ଲେଖା: ନିରଞ୍ଜନ ସାହୁ

“ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ ପଚାରନ୍ତି ନାହିଁ । ତୁ ଆଉଦିନେ କାହାକୁ କେଭେ କେଉଁ ଜାତି ବୋଲି ପଚାରିବୁ ନାହିଁ” । (ମା’ ରମାଦେବୀଙ୍କ ଆତ୍ମଚରିତ, ଜୀବନ ପଥେ )

ଏ ହେଉଛି ୧୯୦୬ ମସିହାର କଥା, ଯେତେବେଳେ ଜାତିଭେଦ, ଅସ୍ପୃଶ୍ୟତା ସମାଜ ଭିତରେ କାୟା ବିସ୍ତାର କରିଥିଲା । ତେବେ ଉପରୋକ୍ତ କଥାରୁ ଜଣାପଡ଼େ କେତେ ସଂସ୍କାରଧର୍ମୀ ଥିଲା ଏଇ କେତୋଟି ବାକ୍ୟ ! ଏହା ଥିଲା ଜଣେ ବାପାଙ୍କ ଉପଦେଶ ତାଙ୍କର ଝିଅ ପ୍ରତି । ବାପା କୌଣସି ଛୋଟ ପଦବୀରେ ନଥିଲେ ସେବେ । ଯେଉଁ ପଦବୀରେ ଥିଲେ, ସେହି କାର୍ଯ୍ୟାଳୟରେ ମାଛି ପଡ଼ିଲେ ନବଖଣ୍ଡ ! ହେଲେ ଜନ୍ମରୁ ସଂସ୍କାର, ନ୍ୟାୟପରାୟଣତା, ସ୍ଵାଭିମାନ, ଅନ୍ୟ ପ୍ରତି ଦରଦବୋଧ ଶିଖିଥିଲେ ଏ ମଣିଷ ଜଣକ । ତେଣୁ ଏଭଳି କଥା ମନରୁ ଓ ହୃଦୟରୁ ଆସିବା ସ୍ବାଭାବିକ। ଏହି ସଂସ୍ଥାର ଓ ସ୍ଵାଭିମାନର ମଣିଷ ଗୋପାଳବଲ୍ଲଭ ଦାସ ! ପରିଚୟ ଦେଲେ ଏହାହିଁ ହେବ ଯେ, ସେ ଥିଲେ ଜାତୀୟଗୌରବ ମଧୁସୂଦନ ଦାସଙ୍କ ଅନୁଜ, ଓଡ଼ିଶାର ପ୍ରଥମ ସିଭିଲିଆନ୍ ନନ୍ଦକିଶୋର ଦାସଙ୍କ ଜ୍ବାଇଁ, ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ସମୁଦି, କବୀ ବସନ୍ତ କୁମାରୀ ଦେବୀଙ୍କ ସ୍ଵାମୀ, ଗାନ୍ଧୀମଣିଷ ଗୋପବନ୍ଧୁ ଚୌଧୁରୀଙ୍କ ଶଶୁର, ସର୍ବପୂଜ୍ୟା ମା’ ରମାଦେବୀଙ୍କ ବାପା ।

ଗୋପାଳବଲ୍ଲଭ ଦାସ କଟକ ଜିଲ୍ଲା ସତ୍ୟଭାମାପୁର ବିଖ୍ୟାତ ମଲ୍ଲ ପରିବାରରେ ଜନ୍ମ ନେଲେ ୧୮୬୦ ମସିହାରେ, ମଧୁସୂଦନଙ୍କ ଜନ୍ମର ବାରବର୍ଷ ପରେ । ତେଣୁ ବଡ଼ଭାଇ ଥିଲେ ତାଙ୍କର ପିତୃତୂଲ୍ୟ । ଗ୍ରାମ ନିକଟସ୍ଥ ପ୍ରାଇମେରୀ ସ୍କୁଲରେ ପାଠ ଶେଷ କରି କଟକରୁ ଏଣ୍ଟ୍ରାନସ୍ ଓ ପରେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍.ଏ. ଶେଷ କଲେ ୧୮୮୨ ମସିହାରେ । ସେ ଥିଲେ ଓଡ଼ିଶାରୁ ଏମ୍.ଏ. ପାଶ୍ କରିଥିବା ଦ୍ଵିତୀୟ ବ୍ୟକ୍ତି । ସ୍ନାତକୋତ୍ତର ପରୀକ୍ଷା ପରେ ଯୋଗ୍ୟତା ଅନୁସାରେ ଇଂରେଜ ସରକାରଙ୍କ ଅଧୀନରେ ଓଡି଼ଶା ସରକାରଙ୍କ ପର୍ସନାଲ୍ ଆସିଷ୍ଟାଣ୍ଟ, ଗଡ଼ଜାତ ଗୁଡ଼ିକର ସହକାରୀ ପରିଚାଳକ, ମୋଜାଫରପୁର ଡେପୁଟି ମାଜିଷ୍ଟ୍ରେଟ ଓ ପୁରୀ କଲେକ୍ଟର ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।

~ ପ୍ରାଚୀନ ସାହିତ୍ୟାନୁରାଗୀ ଓ ସମାଲୋଚକ ~
ପ୍ରଶାସନିକ କାର୍ଯ୍ୟ ସହ ଓଡ଼ିଆ ପ୍ରାଚୀନ ସାହିତ୍ୟରେ ଅନେକ ରୁଚି ଗୋପାଳବଲ୍ଲଭଙ୍କର । ଉଚ୍ଚଶିକ୍ଷାଜନିତ ମାନସିକ ପ୍ରସାର, ବିଭିନ୍ନ କର୍ମଜନିତ ଅଭିଜ୍ଞତା ତାଙ୍କଠାରେ ଦେଖାଯିବା ସେହି ଦୃଷ୍ଟିରୁ ଥିଲା ସ୍ଵାଭାବିକ । ପାଶ୍ଚାତ୍ୟ ଶିକ୍ଷା ଓ ରୁଚି ଦୀକ୍ଷିତ ହୋଇଥିଲେ ସୁଦ୍ଧା ପ୍ରାଚୀନ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ବିସ୍ମୟକର । ସେତେବେଳେ ଓଡ଼ିଆ ସାହିତ୍ୟରେ ଜୋର୍ ଧରିଥାଏ ଉପେନ୍ଦ୍ର ଭଞ୍ଜ ଓ ରାଧାନାଥ ରାୟଙ୍କ ସାହିତ୍ୟ କୃତିର ବିବାଦ ଦୁଇଟି ପତ୍ରିକା ‘ଇନ୍ଦ୍ରଧନୁ ଓ ବିଜୁଳି’ ମାଧ୍ୟମରେ । ପ୍ରାଚୀନ ସାହିତ୍ୟର ଜଣେ ସ୍ତାବକ ହୋଇଥିବାରୁ ପକ୍ଷ ନେଇଥିଲେ ଗୋପାଳବଲ୍ଲଭ ଦାସ ଭଞ୍ଜସାହିତ୍ୟ ପ୍ରତି । ଇନ୍ଦ୍ରଧନୁ ପତ୍ରିକାରେ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ସମ୍ପର୍କରେ ସେ ଧାରାବାହିକ ଭାବେ ଲେଖି ଚାଲିଥିଲେ ଗୋଲକ ଧନ୍ଦା ଛଦ୍ମନାମରେ !

                  ଉପେନ୍ଦ୍ର ଭଞ୍ଜ
                 ………………
ଭଞ୍ଜକୁଳ କଞ୍ଜ ଉପେନ୍ଦ୍ର ବୀରବର
                 ଧନ୍ୟ ଧନ୍ୟ ନୀଳକଣ୍ଠ ନୃପତି ନନ୍ଦନ
ଆବାଳ-ବନିତା-ବୃଦ୍ଧ ହୃଦୟ ଚନ୍ଦନ
                 ଋତୁପତି ସହଚର ମତ୍ତ ପିକବର ।

ପୂର୍ଣ୍ଣ ଶଶଧର କିବା ମଳୟ ପବନ
               ପରି , ସୁଧାଜିଣା ତବ ସଙ୍ଗୀତ ଲହରୀ
ତରଙ୍ଗେ ତରଙ୍ଗେ ଦିଗ ବିଦିଗେ ପ୍ରସରି
            ପ୍ରାସାଦେ କୁଟୀରେ କରେ ଚିତ୍ତବିନୋଦନ।

ଦେଖେ ଯେବେ ପଥେ ଘାଟେ ମଳିନ ବସନ
                  ପିନ୍ଧି ଦୀନହୀନ ତବ ମଧୁର ସଙ୍ଗୀତ
ଗାଇ ସର୍ବ ଦୁଃଖ ଭୁଲି ପ୍ରଫୁଲ୍ଲ ବଦନ
                 ତବ ଗୁଣ ଭାବି ହୁଏ ଚକିତ , ବିସ୍ମିତ ।

କବିର କୁହୁକ ଧନ୍ୟ ସାର୍ଥକ ଜୀବନ
କରି କାଳେ କାଳେ ପର ଦୁଃଖ ବିମୋଚନ ।
(ଇନ୍ଦ୍ରଧନୁ, ୧୮୯୫ ତୃତୀୟ ଭାଗ – ୧ମ ସଂଖ୍ୟା )
    
ତାଙ୍କ ଲେଖାଗୁଡ଼ିକ ଥିଲା ବହୁ ପାଣ୍ଡିତ୍ୟପୂର୍ଣ୍ଣ  ଆଲୋଚନାରେ ଭରପୁର । ଅନ୍ୟପକ୍ଷରେ ସେ ରାଧାନାଥ ରାୟଙ୍କ ସାହିତ୍ୟକୁ ଆଲୋଚନା କରିବାକୁ ପଛାଉ ନଥିଲେ । ରାଧାନାଥଙ୍କ ପ୍ରଣୀତ ପ୍ରତି କାବ୍ୟର ସମାଲୋଚନା ନିୟମିତ ଭାବେ ଲେଖି ଚାଲିଥିଲେ ଇନ୍ଦ୍ରଧନୁ ପତ୍ରିକାରେ । ସେ ସମୟରେ ସେ ମଧ୍ୟ ଲେଖୁଥିଲେ ଓଡ଼ିଶାର ପ୍ରଥମ ସିଭିଲିଆନ୍ ନନ୍ଦକିଶୋର ଦାସଙ୍କ ଜୀବନୀ, ଯାହା ଓଡ଼ିଆ ସାହିତ୍ୟରେ ସେତେବେଳର ମୁଷ୍ଟିମେୟ ଜୀବନ ଚରିତ ମଧ୍ୟରେ ଅନ୍ୟତମ ।

~ କ୍ରାନ୍ତିକାରୀ ସୃଷ୍ଟି ‘ଭୀମା ଭୂୟାଁ’ ଉପନ୍ୟାସ ~
ଗୋପାଳବଲ୍ଲଭଙ୍କ ରଚିତ ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଏକ କ୍ରାନ୍ତିକାରୀ ସୃଷ୍ଟି। ୧୯୦୮ ମସିହାରେ ପ୍ରକାଶିତ ହେଲେ ହେଁ, ଏହା ଦଶବର୍ଷ ପୂର୍ବରୁ ରଚିତ ହୋଇଥିଲା । ଏହା ଗତି ମୁଖରିତ ହୋଇଛି ଚିର ଉପେକ୍ଷିତ, ଅଜ୍ଞାତ ଓ  ଅଖ୍ୟାତ ଭୂୟାଁ ଜାତିକୁ କେନ୍ଦ୍ର କରି । ଏହି ଉପନ୍ୟାସ ମାଧ୍ୟମରେ ବିଷୟବସ୍ତୁ ନିର୍ବାଚନଗତ ନୂତନତା, ଦୃଷ୍ଟିଭଙ୍ଗୀର ସ୍ଵାତନ୍ତ୍ର୍ୟ, ଲୋକଚରିତ୍ର ଅଧ୍ୟୟନ କୁଶଳତା ଓ ମାନବିକ ସହାନୁଭୂତି ପ୍ରକଟିତ । ଏହାର ପୂର୍ବ ଲିଖିତ ଉପନ୍ୟାସ ଗୁଡ଼ିକର ଇତିହାସପ୍ରବଣତା, ରୋମାନ୍ସ ସୁଲଭ କଳ୍ପନା ଆତିଶଯ୍ୟ ପ୍ରତି ଉତ୍ସୁକତା ନ ଦେଖାଇ ଗୋପାଳ ବଲ୍ଲଭ ସମାଜର ଉପେକ୍ଷିତ ଭୂୟାଁ ଜାତିର ଜୀବନ ଇତିହାସ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି । ଭୂୟାଁମାନଙ୍କ ଜୀବନ ଯାତ୍ରା, ବିବାହପ୍ରଥା, ଉତ୍ସବ, ଆତିଥେୟତା ଓ ଦେବବିଶ୍ୱାସର ଚିତ୍ରରେ ଏହା ଉଜ୍ଜ୍ୱଳ । ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଏହି ଉପନ୍ୟାସର ଅନ୍ୟ ଏକ ଦିଗ ।

ଭୂୟାଁ ସର୍ଦ୍ଦାରର ପୁଅ ଭୀମା ପ୍ରତି ହରିଚନ୍ଦନଙ୍କ କନ୍ୟା ରାଜଜେମା ଚିନାମାଳୀର ପ୍ରଣୟ ଆକର୍ଷଣ ଉପନ୍ୟାସର ବିଷୟ ପରିକଳ୍ପନାରେ ଲେଖକଙ୍କ ସାହସିକତାର ପରିଚୟ। ଏହି ଶୁଦ୍ଧ ପ୍ରଣୟ ଓ ଲୋକ ହିତୈଷଣାର ଚିତ୍ର ନିମନ୍ତେ ଏ ପୁସ୍ତକ ଭକ୍ତକବି ମଧୁସୂଦନଙ୍କ ଗ୍ରାହକତା ଓ ଆଶୀର୍ବାଦ ଲାଭ କରିଥିଲା । ଭୀମାଭୂୟାଁ ଉପନ୍ୟାସର ମୁଖବନ୍ଧ (Preface)ରେ “ବିଭିନ୍ନ ଦୃଷ୍ଟିରୁ ଏହା ଓଡ଼ିଆ ଭାଷାରେ ଲିଖିତ ରୋମାନ୍ସ ଉପନ୍ୟାସ କ୍ଷେତ୍ରରେ ସର୍ବୋତ୍ତମ” ବୋଲି ଅଭିମତ ରଖିଛନ୍ତି ଭକ୍ତକବି ।

ତେବେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଅନୁଜ ଭାବରେ ଗୋପାଳବଲ୍ଲଭ ଦାସ ଓଡ଼ିଶାଖଣ୍ଡରେ ଯେତିକି ପରିଚିତ ହୁଅନ୍ତୁ ବା ନ ହୁଅନ୍ତୁ ଭୀମାଭୂୟାଁର ଲେଖକ ଭାବେ ବହୁଗୁଣ ପରିଚିତ ।

~ ସାହିତ୍ୟାନୁରାଗୀ ଗୋପାଳବଲ୍ଲଭ ଦାସ ~
ଉଚ୍ଚ ପଦବୀରେ ଅଧିଷ୍ଠିତ ଥାଇ ମଧ୍ୟ ଓଡ଼ିଆ ସାହିତ୍ୟରେ ପ୍ରୀତି ଥିଲା ତାଙ୍କର ଅସୀମ । ସାହିତ୍ୟ ସଂସ୍କୃତି ପ୍ରତି ପ୍ରଚଣ୍ଡ ଅନୁରାଗ ବଶତଃ ସେ ରଚନା କରିଛନ୍ତି ବେଶ୍ କିଛି କାବ୍ୟକବିତା । ‘ଆତ୍ମବତ ସର୍ବ ଭୂତେଷୁ (୧୮୮୮), କବିତା ମଞ୍ଜରୀ (୧୮୯୫), ଭକ୍ତି ରସାବଳୀ (୧୯୦୦), ପ୍ରୀତି ସୁଧାକର (୧୯୦୬), ଚୌପଦୀ ଚମ୍ପୁ (୧୯୦୬) ତାଙ୍କର ପ୍ରଖ୍ୟାତ ପୁସ୍ତକ, ଯାହାର ନୂତନ ସଂସ୍କରଣ ଏବେ ମଧ୍ୟ ପ୍ରକାଶ ପାଉଅଛି । ‘କେନ୍ଦୁଝର ବିଦ୍ରୋହ’ ନାମକ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ ଶ୍ରୀ ଉଦ୍ଦାସୀ ଛଦ୍ମନାମରେ ପ୍ରକାଶ ପାଇଥିଲା ମୁକୁର ପତ୍ରିକାରେ । ଶ୍ରୀ ଉଦ୍ଦାସୀ ଛଦ୍ମନାମଟି ଯେ ଥିଲା ଗୋପାଳ ବଲ୍ଲଭଙ୍କର, ଏହାକୁ ମତ ଦିଅନ୍ତି ଆଲୋଚକ, ଗବେଷକ କୃଷ୍ଣ ଚରଣ ବେହେରା ।

ଗୋପାଳବଲ୍ଲଭ ଦାସ ଥିଲେ ଜଣେ ସୁଶାସକ ତଥା ଦେଶପ୍ରେମୀ । ମୋଜାଫରପୁର (ବିହାର)ରେ ଡେପୁଟି ମାଜିଷ୍ଟ୍ରେଟ ଥିବା ସମୟରେ ଶହୀଦ ଖୁଦିରାମ ଫାଶୀ ପାଇଥିଲେ ସେଠାର ଜେଲରେ । ବ୍ରିଟିଶ ଶାସନର ନିୟମାନୁଯାୟୀ ଫାଶୀ ଡେପୁଟି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେଉଥିଲା ସେ ସମୟରେ । ସେଦିନ କିନ୍ତୁ ଫାଶୀ ଦେବା ସ୍ଥାନକୁ ଯାଇନଥିଲେ ଗୋପାଳ ବଲ୍ଲଭ । ଅପରପକ୍ଷରେ ଏହା ଥିଲା ଦେଶପ୍ରେମୀ ସଂଗ୍ରାମୀମାନଙ୍କୁ ନୀରବ ସମର୍ଥନ ।

ଏହି ସାରସ୍ବତ ସାଧକ, ଦେଶପ୍ରେମୀ, ସୁଶାସକ ବିଧାତାଙ୍କ ନିମନ୍ତ୍ରଣ ପାଇଥିଲେ ଅନ୍ୟଲୋକକୁ ଯାତ୍ରା କରିବା ପାଇଁ ୧୯୧୪ ମସିହା ଡିସେମ୍ବର ମାସ ୨୩ ତାରିଖରେ । ମାତ୍ର ପଞ୍ଚାବନ ବର୍ଷ ବୟସରେ ବିଦାୟ ନେଇଗଲେ ପ୍ରିୟ ଓଡ଼ିଆ ଭାଇଭଉଣୀଙ୍କ ଗହଣରୁ ।  

ଆଧାର: ମା’ ରମାଦେବୀଙ୍କ ଆତ୍ମଚରିତ ‘ଜୀବନ ପଥେ’; ‘ଓଡ଼ିଆ ସାହିତ୍ୟର ଇତିହାସ’, ଡ. ସୁରେନ୍ଦ୍ର ମହାରଣା; ‘ଆମେ ଓଡ଼ିଆ’; ‘ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟ’, ଡ. ଶ୍ରୀନିବାସ ମିଶ୍ର

Gopala Ballabha Das Bhima Bhuyan Madhubabu Madhusudan Das

Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago