କବି ଗୋପାଳକୃଷ୍ଣ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ

“ଏ ସମସ୍ତ ବୈଷ୍ଣବ କବିଙ୍କ ଭିତରେ କେବଳ ଗୋପାଳକୃଷ୍ଣଙ୍କ ରଚନାକୁ ଆସିଲେ ଆମେ ବାଧ୍ୟ ହୋଇ ଅନୁଭବ କରୁ ଯେ, ଆମେ ଏକ ଭାବପ୍ରବଣ ଓ ସ୍ପର୍ଶକାତର ଆତ୍ମା ନିକଟରେ ପହଞ୍ଚିଛୁ। ସେ ଏକ ମହତ ପ୍ରେମର ତୀବ୍ରତା ନିଜ ଜୀବନରେ ଅଙ୍ଗେ ନିଭେଇଥିଲେ। ଗୋପାଳକୃଷ୍ଣଙ୍କ ଗୀତାବଳୀରେ ରାଧା ଓ କୃଷ୍ଣ ଦୁଇଟି ଆଧ୍ୟାତ୍ମିକ ପ୍ରତୀକ ମାତ୍ର ହୋଇ, ବା ଏକ ମାନବିକ କାହାଣୀକୁ ଆଧ୍ୟାତ୍ମିକ ସ୍ତରକୁ ଉଠାଇବା ପାଇଁ ଦୁଇଟି ତାତ୍ତ୍ଵିକ କେନ୍ଦ୍ର ହୋଇ ରହନ୍ତି ନାହିଁ। ଗୋପାଳକୃଷ୍ଣଙ୍କ ଲେଖନୀ ଅନୁଭବର ଅତୀନ୍ଦ୍ରିୟ ଆବେଗ ଓ ପ୍ରେମର ଅନନ୍ୟ ଦୃଷ୍ଟି ଉତ୍ସର୍ଗ ଭିତରେ ଖାଣ୍ଟି ମାନବିକ ପ୍ରେମକୁ ହିଁ ଦେଇପାରିଛି ଦୈବତ୍ ମହିମା। ଓଡ଼ିଆ ଭାଷାର ରାଶି ରାଶି କୃଷ୍ଣଭକ୍ତ କବିମାନଙ୍କ ରଚନାବଳୀ ଭିତରେ କେବଳ ଗୋପାଳକୃଷ୍ଣଙ୍କ ଗୀତିଗୁଛରେ ହିଁ ରାଧାକୃଷ୍ଣଙ୍କର ପ୍ରଣୟ କାହାଣୀ ଚିତ୍ ଲୋକକୁ ଉଠିପାରିଛି।”(ମାୟାଧର ମାନସିଂହ)

“ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖିଧନ
ଦଧି ମନ୍ଥାଇ ଦେବୁ ନାହିଁକିରେ
ଦେହ ପାସୋରି ଦଣ୍ଡେ, ନିଦ ନଗଲୁ ଏଡ଼େ
ବିଟୋଳ ହେଲୁ ମୋର ପାଇଁକିରେ।”

                    ଅବା

“ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା
ସେ କରୁ ଗୋ ସେ ପୀରତି ଯା ଦେହ
ଲୁହାର ମା,
ଶୁଣିଛି ତା ପ୍ରସଙ୍ଗରେ, ଚନ୍ଦ୍ରାବଳୀର ସଙ୍ଗରେ
ନାଗରା ବାଜୁଛି ବ୍ରଜ ଯାକରେ ଯାହାର ମା।”

ମାତୃ ହୃଦୟର ଜୀବନ୍ତ ଆଲେଖ୍ୟ ଅବା କୃଷ୍ଣ ଭକ୍ତି କୈନ୍ଦ୍ରିକ ରଚନାବଳୀର ସମର୍ପିତ ଭଣିତା ଓ ସୁଲଳିତ ଗୀତ, ସଙ୍ଗୀତର କବି ଗୋପାଳକୃଷ୍ଣ ପଟ୍ଟନାୟକ ଓଡ଼ିଆ ଜନମାନସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ ଓ କରିଛନ୍ତି। ଜନ୍ମ ହୋଇଥିଲେ ପାରଳାଖେମୁଣ୍ଡିର କରଣ ସାହିରେ ପିତା ବନମାଳୀ ପଟ୍ଟନାୟକ ଏ ମାଆ ଲଳିତା ଦେଈଙ୍କ ଔରସରୁ। ଜନ୍ମ ଅକ୍ଟୋବର ମାସ ୧୧ ତାରିଖ ୧୭୭୭ ମସିହା।  ସେ ହେଉଛନ୍ତି ୧୭୮୪-୧୮୬୨ ମସିହା କାଳୀନ କବିପ୍ରତିଭା।

ଓଡ଼ିଆ ସାହିତ୍ୟରେ ଷୋଡ଼ଶ ଶତକରୁ ରୀତିକାବ୍ୟ ସାହିତ୍ୟର ଆଦ୍ୟସ୍ଫୁରଣ ଘଟିଥିଲା । ୧୫୫୦ ମସିହାରୁ ୧୬୫୦ ମସିହା ମଧ୍ୟରେ ପ୍ରାକ୍ ରୀତି ଯୁଗ ନାମରେ ନାମିତ କରାଯାଇଛି। ଏହା ରୀତି ଯୁଗର ପ୍ରାରମ୍ଭ କାଳ।୧୬୫୦ ମସିହାରୁ ୧୭୫୦ ମସିହା ମଧ୍ୟରେ ରୀତି ଯୁଗର ଉତ୍କର୍ଷ ସାଧିତ ହୋଇଛି ଏବଂ ଏହାର ପରବର୍ତ୍ତୀ ୧୦୦ ବର୍ଷ ଅର୍ଥାତ୍ ୧୭୫୦ ରୁ ୧୮୫୦ ମସିହା ରୀତି ସାହିତ୍ୟର ଉତ୍ତର ରୀତି ଯୁଗ ବା ଗୀତିଯୁଗ ନାମରେ ପରିଚିତ। ଗୋପାଳକୃଷ୍ଣ ଏହି ଗୀତିଯୁଗର ଶେଷ ରଶ୍ମୀ। ବିଶେଷ କରି ରାଧାକୃଷ୍ଣ ଭାବ ସମ୍ବଳିତ ଗୀତି କବିତା, ସଙ୍ଗୀତ ଓ ଭଜନ, ଜଣାଣ ସମୂହର ସ୍ରଷ୍ଟା।

ଗୋପାଳକୃଷ୍ଣ ଥିଲେ ଶାସ୍ତ୍ରଜ୍ଞ ପଣ୍ଡିତ। ସେ ଥିଲେ ପାରଳା ରାଜାଙ୍କର ଶିରସ୍ତାରେ କର୍ମଚାରୀ। ଏହି ସମୟରେ ତାଙ୍କ କବିତ୍ୱର ସ୍ଫୁରଣ ଘଟିଥିଲା। କୁଳଗୁରୁ ଧରାକୋଟର ଶ୍ରୀ ଲୋକନାଥ ଦାସ ଗୋସ୍ୱାମୀ ତାଙ୍କୁ ବୈଷ୍ଣବ ଦୀକ୍ଷାରେ ଦିକ୍ଷୀତ କରିଥିଲେ।

ଗୁରୁଙ୍କ ପରାମର୍ଶ କ୍ରମେ ଗୋପାଳକୃଷ୍ଣ ରାଧାକୃଷ୍ଣ ଲୀଳାତ୍ମକ କବିତା ରଚନା କରିବାକୁ ଲାଗିଲେ। ଅବଶ୍ୟ ଈଶ୍ବରଙ୍କ ଆଶୀର୍ବାଦରୁ ତାଙ୍କର ପିତା ମାତା ଓ ସ୍ତ୍ରୀ ସମସ୍ତେ ଥିଲେ ଆଧ୍ୟାତ୍ମବାଦୀ ଓ ଧର୍ମପରାୟଣ। ତେଣୁ ପ୍ରାରମ୍ଭରୁ ସେ କର୍ଣ୍ଣମନ୍ତ୍ର ଦୀକ୍ଷା ନେଇ ପ୍ରତିଦିନ ଶ୍ରୀହରି ମନ୍ଦିର ତିଳକ ଧାରଣ କରୁଥିଲେ, ଇଷ୍ଟଦେବ ଶ୍ରୀରସିକରାଜଙ୍କର ଆଳତି ଦର୍ଶନ, ଶାସ୍ତ୍ର ଚର୍ଚ୍ଚା ଓ ହରି କୀର୍ତ୍ତନ, ସଙ୍କୀର୍ତ୍ତନ ଇତ୍ୟାଦିରେ ସମ୍ପୂର୍ଣ୍ଣ ଭାବେ ମନ ନିଯୋଗ କରୁଥିଲେ। ଏହି ସବୁର ପ୍ରଭାବ ପଡ଼ିଥିବାରୁ , ତାଙ୍କ କବି ପ୍ରତିଭାର ବିକାଶ ଘଟିଛି ଓ ପ୍ରଶଂସା ବ୍ୟାପି ଯାଇଥିଲା ସବୁ ଦିଗକୁ।

ଗୋପାଳକୃଷ୍ଣଙ୍କର କବିତ୍ୱରେ ଅତ୍ୟନ୍ତ ପ୍ରୀତ ହୋଇ ପାରଳା ମହାରାଜା ତାଙ୍କୁ ମାସିକ ରାଜବୃତ୍ତି ଖଞ୍ଜି ଦେବା ସହ ଜାଗିରି ମଧ୍ୟ ପ୍ରଦାନ କରୁଥିଲେ। ଗୋପାଳକୃଷ୍ଣ ଥିଲେ ଓଡ଼ିଆ, ବଙ୍ଗଳା, ସଂସ୍କୃତ, ବ୍ରଜବୋଲି, ତେଲୁଗୁ ଭାଷାରେ ଜଣେ ବିଦ୍ୱାନ। ତେଣୁ ତାଙ୍କର ଅନେକ କବିତାର ପ୍ରାରମ୍ଭରେ ସଂସ୍କୃତ ଶ୍ଳୋକ ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଇଛି।

କବି ଗୋପାଳକୃଷ୍ଣ ପଟ୍ଟନାୟକ (ଗୋପାଳକୃଷ୍ଣ) କାବ୍ୟ ଓ ମହାକାବ୍ୟର ସ୍ରଷ୍ଟା ନଥିଲେ, ମାତ୍ର ବହୁ କ୍ଷୁଦ୍ର କବିତା ଓ ସଂଗୀତର ସ୍ରଷ୍ଟା। ସେଥିପାଇଁ ତାଙ୍କ ଯୁଗକୁ ‘ସଂଗୀତ ଯୁଗ’ ବା ଖଣ୍ଡ କବିତାର ଯୁଗ ବୋଲି ନାମିତ କରାଯାଇଛି। ତାଙ୍କର ସମସାମୟିକ ସ୍ରଷ୍ଟା ମାନଙ୍କ ମଧ୍ୟରେ ବନମାଳୀ, କବିସୂର୍ଯ୍ୟ ବଳଦେବ, ଯଦୁମଣି, ଗୌରହରି ପରିଛା, ଗୌରଚରଣ ଅଧିକାରୀ ପ୍ରଭୃତି କବିମାନେ କ୍ଷୁଦ୍ର କବିତା ଓ ସଂଗୀତ ରଚନା କରିଛନ୍ତି।

ଗୋପାଳକୃଷ୍ଣଙ୍କ ରଚନାବଳୀ ଦାୟିକା, ଚଉତିଶା, ଗୀତିକା, ଚଉପଦୀ, ଧର୍ମୀୟ ଚଉପଦୀ, ମନଃ ଶିକ୍ଷା ମୂଳକ ବାତ୍ସଲ୍ୟ ଭାବାତ୍ମକ ରଚନା, ଭଜନଜଣାଣ ଇତ୍ୟାଦିରେ ଭରପୁର। ସାହିତ୍ୟ ସୃଷ୍ଟି ଥିଲା ତାଙ୍କର ଧର୍ମ ସାଧନାର ଅଙ୍ଗ ସ୍ଵରୂପ। ରାଗାନୁରାଗ ଭକ୍ତି ଓ ସଖୀଭାବ ସେ ଥିଲେ ସର୍ବଦା ନିୟତ ଭାବିତ,ସଗୁଣ ଓ ସାକାର ଉପାସନାର ମୁଗ୍ଧ ଓ ବିହ୍ଵଳିତ ଆତ୍ମା। ଶ୍ରୀକୃଷ୍ଣ ତାଙ୍କ ସୃଷ୍ଟି କର୍ମରେ ଶୃଙ୍ଗାରରସର ମୂର୍ତ୍ତିମନ୍ତ ବିଗ୍ରହ ଓ ଶ୍ରୀରାଧା ହ୍ଲାଦିନୀ ଶକ୍ତି, ପରାନନ୍ଦ ସ୍ଵରୂପିଣୀ ଏବଂ ପ୍ରକୃତି ତେଣୁ ରାସଲୀଳା ବର୍ଣ୍ଣନାରେ ଗୋପାଳକୃଷ୍ଣ ତାଙ୍କର ସମସାମୟିକ କବିମାନଙ୍କ ଠାରୁ ବହୁଗୁଣରେ ଟପି ଯାଇଛନ୍ତି —

“ଶ୍ରୀରାଧା ଗୋବିନ୍ଦ ସୁଧା ସାଗରେ
ରାସ ଜାହ୍ନବୀର ସଂଗମ ନୀରେ
ମନହଂସ, ଅବଗାହନ କରି
ଆନନ୍ଦରେ ନିରନ୍ତର ସନ୍ତରି
ଲଭ ଦିବ୍ୟ ଗତି।ଘେନ ଘେନ ଏହି
ସାର ଭକତି।
ଚତୁର୍ବଗ ଫଳ କରି ତ୍ୟକତ
ଶ୍ରୀବୃନ୍ଦାବନେ ବିହର ସନ୍ତତ।”
* *
କନ୍ଦର୍ପ – ମୋହନ ମୂରଲୀଧାରୀ
ଲୀଳା-ମୋହନୀ ବୃନ୍ଦାବନେଶ୍ଵରୀ
ପଦାବ୍ରଜେ ନବୀନ କିଙ୍କରୀ-ପଣେ
ପରିଚର୍ଯ୍ୟା କର ସଖୀ ଗହଣେ ।

ରୀତିକାବ୍ୟାଦର୍ଶ ଭିତରେ ସଂଗୀତ ଏକ ସ୍ବତନ୍ତ୍ର ଉପାଦାନ। ସାଙ୍ଗୀତିକତା ପାଠକ ପ୍ରାଣରେ ରସ ଉଦବୋଧନ କରାଇଥାଏ। ଗୀତ ପଦାବଳୀର ମୁଖ୍ୟ ଧର୍ମ। ରୀତି ଯୁଗରେ ଗୀତ ବା ସାଙ୍ଗୀତିକତାର ପ୍ରକାଶ ମୌଳିକ ଧର୍ମ ଥିଲା। ଗୋପାଳକୃଷ୍ଣ ପଦାବଳୀ ପଠନ ପାଇଁ ନୁହେଁ ଗାନ କରିବା ପାଇଁ ଉଦ୍ଦିଷ୍ଟ। ସାଙ୍ଗୀତିକତା ଯୋଗୁଁ ଗୋପାଳକୃଷ୍ଣ ପଦାବଳୀ ଜନପ୍ରିୟତାର ଶୀର୍ଷରେ ରହିଛି। ନାନାବିଧ ସଙ୍ଗୀତ ସୃଷ୍ଟି ସହ ରାଗରାଗିଣୀ ସଂଯୁକ୍ତ ହୋଇରହିଛି ତାଙ୍କର କବିତାରେ।

ସଂଗୀତ ହେଉଛି ଓଡ଼ିଆ ସଂସ୍କୃତିର ଅନ୍ୟତମ ପରିଚାୟକ। ଏହା ସାହିତ୍ୟର ଏକ ପ୍ରାଣସ୍ଫୁର୍ତ୍ତ ଅବିଛିନ୍ନ ଧାରା। କେଉଁ କାଳରୁ ସାହିତ୍ୟରେ ସଂଗୀତର ମୂର୍ଚ୍ଚନା ଅନୁରଣିତ ହୋଇଆସିଛି। ଲୋକଗୀତ, ବୌଦ୍ଧଗାନ, ଦୋହା, ନାଥ ସାହିତ୍ୟ, ପ୍ରାକ୍ ସାରଳା ସାହିତ୍ୟ ଯୁଗରୁ ସଂଗୀତର ପଦଧ୍ଵନି ଶୁଣାଯାଇଛି। ବିଶେଷ କରି ରୀତିଯୁଗରେ ସଂଗୀତ ନେଇଛି କଳାତ୍ମକ ରୂପ ଓ ଉତ୍କର୍ଷ ସାଧିତ ହୋଇଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ, ବନମାଳୀ ପ୍ରମୁଖ କବିଗଣଙ୍କ ରଚନାରେ ସାଙ୍ଗୀତିକତା ଭାବ ଫଲଗୁ ସୃଷ୍ଟି କରିଛି। ତେବେ ଗୋପାଳକୃଷ୍ଣ ପଦାବଳୀ ସୃଷ୍ଟିରେ ସଂଗୀତର କଳାଗତ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ତଥା ରାଗରାଗିଣୀ ମୋହ ଆନନ୍ଦର ମୂର୍ଚ୍ଛନା ତୋଳିଛି।

କବିସମ୍ରାଟଙ୍କ ସାହିତ୍ୟରେ ସଙ୍ଗୀତର ଯେଉଁ ଭିତ୍ତି ସ୍ଥାପନ ହୋଇଥିଲା, ତାହାର ଉତ୍କର୍ଷ ସାଧିତ ହୋଇଛି ଗୋପାଳକୃଷ୍ଣ ଓ ବନମାଳୀ ଦାସଙ୍କ ରଚନା ମାଧ୍ୟମରେ। ଗୋପାଳକୃଷ୍ଣ କିନ୍ତୁ ପ୍ରକୃତରେ ଶତାଧିକ ଉପରାଗ ଓ ଉପରାଗିଣୀ ସୃଷ୍ଟି କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭାଇଥିଲେ ଓ ଅଦ୍ୟାବଧି ତାହା କାଏମ୍ ରହିଛି। ପ୍ରାୟ ୬୮ ପ୍ରକାର ରାଗ, ଉପରାଗ, ଉପରାଗିଣୀ ମଧ୍ୟରେ ତାଙ୍କର ଗୀତ, ସଂଗୀତ ନେଇଛି କଳାତ୍ମକ ବିଶେଷତ୍ୱ। ସେ ହିଁ ସ୍ଵୟଂ ଥିଲେ ସଂଗୀତଶାସ୍ତ୍ର ବିଶାରଦ। ରାଗ, ତାଳ ଚିହ୍ନିତ ସ୍ଵରରେ ଗାନ ତାଙ୍କର ସଂଗୀତର ମାଧୁର୍ଯ୍ୟମୟ ବିଭବ।

ପଦାବଳୀ ସାହିତ୍ୟର ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିକୋଣରୁ ଏବଂ ଗୁଣ ତଥା ପରିମାଣ କଥା ବିଚାର କଲେ ଜଣାଯାଏ ଯେ କବି ଗୋପାଳକୃଷ୍ଣ ପଦାବଳୀ ସାହିତ୍ୟ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଆସନର ଅଧିକାରୀ। ଅପୂର୍ବ ବର୍ଣ୍ଣନା ପାଟଳ ଓ ଶୃଙ୍ଖଳିତ ବର୍ଣ୍ଣନା, ସରଳ ଭାଷାରେ ଉଚ୍ଚକୋଟୀର ସାହିତ୍ୟ ପଦାବଳୀ ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଅବଦାନ ତାଙ୍କର ସର୍ବଦା ସ୍ମରଣୀୟ।ସେ କିନ୍ତୁ ସମସ୍ତ ସମର୍ପଣ କରିଛନ୍ତି ପ୍ରେମମୟ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପଦତଳେ। ମୁକ୍ତ କଣ୍ଠରେ ଗାଇ ଉଠିଛନ୍ତି —

“ନିରୁପାଧି କୃପାକର ବୋଲି ବିଧି ଭାବାଦିରେ
ଥାଉ କଥିତ,
ମୁଁ କଲା ଦୋଷ କି ? ନାଶିଛିତ ବକୀ ବିଷ
ପିଆଇ ତା ଦୂରିତ,
ଗୋପାଳକୃଷ୍ଣ କହେ ଜଗନ୍ମଙ୍ଗଳ ଯାହା
କରିବ ତୁମ୍ଭ ଚିତ୍ତ,
ଆପଣ ଦୟାଳୁ ପଣକୁ ବଳି ମୋ ଦୁଷ୍କୃତ
ନୁହଇ ଭାରିତ।”

ପଦାବଳୀ ସଂଗୀତ ଓ କବିତାର ଏହି ପ୍ରତିଭା କବି ଗୋପାଳକୃଷ୍ଣ ପଟ୍ଟନାୟକ ଓଡ଼ିଆ ସାହିତ୍ୟରେ ସ୍ଵତନ୍ତ୍ର ସ୍ଥାନରେ ସ୍ଥାନିତ। ଏଥିପାଇଁ କବିଚନ୍ଦ୍ର କାଳୀଚରଣଙ୍କ ଭାଷାକୁ ଉପସ୍ଥାପନ କରି ‘ଅନ୍ତରଙ୍ଗ କଳିଙ୍ଗ’ ତା’ର ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛି ଗୋପାଳକୃଷ୍ଣଙ୍କୁ । ପାରଳା ମହାରାଜା ତାଙ୍କୁ ‘କବି କଳହଂସ‘ ଓ ‘ବସନ୍ତ କୋକିଳ‘ ଉପାଧି ପ୍ରଦାନ କରି ସେହି ପ୍ରଥିତଯଶାଙ୍କୁ ସମ୍ମାନିତ କରିଛନ୍ତି ଓ ତାଙ୍କର ସାହିତ୍ୟ କୃତି ପାଇଁ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି।

କର୍ଣ୍ଣାଟକ ପଦ୍ଧତିରେ ଯେଉଁ ରାଗ-ତାଳମାନ ବ୍ୟବହୃତ ହୋଇଅଛି, ତାହା ତାଙ୍କ ପୂର୍ବବର୍ତ୍ତୀ ଓଡ଼ିଶାର ଗୀତି-କବିମାନେ ବ୍ୟବହାର କରୁଥିବାର ପ୍ରମାଣ ମିଳେ ନାହିଁ କିମ୍ବା ଓଡ଼ିଶାର ସଂଗୀତ ଶାସ୍ତ୍ର ଲେଖକମାନଙ୍କ ଗ୍ରନ୍ଥରେ ତାହାର ସୂଚନା ନାହିଁ। ଏଣୁ କର୍ଣ୍ଣାଟକ ପଦ୍ଧତିରୁ ଗୃହୀତ ଗୋପାଳକୃଷ୍ଣଙ୍କ ଦ୍ଵାରା ବ୍ୟବହୃତ ସମସ୍ତ ରାଗ ଓ ତାଳ ଓଡ଼ିଶା ପ୍ରଚଳିତ ସଂଗୀତ ଧାରା ଅନୁସୃତ ବୋଲି ଧରାଯାଇ ନପାରେ। ଏଗୁଡିକ ଆହରଣ ବା ଅନୁପ୍ରବେଶ। ଲୋକେ ଏଗୁଡ଼ିକ ସେହି ରୀତିରେ ଗାଇବା ଦ୍ଵାରା କର୍ଣ୍ଣାଟକୀ ସଂଗୀତ ପ୍ରଥା କ୍ରମଶଃ ଓଡ଼ିଶାରେ ପ୍ରଚାରିତ ହେବାର ସୁଯୋଗ ଘଟିଥିବା ଅସମ୍ଭବ ନୁହେଁ।

Gopalakrusna Pattanayaka Gopalkrushna Pattanaik 

Niranjan Sahu

Spread the love

Leave a Reply

Your email address will not be published. Required fields are marked *