ଲେଖା: ନିରଞ୍ଜନ ସାହୁ

ଅଷ୍ଟାଦଶ ଶତାବ୍ଦୀ ଥିଲା ଓଡ଼ିଆ କାବ୍ୟସାହିତ୍ୟର ଅପୂର୍ବ ଯୁଗ । ରୀତି ଓ ଗୀତିଯୁଗ ନାମରେ ନାମିତ ଏହି ଯୁଗରେ ଉତ୍କଳ ସାହିତ୍ୟାକାଶରେ ଆବିର୍ଭାବ ଘଟିଥିଲା ବହୁ ବିଶିଷ୍ଟ କବିମାନଙ୍କର। ଆମେ ଯେତେବେଳେ ସର୍ବାଗ୍ରେ ସ୍ମରଣ କରୁ କବିସମ୍ରାଟଙ୍କୁ, ସେତିକିବେଳେ ଅନ୍ୟାନ୍ୟ ପ୍ରତିଭାପୁଞ୍ଜ ଆମ ଦୃଷ୍ଟି ସମ୍ମୁଖରେ ଉଦଭାସିତ ହୋଇଉଠନ୍ତି, ଅଭିମନ୍ୟୁ, ଦୀନକୃଷ୍ଣ, ଭକ୍ତଚରଣ, କବିସୂର୍ଯ୍ୟ ବଳଦେବ, ଗୋପାଳକୃଷ୍ଣ ଏବଂ ରୀତିଯୁଗୀୟ ଓଡିଆ ସାହିତ୍ୟରେ ବିସ୍ମୟ ପ୍ରତିଭା ବ୍ରଜନାଥ ବଡ଼ଜେନା ।

ମଧ୍ୟଯୁଗୀୟ ଓଡ଼ିଆ ରୀତି କାବ୍ୟରେ କବିମାନେ ରୀତି ବା ଆଳଙ୍କାରିକ ବର୍ଣ୍ଣନାରେ କାବ୍ୟିକ ସୌନ୍ଦର୍ଯ୍ୟ ସୃଷ୍ଟି କରିଛନ୍ତି। କାବ୍ୟିକ ସୌନ୍ଦର୍ଯ୍ୟ ସହ ପୌରାଣିକ, କାଳ୍ପନିକ, ନାୟକନାୟିକା, ରାଧାକୃଷ୍ଣ ଲୀଳା, ଆଳଙ୍କାରିକତା ଓ କଳ୍ପନାବିଳାସ ଯେତେବେଳେ ଏହି ମହାନ କବିମାନଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି, ଠିକ୍ ସେହି ସମୟରେ ପ୍ରାଚୀନ ଓ ନୂତନର ସମନ୍ୱୟ ଭୂମି ଉପରେ ଉଭା ହୋଇଥିଲେ ଏକ ବିସ୍ମୟ ପ୍ରତିଭା ବ୍ରଜନାଥ ବଡ଼ଜେନା।

ନିଜର ବଂଶ, ଜାତି, କୁଳ ଉପରେ ଥିଲା କବିଙ୍କର ଏପରି ଏକ ଉକ୍ତି :–
“ବର୍ଣ୍ଣରେ ଅଟୁ ଆମ୍ଭେ ଶିଷ୍ଟ କରଣ
ରଘୁ ଅରକ୍ଷିତଙ୍କ ବଂଶ ନିପୁଣ ଯେ ।
ଶ୍ରୀକ୍ଷେତ୍ରରେ ପୂର୍ବେ ନିବାସ ଥିଲା
ବିଧି ବଶରେ ସେହୁ ଅନ୍ତର ହେଲା ଯେ।
ତହୁଁ କେତେ କାଳ ଗଲା ଓଡିଆରେ
ଷଷ୍ଠ ପୁରୁଷ ହେଲା ଢେଙ୍କାନାଳରେ ଯେ।”

୧୭୩୦ ଖ୍ରୀଷ୍ଟାବ୍ଦ ମହାବିଷୁବ ସଂକ୍ରାନ୍ତି ଦିନ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗାଦିର ଅନତି ଦୂରରେ କାବେରା ଗ୍ରାମରେ ଜନ୍ମନେଲେ ଏହି ପ୍ରଚଣ୍ଡ ପ୍ରତିଭାଧର କବି । ସେ ଥିଲେ ପଣ୍ଡିତ ଓ ବିଦଗ୍ଧ । ଏକାଧାରରେ ବହୁମୁଖୀ ପ୍ରତିଭାର ଅଧିକାରୀ ଏହି ବିସ୍ମୟ ବାଳକ କାବ୍ୟକବିତା ଲେଖିବାରେ ଶୈଶବ ଅବସ୍ଥାରୁ ମନୋନିବେଶ କଲେ । ପରିବାର ଥିଲେ ଦରିଦ୍ର, କିନ୍ତୁ ଏକ ଗୌରବମୟ ବଂଶାବଳୀର ପରିଧି ମଧ୍ୟରେ। ଶ୍ରୀକ୍ଷେତ୍ରର ଶ୍ରୀକୃଷ୍ଣ ମହାପାତ୍ରଙ୍କ ପୁତ୍ର ରଘୁ ଅରକ୍ଷିତ, ତାଙ୍କ ପୁତ୍ର ବିଶ୍ଵ ଅରକ୍ଷିତ । ବିଶ୍ଵ ଅରକ୍ଷିତଙ୍କ ପୁଅ ତ୍ରିବିକ୍ରମ ପଟ୍ଟନାୟକ ।

ତ୍ରିବିକ୍ରମ ପଟ୍ଟନାୟକଙ୍କ ପୁତ୍ର ଥିଲେ ବାଲୁଙ୍କେଶ୍ୱର ପଟ୍ଟନାୟକ । ବାଲୁଙ୍କେଶ୍ୱରଙ୍କ ଚାରିପୁତ୍ର ମଧ୍ୟରୁ ବ୍ରଜନାଥ ପଟ୍ଟନାୟକ ଅନ୍ୟତମ । ଏହି ଚାରି ପୁତ୍ର ପ୍ରତ୍ୟେକ ଜଣେ ଜଣେ ଥିଲେ ସାରସ୍ଵତ ସାଧକ ।ଏ ସମ୍ପର୍କରେ କବି ତାଙ୍କର ‘ଗୋପୀ ବିଳାସ’ କାବ୍ୟରେ ଦର୍ଶାଇଛନ୍ତି : —

“ପିତାଙ୍କର ନାମ ବାଲୁଙ୍କେଶ୍ୱର
ପଟ୍ଟନାୟକ କଲେ ନରେଶ୍ଵର ।
ଅଟୁ କରଣ ଯେ ଆମ୍ଭେ ଜାତିରେ
ଚାରି ଭାଇ କବି ନାନା ଜାତିରେ ।
ଜ୍ୟେଷ୍ଠ ଗୋପୀନାଥ ପଟ୍ଟନାୟକ
କବି ଭୂଷଣ ପଦ ଓ ନାୟକ ।
ସର୍ବ କନିଷ୍ଠ ନାମ ଲୋକନାଥ
ରାଉତରା ହିଁ କଲେ ନରନାଥ।
ବ୍ରଜନାଥ ବୋଲି ମୋର ଯେ ନାଆଁ
ରାଜପଦ ଅଟଇ ବଡ଼ଜେନା ।”

ଏହି ବହୁମୁଖି ପ୍ରତିଭାର ଅଧିକାରୀ ଏକାଧାରରେ ଥିଲେ କବି, ଶିଳ୍ପୀ, ସଙ୍ଗୀତଜ୍ଞ, ବୈଦ୍ୟଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଧୂରୀଣ, ବହୁ ଶାସ୍ତ୍ରବିଦ, ଚିତ୍ରକର ଏବଂ ବହୁ ଭାଷାରେ ବିଦ୍ୱାନ । ସଂସ୍କୃତ, ପ୍ରାକୃତ, ହିନ୍ଦୀ, ବଂଗଳା, ତେଲୁଗୁ, ଖେରଠା, ମରାଠା ଭାଷାରେ ବ୍ୟୁତ୍ପତ୍ତି ଲାଭ କରିଥିବା ଏହି ପ୍ରତିଭା ବ୍ରଜନାଥ ବଡ଼ଜେନା କହନ୍ତି:

“ବର୍ତ୍ତମାନ ଯେତେ ଗୁଣ
କରିଛି ଗୋସାଇଁ ଶୁଣ
ସଂସ୍କୃତ, ପ୍ରାକୃତ, ହିନ୍ଦୁସ୍ଥାନୀ, ବଂଗଳା
ତେଲେଙ୍ଗା ଭାଷାରୁ କିଛି
ଏ ରୂପେ ଗୀତ କରିଛି
ଚଉପଦୀ, ଚଉତିଶା, ବିବିଧ ଲୀଳା
ଛାନ୍ଦ, ବୋଲି, ପୋଥି, ପ୍ରବନ୍ଧ
ଦଣ୍ଡକ, ଚୂର୍ଣ୍ଣକ ଆଦି ସିକାର ବନ୍ଧ।”
(ରାଜସଭା )

ଉପେନ୍ଦ୍ର ଭଞ୍ଜୀୟ କାବ୍ୟ ପରମ୍ପରାର ଉତ୍ତର ସାଧକ ଭାବେ ବ୍ରଜନାଥଙ୍କ କାବ୍ୟରେ ଶବ୍ଦସଂଯୋଜନା, ଛନ୍ଦ ସଂପାଦନା, ରସ ଉଲ୍ଲାସ, ଅଳଙ୍କାର ଚାତୁର୍ଯ୍ୟ, ବର୍ଣ୍ଣନା ବିଳାସ, ରଚନାଶୈଳୀ ଗତାନୁଗତିକ ହୋଇପାରେ ମାତ୍ର ପ୍ରତି କ୍ଷେତ୍ରରେ ସ୍ଵକୀୟତା ପରିଦୃଷ୍ଟ । ପାରମ୍ପରିକ ଶୈଳୀକୁ ଅବଲମ୍ବନ କରିଥିଲେ ମଧ୍ୟ ତାଙ୍କର ସୃଷ୍ଟି ସମ୍ଭାର ନୂତନତ୍ବର ସ୍ପର୍ଶ ବହନ କରେ । ତେଣୁ ସେ ଥିଲେ ରୀତି ଯୁଗର ଏକ ବିସ୍ମୟ ଓ ବ୍ୟତିକ୍ରମ ।

ରୀତି ଯୁଗ ପର୍ଯ୍ୟନ୍ତ କାବ୍ୟ ସମୂହ ଯେତେବେଳେ କବିତା ମାଧ୍ୟମରେ କଳେବର ମଣ୍ଡନ କରୁଥିଲେ, ସେହି ସମୟରେ ଗଦ୍ୟ ସାହିତ୍ୟ ‘ଚତୁର ବିନୋଦ’ ଏକ ନୂତନ ସମ୍ଭାବନା ଆଣିଦେଇଥିଲା। ତାଙ୍କର ଏହି  ରଚନାରେ ରୀତି ଯୁଗୀୟ ରାଜା, ରାଣୀ, ମନ୍ତ୍ରୀ, ସାଧବମାନେ ପରିଦୃଷ୍ଟ ହେଲେ ହେଁ ନୂତନତା ବହନ କରି ଯୋଗଦେଲେ ନାରୀ, ବୈଦ୍ୟ, ନାଟୁଆ, ଗୋପାଳ, ଦାସୀ, ଧୋବା, ନାପିତ, ନାପିତାଣୀ ଆଦି ସମାଜର ସାଧାରଣ ବର୍ଗର ଚରିତ୍ର । ଆପଣାର କବିତ୍ଵ ସମ୍ବନ୍ଧୀୟ ଆତ୍ମ ପରିଚୟ ଆମ ସାହିତ୍ୟରେ ଅଦ୍ୟାବଧି ଅନନ୍ୟ:

“ସଂସ୍କୃତ ପରାକୃତ ଖୋରଠା ବୋଲି
ନାନା ଭାଷାରେ ଗୀତ କବିତ୍ଵ କଲି ଯେ।
ବିବିଧ ଚଉପଦୀ ଚଉତିଶା ହିଁ
ବୋଲି ଛାନ୍ଦ ପ୍ରବନ୍ଧ ବୋଲିଛି ମୁହିଁ ଯେ ।
ଶକାର ଛାନ୍ଦ ମାତ୍ରା ବୃତ୍ତ ଚୂର୍ଣ୍ଣକ
କଥା କଥନ ନାନା ହସ କୌତୁକ ଯେ।
ଢଗଢମାଳି ଗାଳି ଚାଳକ ଗୀତ
ବ୍ରଜମୋହନ କେଳିଯୁକ୍ତ କବିତ୍ଵ ଯେ।
ତିନି କଲମେ ପୁଣି କରିଛି ଶ୍ରମ
ତାଳପତ୍ରେ କାଗଜେ ଅକ୍ଷର କମ ଯେ।
ରୂପ ଚିତ୍ରରେ ନାନା ପଟ ପୁସ୍ତକ
ଲେଖା ଦେଖି ଆନନ୍ଦ ହୁଅନ୍ତି ଲୋକ ଯେ ।
(ସମର ତରଙ୍ଗ)

ବିଭିନ୍ନ କାବ୍ୟ ସମୂହର ରଚୟିତା ବ୍ରଜନାଥ ପଟ୍ଟନାୟକ ଏକଦା ଗଜପତି ମହାରାଜାଙ୍କ ପଣ୍ଡିତ ସଭାରେ ଉପସ୍ଥିତ ଥାଆନ୍ତି । ଜନୈକ ପଣ୍ଡିତ ତାଙ୍କର ଚିତ୍ରକଳା ଖୋଦିତ ସୁନ୍ଦର ଅକ୍ଷର ଥିବା ଏକ ପୋଥି ସଭାରେ ପ୍ରଦର୍ଶନ କଲେ। କବି ବ୍ରଜନାଥ ସେହି ଚିତ୍ର ଓ ଅକ୍ଷର ମଧ୍ୟରେ ଆଉ ଗୋଟେ ଗୋଟେ ଅକ୍ଷର ଲେଖିଦେଲେ । ଉପସ୍ଥିତ ପଣ୍ଡିତଗଣ ଚମତ୍କୃତ ତ ହେଲେ, କିନ୍ତୁ ସ୍ଵୟଂ ଗଜପତି ମହାରାଜା ଆଶ୍ଚର୍ଯ୍ୟ ଓ ଭାବବିହ୍ଵଳ ହୋଇ ‘ସାଧୁ ସାଧୁ’ ସମ୍ବୋଧନ ସହ ସେହି ସଭାରେ ବଡଜେନା ଉପାଧି ପ୍ରଦାନ କଲେ। କବି ବ୍ରଜନାଥ ପଟ୍ଟନାୟକ ରୂପାନ୍ତରିତ ହୋଇଗଲେ ବ୍ରଜନାଥ ବଡ଼ଜେନା ନାମରେ

୧୭୭୧ ସାଲରେ ଓଡ଼ିଆ ସାହିତ୍ୟ ଜଗତକୁ ଉପହାର ସଦୃଶ ଆସିଲା ପ୍ରଥମ ସମର କାବ୍ୟ । ଅନେକ ଅଧ୍ୟାୟରେ ଖୋରଠା ଭାଷାର ପ୍ରୟୋଗ ଦେଖିବାକୁ ମିଳିଲା ଏହି କାବ୍ୟରେ । ଢେଙ୍କାନାଳ ରାଜା ଓ ମରହଟ୍ଟା ସୈନ୍ୟବାହିନୀ ମଧ୍ୟରେ ଘଟିଥିବା ଯୁଦ୍ଧର ଐତିହାସିକ ଚିତ୍ର ସ୍ପଷ୍ଟ ଭାବରେ ଚିତ୍ରିତ ହେଲା ପ୍ରତି ଛାନ୍ଦରେ । ସାତଗୋଟି ଛାନ୍ଦ ସଂରଚନା ଓ ଭାଷା ବିନ୍ୟାସରେ କବିଙ୍କର ଅପୂର୍ବ ସାଫଲ୍ୟ ପରିଦୃଷ୍ଟ ହୁଏ ଏ କାବ୍ୟରେ:

“ଦୁଇ ବଳ ହୋଇଲେ ମିଶାମିଶି
ଷଣ୍ଢେ ଷଣ୍ଢେ କି ମେଣ୍ଢ ହେଲେ ଆସି।
ଆଡି଼ ଭୁଷି ଢଙ୍କୁଣକୁ ଢଙ୍କୁଣ
ତନ ଛାଡ଼ି ଦିଅନ୍ତି ନେଇ ପୁଣ ।
ପିଟି ପିଟି ଛିଟିକାଇ ଭୁଷନ୍ତି
କଟି ପାରି ଆଣ୍ଠୁଆଇ ବସନ୍ତି ।
ଯୋଖି ରଖିଥାନ୍ତି ଆଖି ଆଖିରେ
ଦେଖି ଦେଖି କେ ଡାକିହାକି ମାରେ।
ଲାଖି ପଡ଼େ କାହା ହୃଦେ ଢଙ୍କୁଣ
ଆଖି ବାଟେ ଛାଡ଼ି ଯାଏ ପରାଣ ।”

କବି ବ୍ରଜନାଥ ବଡ଼ଜେନାଙ୍କର ଏକ ଚମତ୍କାର ସୃଷ୍ଟି ହେଉଛି ‘ଚତୁର ବିନୋଦ’ କଥାଗ୍ରନ୍ଥ, ଯାହା ଓଡ଼ିଆ ସାହିତ୍ୟରେ ଅଦ୍ୱିତୀୟ । ଗଦ୍ୟରେ ଲିଖିତ ହେଲେ ହେଁ ଏହାର ରଚନା ଶୈଳୀ ପଦ୍ୟାତ୍ମକ । ଏହାର ନାମକରଣ ସମ୍ପର୍କରେ କବି କହନ୍ତି —

ହାସ ବିନୋଦ, ରସ ବିନୋଦ, ନୀତି ବିନୋଦ, ପ୍ରୀତି ବିନୋଦ, ଏପରି ଚାରି ବିନୋଦ ହେବାରୁ ଏ କଥା ନାମ ଚତୁର ବିନୋଦ, ଅଥବା ଚତୁର ଲୋକଙ୍କ ବିନୋଦ ହେବାରୁ ଏ ଘେନି ‘ଚତୁର ବିନୋଦ’ ।

ହିନ୍ଦୀ ଓ ସଂସ୍କୃତ ଭାଷାରେ ସେ ରଚନା କରିଛନ୍ତି ‘ଗୁଣ୍ଡିଚା ବିଜେ’ ‘ମନୋଦୂତମ୍’ କାବ୍ୟ, ଯାହା ପରବର୍ତ୍ତୀ ସମୟରେ ଇଂରାଜୀ ଭାଷାରେ ଅନୁଦିତ ହୋଇଅଛି। ଭଞ୍ଜୀୟ କାବ୍ୟ ପରମ୍ପରାର ଉତ୍ତର ସାଧକ ତଥା ଓଡ଼ିଆ ସାହିତ୍ୟରେ କେତେକାଂଶରେ ପରମ୍ପରା ଭାଙ୍ଗି ଯେଉଁ ଅପୂର୍ବ ସୃଷ୍ଟି ସମ୍ଭାର ବ୍ରଜନାଥ ବଡ଼ଜେନା ଦେଇ ଯାଇଛନ୍ତି, ତାହା ଉତ୍କଳୀୟ ପାଠକବୃନ୍ଦଙ୍କ ହୃଦୟରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜନ୍ମାଏ ।

ଶ୍ୟାମ ରାସୋତ୍ସବ, କେଳିକଳାନିଧି, ଅମ୍ବିକା ବିଳାସ, ବିଚକ୍ଷଣା, ଦେଶନୁଚିନ୍ତା, ଦଶପୋଇ, ଗୋପୀ ବିଳାସ, ଚଣ୍ଡୀ ମାଳଶ୍ରୀ, ରାଜନଙ୍କୁ ଛଳ ଉକ୍ତି, ରାଜସଭା, ଗୁଣ୍ଡିଚା ବିଜେ, ମନୋଦୂତମ୍, ସମର ତରଙ୍ଗ, ଚତୁର ବିନୋଦର ସ୍ରଷ୍ଟା ହିଁ ଆମ ସାହିତ୍ୟରେ ପ୍ରଥମ ଗଦ୍ୟ ସାହିତ୍ୟର ପଥ ପ୍ରଦର୍ଶକ, ପ୍ରଥମ ସମର ସାହିତ୍ୟ ଏବଂ ହାସ୍ୟ ସାହିତ୍ୟର ସ୍ରଷ୍ଟା।

ସେ ଅମର, ଆମ ସାହିତ୍ୟରେ ଅଲଂଘ୍ୟ ସ୍ତମ୍ଭ ଓ ଅବିସ୍ମରଣୀୟ ପ୍ରତିଭା। ବିଭିନ୍ନ ଭାଷାରେ ପାଣ୍ଡିତ୍ୟର ଅଧିକାରୀ ସମାଲୋଚକ ଓ ବଡ଼ଜେନା ସାହିତ୍ୟ ଗବେଷକ ସୁଧାକର ପଟ୍ଟନାୟକ ତାଙ୍କୁ ନାମିତ କରିଛନ୍ତି ‘ପଡ଼ଭାଷା-ବାରବିଳାସିନୀ-ଭୁଜଙ୍ଗ’ ନାମରେ ।

ଦୁଃଖର କଥା ତାଙ୍କର ଜନ୍ମ ଓ ତିରୋଧାନର ସଠିକ ତିଥି, ତାରିଖ ଏଯାଏଁ ଗବେଷଣାର ଅପେକ୍ଷା କରେ । ପବିତ୍ର ମହାବିଷୁବ ସଂକ୍ରାନ୍ତିକୁ  (ଆନୁମାନିକ) କବିଙ୍କ ଧରାବତରଣ ଦିବସ ଭାବେ ଗ୍ରହଣ କରାଯାଇଛି । ଓଡ଼ିଆ ସାହିତ୍ୟର ଏହି ଯୋଗଜନ୍ମା ସାଧକ ୧୮୦୦ ମସିହାରେ ପରଲୋକ ଗମନ କଲେ । ସବୁ ଦିନ ପାଇଁ ରଖିଦେଇଗଲେ ଅମର ସାହିତ୍ୟ କୃତି ।

ଫଟୋ ସୌଜନ୍ୟ– ଶ୍ରୀ ମଧୁସୂଦନ ସାହୁ, ମହିମା ଗାଦି, ଯୋରନ୍ଦା, ଢେଙ୍କାନାଳ

Brajanath Badajena Niranjan Sahu

Spread the love
admin

View Comments

  • ବଡ଼ଜେନାଙ୍କ ସାହିତ୍ୟ ସର୍ଜନା ବିସ୍ମୟୋଦ୍ଦୀପକ । ସମର ତରଙ୍ଗ ଓଡ଼ିଆ ସାହିତ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରେ ।

  • ଓଡ଼ିଆ ସାହିତ୍ୟର ଆଦି ବ୍ୟଙ୍ଗକାର, ଗଦ୍ୟ ଧାରାର ସଫଳ ପ୍ରୟୋଗkari

  • ଓଡ଼ିଆ ସାହିତ୍ୟର ଆଦି ବ୍ୟଙ୍ଗକାର, ଗଦ୍ୟ ଧାରାର ସଫଳ ପ୍ରୟୋଗକାରୀ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago