~ ଚଢେୟା ନାଟ ~
ଲେଖା: ଅମୃତେଶ ଖଟୁଆ
ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ କଳା-ଚାତୁରୀ ଦ୍ଵାରା ଋଦ୍ଧିମନ୍ତ। ଆଜନ୍ମ-ମୃତ୍ୟୁ, ଏହି ସବୁ ପରମ୍ପରା ଓ ସଂସ୍କୃତି ଆମ ଦୈନନ୍ଦିନ ଚଳଣି ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ। ନିତାନ୍ତ ଅର୍ବାଚୀନ କାଳରୁ ଅଦ୍ୟାବଧି ଏହି ସବୁ ସାମାଜିକ ତଥା ସାଂସ୍କୃତିକ ବୈବିଧ୍ୟକୁ ଆହୁରି ରୁଚିକର କରିଆସିଛି। ହେଲେ, ସମୟର ସ୍ରୋତରେ ଅନେକେ ବାଲୁକାସ୍ତୂପ ପରି ନିତ୍ୟ ଅବକ୍ଷୟ ପଥରେ । କାଁ ଭାଁ କେଉଁଠି ଏହି ସବୁ ଶ୍ରେଣୀର ଲୋକକଳା ଗ୍ରାମାଞ୍ଚଳରେ ବଞ୍ଚିରହିଛି। ସେହିପରି ଗୋଟିଏ ମନୋରଞ୍ଜନ ଧର୍ମୀ ଲୋକକଳା ହେଉଛି ‘ଚଢେୟା ନାଟ‘। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହାର ସାମାନ୍ୟ ପରିବର୍ତ୍ତିତ ରୂପ ପରିଲକ୍ଷିତ ହେଉଥିଲେ ହେଁ ଏହାର ମୌଳିକ ଢ଼ାଞ୍ଚା ପ୍ରାୟତଃ ସମାନ। କେଉଁଠି ଏହାକୁ ‘କେଳାକେଳୁଣୀ’ ନାଟ କୁହାଯାଉଥିଲା ବେଳେ ଅନ୍ୟ କେଉଁଠି ଏହା ସୁଆଙ୍ଗ ଭାବେ ପରିବେଷିତ ହେଉଥାଏ। କିନ୍ତୁ ଏହାର ଆବେଦନ ପ୍ରାୟ ସବୁଠି ସମାନ।
ଏଥିରେ ପ୍ରାୟ ତିନିରୁ ପାଞ୍ଚ ଜଣ କଳାକାର ଲୋଡ଼ା। ତେବେ, ମୁଖ୍ୟ ତିନି କଳାକାରଙ୍କୁ ନେଇ ଏହି ନାଟ କରାଯାଇପାରେ। ସେହି ମୁଖ୍ୟ କଳାକାରମାନେ ହେଉଛନ୍ତି ଚଢେୟା, ଚଢେୟାଣୀ ଓ ବାଙ୍କୁ। ଏଥି ସହିତ ଆବଶ୍ୟକ ସ୍ଥଳେ ଅନ୍ୟ ଦୁଇ ଜଣ କଳାକାରଙ୍କୁ ନିଆଯାଇପାରେ। ସେମାନେ କେବଳ ପାଳିଆ ବା ସହକାରୀ ଭାବେ କାମ କରିଥା’ନ୍ତି। ଏହି ନାଟରେ ମୁଖ୍ୟତଃ ବାଦ୍ୟଯନ୍ତ୍ର ହେଉଛି ମୃଦଙ୍ଗ, ଯୋଡ଼ି ବା କୁବୁଜି, ଝାଞ୍ଜ, ହାରମୋନିୟମ୍ ଓ ପଖଉଜ। ତେବେ, ବର୍ତ୍ତମାନ ‘କି-ବୋର୍ଡ’ ସାଧାରଣତଃ ବ୍ୟବହାର କରିବାର ଦେଖାଯାଏ।
ପୂର୍ବେ ଚଢେୟା ନାଟ ସ୍ଵାଧୀନତା ସଂଗ୍ରାମରେ ବେଶ୍ ପ୍ରଚଳିତ ଥିଲା। ଓଡ଼ିଶାର ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ କିମ୍ବା ସ୍ଵାଧୀନତା ସଂଗ୍ରାମୀଙ୍କ ଗୁପ୍ତଚର ଭାବେ ଚଢେୟା-ଚଢେୟାଣୀ ବେଶରେ ‘ପ୍ରଜାମେଳି’ ଖବର କିମ୍ବା କୌଣସି ଗୁପ୍ତ ସୂଚନା ସରବରାହ କରୁଥିଲେ । ଗାଁ ଗାଁରେ ନାଟ କରି ପରୋକ୍ଷରେ ରାଜାଙ୍କ ଜୁଲମ ଓ ଇଂରେଜ ଅତ୍ୟାଚାର ବିରୁଦ୍ଧରେ ଜନମତ ସୃଷ୍ଟି କରୁଥିଲେ।
ଏହି ନାଟର କଥାବସ୍ତୁ, ମୁଖ୍ୟ ତିନି କଳାକାରମାନଙ୍କୁ ନେଇ କେନ୍ଦ୍ରୀଭୂତ। ଏହିମତେ, ଚଢେୟା ଚଢେୟାଣୀ ବାରୁଣୀ ମେଳା (ଅନ୍ୟ ସ୍ଥାନ: କୌଣସି ମେଳା ବା ଯାତ୍ରା ) ଦେଖିବାକୁ ଯାଇଥିବା ବେଳେ ପ୍ରବଳ ଗହଳିରେ ଚଢେୟା ଚଢେୟାଣୀଠାରୁ ବିଚ୍ଛିନ୍ନ ହେଇଯାଏ। ଚଢେୟା ଅନେକ ଖୋଜାଖୋଜି କରି ମଧ୍ୟ ତା’ର ସନ୍ଧାନ ପାଇନଥାଏ। ଏମିତି ଅବସ୍ଥାରେ ଗାଁ ମୁଣ୍ଡରେ ଗଛ ତଳେ ଚଢେୟା ରାତିରେ ବିଶ୍ରାମ କରୁଥାଏ। ଏହି ସମୟରେ ତା’ର ବାଙ୍କୁ ସହିତ ସାକ୍ଷାତ୍ ହୋଇଥାଏ (ବାଙ୍କୁ ଚରିତ୍ର ଗାଁର ଚଉକିଆ ଶ୍ରେଣୀର ହାସ୍ୟ କଳାକାର ହୋଇଥାଏ) । ଗାଁର ନାତିଟୋକା ମାନେ ତାଙ୍କୁ କେମିତି ହଇରାଣ କରୁଛନ୍ତି, ଗାଁର କେଉଁ ବୁଢ଼ୀ ଶୁଖୁଆ ପୋଡ଼ା ଖାଏ କି ଗାଁର କାହାର ଗାଈ ଦି’ ମୁଣ୍ଡିଆ ଶାବକଟିଏ ଜନ୍ମ ଦେଇଛି, ଏ ସବୁ ବିଷୟରେ ଭଣିତା କରି ବାଙ୍କୁ ଗାଁ ବୁଲିବା ବେଳେ ଚଢେୟା ସହିତ ଭେଟ ହୁଏ। ଚଢେୟାଠାରୁ ସମସ୍ତ ବିଷୟ ଶୁଣି ବାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦିଏ।
ଚଢେୟା ଅନେକ ଶାସ୍ତ୍ରପୁରାଣରେ ପାରଙ୍ଗମ ହୋଇଥାଏ। ବାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ତା’ର ଜ୍ଞାନ ପରୀକ୍ଷା କରିଥାଏ। ଆମର ଆଦି ମହାକାବ୍ୟ ରାମାୟଣ, ମହାଭାରତର ବିଭିନ୍ନ ପ୍ରସଙ୍ଗ ଉପରେ ପଚାରି ବାଙ୍କୁ ତା’ର ସନ୍ଦେହ ମୋଚନ କରେ। ‘ଦେଖିକି କିଏ ମଲା, ନ ଦେଖି କିଏ ମଲା, ଦେଇ କିଏ ମଲା, ନ ଦେଇ କିଏ ମଲା’ ଏଭଳି ପୌରାଣିକ ପ୍ରସଙ୍ଗ ଉପରେ ତା’କୁ ପ୍ରଶ୍ନ ପଚାରିଥାଏ। ଚଢେୟା ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଲା ପରେ ଅସଲ ପ୍ରସଙ୍ଗକୁ ଆସେ। ବାଙ୍କୁ ମେଳା ବୁଲିବାକୁ ଯାଇଥିବା ବେଳେ ଏକୁଟିଆ ଗୋଟିଏ ଯୁବତୀକୁ ଦେଖି ତା’କୁ ଘରକୁ ଆଣିଥାଏ। ସେ ପ୍ରକୃତରେ ହେଉଛି ଚଢେୟାଣୀ। ଏ ବିଷୟରେ କଥା ହୋଇ ବାଙ୍କୁ ସେଠାକୁ ଚଢେୟାକୁ ନେଇ ଆସେ। ମାତ୍ର, ଓଢଣା ଦେଇଥିବା ଚଢେୟାଣୀ ତଥା ବାଙ୍କୁ ପୁନରାୟ ନିଜର ସନ୍ଦେହ ମୋଚନ ପାଇଁ ତାଙ୍କ ନିଜ ଭାଷାରେ କଥା ହୋଇଥାଏ। ‘ଏଲମାରେ ଡେଙ୍ଗ୍ରି, ଡେଙ୍ଗ୍ରି ତେ ମାଙ୍ଗା, ମାଙ୍ଗା ତେ ଚେଲଗାଡି଼ ଫୁଲ୍ କାମାଡି଼,’ ଭଳି ଭାଷାରେ ଚଢେୟା କୁହେ। ଏହାର ଅର୍ଥ ହେଉଛି, ‘ରେ ପ୍ରାଣସଙ୍ଗିନୀ, ତୁ କେଉଁଠି ହଜିଗଲୁ, ତୋତେ ନ ପାଇ ପ୍ରାଣ ଅଧା ହେଲାଣି, ମୋତେ ଦେଖା ଦେ, ଆମର ଖୁସି କୁଡିଆ ତୋ’ ପାଦଶବ୍ଦକୁ ଅନାଇ ରହିଛି।’ ଏହା ପରେ ବାଙ୍କୁ ଚଢେୟାଣୀକୁ ସେ ଏହି ଭାଷା ବୁଝିପାରୁଛି କି ନାହିଁ ପଚାରେ। ଚଢେୟାଣୀ ଭାଷା ବୁଝିପାରୁଛି ଓ ଚଢେୟା ତା’ ସ୍ଵାମୀ ବୋଲି ସ୍ଵୀକାର କରେ। ଏହା ପରେ ସକାଳ ହୋଇଯାଇଥାଏ। ଚଢେୟାଣୀ ବାଙ୍କୁକୁ ନିଜ ଧର୍ମବାପ ଭାବେ ଗ୍ରହଣ କରି ଚଢେୟା ସହିତ ଖୁସି ମନରେ ନିଜ ଘରକୁ ଫେରିଯାଏ। ଏହି ସମୟରେ ବାଙ୍କୁ ଆଖିରେ ଝିଅ ବିଦା କରିବାର ଲୁହ ଦେଖାଯାଏ।
Chadheya Nata Amritesh Khatua
Spread the love
Antaranga Kalinga

View Comments

  • ବେଶ୍ ସୁନ୍ଦର ଭାବେ ବର୍ଣ୍ଣନା ଚଢ଼େଇଆ ନାଚ ଓ ଗୀତ

Share
Published by
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago