~ ଜଳଖିଆ ~
ଲେଖା: ଡ. ଜୟଶ୍ରୀ ନନ୍ଦ
ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ ହେଉଛି ଆମ ଅତି ପ୍ରିୟ ଉତ୍କଳ-କଳିଙ୍ଗ ଆମ ଜନ୍ମଭୂମି ଓଡ଼ିଶା। ଓଡିଆ ଖାଦ୍ୟ,ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ୱରେ ଅନନ୍ୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିରେ ଭିନ୍ନ ଭିନ୍ନ ପୈାଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡିଆଙ୍କ ଜୀବନଶୈଳୀର ଅଂଶବିଶେଷ ।
ଓଡ଼ିଆ ଘରର ଖାଦ୍ୟ ସନ୍ତୁଳିତ। ସାଧାରଣତଃ ଓଡ଼ିଆ ଘରେ ଜଳଖିଆରେ ପିଠା, ଚୁଡା, ମୁଢି, ଖଇ, ଉଖୁଡା ଏ ସବୁ ଖିଆଯାଏ। ତା ସହିତ କଦଳୀ, ଖିର, ଦହି, ଛେନା ଓ ଋତୁ ଅନୁଯାୟୀ ବିଭିନ୍ନ ଫଳ ଯେମିତି ଆମ୍ବ, ପଣସ, ଆତ, ତାଳ ଇତ୍ୟାଦି। ଅନେକ ଲୋକ ମୁଗ ବୁଟ ଓ ମଟର ଭିଜା ବା ଗଜା ମୁଗ ମଟର ଆଦି ଜଳଖିଆରେ ଖାଇବାକୁ ପସନ୍ଦ କରନ୍ତି।
ଯେହେତୁ ଓଡ଼ିଶା କୃଷିଭିତ୍ତିକ ରାଜ୍ୟ ଚାଷୀ ଓ ପରିଶ୍ରମୀ ଲୋକମାନେ ସକାଳୁ ପଖାଳ ଖାଇ ବିଲକୁ ଯିବାକୁ ପସନ୍ଦ କରନ୍ତି। କେହି କେହି ପଖାଳ ବଦଳରେ ଚୁଡାରେ ପାଣି ଲୁଣ କଞ୍ଚାଲଙ୍କା ଆଦି ପକାଇ ପଖାଳ ପରି ବି ଖାଆନ୍ତି। ପଖାଳ ସହ ଆଳୁ ଓ ପରିବା ଭଜା କିମ୍ବା ପୋଡାପୋଡି ଚକଟା ବା ପାଗ କରି ଖାଆନ୍ତି। ବିଭିନ୍ନ ପ୍ରକାରର ବଡିଭଜା, ବଡିଚୁରା, ଗୁଲିପିଆଜ, ରସୁଣ ଆଦି ଚକଟି ଖାଆନ୍ତି।
ପଖାଳ ସହ ଧଣିଆ/ପୁଦିନା ଆଦି ଚଟଣୀ ମଧ୍ୟ ଖାଆନ୍ତି । ସକାଳୁ ସକାଳୁ ଘରୁ ବାହାରକୁ ଗଲେ ଚାରିଦିଗ ଚହଟୁ ଥାଏ ଧଣିଆ ପତ୍ରର ବାସ। ନୂଆ ନୂଆ କାକୁଡି ଫଳିଥିବା ସମୟରେ ପଖାଳ ସହ କଷି କାକୁଡି ରସୁଣ କଞ୍ଚାଲଙ୍କା ପାଗର ବାସ୍ନା। ଏ ସବୁ ପିଲାବେଳ ଗାଁ ସକାଳର ସ୍ମୃତି। ଯେଉଁ ବାସ୍ନାରେ ସବୁ ଖାଣ୍ଟି ପନିପରିବାର ବାସ। କେତେ ପ୍ରକାରର ଶାଗ ଭଜାର ବାସ୍ନା । କୋଶଳା, ଖଡା, ସଜନା, ସୁନୁସୁନିଆ, କଳମ, ପୋଇ ଏମିତି ନାଁ ଲେଖିବସିଲେ ତ ସରିବନି। ଯେଉଁ ସମୟରେ ଯେଉଁ ପରିବା ଆଉ ଚୁଲି ନିଆଁରେ ପୋଡା ହୋଇ ପରିବା ଚକଟା ଆଉ ତାହାର ଅସଲି ସ୍ବାଦ, ବାସ କ’ଣ କେବେ ଭୁଲି ହୁଏ। ଆଜି କାଲି ପରିବାରେ ସେ ବାସ ନାହିଁ। ଜେଜେମା ଆଈ କହନ୍ତି କାକୁଡିଟେ ଚକଟି ଦେଲେ ପାଞ୍ଚକୋଷ ଯାଏ ବାସେ। କେଉଁଠୁ ମିଳିବ ସେ ସ୍ବାଦ ? ଆଜି ମଣିଷଙ୍କ ପାଖରେ ସମ୍ପର୍କ ତ ଅଛି ହେଲେ ଆନ୍ତରିକତାର ବାସ ନାହିଁ ସମ୍ପର୍କରେ, ସେହିପରି ପରିବା ତ ଅଛି ହେଲେ ତାର ସ୍ବାଦ ଗନ୍ଧ ସବୁ ବଦଳି ଯାଇଛି।
ଓଡ଼ିଆ ଘରେ ଜଳଖିଆରେ ପିଠାର ଭୂମିକା ଅତି ଉପରେ। ଆଜି କାଲି ପରି ଆଗେ ରୁଟି ପରଟାର ଏମିତି ଚାହିଦା ନ ଥିଲା ଓଡ଼ିଶାରେ । ସରୁଚକୁଳି, ବୁଢାଚକୁଳି, ଚିତଉ, କାକରା, ମଣ୍ଡା, ଆରିସା, ଛୁଙ୍କଚକୁଳି, ବିଭିନ୍ନ ପରିବା ପଡି ଚକୁଳି, ପିଆଜ, ପିଆଜ ଷଣ୍ଢା ଆଦି ପଡି ପିଠା ଏ ସବୁ ଥିଲା ପ୍ରତିଦିନର ଜଳଖିଆ।
ଚକୁଳି ପିଠା ସହ ଗୁଡ, ଛେନା, ଖିର । ଆମ୍ବ ପଣସ ସମୟରେ ଆମ୍ବରସ/ସୋଦୁଅ, ପଣସ ସୋଦୁଅ, ଆଖୁ ଅମଳ ସମୟରେ ଦୋରୁଅ, ମହୁଆ, ପାଣିଗୁଡ ଏ ସବୁ ବି ଖିଆଯାଏ। କିଛି ଲୋକଙ୍କ ଘରେ ମହୁଚାଷ ସେମାନେ ଚିନି ବଦଳରେ ପିଠାରେ ମହୁ ବି ଖାଆନ୍ତି।
ଚୁଡା ଚକଟାରେ କଦଳୀ ଗୁଡ ଖିର ବା ଅମୂଲ ଗୁଣ୍ଡ, ଖିର ସହ ମୁଢି ଚିନି । ଚୁଡା ଆମ୍ବ ସୋଦୁଅ, ଚୁଡା ସହ ଆଖୁ ଦୋରୁଅ, ଚୁଡା ମୁଢିରେ ବସାଦହି, ଛେନା।
ଓଡ଼ିଆ ଘରେ ଜଳଖିଆରେ ବା ସକାଳେ ସର୍ବତ, ପଣା ଏ ସବୁର ଚାହିଦା ବି ଅନେକ। ଓଡ଼ିଆ ଘରେ ବାରମାସେ ତେର ପର୍ବ ତେଣୁ ପ୍ରାୟତଃ ଅନେକ ଦିନ ଓଷା ବାର ବ୍ରତରେ ବିଭିନ୍ନ ପାନୀୟ ସେବନ କରନ୍ତି। ଯେମିତି ଫଳ, ଦହିଛେନା, ନଡିଆକୋରା ଆଦି ପଡି ପଣା, ବେଲ ସମୟରେ ବେଲପଣା, ଦହିପଣା, ବସକଦହି ସର୍ବତ, ପାଳୁଅସର୍ବତ ଲେମ୍ବୁପାଣି, ଦୋରୁଅ, ଗୁଡପାଣି, ପାନମଧୁରୀ ଗୋଲମରିଚ ଆଦି ପଡି ସର୍ବତ।
ଓଡ଼ିଆଙ୍କ ଘରେ ସକାଳୁ ଚା ନ ହେଲେ ନ ଚଳେ। ଚାହାର ଚାହିଦା ବି କିଛି କମ୍ ନୁହେଁ। ଚାହା ସହ ଚୁଡାଭଜା, ଅଟାଭଜା, ମୁଢି ଖଇ ଏ ସବୁ ବି ଲୋକମାନେ ଖାଇବା ପାଇଁ ପସନ୍ଦ କରନ୍ତି। ଜଳଖିଆରେ ବିଭିନ୍ନ ପ୍ରକାରର ଛତୁଆର ସ୍ଥାନ ମଧ୍ୟ କମ୍ ନୁହେଁ।
ଏ ତ ଜଳଖିଆ କଥା। ମଧ୍ୟାହ୍ନଭୋଜନ, ରାତ୍ରୀଭୋଜନର ଖାଦ୍ୟର ପ୍ରକାର ଭେଦ ଓ ତାର ତାଲିକା କଣ କରିହେବ ?
ଆଜି ଏ କଥା ମନକୁ ଆସୁଛି ଏତେ ସମୃଦ୍ଧ ସନ୍ତୁଳିତ ପ୍ରକାର ଭେଦ ଏକ ବଡ ଓଡ଼ିଆ ଜଳଖିଆର ତାଲିକା ଥାଉ ଥାଉ ଆମେ ଆମ ପରପିଢିଙ୍କୁ ଓଟ୍’ସ୍, କେକ, କର୍ଣ୍ଣଫ୍ଲେକ୍ସ, ନଟେଲା, ବ୍ରେଡ୍ ବଟର ଏ ସବୁ କାହିଁକି ଦେଉଛେ। ଆମ ଖାଦ୍ୟ ଆମର ଗର୍ବ । ଆଉ କିଛି ବର୍ଷ ପରେ ଆମ ପିଲାମାନେ ଆମ ଓଡ଼ିଶାର କେଉଁ ଖାଦ୍ୟ ବା ତାର ନାଁକୁ ସମ୍ପୁର୍ଣ୍ଣ ଭୁଲିଯିବେ। ବିଲୁପ୍ତପ୍ରାୟ ହୋଇଯିବ ଆମ ଖାଦ୍ୟ !
ଅଜା ଜେଜ ଏମାନଙ୍କ ସମୟରେ ସବୁ ଲୋକ ଅନେକ ଦିନ ବଞ୍ଚୁଥିଲେ, ସୁସ୍ଥ ରହୁଥିଲେ ଏ ସବୁ ଓଡ଼ିଆ ଖାଦ୍ୟ ଖାଇ। କାଁ ଭାଁ କେହି ଜଣେ ମେଦବହୁଳତାର ଶିକାର ହେଉଥିଲେ, ହେଲେ ଏବେ ? ଆମ ଚଳଣି ଆମ ଖାଦ୍ୟ ଆମ ପରମ୍ପରା ଖୁବ୍ ସମୃଦ୍ଧ ଯତ୍ ସମ୍ଭବ ଆମେ ଏ ସବୁ ଆମ ପରପିଢିକୁ ଦେବା ଓ ପ୍ରଯତ୍ନ କରିବା।
Jalakhia Ama Odia Khadya
Dr. Jayashree Nanda
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 week ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

2 months ago