମାୟାଧର ମାନସିଂହ ‘ଲକ୍ଷ୍ମୀ ପୁରାଣ’କୁ ‘ସୁଆଙ୍ଗ’ ଶ୍ରେଣୀରେ କଳନା କରି ଲେଖିଛନ୍ତି, “ଏହା ଲକ୍ଷ୍ମୀ ପୁରାଣ ସୁଆଙ୍ଗ ଏବଂ ଏହା ଜନପ୍ରିୟ ଓଡ଼ିଆ ରାମାୟଣର ପ୍ରତିଭାବାନ ଲେଖକ ବଳରାମ ଦାସଙ୍କ ରଚନା । ବଳରାମ ଦାସ ଏହି ଲକ୍ଷ୍ମୀ ପୁରାଣ ସୁଆଙ୍ଗଟିକୁ ଯେପରି ଭାବରେ କଳ୍ପନା ଓ ରଚନା କରିଛନ୍ତି, ସେପରି କରି ଜାଣିଲେ, ଏ ଶ୍ରେଣୀର ସାହିତ୍ୟ, ସମାଜ ଉପରେ ଯେ କି ପ୍ରଭାବ ପକାଇପାରେ, ତାହା ପ୍ରମାଣିତ ହେଉଛି ଏହି ଦୃଶ୍ୟରୁ ଯେ, ଏହି ସୁଆଙ୍ଗ ଓ ତା’ର ତାତ୍ପର୍ଯ୍ୟ ସମଗ୍ର ଓଡ଼ିଆ ଜାତିର ସାମାଜିକ ଜୀବନ ଓ ଜାତୀୟ ଚେତନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଛି ।”
ହଁ, ସତ କଥା ନୁହେଁ କି ! ଯଦି ‘ଲକ୍ଷ୍ମୀ ପୁରାଣ’ ଲେଖା ନ ହୋଇଥାନ୍ତା, ଆଜି କେତେ ଲୋକ ମାଣବସା ଗୁରୁବାର ଓଷା ହେଉଛି ବୋଲି ଜାଣୁଥା’ନ୍ତେ ? ଜାଣିଥିଲେ ସୁଦ୍ଧା ଓଷା କେତେ ଜଣ କେତେ ଆଡ଼େ ପାଳନ କରିଥା’ନ୍ତେ ? କେତେ ଜଣ ଭାବି ଥାନ୍ତେ ଯେ ମାଣ ବସାଇ ଲକ୍ଷ୍ମୀଙ୍କ ଆବାହନ ସତରେ ଗୋଟିଏ ଦିବ୍ୟ ପ୍ରତୀକ ବା ନୂତନ ଶସ୍ୟ ଆବାହନରେ ଧନଧାନ୍ୟ ଲକ୍ଷ୍ମୀରେ ଗୋଟିଏ ଘର ପରିପୂର୍ଣ୍ଣ ହୁଏ ? ସେଥିପାଇଁ ଏହି ‘ଲକ୍ଷ୍ମୀ ପୁରାଣ’ ଏକ ନୀତିଗତ ମାର୍ଗଦର୍ଶିକା । ‘ଲକ୍ଷ୍ମୀ ପୁରାଣ’ ର ବିଧିବିଧାନ କହେ ପ୍ରତ୍ୟେକ ଓଡ଼ିଆ ଗୃହିଣୀ ଅତି ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ ଓ ସ୍ନାନାଦି ଶେଷ କରି ତାଙ୍କର ସମଗ୍ର ଘରଟିକୁ ଲିପି ପୋଛି ସୁନ୍ଦର କରିବା କ’ଣ କମ୍ ପରିଶ୍ରମ କଥା ।
ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାର୍ଶ୍ୱ ଲେପ ଦିଆଯାଏ ଯାହା ଏକ ମୁହଁର ରୂପ ନେଇଥାଏ । ସେଥିରେ କଉଡ଼ିକୁ ଆଖିଭାବେ ବ୍ୟବାରକରି ନିଜର ସର୍ଜନଶୈଳୀ ଦ୍ବାର ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲି ଛିଟ ଓ ସୁନ୍ଦର ପାଟକନାରେ ଓଢ଼ଣୀ ଦେଇ ଏହାକୁ ଏକ ନବବଧୂର ରୂପ ସଦୃଶ କରାଯାଏ । ମା’ ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାର୍ଶ୍ବରେ ମା’ଙ୍କର ପଦ୍ମପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ ।
ଇଏ ଆମ ଓଡ଼ିଆ ଘରର ଚଳଣି, ସଣ୍ଠଣା । ଓଡ଼ିଆ ଘରେ ଚିତା ଅଙ୍କନର ଯେତେ ପରମ୍ପରା ରହିଛି, ସେସବୁ ମଧ୍ୟରେ ଏଇ ମାର୍ଗଶିର ମାସ ମାଣବସା ଗୁରୁବାର ଚିତାର ଯଥେଷ୍ଟ ଗୁରୁତ୍ବ ଅନୁଭୂତ ହୁଏ । ଦାଣ୍ଡରୁ ଅଗଣା ଯାଏଁ, ଗମ୍ଭୀରା ଘରୁ ଠାକୁରଘର ଯାଏଁ, କୋଠି, ଧାନଭାଡ଼ି, ଖନ୍ଦା ଏପରିକି ଘର ଚାରିପଟେ ଚିତା, ଲକ୍ଷ୍ମୀଙ୍କ ଆସ୍ଥାନରେ ଦଶମଣ୍ଡଳ ଚିତା, ଚାଉଳ ଡୋଲି ଓ ଅମାରରେ ‘ଲତାପଦ୍ମ’ ଚିତା, ଧାନଘରେ ‘ପଦ୍ମମରେଇ’ ଚିତା, ଅଗଣା ମଝିରେ ‘କଢ଼ପଦ୍ମ’ ଚିତା, ଧାନକୋଠି ତଳେ ‘ଧାନଘର’ ଚିତା, କାନ୍ଥରେ ‘ଶିଂସା ଧାନଗଦା’ ଚିତା, ଚାଷୀଭାଇଙ୍କ ପରିବାରରେ ‘କଳେଇପଦା’ ଚିତା ଏମିତି କେତେ କ’ଣ !
ପୁଣି କେବେ କେତେ ରକମର ଲକ୍ଷ୍ମୀପାଦ ଓ ପଦ୍ମଫୁଲ ଚିତା ପକାଇବାରେ ଓଡ଼ିଆଣୀ ଅଦ୍ଵିତୀୟା ! ଲକ୍ଷ୍ମୀପାଦ ଗୁଡ଼ିକ ସର୍ବଦା ବାହାରୁ ଘର ଆଡ଼କୁ ପଡ଼ିଥା’ନ୍ତି – ଧନଧାନ୍ୟ, ସୁଖସମୃଦ୍ଧିରେ ପୂର୍ଣ୍ଣ କରି ବା ପାଇଁ ଲକ୍ଷ୍ମୀଦେବୀଙ୍କୁ ଭକ୍ତିଭରା ଆମନ୍ତ୍ରଣ ଉଦ୍ଦେଶ୍ୟରେ ଏପରି ଚିତା ! ଏଇ ମାଣବସାରେ କାନ୍ଥରେ ହାତଛଟା ଝୋଟି ଓ ତା’ ଉପରେ ତିନୋଟି ଟିପରେ ଥାପିଥାପିକା କଉଡ଼ି – ମା’ ଠାକୁରାଣୀଙ୍କ କୃପାରୁ ଧାନ କଉଡ଼ି ବଢ଼ିବାର ସଙ୍କେତ ବହନ କରିଥାଏ ।ପଦ୍ମଫୁଲରେ ମା’ଙ୍କ କେଡ଼େ ଶରଧା ! ତେଣୁ ପଦ୍ମଚିତାର ପାଖେ ପାଖେ ଅଙ୍କା ଯାଇଥାଏ ଠାକୁରାଣୀଙ୍କ ପାଦଚିତା । ଛନ୍ଦକବି ରାଧାମୋହନ ଗଡ଼ନାୟକ ଲେଖିଗଲେ :
“ପିଠଉର ଝୋଟି ମେଢ଼ ପାଖେ ଲେଖି ସରସେ,
ପଲ୍ଲୀ ଘରଣୀ ଲକ୍ଷ୍ମୀ ପୂଜଇ ହରଷେ ।
ମିଠା ପିଠା ପଣା ଖାଇବାର ଭଲ ଦରବ,
ଦିଆ ନିଆରେ ଗାଆଁରେ ଲାଗିଚି ପରବ ।
ଧାନ ବେଙ୍ଗଳା, ଚଷାପୁଅ ଗୀତ-ଲହର
ମୁଖର କରଇ ରାତିର ପହର ପହର ।
ଧାନ ମୁଗ ବିରି ଶ୍ରମର ଯେତକ ରତନ
ଚଷାପୁଅ ନେଇ ଘରେ ରଖେ କରି ଯତନ ।
ସ୍ବାଗତ ଲକ୍ଷ୍ମୀ ପଉଷ,
ଘରେ ଘରେ ତୁମେ ଆଣିଚ ଅନ୍ନ, ଆୟୁଷ ।”
(‘ସ୍ବାଗତ ଲକ୍ଷ୍ମୀ ପଉଷ’)
ଏଇ ଚିତା ଅଙ୍କନରେ ଗୃହପ୍ରବେଶ ସମୟରେ ନବବଧୂର କଳାକୌଶଳ ପରୀକ୍ଷା ଦେବାକୁ ଏଇ ପରମ୍ପରା ଅଭିପ୍ରେତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଇଏ ଆମ ଓଡ଼ିଆ ଘରର ମର୍ଯ୍ୟାଦାର କଥା । ଆମ ଉତ୍କଳୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ କଥା । ପୁଣି ଏଠି ‘ବ୍ରତ’ ଯେ ନିହାତି ଶାସ୍ତ୍ରାନୁମୋଦିତ ଏବଂ ‘ଓଷା’ ଶାସ୍ତ୍ରାନୁମୋଦିତ ହେବା ଅପରିହାର୍ଯ୍ୟ ନୁହେଁ । ‘ଓଷା’ରେ ବ୍ରାହ୍ମଣ, ପୌରୋହିତ୍ୟ ଓ କର୍ମକାଣ୍ଡର ପ୍ରାଧାନ୍ୟ ନାହିଁ । ଏହା ନାରୀର ପୌରୋହିତ୍ୟରେ ଅନୁଷ୍ଠିତ ହୁଏ । ବ୍ରତକଥା ପରି ଓଷା କଥାଗୁଡ଼ିକରେ ପୌରାଣିକତାର ଦାବି ନାହିଁସ। ଓଷାର କଥା ଓ ଆଚାର ସଂପୂର୍ଣ୍ଣ ରୂପେ ଲୌକିକ ଯାହା ପୁରାଣ ଭଳି ସମାଜର ଦିଗ୍ଦର୍ଶକ ଏବଂ ପ୍ରାନ୍ତୀୟ ଭାଷାର ସମ୍ପଦ ।
ଆଉ ତା’ ଭିତରେ କେହି ଜଣେ ପ୍ରଶ୍ନ କରିଥିଲେ ମାର୍ଗଶିର ମାସର ଗୁରୁବାର ହିଁ ପ୍ରଥମ ଓଷା ବାର । ତେବେ ଏଥର ଅନେକ ଲୋକ ଏ ‘ଅଲାଗିପାଳି’ କଥା କହି ଓଷା କାହିଁକି ପ୍ରଥମ ଗୁରୁବାରଠାରୁ ଆରମ୍ଭ କରିନଥିଲେ ? ଏ ବିଷୟରେ ବଳରାମ ଦାସ କ’ଣ କିଛି ପୂର୍ବରୁ ଲେଖିନାହାନ୍ତି ? ଏହି ପରିପ୍ରେକ୍ଷୀରେ କହିଦେବା ଉଚିତ, ବଳରାମ ଦାସ କୌଣସି ଓଷା ବ୍ରତର ଆଦିମ ପ୍ରବର୍ତ୍ତକ ନୁହନ୍ତି । ଓଷା ବ୍ରତ ତା’ର ଆବହମାନ ସମୟରୁ ପ୍ରଚଳିତ ଏବଂ ବଳରାମ ଦାସ ଯେ କେବଳ ସମସ୍ତ ସମାଜ ହିତରେ ଏହାର ଏକ ଲିପିବଦ୍ଧ ସଙ୍କଳନ ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ଯେଉଁ ଲୋକ ପରମ୍ପରା ଅନୁଯାୟୀ ମାର୍ଗଶିର ମାସ ଅଷ୍ଟମୀ ତିଥି ନ ଆସୁଣୁ ଗୁରୁବାଳ ପଡ଼େ, ତାକୁ ‘ଅଲାଗିପାଳି’ କୁହନ୍ତି ।
Lakshmi Purana Laxmi Purana
Jhoti Chita Balaram Dasa
Manabasa Gurubara Osha
Dhanamanika
Alaagipali
Amritesh Khatua
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago