~ ଚରମପତ୍ର ~
ସୌରଭିତ ସୃଷ୍ଟି: ବିପ୍ଳବୀ କବି ରବି ସିଂ
ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ!
ଆଗାମୀ ଚବିଶ ଘଣ୍ଟା ଭିତରେ
ଆଗାମୀ କାଲିର ଏହି ପ୍ରଭାତରେ
ଖାଲିକର ତମେ ଗୋଲୋକ-ସିଂହାସନ
ଘେନ ଭଗବାନ, ଚରମ ପତ୍ର ଘେନ।ଛାଡିଦିଅ ତୁମ ହାତରୁ ବିଶ୍ଵ-ସଂସାର-ଦଣ୍ଡ, ଡୋରି!
ନହେଲେ କରିବି ଅତି ନିର୍ମମେ ତମରି ଆୟୁଷ ଚୋରି।
ତମରି ଛଦ୍ମ ‘ଅନନ୍ତ’ ଗିରି ଅନ୍ତ କରିବି ସିନା,
ତମ ମନ୍ଦିର ଚୂଡାରେ ଉଡିବ ମହା-ଧ୍ଵଂସର ବାନା।
ବେଳ ଥାଉଁ, ବେଳ ଥାଉଁ ଖାଲି କରିଦିଅ ଗୋଲୋକ-ସିଂହାସନ।
ଘେନ ଭଗବାନ, ଚରମ ପତ୍ର ଘେନ।ଉଦୟ-ରାଜ୍ୟେ କିପରି ପଶିଲା ଅସ୍ତର ସମ୍ରାଟ?
କହ ଭଗବାନ, ସୃଷ୍ଟି ହୋଇଲା ଆଜି ଏ କି ବିଭ୍ରାଟ!
ଜୀବନ ଉପରେ ମରଣଟା କଲା କିଆଁ ପରବାନା ଜାରି?
ଶାନ୍ତିର ନୀଡେ ଉଠିଲା କାହିଁକି ଯୁଦ୍ଧର ତରବାରି।
ଜାନୁଆର୍ ଆଜି ଦଖଲ କରିଲା କିଆଁ ମଣିଷର ଥାନ, ସୃଷ୍ଟି ଭିତରେ ଧ୍ଵନିତ କିମ୍ପା ଧ୍ଵଂସର ମହା-ଗାନ!
କହ ହେ ସ୍ରଷ୍ଟା କହ,
ଜୀବନର ଭାର ଆଜି କିଆଁ ଦୁର୍ବହ?ଅତି ଗତିଶୀଳ ଏଇ ପବିତ୍ର ମାନବର ମହା-ଧାରା,
ମରେ ତିଳ ତିଳ-ସମ୍ମୁଖେ ଦେଖି ବିଶାଳ ମରୁର କାରା।
ମାନବିକତାଟା ଗଲା କେଉଁ ପଥେ? କହ କହ ଭଗବାନ!
ଶୁଣିଛ କି ତମେ ତା’ ର ମହୀୟାନ-ଆତ୍ମାର କ୍ରନ୍ଦନ?
ନାହିଁ ନାହିଁ, ତମେ ମାନବିକତାରେ ଦେଖିପାରିନାହିଁ, ଅନ୍ଧ!
କ୍ଷମତାର ମଦେ-ମତ୍ତ ତମର ଚକ୍ଷୁ-ଯୁଗଳ ବନ୍ଦ।
ତମେ ଜଡ଼, ତମେ ସ୍ଥାଣୁ, ଅଥର୍ବ, କ୍ଷୟଶୀଳ ଏକ ଦୀପ,
କାହିଁକି କରିବ ଏ ମହାମାନବ ତମ ଆରାଧନା
କାହିଁକି ବା ଦେବ ଭରା ସନ୍ଧ୍ୟାରେ ତମରି ନାମରେ ଧୂପ?ଶୁଣ ଭଗବାନ, ମାନବିକତାଟା ପଳାଇ ଯାଇନି କାହିଁ!
ତମ ସୃଷ୍ଟି ଧ୍ଵାନ୍ତ-ପଥରେ ଆପଣାର ରଥ ବାହି-
ଗତି କଲା ବେଳେ, ଅସୀମ-ବେଦନା, ଦଂଶନ ବୁକେ ଧରି,
ତମରି ସୃଷ୍ଟି ସୀମାରେ ଭେଟିଲା ପୁନର୍ବାର ସେ
ରକ୍ତ-ଲୋଲୁପୀ ପଶୁତାର ମହାମାରୀ।‘ଝଡିବ କାହିଁକି ଅରି-ଖଞ୍ଜରେ ଜୀବନ-ଜବାର ଦଳ?
ଆତ୍ମ-ମରଣ କରିବା ବରଣ ତା’ ଠାରୁ ନୁହେଁ କି ଭଲ?’
ଏଇ ଦର୍ଶନ-ଇଙ୍ଗିତେ ରଥୀ ଆପଣାର ଚଉଧାରେ,
ଜଳାଇଲା ମହା-ନିର୍ବାଣ-ନିଆଁ ବିଜୟ ଉଲ୍ଲାସରେ।
ଏଇ ଯେ ଗଡୁଛି ଦଗ୍ଧ-ଶବ ତା’, ସୃଷ୍ଟି ସୀମାରେ ତବ!
ତମରି ଅଚଳ-ଚକ୍ର ଉହାଡୁ
ଶୁଭେ ଘନଘନ ସ୍ଵେଚ୍ଛାଚାରର ଅଙ୍କୁଶହୀନ
ଶାସନର କଳରବ।ଯଦି ଭଗବତ୍-ସତ୍ତା ସରିନି ତମଠାରୁ ଭଗବାନ
ପ୍ରତିଟି ମାନବ-ଅନ୍ତରେ ପୁଣି ଦେଇପାରିବ କି
ମାନବିକତାର ନୂତନ-ଜୀବନ-ଦାନ?
ଯେଉଁମାନେ କଲେ ‘ଭଗବାନ’ ରୂପେ ତମକୁ ନିର୍ବାଚିତ,
ସେହିମାନେ ଏବେ ଘୃଣ୍ୟ, ଅଧମ, ସେମାନେ ନିର୍ଯାତିତ!

ଶସ୍ତାରେ ଆଉ କୁହ କେତେ ଦିନ
                  ବୋଲାଇବ ଏଇ ମହା-ବିଶ୍ଵର ‘ପିତା’?
ଜଳୁଥିବା ବେଳେ ଅକାତରେ କେତେ
                  ଅକାଳରେ କେତେ
                  କେତେ ମରଣର ଚିତା!

ତମ ସୃଷ୍ଟିର ଆଇନ୍-କାନୁନ୍ ଫେଲ୍ ମାରିନିକି ସବୁ
ତା ନହେଲେ ଦଳେ ‘ଶଳା-ଶାଳୀ’ ହେଲେ
ଦଳେ ହୁଅନ୍ତେ ‘ବାବୁଆଣୀ’ ଆଉ ‘ବାବୁ’,
                    ଭଗବାନ, କେଭେ କରିଛ କଳନା
                   ଜନନୀ, ଭଗିନୀ, କନ୍ୟା ଲଳନା
ତମ ସୃଷ୍ଟିର ବଜାରେ ପଣ୍ୟ ରୂପେ ବିକ୍ରୟ ହେବା ?
           ଜଠରେ ଜଳେ ବା କ୍ଷୁଧାର ଅନଳ
           ନିଜ ମାଂସ କେ ବିକେ ପଳ ପଳ
           କିଏ ଗଢେ, କିଏ ସଢେ ତିଳ ତିଳ!
           ଚୁଲି ପରେ କା’ର ଯାଏନି ଆଟିକା
           କିଏ ଖୋଜିବୁଲେ ହଜମୀ-ବଟିକା
ତନୁରେ ତନୁରେ ଶୋଷଣ-ସାଞ୍ଜୁ ଝଳେ….
ମୃତ୍ୟୁର ପଦେ ଜୀନ୍ ର ତାଜ୍ ଢଳେ!!!

ଅପର ଶ୍ରମର ଲୁଣ୍ଠନ ଯେବେ ସୃଷ୍ଟି ନିୟମ କର,
କୋଟିଏ କୁଟୀର ଧୂଳିସାତ୍ କରି
ଗୋଟିଏ ସଉଧ ଊର୍ଦ୍ଧ୍ଵେ ଟେକିବା ଶିର,
କୋଟିଏ ଶିଶୁର ଦରୋଟି ଲୁଟିବା
ଜୀବନର ନବ-ପହିଲି ସକାଳ
ମରଣର ନୀଳ-ଦେହଳି ଭେଟିବା
ସୃଷ୍ଟିରେ ତବ ଯେବେ ସମ୍ଭବପର,
‘ଭଗବାନ’ ରୂପୀ ହେ ପିଶାଚ, ବର୍ବର!

ଶାସକ-ଶାସିତ, ଶୋଷକ-ଶୋଷିତ, ତମରି କୀର୍ତ୍ତି ସିନା
ତମ ବାନ୍ଧବୀ ଅଟେ ଚଞ୍ଚଳା ଆନ ବାନ୍ଧବୀ ଦୀନା!
             କହିବ କି ଥରେ, କହିବ କି ଭଗବାନ!

ଏଇ କ୍ଷେତ୍ରରେ କିଏ ଦେବ କୁହ ତୁମକୁ ହେ ସମ୍ମାନ?
                 କି କଥା ବା ଅଛି, କଅଣ କହିବି?
                 ତମେ ଥିବା ଯାଏଁ ଦୁଃଖ ନ ଯିବ।
ଦୀନ-ଦୁନିଆର ପୁଣି ଏକ ନୂଆ-ଦୀନ-ବାନ୍ଧବ ଲୋଡ଼ା
                ଯୁଗ୍ମ-ଲୋଚନ ଦେଖ ଥରେ ଫେଇ
               ସେଥିପାଇଁ ତମ ସମ୍ମୁଖେ ମୁହିଁ,
ନର୍ତ୍ତନ-ପ୍ରିୟ କୋଶ-ମୁକ୍ତ ମୋ ତରବାରି ନେଇ
                               ଦର୍ପେ ହୋଇଛି ଛିଡା!
             ମୁଁ ଜରାଶବର
             ତମରି କବର
ତମରି ହାତରେ ‘ସୁ-ଦର୍ଶନ’ ମୁଁ ମାତାଲ୍ ହୋଇଛି ଆଜି
             ତମରି ଶଙ୍ଖ
             ଆଜି ମୁଁ ଉଠିଛି
    ତମ ସୃଷ୍ଟିର ଅବସାନ-ସୁରେ ବାଜି।

ତମରି ହାତରେ ଗଦା-ପଙ୍କଜ, ଶଙ୍କା ମୁଁ ତମ ମନେ
ଚରମ ପତ୍ରେ ସ୍ଵାକ୍ଷର ଦିଏ ବ୍ୟଥିତ କ୍ଷୁବ୍ଧ ମନେ।
               ଅମରାବତୀର ବ୍ୟସନ ବିଳାସ
               କରିଦେଇ ଶେଷ
               ସବୁ ନିଃଶେଷ
               ଚାଲିଲି ମରଣ
               ରଚିବି ମୋ ରାସ
‘ଭଗବାନହୀନ ସୃଷ୍ଟି’ କରିବି ସିନା
ଅନ୍ୟ ପନ୍ଥା ନାହିଁ ଭଗବାନ, ପଦତ୍ୟାଗ ବିନା।

ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ
             ଆଗାମୀ ଚବିଶ ଘଣ୍ଟା ଭିତରେ
             ଆଗାମୀ କାଲିର ଏଇ ପ୍ରଭାତରେ
ଯେବେ ନ ଛାଡିବ ଗୋଲୋକ-ସିଂହାସନ
ଶିରୁ ଅବୟବ ଛିନ୍ନ କରିବ, କରିବ ମୋ ତରବାରି,
ତମରି ଅଙ୍କ-ଶାୟିନୀ ଦଳର କର-କଙ୍କଣ
                        ପଦାଘାତେ ଦେବି ଚୂରି!

ମହା-ମୁକ୍ତିର ଆଜି ତ ସ୍ଵର୍ଣ୍ଣ-ଦିନ,
ତେଣୁ ଭଗବାନ, ଖାଲି କରିଦିଅ ଗୋଲୋକ-ସିଂହାସନ!

ଉପସ୍ଥାପନା: ଅମୃତେଶ ଖଟୁଆ

Amritesh Khatua

Charama Patra

Spread the love
admin

View Comments

  • ଲାଲ୍ ପାଗୋଡାର ପ୍ରେତ -- ବିପ୍ଲବୀ କବି ରବି ସିଂ ଙ୍କ ଏକ କାଳଜୟୀ ସୃଷ୍ଟି

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago