ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: “ଲଙ୍ଗଳ ଯା’ର ଜମି ତା’ର” ଆନ୍ଦୋଳନ
ଉପସ୍ଥାପନା: ଅମ୍ବିକା ପଟନାୟକ
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ l (ସନ୍ଥକବି ଭୀମଭୋଇ)
ସନ୍ଥ ଭୀମ ଭୋଇଙ୍କ ଏ ଅମୀୟ ଉଦଘୋଷଣା ସେ ମହାନ ବ୍ୟକ୍ତି ନିଜ ଜୀବନରେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ l ଶ୍ରେଣୀହୀନ ସମାଜ ଗଠନ, ଅର୍ଥନୈତିକ ସମ୍ପଦର ସୁଷମ ବଣ୍ଟନ ସାମ୍ୟବାଦର ମୂଳ ଉପାଦାନ l ଜଣେ ସ6ଚ୍ଚlଟ ସାମ୍ୟବାଦୀ ଭାବେ ସେ ଆନ୍ତରିକ ଭାବରେ ଏହାର ଅନୁସରଣ କରିଥିଲେ l
କଥାରେ ଅଛି
“ଦାନ ଦେଇ ତୁଣ୍ଡ ଖୋଲିବୁ ନାହିଁ,
ଭୋଜି ଦେଇ ମୁଣ୍ଡ ଗଣିବୁ ନାହିଁ” l
ସବୁ ସ୍ଥାନରେ ସବୁକାଳରେ ଦାନ ଓ ଦାନୀର ମହତ୍ତ୍ୱ ଅତି ସୁନ୍ଦର ଭାବେ ପ୍ରକ୍ଷାପିତ l ପୁରାଣର ବଳି, ଶିବି ବା କର୍ଣ୍ଣ ହୁଅନ୍ତୁ କି ଇତିହାସର ସମ୍ରାଟ ହର୍ଷବର୍ଦ୍ଧନ ହୁଅନ୍ତୁ ସମସ୍ତଙ୍କ ଦାନ ଗାଥା ବର୍ଣ୍ଣିତ l ଆଜି ଆମେ ଆଲୋଚନା କରିବା ଜଣେ ନିହାତି ସାଧାରଣ ମାନବଙ୍କ ଅସାଧାରଣ କୀର୍ତ୍ତିରାଜି l ସେ ହେଉଛନ୍ତି ଗଞ୍ଜାମର ଶେରଗଡ଼ ନିକଟସ୍ଥ ତାକରଡ଼ା ଗ୍ରାମର “କମ୍ରେଡ ଗୋବିନ୍ଦ ପ୍ରଧାନ” l ଜନ୍ମ 7 ମେ 1902 l
ଇଂରେଜ ଶାସନର ସମୟ l ଦେଶ ଅନେକ କ୍ଷୁଦ୍ର, ମଧ୍ୟମ, ବୃହତ ଜମିଦାରୀରେ ବିଭକ୍ତ ଥିଲା l ଇଂରେଜ ମାନଙ୍କୁ ନିର୍ଦ୍ଧାରିତ ବାର୍ଷିକ ପେଶକିସ ଦେଇ ଏଇ ଜମିଦାର, ରାଜା, ମହାରାଜା ମାନେ ନିଜ ଇଚ୍ଛା ଅନୁସାରେ ନିଜ ଅଞ୍ଚଳ ଶାସନ କରୁଥିଲେ l ପ୍ରଜାଙ୍କ ଉପରେ ମନ ଇଚ୍ଛା କରଭାର ଲଦି ଦିଆଯାଉଥିଲା l ଗୋବିନ୍ଦ ପ୍ରଧାନଙ୍କ ପିତା ଶେରଗଡ଼ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ l ସେତେବେଳେ ତାଙ୍କ ପାଖରେ ପ୍ରାୟ ପାଞ୍ଚ ହଜାର ଭରଣ (ପ୍ରାୟ ନ ଶହ ଏକର) ଧାନ ଜମି ଥିଲା l ଅମାରରେ ଶହ ଶହ ଭରଣ ଧାନ ଆଉ ଘରେ ନଗଦ ଟଙ୍କା ମଧ୍ୟ ଥିଲା l ତାକରଡ଼ା ଗ୍ରାମରେ ପଥର ବନ୍ଧେଇ ଘର ଥିଲା l ସେ ସମୟରେ ପଥର ପିଣ୍ଡା କରିବା ଅର୍ଥ ରାଜ ରୋଷ ଆମନ୍ତ୍ରଣ କରିବା ଏଣୁ ପ୍ରଧାନଙ୍କ ପ୍ରତିପତ୍ତି ଅନୁମେୟ l
ଏକ ପ୍ରଭାବଶାଳୀ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ଶ୍ରୀ ଗୋବିନ୍ଦ ପ୍ରଧାନ ପରିବାର ମଧ୍ୟରେ ବାନ୍ଧି ହୋଇ ରହି ନ ଥିଲେ l ସେ ସମୟରେ ସ୍ୱାଧୀନତା ଆନ୍ଦୋଳନ ମୁଣ୍ଡ ଟେକୁଥିଲା l ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ 1928 ରେ କଂଗ୍ରେସରେ ଯୋଗଦେଇ ନିଜର ରାଜ ନୈତିକ ଜୀବନ ଆରମ୍ଭ କରିଥିଲେ l 1932 ର ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ l
1 ଏପ୍ରିଲ 1936 ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପରେ ପ୍ରାଦେଶିକ ନିର୍ବାଚନ ହେଲା l ଶ୍ରୀ ଗୋବିନ୍ଦ ପ୍ରଧାନ ଓଡିଶା ବିଧାନସଭାର ଗଞ୍ଜାମ ଜିଲ୍ଲା ସଭ୍ୟ ଭାବେ 1936 ରୁ 1950 ପର୍ଯ୍ୟନ୍ତ ରହିଥିଲେ l ସେଇ 1 ଏପ୍ରିଲ 1936 ରେ ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ ସାଥୀ ଗୁରୁଚରଣ ପଟନାୟକପ୍ରାଣନାଥ ପଟନାୟକଙ୍କ ସହ ମିଶି ଓଡିଶାରେ କମ୍ୟୁନିଷ୍ଟ ଦଳ ପ୍ରତିଷ୍ଠା କଲେ ଓ ବିଭିନ୍ନ ସ୍ଥାନ ବୁଲି କମ୍ୟୁନିଷ୍ଟ ଦଳର ନୀତି ଓ ଆଦର୍ଶ ପ୍ରଚାର କଲେ l ରାଜତନ୍ତ୍ରର ଅତ୍ୟାଚାର ଓ ଇଂରେଜ କୁଶାସନ ବିରୁଦ୍ଧରେ ସେମାନେ ତୀବ୍ର ପ୍ରତିବାଦ ଆରମ୍ଭ କଲେ l ଶ୍ରୀ ଭଗବତୀ ଚରଣ 1943 ରେ ଗଞ୍ଜାମ ଆସି ଜିଲ୍ଲା କମ୍ୟୁନିଷ୍ଟ ଦଳ ପ୍ରତିଷ୍ଠା କଲେ l ଅଳ୍ପଦିନ ପରେ ରହସ୍ୟମୟ ଭାବେ ତାଙ୍କ ମୃତ୍ୟୁ ହେଲା l
ଶ୍ରୀ ଗୋବିନ୍ଦ ପ୍ରଧାନ କଂଗ୍ରେସ ଦଳରେ ଥାଇ 1942 ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଏ କମ୍ୟୁନିଷ୍ଟ ଚିନ୍ତାଧାରା ବେଶ ପ୍ରଭାବିତ କରିଥିଲା l ଏଇ ଦଳ ମାଧ୍ୟମରେ ବଞ୍ଚିତ ଶୋଷିତ ଜନ ସାଧାରଣଙ୍କ ସାମୁହିକ ଉନ୍ନତି ହୋଇପାରିବ ବୋଲି ଭାବନା କରି 1943ରେ କମ୍ୟୁନିଷ୍ଟ ଦଳରେ ଯୋଗ ଦେଇଥିଲେ l ଗୋବିନ୍ଦ ପ୍ରଧାନ ଓ ହରିହର ଦାଶ ଗଞ୍ଜାମରେ କମ୍ୟୁନିଷ୍ଟ ଚିନ୍ତାଧାରା ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l
ସେ ସମୟରେ ଜନସାଧାରଣଙ୍କ ମୁଖ୍ୟ ଜୀବିକା ଥିଲା କୃଷି l ଭାଗଚାଷୀଙ୍କ ଥିଲେ ସଂଖ୍ୟାଧିକ l ଉତ୍ପନ୍ନ ଶସ୍ୟର ଅର୍ଧେକ ରାଜା ନେଉଥିଲେ l ବଳକାରୁ ଅର୍ଧେକ ଜମି ମାଲିକ l ବାକି ଯାହା ଏକ ଚତୁର୍ଥାଂଶ ରହିଲା ସାହୁକାର, ବିହନ, ହଳ ବଳଦ ଖର୍ଚ୍ଚ ବାଦ ଦେଲେ ବିଚରା ଚାଷୀ ପାଖରେ ଆଉ କିଛି ରହୁ ନ ଥିଲା l
ବିଚରା କୃଷକ ଆଗରେ ଆଉ ଏକ ସମସ୍ୟା ଥିଲା l ଆଗ ରାଜାଘର ଧାନ ଅମଳ ହେବ ତାପରେ ରାଜକର୍ମଚାରୀଙ୍କ ଉପସ୍ଥିତିରେ କୃଷକ ଧାନ ଅମଳ କରି କର୍ମଚାରୀଙ୍କୁ ରାଜଭାଗ ଦେବ l ତେଣୁ ଡିସେମ୍ବର ମାସରୁ ଧାନ ପାଚିଥିଲେ ସୁଦ୍ଧା ମେ ଜୁନ ପର୍ଯ୍ୟନ୍ତ ଅମଳ ନ ହୋଇ ବିଲରେ ଧାନ ଗଜା ହେବା ପରିସ୍ଥିତି ମଧ୍ୟ ଆସୁଥିଲା l ଏଥିପାଇଁ ଶ୍ରୀ ଗୋବିନ୍ଦ ପ୍ରଧାନ ଏକ ଅଭିନଵ ପ୍ରତିବାଦ କରିଥିଲେ l ଗଜା ଧାନ ସଂଗ୍ରହ କରି ସେ ରାଜଧାନୀ ଦିଲ୍ଲୀରେ ଶଗଡ଼ ଶୋଭାଯାତ୍ରା କରି ଦିଲ୍ଲୀରେ ଶେରଗଡ଼ ଚାଷୀଙ୍କ ଦୁର୍ଦଶା ବଖାଣି ଥିଲେ l
ଏହାଦ୍ୱାରା କ୍ରମଶଃ ସେ ରାଜା ଓ ସରକାର ଉଭୟଙ୍କ ଚକ୍ଷୁଶୂଳ ହୋଇ ପଡୁଥିଲେ କିନ୍ତୁ ଲୋକଙ୍କ ପାଇଁ ଚାଲିଥିବା ସଂଘର୍ଷ ବନ୍ଦ କରି ନ ଥିଲେ l ଏ ମଧ୍ୟରେ ଭାରତ ସ୍ୱାଧୀନତା ପାଇଲା, ରାଜରାଜୁଡା ଶାସନ ଉଛେଦ ହେଲା କିନ୍ତୁ ଓଡିଶାରେ ସେମିତି ଆଇନ ନ ଥିବାରୁ ରାଜା ଜମିଦାର ଶାସନ ଚାଲୁଥିଲା l ସେ ସମୟରେ ବିପ୍ଲବୀ ଗୋବିନ୍ଦ ପ୍ରଧାନ ଆରମ୍ଭ କଲେ “ଲଙ୍ଗଳ ଯାର ଜମି ତାର”, “ଜମିଦାରୀ ମୁସ୍ତାଦାରୀ ବାତିଲ ହେଉ” ପ୍ରଭୃତି ସ୍ଲୋଗାନ l ତାଙ୍କ ସଂଗଠନ ଶେରଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କଲା l ଶହ ଶହ ଲୋକ ଏଥିରେ ସମ୍ପୃକ୍ତ ହେଲେ l ଏଥିର ଏକ କରୁଣ ପରିଣାମ ହେଲା ସ୍ୱାଧୀନ ଭାରତର ସମ୍ଭବତଃ ପ୍ରଥମ ସରକାରୀ ନରସଂହାର l 24 ମେ 1948ରେ ଲୋମଟାଙ୍କୁରା କୁଖ୍ୟାତ ତାକରଡ଼ା ଗୁଳିକାଣ୍ଡ l ବାର ବର୍ଷର ହେମ ବାଡ଼ତ୍ୟା ସହ ଛ ଜଣ ଶହୀଦ l
ଏ ମଧ୍ୟରେ ସରକାର କମ୍ୟୁନିଷ୍ଟ ଦଳକୁ ବେଆଇନ ଘୋଷଣା କରି ଗୋବିନ୍ଦ ପ୍ରଧାନଙ୍କ ବିରୁଦ୍ଧରେ ଗିରଫ ପରୁଆନା ଜାରି କରିଥିଲେ l କିନ୍ତୁ 1950 ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ପୋଲିସ କିମ୍ବା ରାଜକର୍ମଚାରୀ ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ଆଦି ଅନ୍ତ ବି ପାଇ ପାରି ନ ଥିଲେ l କାରଣ ସେ ଅଞ୍ଚଳର ଜନସାଧାରଣ ଶ୍ରୀ ପ୍ରଧାନଙ୍କୁ ସୁରକ୍ଷା ଦେଉଥିଲେ l ଗଞ୍ଜାମ ଜିଲ୍ଲା ଏକ ରକ୍ଷଣଶୀଳ ଜିଲ୍ଲା ଥିଲା l କେବଳ ବ୍ରାହ୍ମଣ କିମ୍ବା ଗଉଡ଼ ଭାଇ ଛଡ଼ା ଆଉ କାହାକୁ ରୋଷେଇ ଘରେ ପ୍ରଵେଶ ଅନୁମତି ନ ଥିଲା l ଘର ଈଶାଣ ଥାଆନ୍ତି ଯେ l କିନ୍ତୁ ସେଇ ରକ୍ଷଣଶୀଳ ଲୋକମାନେ ଶ୍ରୀ ଗୋବିନ୍ଦ ପ୍ରଧାନଙ୍କୁ ଶାଢ଼ୀ ପିନ୍ଧେଇ ନିଜ ରୋଷେଇ ଘରେ ବି ଲୁଚେଇ ରଖୁଥିଲେ l ଲୋକଙ୍କ ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ପ୍ରତି କେତେ ଭକ୍ତି, ସ୍ନେହ, ଶ୍ରଦ୍ଧା ଥିଲା ଏଥିରୁ ବିଚାର୍ଯ୍ୟ l 1950ରେ ଧରାପଡ଼ି ସେ 1952 ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିଥିଲେ l ସାଥୀ ଗୋବିନ୍ଦ ପ୍ରଧାନଙ୍କ ଆନ୍ଦୋଳନ ସଫଳ ହେଲା l 1953ରେ ଓଡିଶା ସରକାର ଜମିଦାରୀ ଉଛେଦ ଆଇନ ପ୍ରଣୟନ କଲେ l ଜନ ସାଧାରଣ ଆଶ୍ୱସ୍ତ ହେଲେ l
କିନ୍ତୁ ବିପ୍ଳଵୀ ଗୋବିନ୍ଦ ପ୍ରଧାନଙ୍କ କାମ ଏତିକିରେ ସରି ନ ଥିଲା l ଜମିଦାରୀ ମୁସ୍ତାଦାରୀ ଶେଷ ହେଲା କିନ୍ତୁ Charity begins at home, ସାନଭାଇ ଶ୍ରୀ ରାଧାକୃଷ୍ଣ ପ୍ରଧାନଙ୍କ ସହ କଥାବାର୍ତ୍ତା କରି ନିଜ ପାଞ୍ଚ ହଜାର ଭରଣ ଜମିର ସିଂହଭାଗ ସେ ଭାଗଚାଷୀ ମାନଙ୍କୁ ଦାନ କରିଦେଲେ l ସେଇ ଆଦର୍ଶରେ ଅନୁପ୍ରାଣିତ ଥିଲେ ଭ୍ରାତୃଷପୁତ୍ର ଶ୍ରୀ ନିତ୍ୟାନନ୍ଦ ପ୍ରଧାନ l ଦୀର୍ଘ କାଳ ଧରି ସଂସଦ ସଭ୍ୟ ଥିଲେ ମଧ୍ୟ ସରଳ, ନିରାଡ଼ମ୍ବର ଏବଂ ମାଟିର ମଣିଷ l
27 ଜୁଲାଇ 1980ରେ ଶ୍ରୀ ଗୋବିନ୍ଦ ପ୍ରଧାନ ପରଲୋକ ଗମନ କଲେ l 46 ବର୍ଷ ପରେ ଆଜି ମଧ୍ୟ ଶେରଗଡ଼ ସମେତ ଗଞ୍ଜାମର ଏକ ବିସ୍ତୃତ ଅଂଚଳରେ ବୟସ୍କ ଲୋକେ କୃତଜ୍ଞତାର ସହ କହିଥାନ୍ତି “ସାଥୀ ଗୋବିନ୍ଦ ପ୍ରଧାନ ଥିଲେ ବୋଲି ଆମେ ଖାଇବାକୁ ପାଉଛୁ” l ଆଜି ମଧ୍ୟ ତାକରଡ଼ାସ୍ଥିତ ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ପୈତୃକ ବାସଭବନ ଗଲେ ଲୋକମାନେ ଆଗ୍ରହର ସହ ତାଲା ଖୋଲି ଶ୍ରୀ ପ୍ରଧାନଙ୍କ ସ୍ମୃତିଚାରଣ କରନ୍ତି ଆଉ ଅନ୍ୟ ଏକ ଘର ଦେଖେଇ ଦିଅନ୍ତି ଯୋଉଠି ତାକରଡ଼ା ଗୁଳିକାଣ୍ଡର ଆହତମାନଙ୍କୁ ଚିକିତ୍ସା କରାଯାଇଥିଲା l
ମାନବ ଜୀବନ ନୁହଇ କେବଳ
ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତାର
ଜୀବନର ମାନ ଦଣ୍ଡ l
Comrade Govinda Pradhan Sheragada Takarada Gulikanda Ambika Patnaik
Spread the love
Antaranga Kalinga

Recent Posts

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

1 week ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

1 week ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

4 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

4 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago