ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ ସୀମା ବିବାଦ ତଥା ସାମାନ୍ୟ କିଛି ଘଟଣାକୁ ନିଜ ଅପମାନ ଏବଂ ସ୍ୱାଭିମାନ ସହ ଯୋଡ଼ି ପରସ୍ପର ମଧ୍ୟରେ ଅନେକ ଥର ଯୁଦ୍ଧରେ ଲିପ୍ତ ରହୁଥିଲେ । ତନ୍ମଧ୍ୟରୁ କେତେକ ଯୁଦ୍ଧ ତୃତୀୟ ରାଜ୍ୟ ଅବା ତତ୍କାଳୀନ ଓଡ଼ିଶା ରାଜ୍ୟର ମୁଖ୍ୟ ଗଜପତି ଅବା ମୋଗଲ, ମରହଟ୍ଟା ସୁବେଦାର ଓ ଇଂରେଜମାନଙ୍କ ହସ୍ତକ୍ଷେପରେ ଆପୋଷ ସମାଧାନ ହୋଇପାରୁଥିଲା । ସେତେବେଳର କିମ୍ବଦନ୍ତୀ ଓ ଲୋକକଥା ଆଦିକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ହୁଏ ଯେ, ପ୍ରତ୍ୟେକ ଯୁଦ୍ଧର ଜୟ-ପରାଜୟ ପଛରେ ଏକ ଦୈବୀ ଶକ୍ତିର ଆଶୀର୍ବାଦ ରହୁଥିଲା । ଯାହା ଫଳରେ ସେହି ଗଡ଼ର ରାଜା ଓ ଜମିଦାରମାନେ ସେହି ଦେବତା ବା ଦେବୀଙ୍କ କୃପାରୁ ଯୁଦ୍ଧ ଜୟ କରି ନିଜ ରାଜ୍ୟ ସୀମା ବିସ୍ତାର ତଥା ସୀମା ସୁରକ୍ଷା କରିପାରୁଥିଲେ । ଏହାର ଶ୍ରେୟ ସେହି ଦେବତାଙ୍କୁ ଯାଉଥିଲା ଏବଂ ସେହି ଦେବାଦେବୀଙ୍କୁ ରାଜାମାନେ ନିଜ ରାଜ୍ୟର ଇଷ୍ଟ ଆରାଧ୍ୟ ଅଧିଷ୍ଠାତ୍ରୀ ଦେବତା ବା ଦେବୀ ମା’ ରୂପେ ସ୍ଥାପନ କରି ନିଜର ସର୍ବସ୍ୱ ଅର୍ପଣ କରି ରାଜ୍ୟ ଶାସନ ଚଳାଉଥିଲେ । ସେହିପରି ଜଣେ ଦେବତାଙ୍କ ମହିମା ଏବଂ ଆଶୀର୍ବାଦରୁ ନୟାଗଡ଼ ଜିଲ୍ଲାର ଉତ୍ତର ଦିଗରେ ଅବସ୍ଥିତ ଖଣ୍ଡପଡ଼ା ଗଡଜାତ ରାଜ୍ୟ କିପରି ତାହାର ସୀମା ସୁରକ୍ଷା କରିପାରିଥିଲା ଏବଂ ପଡ଼ୋଶୀ ରାଜ୍ୟର କିଛି ଗଡ଼କୁ ଜୟ କରି ନିଜ ରାଜ୍ୟ ସୀମାରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସୀମା ବୃଦ୍ଧି କରିପାରିଥିଲା, ସେ ସମ୍ବନ୍ଧିତ ତଥ୍ୟ ଆମେ ନିମ୍ନରେ ଆଲୋଚନା କରିବା ।
ଓଡ଼ିଶା ଗଡଜାତ ଇତିହାସ ଅନୁସାରେ ନୟାଗଡ଼ ରାଜ୍ୟର ରାଜା ରଘୁନାଥ ସିଂହ (ଖ୍ରୀ: ୧୫୬୫-୧୫୯୬)ଙ୍କର କନିଷ୍ଠ ପୁତ୍ର ଯଦୁନାଥ ସିଂହ ୧୫୯୫ ମସିହାରେ କିଛି ପଡ଼ା ବା ଅଞ୍ଚଳକୁ ନେଇ “ଖଣ୍ଡପଡ଼ା” ନାମରେ ଏକ ନୂତନ ରାଜ୍ୟ ସ୍ଥାପନ କରିଥିଲେ ଏବଂ ସେଠାରେ ସେ ବଘେଲା ବଂଶର ପ୍ରଥମ ରାଜା ଭାବେ ରାଜ୍ୟ ଶାସନ ଆରମ୍ଭ କରିଥିଲେ । ସେହି ଖଣ୍ଡପଡ଼ା ରାଜବଂଶର ଜଣେ ପ୍ରସିଦ୍ଧ ରାଜା ଥିଲେ ବନମାଳୀ ସିଂହ । ସେ ଜଣେ ଉତ୍ତମ ଶାସକ ହେବା ସହ ଯୁଦ୍ଧପ୍ରିୟ ମଧ୍ୟ ଥିଲେ । ତଥା ରାଜା ଦେଖିବାକୁ ଅତ୍ୟନ୍ତ ସୁନ୍ଦର, ବଳିଷ୍ଠ ଓ ଦୀର୍ଘକାୟ ଶରୀରର ଅଧିକାରୀ ଥିଲେ । ଯେଉଁଥିପାଇଁ ଅନ୍ୟ ଗଡଜାତ ରାଜାମାନେ, ଏପରିକି ଖୁର୍ଦ୍ଧା ରାଜ୍ୟର ପାଟମହିଷୀ ବା ମହାରାଣୀ ମଧ୍ୟ ତାଙ୍କ ପ୍ରତି ଇର୍ଷାପରାୟଣ ହୋଇଥିଲେ । କିନ୍ତୁ ରାଜା ନିଜ ବଳ, ସାହସ ଏବଂ ଚତୁର ବୁଦ୍ଧି ବଳରେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଏବଂ ଇର୍ଷାଳୁମାନଙ୍କ ମୁହଁ ବନ୍ଦ କରି ଆଗକୁ ଅଗ୍ରସର ହୋଇଥିଲେ ।
(ଖଣ୍ଡପଡ଼ା ରାଜା ବନମାଳୀ ସିଂହ ବାଙ୍କୀ ରାଜ୍ୟ ସହ ଯୁଦ୍ଧ କରିବା ପୂର୍ବରୁ, ଫତେଗଡ଼ରେ ଗ୍ରାମଦେବତା ଶ୍ରୀ ଗୋପୀନାଥ ଠାକୁରଙ୍କ ଆଜ୍ଞା ନେଉଥିବା ସମୟର
ଏବଂ ଠାକୁରେ ବିଜୟଶ୍ରୀ ଆଶୀର୍ବାଦ ସ୍ୱରୂପ ନିଜ ଗଳାରୁ ଏକ ଫୁଲ ମାଳ ଖସାଉଥିବାର AI ଦ୍ୱାରା ପ୍ରସ୍ତୁତ କାଳ୍ପନିକ ଚିତ୍ର)
~ ଖଣ୍ଡପଡ଼ା ଏବଂ ବାଙ୍କୀ ଯୁଦ୍ଧ ~
ଖଣ୍ଡପଡା ଇତିହାସ ଅନୁଯାଇ ଗଡ଼ର ଚତୁର୍ଥ ରାଜା ବନମାଳୀ ସିଂହ(ଖ୍ରୀ:-୧୭୨୧-୧୭୩୨), ଥିଲେ ଜଣେ ବଳଶାଳୀ ତଥା ଯୁଦ୍ଧଖୋର ପ୍ରକୃତିର ବ୍ୟକ୍ତି । ରାଜା କୁସ୍ତି ପ୍ରିୟ ମଧ୍ୟ ଥିଲେ | ସେ ନିଜେ ଏକ ମଲ୍ଲ ଯୋଦ୍ଧା ମଧ୍ୟ ଥିଲେ ଏବଂ ଏକାକୀ ଅନେକ ମଲ୍ଲକୁ ପରାସ୍ତ କରିବାର ସାମର୍ଥ ଥିଲା ତାଙ୍କ ନିକଟରେ । ସେ ସମୟରେ ରାଜାଙ୍କ ବ୍ୟବହୃତ ଲୋହ୍ୟ ଅଙ୍ଗୁଷ୍ଟି, ଖଡ୍ଗ ଆଦି ଆଜି ମଧ୍ୟ ଖଣ୍ଡପଡ଼ା ରାଜବାଟୀରେ ଶୋଭା ପାଉଛି | ଉକ୍ତ ରାଜାଙ୍କ ଶାସନ ସମୟରେ ଖଣ୍ଡପଡା ରାଜବାଟୀର ନବୀକରଣ କରାଯାଇଥିବାର ଜଣାଯାଏ | ରାଜା ନିଜ ବୀରତ୍ୱର ପ୍ରତୀକ ଭାବରେ ନଅରର ପ୍ରବେଶ ସିଂହଦ୍ୱାର ର ନାମ ” ମର୍ଦ୍ଧଦ୍ୱାର ” ରଖିଥିଲେ । ରାଜା ବନମାଳୀ ନିଜ ଶାସନ କାଳରେ ରାଜବାଟୀର ସୁରକ୍ଷା ହେତୁ ଅନେକ ପିତଳ ଏବଂ ଲୋହ୍ୟ ତୋପ,କମାଣ ନିର୍ମାଣ କରାଇ ନଅର ସିଂହଦ୍ୱାର ଦୁଇ ପାର୍ଶ୍ଵରେ ରଖାଇଥିଲେ ।
ରାଜା ବନମାଳି ନିଜ ରାଜ୍ୟ ସୀମା ବୃଦ୍ଧି ତଥା ନିଜ ଉଚ୍ଚ ଆକାଂକ୍ଷା ହେତୁ ପଡୋଶୀ ରାଜ୍ୟ ବାଙ୍କୀ ରାଜ୍ୟର କିଛି ଗଡ଼ ଜୟ କରି ନିଜ ରାଜ୍ୟ ସହ ମିଶାଇବାକୁ ମନସ୍ଥ କରିଥିଲେ | ଖଣ୍ଡପଡା ଇତିହାସ କୁହେ ଏହି ରାଜା ବାଙ୍କୀ ଜୟ ଲକ୍ଷରେ ଯାତ୍ରା ଆରମ୍ଭ କରି,ଆଜିର ଫତେଗଡ଼ ଗ୍ରାମରେ ଥିବା ଶ୍ରୀ ଗୋପୀନାଥ ଜୀଉଙ୍କ ବେଢାରେ ଶିବିର ପକାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ | ରାଜା ଏଠାକର ଗ୍ରାମଦେବତା ଶ୍ରୀ ଗୋପୀନାଥ ଦେବଙ୍କ ନିକଟରେ ଏକ ବିଶେଷ ପୂଜା କରି ଦେବଙ୍କୁ ଯୁଦ୍ଧ ଜୟ ଆଶୀର୍ବାଦ ଭିକ୍ଷା କରିଥିଲେ | ଜନଶ୍ରୁତି କୁହେ ରାଜାଙ୍କ ଭକ୍ତିରେ ୟେ ଦେବ ପ୍ରସନ୍ନ ହୋଇ ଆଶୀର୍ବାଦ ସ୍ୱରୂପ ନିଜ ପାଷାଣ ବିଗ୍ରହ ମସ୍ତକରୁ ପୁଷ୍ପ ଖସାଇଥିଲେ । ଯାହାଙ୍କ ଆଦେଶରେ ଖଣ୍ଡପଡା ଛାମୁ, ବାଙ୍କୀ ରାଜା ଦୟାନିଧି ଶ୍ରୀ ଚନ୍ଦନ( ଖ୍ରୀ:-୧୭୨୦-୧୭୩୫)ଙ୍କୁ ଯୁଦ୍ଧରେ ପରାଜିତ କରି ବାଙ୍କୀଗଡ଼ର କାଳିଗିରିର ପୂର୍ବ ଭାଗ ମଧୁପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ଅଞ୍ଚଳକୁ ନିଜ ରାଜ୍ୟ ସହ ମିଶାଇ ଦେଈଥିଲେ ।
(ଖଣ୍ଡପଡ଼ା ରାଜା ଏବଂ ବାଙ୍କୀ ରାଜାଙ୍କ ଯୁଦ୍ଧର AI ଦ୍ୱାରା ପ୍ରସ୍ତୁତ ଏକ କାଳ୍ପନିକ ଚିତ୍ର,
ଯେଉଁଥିରେ ଖଣ୍ଡପଡ଼ା ଠାକୁରେ ଶ୍ରୀ ଗୋପୀନାଥ ଦେବ ଖଣ୍ଡପଡ଼ା ରାଜାଙ୍କୁ ଆଶୀର୍ବାଦ କରୁଛନ୍ତି )
ଯୁଦ୍ଧରେ ବିଜୟୀ ହୋଇ ଫେରିବା ବନମାଳୀ ପୁନଃ ଶ୍ରୀ ଗୋପୀନାଥଙ୍କ ଶରଣ ଯାଇ, ଠାକୁରଙ୍କୁ ରାଜବାଟିକୁ ବିଜେ ହେବା ନିମନ୍ତେ ନିବେଦନ କରିଥିଲେ । ଠାକୁରଙ୍କ ଆଦେଶରେ ରାଜା ଶ୍ରୀ ଗୋପୀନାଥ ଜୀଉଙ୍କୁ ଆଣି ନଅର ମଧ୍ୟରେ ଥିବା ନାଗେନା ଉଦ୍ୟାନରେ ସ୍ଥାପନ କରିଥିଲେ । ପରେ ରାଜା କୁଞ୍ଜବିହାରୀ ମର୍ଦ୍ଧରାଜ (ଖ୍ରୀ:-୧୮୫୪-୧୮୬୪)ଙ୍କ ଶାସନ ସମୟରେ ୟେ ଦେବଙ୍କୁ ନାଗେନା ଉଦ୍ୟାନରୁ ଅଣାଯାଇ ଖଣ୍ଡପଡ଼ା ଶ୍ରୀଜଗନ୍ନାଥ ମନ୍ଦିର ବେଢା ବାମ ପାର୍ଶ୍ଵରେ ଏକ ଭବ୍ୟ ମନ୍ଦିର ତୋଳାଇ ତହିଁରେ ସ୍ଥାପନ କରାଯାଇଥିଲା | ଏହି ରାଜାଙ୍କ ରାଣୀ ସାହେବା ରାସେଶ୍ୱରୀ ଦେବୀଙ୍କ ଦ୍ୱାରା ଖଳିସାହି ଗ୍ରାମର ଶିଳ୍ପୀ ପାଣୁ ମହାପାତ୍ରଙ୍କ ହସ୍ତରେ ଶ୍ରୀ ରାଧାଙ୍କଏକ ସୁନ୍ଦର କମନୀୟ ପିତଳ ପ୍ରତିମା ନିର୍ମାଣ କରି ଠାକୁରଙ୍କ ବାମ ପାର୍ଶ୍ଵରେ ସ୍ଥାପନ କରାଯାଇଥିଲା ।
~ ରାଜା ବନମାଳୀ ମର୍ଦ୍ଧରାଜ,ଗଜପତିଙ୍କ ଠାରୁ “ଭାଇ ଭ୍ରମରବର ରାୟ” ସନନ୍ଦ ପ୍ରାପ୍ତ ~
ଖଣ୍ଡପଡ଼ା ରାଜା ବନମାଳି ସିଂହକୁ ଖୁର୍ଦାର ତତ୍କାଳୀନ ଗଜପତି ମହାରାଜା ଗୋପୀନାଥ ଦେବ ଭାଇ ଭ୍ରମରବର ରାୟ ଉପାଧି ଦେବାରେ ଏକ କାରଣ ହେଉଛି ରାଜା ବନମାଳି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ହେତୁ ଶ୍ରୀକ୍ଷେତ୍ର ରହଣି ବେଳେ ତଥା ପୁରୀ ମହାରାଜାଙ୍କ ନଅରରେ ଅତିଥି ଥିବା ସମୟରେ ଗଜପତିଙ୍କ ପାଟ ମହାଦେବୀ (ମହାରାଣୀ)ଙ୍କ ଦ୍ୱାରା ଅପମାନ ଏବଂ ପରେ ଗଜପତି ମହାରାଜା ଏହି ଅପମାନର ଭରଣୀ ନିମିତ୍ତ ଖଣ୍ଡପଡ଼ା ରାଜାଙ୍କୁ ଉକ୍ତ ସନନ୍ଦଟି ପ୍ରଦାନ କରିଥିଲେ |
କିନ୍ତୁ ଏହି ସନନ୍ଦ ପ୍ରାପ୍ତ ପଛରେ ଅନ୍ୟ ଏକ କାରଣ ରହିପାରେ ଥାଇ ପାରେ ବୋଲି ଅନ୍ୟ କେତକ ଗବେଷକ ଦାବି କରନ୍ତି, ବାଙ୍କୀ ଗଡଜାତର ପ୍ରସିଦ୍ଧ ଇତିହାସ ଲେଖକ, ପ୍ରଫେସର ଡକ୍ଟର ଲକ୍ଷ୍ମଣ ମନ୍ତୀ ନିଜ ପୁସ୍ତକରେ ବାଙ୍କୀ ଏବଂ ଖଣ୍ଡପଡା ମଧ୍ୟରେ ହୋଇଥିବା ଏହି ଯୁଦ୍ଧ ପ୍ରସଙ୍ଗରେ କିଛି ଏହି ପ୍ରକାର ମତ ଦେଇଥାନ୍ତି: ଏହି କାଳରେ ଖୁର୍ଦା ଗଜପତି ଗୋପୀନାଥ ଦେବ(ଖ୍ରୀ:-୧୭୨୦-୧୭୨୭) ଥିବାବେଳେ ଖଣ୍ଡପଡ଼ା ନରେଶ ଥିଲେ ବନମାଳୀ ସିଂହ (ଖ୍ରୀ:-୧୭୨୧-୧୭୩୨) ଏବଂ ବାଙ୍କୀ ରାଇଜର ରାଜା ଥିଲେ, ଦୟାନିଧି ଶ୍ରୀଚନ୍ଦନ ମହାପାତ୍ର (ଖ୍ରୀ:-୧୭୨୦-୧୭୩୫), ଏବଂ ଏହି ଯୁଦ୍ଧରେ ବାଙ୍କୀ ରାଜା ପରାସ୍ତ ହୋଇଥିଲେ |
(ଖଣ୍ଡପଡ଼ା ରାଜା ଯୁଦ୍ଧ ଜୟ କରିବା ପରେ ଶ୍ରୀ ଗୋପୀନାଥ ଜୀଉ ଙ୍କ ମନ୍ଦିର ସମୁଖରେ ନିଜ ସୈନ୍ୟସାମନ୍ତ ସହ
ଠାକୁରଙ୍କୁ ପ୍ରଣାମ କରୁଥିବାର AI ଦ୍ୱାରା ପ୍ରସ୍ତୁତ ଏକ କାଳ୍ପନିକ ଚିତ୍ର)
ଏହି ସମୟ ବୋଧେ ବାଙ୍କୀ ଖୁର୍ଦ୍ଦା ଯୁଦ୍ଧର ଠିକ ପରବର୍ତ୍ତୀ ସମୟର ଘଟଣା ହୋଇପାରେ । ବଡମ୍ବା ରାଇଜର ଗୌରବ ସୁପୁତ୍ରୀ ତଥା ବାଙ୍କୀ ଗଡ଼ର ବିରଙ୍ଗନା ରାଣୀ ଶୁକଦେଈଙ୍କ ଦ୍ୱାରା ଗଜପତି ଗୋପୀନାଥ ଦେବ ପରାସ୍ତ ତଥା ଜୀବନ ଦାନ ପାଇବା ଗ୍ଲାନିରେ ଗଜପତି ଖୁର୍ଦା ନଅରରେ ଅବସ୍ଥାପିତ କରୁଥିବେ । ସେଇ ସମୟରେ ନିଜ ପରମ ବନ୍ଧୁ ଖଣ୍ଡପଡା ରାଜାଙ୍କୁ ନିଜ ଅପମାନର ପ୍ରତିଶୋଧ ନେବା ହେତୁ ପ୍ରୟୋଗ କରିଥିବେ, ଏବଂ ଖଣ୍ଡପଡ଼ା ରାଜା ଗଜପତିଙ୍କ ପ୍ରବଞ୍ଚନାରେ ସୀମା ବିବାଦ ବାହାନାରେ ବାଙ୍କୀ ସହ ଏହି ଯୁଦ୍ଧଟି କରିଥାଇପାରନ୍ତି । ସେଇ ସମୟରେ ବାଙ୍କୀର ସାମରିକ ତଥା ଆର୍ଥିକ ସ୍ଥିତି ପ୍ରାୟ ଦୁର୍ବଳ ଥାଇପାରେ କାରଣ ଓଡିଶା ଗଡଜାତ ମହଲର ମୁଖ୍ୟ ବୋଲାଉଥିବା ରାଇଜ ଖୁର୍ଦା ଗଜପତିଙ୍କ ବିରାଟ ସୈନ୍ୟ ସହ ଲଢ଼ିବା ଜଣେ ଗଡଜାତ ରାଜାଙ୍କ ପକ୍ଷେ ଏକ ସାହାସିକତା କାର୍ଯ୍ୟ ହୋଇଥିଲେ ମଧ୍ୟ ଅନ୍ୟ ଦୃଷ୍ଟିରୁ ଗୋଟିଏ ଛୋଟିଆ ଗଡ଼ର ଏହା ଏକ ବ୍ୟୟବହୁଳ ଯୁଦ୍ଧ ଅଟେ । ଯୁଦ୍ଧରେ ଜୟ ଲାଭ କରିବା ସତ୍ୱେ ବାଙ୍କୀ ଗଡ଼ର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡିଥାଇପାରେ ପୁଣି ରାଣୀ ଶୁକଦେବୀଙ୍କ ଆକସ୍ମିକ ବିୟୋଗ କାରଣରୁ ନାବାଳକ କୁମାର ଦୟାନିଧି ରାଜନୀତି କ୍ଷେତ୍ରରେ ଏକାକୀ ଅନୁଭବ କରିଥାଇପାରନ୍ତି । ଛୋଟ ବୟସ ହେତୁ ତାଙ୍କର ରାଜନୀତି କ୍ଷେତ୍ରରେ ସେତେଟା ଜ୍ଞାନର ଅଭାବ ନିଶ୍ଚୟ ରହିଥିବ, ଯାହାର ସୁଯୋଗ ନେଇ ଗଜପତି ଗୋପୀନାଥ ଦେବ, ବନମାଳୀଙ୍କ ସାହାଯ୍ୟର ବାଙ୍କୀ ବିରୋଧରେ ଯୁଦ୍ଧ କରାଇଥିବେ । ବାଙ୍କୀ ଇତିହାସ ମଧ୍ୟ କୁହେ ଏହି ଯୁଦ୍ଧରେ ବାଙ୍କୀ ରାଜା ପରାସ୍ତ ହୋଇଥିଲେ ଏବଂ ବାଙ୍କୀ ରାଇଜର ଅନେକ ଅଞ୍ଚଳ ଖଣ୍ଡପଡ଼ା ରାଇଜର ଅନ୍ତର୍ଗତ ହୋଇଥିଲା ।
ବ୍ରିଟିଶ ଇତିହାସକାର REMESY ସାହେବଙ୍କ ନିଜ ପୁସ୍ତକ Frudatory State of Orissaରେ ଖଣ୍ଡପଡ଼ା ରାଜାଙ୍କ ଭାଇ ଭ୍ରମରବର ସନନ୍ଦ ପ୍ରାପ୍ତ ସମ୍ଭଦ୍ଧରେ କିଛି ଏହି ଏହି ପ୍ରକାର କେଖିଚନ୍ତି: “Raja Banamali singh of Khandapara was a powerful Chief and assisted the Maharaha of orissa aganist the attacks of his enemies; He received as a reward the title of Bhai Mardraj Bharamarabar Rai”, Which is employed by the chief to the present day. ଏଥିରୁ ସ୍ପଷ୍ଟ ହୁଏ ଖଣ୍ଡପଡ଼ା ରାଜା ବନମାଳି ସିଂହ, ଖୁର୍ଦା ଗଜପତିଙ୍କ ଶତ୍ରୁ ସହ ଯୁଦ୍ଧରେ ଆବଶ୍ୟକ ସାହାଯ୍ୟ ସହଯୋଗ କରିଥିବାରୁ, ଏହି ସନ୍ନମାନ୍ନନୀୟ ସନନ୍ଦଟି ଗଜପତିଙ୍କ ଠାରୁ ପ୍ରାପ୍ତ କରିଥିଲେ । ଓଡିଶା ତଥା ଖୁର୍ଦା ଇତିହାସକୁ ଲକ୍ଷ କଲେ ସେଇ ସମୟରେ ଖୁର୍ଦା ରାଜ୍ୟର, ବାଙ୍କୀ ରାଜ୍ୟ ଏକ ପ୍ରମୁଖ ଶତ୍ରୁ ରାଜ୍ୟ ରୁପେ ଉଭା ହୋଇଥିଲା । ସତୁରା ବାଙ୍କୀ ଯୁଦ୍ଧରେ ଖଣ୍ଡପଡା ରାଜା ବିଜୟ ଲାଭ କରିଥିବାରୁ ସେ ଏହି ସନନ୍ଦତ ଗଜପତିଙ୍କ ଠାରୁ ପ୍ରାପ୍ତ କରିଥିବେ ।
(ଯଶସ୍ବିନୀ ବାଙ୍କୀବୀରା ମହାରାଣୀ ଶୁକଦେଇଙ୍କର କାଳ୍ପନିକ ଚିତ୍ର )
~ ଖଣ୍ଡପଡ଼ା ଏବଂ ନୟାଗଡ଼ ରାଜ୍ୟର ସୀମାକୁ ନେଇ ଦୁଇ ଗଡଜାତ ମଧ୍ୟରେ ହୋଇଥିବା ଯୁଦ୍ଧ ~
ଏହି ଦେବତାଙ୍କୁ ନେଇ ଅନ୍ୟ ଏକ ଘଟଣା ମଧ୍ୟ ଶୁଣିବାକୁ ମିଳେ । ସେହି ଦିବ୍ୟକାନ୍ତି ସ୍ୱରୂପ ଭଗବାନ ଶ୍ରୀକୃଷ୍ଣ, ଯିଏ ଖଣ୍ଡପଡ଼ା ଗଡ଼ରେ ଶ୍ରୀ ଗୋପୀନାଥ ଜୀଉ ରୂପେ ଆବିର୍ଭୂତ ହୋଇ ଖଣ୍ଡପଡ଼ା ରାଜ୍ୟକୁ ସମସ୍ତ ବିପଦ-ଆପଦରୁ ରକ୍ଷା କରି ରାଇଜକୁ ସୁରକ୍ଷା ପ୍ରଦାନ କରିଥିଲେ । ଖଣ୍ଡପଡ଼ା ତଥା ନୟାଗଡ଼ର ଇତିହାସ କୁହେ ଯେ, ଏହି ଉଭୟ ରାଜ୍ୟର ସୀମା ନୟାଗଡ଼ ରାଜ୍ୟର ଉତ୍ତର ଦିଗରେ ଥିବା ରାଜଗିରି ପାହାଡ ଏବଂ ଯୋଗିଆପଲ୍ଲୀ ଗ୍ରାମ ସ୍ଥିର ହୋଇଥିଲା | କିନ୍ତୁ ଏହାକୁ ନେଇ ଉଭୟ ରାଜ ପରିବାର ଅସନ୍ତୁଷ୍ଟ ଥିଲେ । ଏକଦା ଖଣ୍ଡପଡା ରାଜା କୁଞ୍ଜ ବିହାରୀ ସିଂହ ମର୍ଦରାଜ ଏବଂ ନୟାଗଡ଼ ରାଜା ବ୍ରଜବଲ୍ଲଭ ସିଂହ ମାନଧାତା (ଖ୍ରୀ:-୧୮୨୩-୧୮୫୩) ଙ୍କ ମଧ୍ୟରେ ସୀମାକୁ ନେଇ ଏକ ଖଣ୍ଡଯୁଦ୍ଧ ହୋଇଥିଲା । ସେତେବେଳେ ଓଡିଶା ରାଜ୍ୟ ଥାଏ ବ୍ରିଟିଶ ସରକାରଙ୍କ ଶାସନାଧୀନ ।
ଖଣ୍ଡପଡା ଇତିହାସ ଅନୁସାରେ ଖଣ୍ଡପଡା ରାଜା କୁଞ୍ଜବିହାରୀ ସିଂହ ମର୍ଦରାଜ (ଖ୍ରୀ:-୧୮୩୭-୧୮୬୬) ଏକଦା ରାଜଉଆସ ବାରଣ୍ଡାରେ ବସି ନାପିତ ଦ୍ୱାରା କ୍ଷୁର ହେଉଥିବା ବେଳେ ହଟାତ ଗଡ଼ର ଦଳବେହେରା ରାଜାଙ୍କ ପାଖରେ ପହଂଚି ଯୋଡ଼ିହସ୍ତରେ କହିବାକୁ ଲାଗିଲା, ଛାମୁ ନୟାଗଡ଼ ପାଇକ ସେନାଙ୍କ ଉଦ୍ଧତ ଚରମ ସୀମାରେ ପହଁଚିଲାଣି, ସେମାନେ ଯୋଗିଆପଲ୍ଲୀ ଗ୍ରାମ ଅତିକ୍ରମ କରି ଆମ ରାଇଜର ଲକ୍ଷ୍ମୀପ୍ରାସାଦ ଗ୍ରାମ ଦଖଲ କରିସାରିଲେଣି । ଆମେ ଅଳ୍ପ ସଂଖ୍ୟକ ପାଇକ ଥିବାରୁ ପ୍ରତିରୋଧ କରିବାରେ ସକ୍ଷମ ହେଲୁନାହିଁ । ୟେ ସମ୍ବାଦ ମୁଁ ବେଳସୁ ପାଇକ ଦୂତ ହାତରେ ଛାମୁଙ୍କ ନିକଟକୁ ପଠାଇଥିଲି କିନ୍ତୁ ମଣିମାଙ୍କ ଠାରୁ କିଛି ଆଦେଶ ନମିଳିବାରୁ ମୁଁ ନିଜେ ଆସିଲି । ଛାମୁଙ୍କ ସ୍ଥାନରେ ଜଦି ଆମର ଜଣେ ଜେମା ଥାନ୍ତେ ତେବେ ଭଲ ଜୁଆଇଁ ଟେ ପାଇ ଆଜି ନୂଆଗଡକୁ ପାନେ ଦେଇପାରିଥାନ୍ତେ | ଏ ପରି ତାଛଲ୍ୟ ବାଣୀ ଶୁଣି ରାଜା ଲଜ୍ୟା ଅନୁଭବ କରିଥିଲେ । ପରେ ନଅର ପାଖରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢାର କୁଞ୍ଜବିହାରୀ ଠାକୁରଙ୍କ ନିକଟକୁ ଜାଇ ଯୁଦ୍ଧ ମିମନ୍ତେ ଆଜ୍ଞା ମାଗିଥିଲେ ।
(ଖଣ୍ଡପଡ଼ା ରାଜା ଯୁଦ୍ଧ ଜୟ କରିବା ପରେ ଶ୍ରୀ ଗୋପୀନାଥ ଜୀଉ ଙ୍କ ସମୁଖରେ ନିଜ ପାତ୍ରମନ୍ତ୍ରୀ ସାମନ୍ତ ସହ
ଠାକୁରଙ୍କୁ ପ୍ରଣାମ କରୁଥିବାର AI ଦ୍ୱାରା ପ୍ରସ୍ତୁତ ଏକ କାଳ୍ପନିକ ଚିତ୍ର)
ଜନଶ୍ରୁତି କୁହେ ରାଜାଙ୍କ ଗୁହାରି ଠାକୁରେ ଶୁଣି ଆଜ୍ଞା ସ୍ୱରୂପ ନିଜ ଗଳାରୁ ଚମ୍ପାଫୁଲ ମାଳଟି ଖସାଇ ଦେଇଥିଲେ, ଯାହାଙ୍କୁ ରାଜା ନିଜ ଗଳାରେ ପିନ୍ଧି ଯୁଦ୍ଧକୁ ଅଗ୍ରସର ହୋଇଥିଲେ । ଯୁଦ୍ଧରେ ଖଣ୍ଡପଡା ରାଜା ବିଜୟ ଲାଭ କରି ନୟାଗଡ଼ ରାଜ୍ୟର ଗୋବିନ୍ଦପୁର, ଶୁକଳଗାଡ଼ିଆ ଆଦି ଗ୍ରାମ ଦଖଲ କରିଥିଲେ । ପରେ ତତ୍କାଳୀନ ବ୍ରିଟିଶ ସୁପରଟେଣ୍ଡଙ୍କ ହସ୍ତକ୍ଷେପରେ ଦୁଇ ରାଇଜ ମଧ୍ୟରେ ସମାଧାନ ହୋଇପାରିଥିଲା ।
ଜନଶ୍ରୁତି କୁହେ ଖଣ୍ଡପଡା ରାଜା ଗୋବିନ୍ଦପୁର ଗ୍ରାମରେ ଥିବା ବେଳେ ଗ୍ରାମର ଗ୍ରାମଦେବୀ ମା’ କାଉଁରୀ କାମାକ୍ଷାଦେବୀଙ୍କ ବେଢାରେ ଥିବା ମା ଲିଆଖାଇ (ମା’ଙ୍କ ଅନ୍ୟ ନାମ ଚଣାଖାଇ) ଙ୍କ କୃପାରୁ ଯୁଦ୍ଧ ଜୟ କରିଥିଲେ ଏଣୁ ରାଜା ଫେରିଲା ସମୟରେ ମା’ଙ୍କୁ ଏକ ସ୍ଥାନରେ ବୋଦା ବଳି ଟିଏ ଅର୍ପଣ କରି ନିଜ ଗଡ଼କୁ ବାହୁଡ଼ି ଥିଲେ । ରାଜା ଉକ୍ତ ସ୍ଥାନଟି ର ନାମ ବୋଦାପଡ଼ା ଦେଇଥିଲେ, ବର୍ତମାନ ନୟାଗଡ଼ ସଦର ମହକୁମାର ଉତ୍ତର ଦିଗ ମାତ୍ର ୩ କି.ମି ଦୂରରେ ଅବସ୍ଥିତ । ସେଦିନ ଠାରୁ ପ୍ରତେକ ଶାରଦୀୟ ଦଶହରା ସମୟରେ ଦଶହରା ପରବ ପାଳନ ନିମନ୍ତେ ଯେତେବେଳେ ମା’ କାଉଁରୀ କାମାକ୍ଷା ଦେବୀ, ମା’ ଲିଆଖାଇଙ୍କ ସହ ନିଜ ବାପଘର ଶୁକ୍ଳଗାଡ଼ିଆ ଗ୍ରାମକୁ ଯାତ୍ରା କରିଥାନ୍ତି । ସେହି ସମୟରେ ଖଣ୍ଡପଡା ରାଜ ପରିବାର ତରଫରୁ ଏକ ବୋଦା ବଳି ମା’ଙ୍କୁ ଅର୍ପଣ କରିବାର ପରମ୍ପରା ରହି ଆସିଥିଲା । କିନ୍ତୁ ଦେଶ ସ୍ୱାଧୀନତା ଲାଭ ତଥା ରାଜା ରାଜୁଢ଼ା ଶାସନ ଅନ୍ତ ପରେ ଉକ୍ତ ପରମ୍ପରାଟିର ମଧ୍ୟ ଅନ୍ତ ହୋଇଯାଇଅଛି ।
ଐତିହାସିକ ସନ୍ଦର୍ଭ: “ଚାରି ଗଡ଼ଜାତର ଗୌରବମୟ ଗାଥା, ନୟାଗଡ଼ ଇତିହାସ”, ଲେଖକ : Prasant Das
Khandapada Gada Khandapara Banki Khurda Rani Sukadei Nayagarh Nayagada Itihasa
Cover Image Courtesy: Social Media