ଲେଖା: ନିରଞ୍ଜନ ସାହୁ

କବିମଞ୍ଜୁଳ ଉତ୍କଳଗନ୍ଧର୍ବ କୃଷ୍ଣପ୍ରସାଦ ବସୁ !

“ମୋତେ ଦୁନିଆ କହୁଛି ପାତକୀ,
ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି,
ବିଛୁଆତି ଅବା କେତକୀ।”

ଓଡ଼ିଆ ସାହିତ୍ୟ ଜଗତର କେତକୀ ଫୁଲ ଭଳି ଚିରଆଦରଣୀୟ କବିମଞ୍ଜୁଳ ଉତ୍କଳଗନ୍ଧର୍ବ କୃଷ୍ଣପ୍ରସାଦ ବସୁ । ଯାଜପୁର ଜିଲ୍ଲାର କୁଆଁସରପୁରରେ ଜନ୍ମିତ ଏହି ମଣିଷ ଏକାଧାରରେ ବହୁ ପ୍ରତିଭାର ଅଧିକାରୀ ହୋଇଥିଲେ। ବିଜ୍ଞାନ ଶିକ୍ଷାଦାନକୁ ବୃତ୍ତି ଭାବରେ ଗ୍ରହଣ କରିଥିବା କୃଷ୍ଣପ୍ରସାଦ କାବ୍ୟ, କବିତା, ନାଟକ, ପାଲା, ପ୍ରବନ୍ଧ, ସଙ୍ଗୀତ, ଯାତ୍ରା, ଥିଏଟର, ଉପନ୍ୟାସ, ଅଭିନୟ ଏବଂ ସର୍ବୋପରି ଜାତୀୟତାବୋଧର ଥିଲେ ଏକ ମୂର୍ତ୍ତିମନ୍ତ ପ୍ରତୀକ । ପିଲାଟି ଦିନରୁ ସଙ୍ଗୀତ ପ୍ରତି ବିଶେଷ ଆକର୍ଷଣ ଥିବା ଯୋଗୁଁ ପରବର୍ତ୍ତୀ ସମୟରେ ଓଡିଶୀ ଓ ହିନ୍ଦୁସ୍ତାନୀ ସଙ୍ଗୀତରେ ଶିକ୍ଷାଲାଭ କରି ଆକର୍ଷିତ ହୋଇଥିଲେ ସେହି କ୍ଷେତ୍ରକୁ।

୧୯୧୦ ମସିହାରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବାରୁ ନିଜ ଜନ୍ମସ୍ଥାନକୁ ଫେରିଆସି କୃଷ୍ଣପ୍ରସାଦ ବସୁ ଆରମ୍ଭ କଲେ ଏକ ଯାତ୍ରା ଦଳ, ଯାହାକି ‘ବିରଜା ଅପେରା’ ନାମରେ ପରିଚିତ। ସେହି ସମୟରେ ମଧ୍ୟ ଶ୍ରୀ ଅରବିନ୍ଦଙ୍କ ସଂସ୍ପର୍ଶରେ ସେ ଆସିଯାଇଥିଲେ ଓ ‘ବନ୍ଦେ ମାତରମ୍’ କ୍ରାନ୍ତିକାରୀ ଦଳ ସହ ସାମିଲ୍ ହୋଇ ଇଂରେଜ ବିରୋଧୀ ଆନ୍ଦୋଳନରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।ପରେ ଗିରଫ ହୋଇ ବହୁ ନିର୍ଯାତନା ଭୋଗ କରିଥିଲେ।

~ ଅନନ୍ୟ ପ୍ରତିଭାର ଅଧିକାରୀ ~
ଗୋଟିଏ ମଣିଷ, କିନ୍ତୁ ପ୍ରକୃତରେ ବହୁ ପ୍ରତିଭାର ଅଧିକାରୀ କୃଷ୍ଣପ୍ରସାଦ ବସୁ। ଆଧୁନିକ ବାଦ୍ୟଯନ୍ତ୍ର କ୍ଲାରିଓନେଟ୍ ଓ ବେହେଲା ଆଦି ସଂଯୋଗ କଲେ ଓଡ଼ିଆ ଯାତ୍ରାମଞ୍ଚରେ ପ୍ରଥମ କରି। ନାଟକ ମାନଙ୍କୁ ରସୋତ୍ତୀର୍ଣ୍ଣ କରିବା ପାଇଁ ସେ ପ୍ରଥମେ ଡୁଏଟ୍ ନୃତ୍ୟ ଆରମ୍ଭ କରାଇଲେ। ନାଟକ ରଚନା, ନିର୍ଦ୍ଦେଶନା, ସଙ୍ଗୀତ ସଂଯୋଜନା, ଯନ୍ତ୍ର ସଙ୍ଗୀତ ପରିଚାଳନା ପ୍ରତ୍ୟେକ କ୍ଷେତ୍ରରେ ନିଜେ ହିଁ ତୀକ୍ଷ୍ଣ ଦୃଷ୍ଟି ଦେଇ ନାଟକର ମାନ ବଢ଼ାଇବାରେ ସକ୍ଷମ ହୋଇଥିଲେ, ଯାହା ଫଳରେ ପଶ୍ଚିମ ବଙ୍ଗର ବିଭିନ୍ନ ସ୍ଥାନରେ ବହୁ ଭାବରେ ଆଦୃତ ହେଲା ଓଡ଼ିଆ ନାଟକ।

~ ଜାତୀୟତାବାଦୀ ସାହିତ୍ୟ ସ୍ରଷ୍ଟା ~
ଜଣେ ଜାତୀୟତାବାଦୀ ଭାବେ ବହୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ସେ ସମୟରେ ଲୋକମାନଙ୍କ ମଧ୍ୟରେ ଜାତୀୟତାର ଭାବନା ସୃଷ୍ଟି କରିଥିବା ଏହି କବି କୃଷ୍ଣପ୍ରସାଦ ବସୁ ପରବର୍ତ୍ତୀ ସମୟରେ ଇଂରେଜ ସରକାରଙ୍କ ବିଷଦୃଷ୍ଟିରୁ ନିଜକୁ ଏଡ଼ାଇ ଦେଇ ପାରିନଥିଲେ, ଯାହା ଫଳରେ ଶାସନର ଚକ୍ରାନ୍ତ ହୋଇ ଯାତ୍ରା ଦଳର ସମାପ୍ତି ଘଟିଥିଲା। କିନ୍ତୁ ହାରି ଯାଇନଥିଲେ ଏହି ସ୍ଵାଭିମାନୀ ଓଡିଆ। ଆଉଥରେ ଯାତ୍ରାଦଳ ଆରମ୍ଭ ହେଲା ଭଦ୍ରକର ଜମିଦାର ଭୂୟାଁ ଭାସ୍କର ମହାପାତ୍ରଙ୍କ ସହାୟତା ପାଇଁ। ଉଦ୍ଦେଶ୍ୟ, ସ୍ଵାଧୀନତାର ବାର୍ତ୍ତା ପ୍ରଚାର ଯାତ୍ରା ମାଧ୍ୟମରେ। ତଥାପି ବ୍ରିଟିଶ ଶାସନର ରୋଷ କମିଲା ନାହିଁ ଓ ଆଠ ବର୍ଷର ଯାତ୍ରାଦଳର ସମାପ୍ତି ଘଟିଲା।

ପଛକୁ ନ ଫେରି କୃଷ୍ଣପ୍ରସାଦ ବସୁ ବ୍ରହ୍ମପୁର ସହରରେ ପହଞ୍ଚି, ସେଠାର ବିଶିଷ୍ଟ ରାଜନୈତିକ ନେତାମାନଙ୍କ ସହ ଆଲୋଚନା କରି ଆରମ୍ଭ କଲେ ‘ବ୍ରହ୍ମପୁର ନାଟ୍ୟ ମନ୍ଦିର’। ଶଶୀଭୂଷଣ ରଥ, ଲକ୍ଷ୍ମୀନାରାୟଣ ସାହୁ, ସାରଥୀ ମହାପାତ୍ରଙ୍କ ସହାୟତାରେ ନାଟକ ଚାଲିଲା। ତାହା ନାଟକ ନୁହେଁ, ସ୍ଵାଧୀନତାର ବାର୍ତ୍ତା ବହନ କରୁଥିବା ନାଟକ ! ହେଲେ ଇଂରେଜ ସରକାରଙ୍କ ଦୃଷ୍ଟିରେ ସେ ହୋଇଗଲେ ଦେଶଦ୍ରୋହୀ।

~ ଦିଗଦର୍ଶୀ କୃଷ୍ଣପ୍ରସାଦ ~
ଏହି ଅନୁଷ୍ଠାନ ବନ୍ଦ ହେବା ପରେ କଲିକତାର HMV କମ୍ପାନୀ ତାଙ୍କର ଗୁଣ ଚିହ୍ନି ତାଙ୍କୁ ଓଡ଼ିଆ ସଙ୍ଗୀତ ତାଲିମ ଦାତା ଭାବେ ନିଯୁକ୍ତ କଲେ। ଦେଶପ୍ରେମୀ ଏହି ମଣିଷ ପାଇଲେ ଏକ ସୁନ୍ଦର ସୁଯୋଗ, ଓଡ଼ିଆ ସଙ୍ଗୀତ ପ୍ରତି। ନିଜେ ଲେଖିଲେ, ଗାଇଲେ ଏବଂ ଓଡ଼ିଆ ସଙ୍ଗୀତର ପ୍ରବାଦଶିଳ୍ପୀମାନଙ୍କୁ ନେଇ ମଞ୍ଚରେ ଛିଡ଼ା କରେଇଲେ। ଯାହା ଫଳରେ ଆମେ ପାଇଲେ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ଅପର୍ଣ୍ଣା ପାଣିଗ୍ରାହୀ, ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନଙ୍କ ପରି କଳାକାର ମାନଙ୍କୁ। ଓଡ଼ିଆ ସଙ୍ଗୀତ ପାଇଁ ଉତ୍ସର୍ଗୀକୃତ ଏହି ମଣିଷ ଓଡ଼ିଶାର ଘରେ ଘରେ ପରିଚିତ ହୋଇଗଲେ। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର ! ଏକ ହଜାର ଗୀତ ଜବତ କରିଦେଲେ ବ୍ରିଟିଶ ବାହିନୀ, ଆଉ ଫେରସ୍ତ କଲେ ନାହିଁ।

ଡ. ମାୟାଧର ମାନସିଂହ ଓ ଡ. ହରେକୃଷ୍ଣ ମହତାବଙ୍କ ଅନୁରୋଧ କ୍ରମେ ଲେଖା ଆରମ୍ଭ ହେଲା ଓ ନିଜର ଅଭିଜ୍ଞତାକୁ ଭିତ୍ତି କରି ‘ଆଖଡ଼ା ଘରେ ବୈଠକ’ ନାମକ ଏକ ସୁନ୍ଦର ପୁସ୍ତକ ରଚନା ହେଲା, ଯାହା ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ।

~ ବିସ୍ମୟକର ପ୍ରତିଭା ~
କବି କୃଷ୍ଣପ୍ରସାଦଙ୍କର ଇଂରାଜୀ, ସଂସ୍କୃତ, ଓଡ଼ିଆ, ବଙ୍ଗଳା, ହିନ୍ଦୀ, ତେଲୁଗୁ, ଉର୍ଦ୍ଦୁ ଓ ଆଦିବାସୀ ଭାଷାରେ ପାଣ୍ଡିତ୍ୟ ଥିଲା। ଓଡ଼ିଆ ପାଲାର ସେ ଥିଲେ ଯଥାର୍ଥରେ ବିସ୍ମୟକର ପ୍ରତିଭା। ପ୍ରଥମ ଥର ପାଇଁ ଓଡ଼ିଆ ପାଲା ପରିବେଷଣରେ ସେ ଆଣିଥିଲେ ଯୁଗାନ୍ତକାରୀ ପରିବର୍ତ୍ତନ। ପାଲାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଓ ରସୋତ୍ତୀର୍ଣ୍ଣ କରିବା ପାଇଁ ସେ ସମୟର ବିଶିଷ୍ଟ ଗାୟକ ଶ୍ରୀ ନରିନାଥ, ଶ୍ରୀ ହରିନାଥ, ଶ୍ରୀ ପରମାନନ୍ଦ ଶରଣ, ଶ୍ରୀ ଜଗନ୍ନାଥ ବେହେରା ତାଙ୍କର ଦ୍ଵାରସ୍ଥ ହେଉଥିଲେ। ଯାହା ଫଳରେ ଓଡ଼ିଆ ପାଲା ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା କେହି ଅସ୍ୱୀକାର କରିପାରିନାହାନ୍ତି। ସେଇଥିପାଇଁ ସେ ଲେଖିଛନ୍ତି ପାଞ୍ଚାଳୀ ପଟ୍ଟହରଣ, ତ୍ରିବିକ୍ରମ, ନିକୁମ୍ଭିଲା, ଦ୍ରାକ୍ଷାୟଣୀ, ପରିକ୍ଷିତ ବ୍ରହ୍ମଶାପ, ପାଦୁକା, କିଷ୍କିନ୍ଦା, ଦେବଯାନୀ, ହରିଶ୍ଚନ୍ଦ୍ର, ଛତ୍ରପତି ଶିବାଜୀ, ମାତୃପୂଜା, ଚଣ୍ଡାଶୋକ ଓ ଆହୁରି ଅନେକ କାବ୍ୟ।

~ ଯଥାର୍ଥ କବିମଞ୍ଜୁଳ ~
ନାଟକ ପ୍ରତି ଆକର୍ଷିତ ହୋଇ କୃଷ୍ଣପ୍ରସାଦ ବସୁ ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି କରିଛନ୍ତି ପ୍ରାୟତଃ ଉଣେଇଶ ଖଣ୍ଡ ନାଟକ ବହି। ତାଙ୍କର କ୍ଷୁଦ୍ର କବିତା, ପାଲା ଓ ପ୍ରବନ୍ଧ ତାଙ୍କୁ ଜଣେ ବିଶିଷ୍ଟ ସାହିତ୍ୟିକର ମାନ୍ୟତା ଦେଇଛି। ସାହିତ୍ୟପ୍ରେମୀ ଆଳି ରାଜା ତାଙ୍କୁ ‘କବିମଞ୍ଜୁଳ’, ମୟୁରଭଞ୍ଜ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ତାଙ୍କୁ ‘ଉତ୍କଳ ଗନ୍ଧର୍ବ’ ଉପାଧି ପ୍ରଦାନ କରି ତାଙ୍କର ପୂଜ୍ୟପୂଜା କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସେ ୧୯୬୧ ମସିହାରେ।

ଓଡ଼ିଆ ପାଲା ଜଗତର ଭଗୀରଥ, ସଙ୍ଗୀତକାର, ଛାତ୍ରବତ୍ସଳ ଶିକ୍ଷକ ତଥା ସର୍ବଜନପ୍ରିୟ ବ୍ୟକ୍ତିତ୍ଵ କୃଷ୍ଣପ୍ରସାଦ ବସୁ ୧୯୬୮ ମସିହାର ଅଗଷ୍ଟ ମାସ ୧୮ ତାରିଖରେ ଉତ୍କଳ ଭାରତୀଙ୍କର କୋଳରୁ ବିଦାୟ ନେଇ ଆମ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ଘଟାଇଲେ।

ଆଧାର/ଶ୍ରୀ ନୃସିଂହ ଚରଣ ସାହୁ, ‘ଆମେ ଓଡିଆ’ ଗ୍ରନ୍ଥ।

Krushna Prasad Basu Ame Odia Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago