~ ଗୋବିନ୍ଦଚନ୍ଦ୍ର ଶୂରଦେଓ ~
ଲେଖା: ଅମୃତେଶ ଖଟୁଆ
ଓଡ଼ିଶାରେ ରଙ୍ଗମଞ୍ଚର ବିକାଶ ସହ ରାସରସିକତା-ପ୍ରସୂତ-ଶ୍ରୁତିସୁଖକର ନାଟକୀୟତାର ଯେଉଁ ପ୍ରଲେପନ ମନୋରଞ୍ଜନ ରସାର୍ଣ୍ଣବକୁ ଅମୃତାପ୍ଳୁତ କରି ଜନମାନସକୁ ରସାର୍ଦ୍ର କରେ, ସେହି ଲୀଳାଯାତ୍ରାର ଜଣେ ବଦାନ୍ୟ ଓ ବହୁମୁଖୀ-ପ୍ରତିଭାଧର-ପ୍ରବର୍ତ୍ତକ ଥିଲେ ଗୋବିନ୍ଦଚନ୍ଦ୍ର ଶୂରଦେଓ।

ବେଶ-ପାଟବ, ସଙ୍ଗୀତ-ସଂଯୋଜନା ସହ ଉନ୍ନତ ଦୃଶ୍ଯ ବିଭାଜନ ଫଳେ ସେ ଦେଇଥିଲେ ଚିତ୍ତବିନୋଦନକ ନାଟ୍ୟ-କଳା-ରସକୁ ଗୋଟିଏ ନବୀନ ଯୁଗର ଉପପାଦ୍ୟ ଆଉ ତୋଳି ଦେଇଥିଲେ ଓଡ଼ିଶାର ଅଗଣିତ ପ୍ରାଣବନ୍ତ ସମ୍ଭାରରେ ଦେଶପ୍ରେମର ଜୈତ୍ରାଗ୍ନି ! ତାଙ୍କ ଦେଶାନୁରାଗର ଗୋଟିଏ ମନୋଜ୍ଞ ପ୍ରତିଫଳନ ଘଟେ “ଉତ୍କଳ ଜନନୀଙ୍କର କରୁଣ ଗୀତି” ମାଧ୍ୟମରେ। ସୁନ୍ଦର ଛାନ୍ଦିକତାରେ ସେ ଲେଖିଛନ୍ତି –

“କାହିଁ ସେ ଶ୍ଯାମଳ ସୁନ୍ଦର ଶସ୍ୟ,
କାହିଁ ସେ ସମୀର ହିଲ୍ଲୋଳ ହାସ୍ଯ
କାହିଁ ସେହି କାନ୍ତି, କାହିଁ ସେହି ଶାନ୍ତି,
ଯେଉଁ ପ୍ରେମେ ପ୍ରାଣ-ଛନ୍ଦିତ।
କାହିଁ ସେ ବୀରଙ୍କ ରଣ-ଝଙ୍କାର,
କାହିଁ ସେ ଗରବ, କାହିଁ ଗଉରବ
କାହିଁ ଦମ୍ଭେ ଦମ୍ଭ ବାନ୍ଧିବି?
× ×××××× ×× ×××× ×××
କହ କୃପାନିଧି, କେତେ ନୀରନିଧି,
କୂଳେ ମୁଁ କାତରେ କାନ୍ଦିବି
କହ କେଉଁ ଦୋଷେ ରାତିକି ଦିବସେ,
ବସି ଦୁଃଖ ହାର ପିନ୍ଧିବି?”

ତରଳାଗଡ଼ (ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ) ରାଜବଂଶରେ ଗୋବିନ୍ଦଚନ୍ଦ୍ର ଶୂରଦେଓ ୧୮୮୪ ମସିହା ଏପ୍ରିଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପୁରୀ ଜିଲ୍ଲାର ପୂର୍ବତନ ଗଡ଼ଜାତ ନୟାଗଡ଼ରେ ସେ ଲାଳିତ ପାଳିତ ହେଇଛନ୍ତି । ନୟାଗଡ଼ ରାଜବାଟୀର ଅତି ଆଦରର ‘ଭଣଜା ସାଆନ୍ତ’ ଥିଲେ। କାରଣ, ନୟାଗଡ଼ ରାଜ୍ୟରେ ଚତୁର୍ବିଂଶତିତମ ପୁରୁଷର ରାଜା ରଘୁନାଥ ସିଂହ ମାନଧାତା ଶୂରଦେଓ ତାଙ୍କ ମାତୁଳ ଥିଲେ। ନୟାଗଡ଼ରେ ମଧ୍ୟ ଇଂରାଜୀ ଶିକ୍ଷା ସମାପ୍ତ ହେବା ପରେ କଟକ କାଳୀଘରଠାରେ ଗୋଟିଏ ଭଡ଼ା ଘର ନେଇ ରହି ରେଭେନ୍ସାରେ ପଢିଲେ।

ରାଜାନୁରଞ୍ଜକ-ବ୍ୟବସ୍ଥା ଫଳେ ତାଙ୍କର ରହଣି ଚଳଣି ସୁରୁଖୁରୁରେ ସମ୍ପାଦନ ହୁଏ। ଊନବିଂଶ ଶତାବ୍ଦୀର ପ୍ରଥମ ଦଶକ ଭିତରେ ତାଙ୍କର ଶିକ୍ଷା ସମାପ୍ତ ହୁଏ। ୧୯୧୧ ମସିହାରେ କେନ୍ଦ୍ରାପଡାର ଖ୍ୟାତନାମା ଜମିଦାର ରାଧାଶ୍ଯାମ ନରେନ୍ଦ୍ରଙ୍କ ଦ୍ଵିତୀୟ ନାତି ଶ୍ଯାମସୁନ୍ଦରଙ୍କ କନ୍ୟା ଚନ୍ଦ୍ରପ୍ରଭା ରାଜଜେମାଙ୍କ ସହ ବିବାହ ଅନୁଷ୍ଠିତ ହୁଏ। ଯୌତୁକ ଆକାରରେ ପାଇଥିବା କଟକରେ ପ୍ରସିଦ୍ଧ ଜଗନ୍ନାଥ ବଲ୍ଲଭ ଦ୍ଵିତଳ ପ୍ରାସାଦ, ଯେଉଁଠି ଆରମ୍ଭ ହୁଏ ତାଙ୍କ ପ୍ରତିଭାଧର ଜୀବନର ଲଗ୍ନ। ପୁନଶ୍ଚ ଭାଷା ଆନ୍ଦୋଳନ ଓ ୧୮୬୬ ଦୁର୍ଭିକ୍ଷ ଓଡ଼ିଆ ଭାଷାକୁ ଯେଉଁ ଖୋରାକ ଦେଇଥିଲା, ଯୁବଚେତନାରେ ନବୀନ ପ୍ରେରଣା ଓ ଉନ୍ମାଦ ଜାଗ୍ରତ କରିଥାଏ।


କାଳୀଗଳିଠାରେ ଅଧ୍ୟୟନ କାଳରେ ତତ୍କାଳୀନ ବିଶିଷ୍ଟ ହାରମୋନିୟମ ଓସ୍ତାଦ ଖନୁମିଆଙ୍କ ଠାରୁ ସେ ହାରମୋନିୟମ ଶିଖିଥିଲେ। ଗୀତ ଗାଇଲା ବେଳେ ପ୍ରତି ଶବ୍ଦ, ପ୍ରତି ମାତ୍ରାର ପ୍ରାଞ୍ଜଳ ମଧୁର ଉଚ୍ଚାରଣ ସହିତ କୌଶଳପୂର୍ଣ୍ଣ ବାଦନ ଶୈଳୀ ଶ୍ରୋତୃବର୍ଗଙ୍କ ବିମୋହନର ହେତୁ ହୁଏ! ଛାତ୍ରାବସ୍ଥାରୁ ତାଙ୍କର ମଞ୍ଚଶିଳ୍ପୀ ଓ ଚିତ୍ରଶିଳ୍ପୀ ରୂପେ ତାଙ୍କ ପ୍ରତିଭାର ସ୍ପଷ୍ଟ ପରିଦୃଶ୍ଯ ଘଟେ। ଶୂରଦେଓ ଚମତ୍କାର ଭାବେ ଖେଳୱାଡ, ବିଚକ୍ଷଣ ଅଭିନେତା, ଫୁଟବଲ ଖେଳାଳି ଓ ସଫଳ କଳାକାର ରୂପେ ସେତେବେଳେ ସେ ମେଧାବୀ ଛାତ୍ର ହିସାବରେ ଅଭୂତପୂର୍ବ ଖ୍ୟାତି ହାସଲ କରିଥିଲେ।ବନ୍ଧୁମାନଙ୍କୁ ନେଇ ଆଥ୍ଲେଟିକ୍ କ୍ଳବ୍ ଗଠନ ସହ ଥିଏଟର କରିବା ତାଙ୍କ ସାଙ୍ଗଠନିକ ଶକ୍ତିର ବିଦ୍ୟୋତନ ବା ପରିଚୟ କରେ । ତାଙ୍କରି ଉଦ୍ୟମ ଓ ପୃଷ୍ଠପୋଷକତାରେ କଟକରେ ୱେଲିଙ୍ଗଟନ ଆଥଲେଟିକ୍ସ ନାମରେ କ୍ଳବ ଗଢାଯାଇ ସେଠାରେ କ୍ରୀଡ଼ା ଚର୍ଚ୍ଚା ହୁଏ। ‘କାଞ୍ଚିକାବେରୀ’, ‘ଲଛମା’, ‘ଗୌଡ଼ ବିଜେତା’, ‘ରୋମୀୟ ଜୁଲିଏଟ୍’ ଆଦି ନାଟକମାନ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ନାଟକ ପ୍ରଦର୍ଶନ ନିମିତ୍ତ ସମସ୍ତ ଯାବତୀୟ ସାଜ-ସରଞ୍ଜାମର ଉଚ୍ଚକୋଟୀର ବ୍ୟବସ୍ଥା ସହ ନିପୁଣ-ସମ୍ପାଦନା ତାଙ୍କୁ ବେଶ୍ ପ୍ରସିଦ୍ଧି ଆଣିଦେଇଥିଲା।ଓଡ଼ିଶାରେ ନାଟ୍ୟକଳାର ଅଭାବଜନିତ ଫାଙ୍କା ଅନୁଭୂତି ବେଳକୁ ଶୂରଦେଓ ନିଜେ ନାଟକ ପ୍ରହସନ ସହ ଲୋକପ୍ରିୟ ଗଳ୍ପ ଉପନ୍ୟାସର ନାଟ୍ୟରୂପ ଦେଇଥିଲେ। ପରିଣାମତଃ, ଉମେଶ ଚନ୍ଦ୍ର ସରକାରଙ୍କ ରଚିତ ପ୍ରଥମ ଓଡ଼ିଆ ଉପନ୍ୟାସ ‘ପଦ୍ମମାଳୀ’କୁ ନାଟ୍ୟାୟିତ କରି ୧୯୧୦-୧୧ ମସିହାରେ କଟକ ମେଡିକାଲ ସ୍କୁଲରେ ଅଭିନୀତ କରିଥିଲେ। ଏଥି ସହ ଫକୀରମୋହନଙ୍କ ‘ପେଟେଣ୍ଟ ମେଡିସିନ୍’, ‘ଲଛମା’ ଗଳ୍ପମାନକୁ ଅପୂର୍ବ ସଫଳତାର ସହ ମଞ୍ଚସ୍ଥ କରାଇଥିଲେ। ସ୍ଵୟଂ ବ୍ୟାସକବି ନିଜ ଗଳ୍ପର ନାଟ୍ୟାଭିନୟରେ ବିମୁଗ୍ଧ ହୋଇପଡିଥିଲେ ! କଟକ ମାଟିରେ ପଇସା ଦେଇ ନାଟ୍ୟାଭିନୟ ଦେଖିବାକୁ ଜନତାର ବ୍ୟାକୁଳତା ଓଡ଼ିଆ ନାଟ୍ୟ ଜଗତରେ ଆଣିଥିଲା ନୂତନ ସମ୍ଭାବନା । ସେତେବେଳେ ତାଙ୍କ ଶୂରଦେଓଙ୍କର ଚିତ୍ର, ସଙ୍ଗୀତ ‘ମୁକୁର’ଉତ୍କଳ ସାହିତ୍ୟର ବହୁ ପୃଷ୍ଠାରେ ଶୋଭିତ ହେଉଥିଲା।୧୯୧୩ରେ କେତେକ ସଂଗୀତପ୍ରେମୀଙ୍କ ସହ ସଙ୍ଗୀତ ଚର୍ଚ୍ଚା କରିଥିଲେ ଗୋବିନ୍ଦଚନ୍ଦ୍ର ଶୂରଦେଓ। ପ୍ରତି ଶନିବାର ଦିନ ଏହି ଆସର ଜମୁଥିଲା ଓ ମାସର ଶେଷ ଦିନ ତ୍ରିନାଥ ମେଳା କରାଯାଇ ଗୀତ, ବାଜଣା ସହ ଭୋଜିଭାତର ଜମକ ଥିଲା। ମଝିରେ ମଝିରେ ନୟାଗଡ଼ ଗମନ କରି ସେଠାରେ ଥିଏଟର୍ କରିବା ସହ ଯୁବକମାନଙ୍କୁ ଶାରୀରିକ ପ୍ରୋତ୍ସାହନ କରୁଥିଲେ।  ୧୯୧୭ରେ କେନ୍ଦ୍ରାପଡାଠାରେ ଶ୍ଵଶୁରାଳୟରେ ରହି ସେଠାରେ ପ୍ରାଚୀନ ଲୀଳାଯାତ୍ରାର ନବୀକରଣ ଦିଗରେ ଏକ ଦଳ ଗଠନସ୍ଵରୂପ ନାନାବିଧ ଉଦ୍ୟମ କରିଥିଲେ। ଏପରିକି ଶୂରଦେଓ ବଂଶର ଉତ୍ସାହ ପାଇଁ ପିଲାମାନଙ୍କୁ ମଧ୍ୟ ରାସ ରଚନା ବିଷୟରେ ଶିକ୍ଷା ଦେଉଥିଲେ। ସେଠାରେ ଲେଖା ଓ ଶିଖା – ରାସ ମାନଭଞ୍ଜନ, ଦାନବ ଲୀଳାସୁବଳ ମିଳନ ଏହିପରି ଗୋଟିଏ ରାସଲୀଳା ପାର୍ଟି ଗଢିଉଠିଥିଲା। ବିପୁଳ ଲୋକପ୍ରିୟତା ପରେ କଟକରେ ୧୯୧୮ -୧୯ ମସିହାରେ ଏସବୁ ନାଟକ ମଧ୍ୟ ପୁନଃ ମଞ୍ଚସ୍ଥ କରାଇଥିଲେ।

ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ଗୋବିନ୍ଦଚନ୍ଦ୍ର ଶୂରଦେଓ ଥିଲେ ପ୍ରଥମ ଦୂରଦ୍ରଷ୍ଟା। କାଳିନ୍ଦୀ ଚରଣ ଲେଖିଲେ – “ଶୂରଦେଓଙ୍କ ପଦାଙ୍କ ଅନୁସରଣ କରି ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଅନ୍ୟ ଏକ ରାସଦଳ ଗଠନ କରିଥିଲେ। ତାହାଙ୍କ ରାସଯାତ୍ରା ମଧ୍ୟ ଓଡ଼ିଶାରେ ସୁନାମ ଅର୍ଜନ କରେ। କାନ୍ତକବି ଲକ୍ଷ୍ମୀକାନ୍ତ, କବିଚନ୍ଦ୍ର କାଳୀଚରଣକବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଏ ଦିଗରେ ଥିଲେ ଶୂରଦେଓଙ୍କ ଉତ୍ତର ସାଧକ ଓ ଶୂରଦେଓ ହିଁ ଏମାନଙ୍କ ପଥପ୍ରଦର୍ଶକ….”

ଗୋବିନ୍ଦ ଶୂରଦେଓଙ୍କ ନାଟକ ପ୍ରହସନ ଗୁଡିକ ହେଲା – ‘ନରମେଧ ଯଜ୍ଞ’, ‘ରାସଲୀଳା’, ‘ସୁବଳ ମିଳନ’, ‘ମାନଭଞ୍ଜନ’, ‘ମାୟା ଶବରୀ’, ‘ଶ୍ରୀକୃଷ୍ଣ ମହିମା’, ‘ଇନ୍ଦ୍ରସଭା’, ‘ମେବାର ପୁତ୍ର’, ‘କୁଳରକ୍ଷା ଫାର୍ସ’, ‘ପାଠୋଇ ବୋହୂ ଫାର୍ସ’, ‘ଗୋପେଶ୍ଵର ପୂଜା ନାଟକ’, ‘ହିନ୍ଦୋଳ ବିଜୟ’, ‘ମୁକୁନ୍ଦ ଦେବ’, ‘ଧ୍ରୁବଚରିତ’, ‘ଉତ୍କଳ ରମଣୀ’, ‘ନରକାସୁର ବଧ’, ‘ମହନ୍ତ ଫାର୍ସ’, ‘ହସକୌତୁକ ଫାର୍ସ’ ପ୍ରଭୃତି। ଅନେକ ଅସୁବିଧା, ଅନଟନ ଓ ଦୈନ୍ୟ ପରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ଠାରେ ଅବସ୍ଥାନ କରିଥିଲେ। ୧୯୩୯ ମସିହା ଜୁନ ୧୫ ତାରିଖ ଗୋଟିଏ ନାଟକ ମଞ୍ଚସ୍ଥ କରାଇ ସାରିଲା ବେଳେ ସିଏ ଆଉ ଇହଧାମରେ ନଥାନ୍ତି। ନାଟକୀୟ ବିପ୍ଳବର ଯେଉଁ ବୈତାଳିକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା, ତାହା ପ୍ରେରିତ କରିଥିଲା ସହସ୍ର ନାଟ୍ଯକାରମାନଙ୍କୁ।

Gobinda Chandra Suradeo
Govind Chandra Surdeo
Spread the love
admin

View Comments

  • ଓଡ଼ିଆ ମାଟିର ସାଂସ୍କୃତିକ ମଣିଷ ଗୋବିନ୍ଦ ଚନ୍ଦ୍ର ଶୁରଦେଓ । ପ୍ରଣାମ ଜଣାଉଛି।

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago