ଲେଖା: ମନୋଜ କୁମାର ବେହେରା

~ ମନେପଡେ: ବାରିପଦାର ସେଇ ଓଡିଆ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ~
ସନ ୧୯୮୨ ମସିହା। ଓଡିଆ ଚଳଚ୍ଚିତ୍ର ଜଗତର ସଫଳ ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ ବିତରକଙ୍କୁ ପ୍ରଯୋଜକ ସାଜି ନିଜସ୍ଵ ଚଳଚ୍ଚିତ୍ର, ନିର୍ମାଣ ସଂସ୍ଥା ‘ଜୟଶ୍ରୀ ପ୍ରଡ଼କ୍ସନ‘ ବ୍ୟାନରରେ ଓଡ଼ିଆ ଚଳଚ୍ଚିତ୍ର ‘ଫୁଲଚନ୍ଦନ’ର ନିର୍ମାଣ କରିଥିଲେ । ଏହି ରୋମାଣ୍ଟିକ ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ଘୋଷିତ ହୋଇଥିଲା ।ଲୋକପ୍ରିୟ ଫିଲ୍ମ ତାରକା ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଯୋଡିର ପ୍ରଥମ ଫିଲ୍ମ-‘ଫୁଲଚନ୍ଦନ’ର ବ୍ୟବସାୟିକ ସଫଳତାରେ ନୂଆ ନିର୍ଦ୍ଦେଶକ ଭାବେ ମହମ୍ମଦ ମହସିନଙ୍କ । ଆବିର୍ଭାବ ହୋଇଥିଲା ଏବଂ ସାରା ଓଡ଼ିଶାରେ ଚିହ୍ନା ପଡିଲେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ଭାବେ ବାରିପଦାର ସରୋଜ ପଟ୍ଟନାୟକ । ସଫଳ ଚଳଚ୍ଚିତ୍ର କାହାଣୀ ଲେଖକ ଭାବେ ଆମ ବାରିପଦାର ଆନନ୍ଦ ଶଙ୍କର ଦାସ, ଗୀତିକାର ଭାବେ ବାରିପଦାର ସଂଗ୍ରାମ ମହାନ୍ତିଦିଲ୍ଲୀପ ଦାସ (ବାରିପଦାର ପୁସ୍ତକ ଭଣ୍ଡାର ବହି ଦୋକାନର ମାଲିକ) । ହାସ୍ୟ ଅଭିନେତା ଭାବେ ଜୟୀ ଅର୍ଥାତ୍ ଜୟୀରାମ ସାମଲ ଏହି ଫୁଲଚନ୍ଦନ ଚଳଚ୍ଚିତ୍ର ରୁ ହିଁ ନିଜ ନିଜର ସ୍ଥାନ ମଜବୁତ କଲେ । ପୁନଶ୍ଚ ଓଡ଼ିଆ ଚଳଚିତ୍ର ଜଗତକୁ ବିଖ୍ୟାତ କ୍ୟାମେରାମ୍ୟାନ୍ ଭାବେ ରାଜନ୍ କିନ୍ନାଗୀଙ୍କୁ ପ୍ରବେଶ ଦ୍ଵାର ଖୋଲିଥିଲା ଏହି ଫୁଲଚନ୍ଦନ ଚଳଚ୍ଚିତ୍ର । ବହୁଚର୍ଚ୍ଚିତ ରୋମାଣ୍ଟିକ ଯୋଡି ଉତ୍ତମ-ଅପରାଜିତା ସେମାନଙ୍କର ସ୍ଥାନ ସ୍ଵତନ୍ତ୍ର ଭାବେ ସ୍ଥାପନ କଲେ ଅଗଣିତ ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ।
ଏହାର ଠିକ୍ ଚାରି ବର୍ଷ ପରେ ୧୯୮୬ ମସିହାରେ ବଟକୃଷ୍ଣ ନାୟକଙ୍କ ଦ୍ଵିତୀୟ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ‘ମାନିନୀ’ । ରବି କିନ୍ନାଗୀ- ଜଣେ ସଫଳ ଓ ବ୍ୟସ୍ତ ନିର୍ଦ୍ଦେଶକଭାବେ ଏହି ‘’ମାନିନୀ’’ କଥାଚିତ୍ର ହିଁ ଚିହ୍ନାଇଲା ଓଡ଼ିଆ ସିନେପ୍ରେମୀଙ୍କ ପାଖରେ । ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଧାକୃଷ୍ଣ ଭଞ୍ଜଙ୍କୁ (ବାରିପଦା) ଏକକ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଆଣି ଦେଇଥିଲା ସଫଳତା । ସେ ସମୟର ହିନ୍ଦୀ ଚଳଚ୍ଚିତ୍ର ତାରକା ରାମେଶ୍ଵରୀ ପ୍ରଥମ ଥର ନିମନ୍ତେ ଓଡ଼ିଶାକୁ ଆସି ଓଡ଼ିଆ ଫିଲ୍ମରେ ଅଭିନୟ ତଥା ମାଲାୟାଲାମ ଭାଷାର ବିଖ୍ୟାତ ଏବଂ ବହୁଚର୍ଚ୍ଚିତ ହିନ୍ଦୀ ଚଳଚିତ୍ର ‘ଜୁଲି’ର ସଫଳନିର୍ଦ୍ଦେଶକ ଜେ.ଏସ୍. ସେଥୁମାଧବନ, ଏହି ଚଳଚ୍ଚିତ୍ରରେ ରବି କିନ୍ନାଗୀଙ୍କ ସହିତ ନିର୍ଦ୍ଦେଶନାର ଦାୟୀତ୍ଵ ତୁଲାଇଥିଲେ । ସଫଳ ଗୀତିକାର ହେଲେ ନିଜାମ୍, ପ୍ରତିଷ୍ଠା ମଧ୍ୟ ଅର୍ଜନ କଲେ । ‘ମାନନୀ’ର କାହାଣୀ ରଚନା କରି ବଟକୃଷ୍ଣ ନାୟକ (Batakrushna Nayak) ପ୍ରଯୋଜନା ସହିତ ନିଜକୁ ଜଣେ ଚଳଚ୍ଚିତ୍ର କାହାଣୀ ଲେଖକ ଭାବେ ପ୍ରତିଷ୍ଠିତ କରିଥିଲେ । ମାନିନୀ’ର ସଫଳତା ପରେ ଜୟଶ୍ରୀ ପ୍ରଡକ୍ସନ ଭେଟି ଦେଇଥିଲା ତୃତୀୟ ଅବଦାନ ’ରଜନୀଗନ୍ଧା’ । ଏହି କଥାଚିତ୍ର ମାଧ୍ୟମରେ ସୁପ୍ରତିଷ୍ଠିତ ସଂଳାପ ଲେଖକ ଶ୍ରୀ ବିଜୟ ମିଶ୍ର ଉଭା ହୋଇଥିଲେ ନିର୍ଦ୍ଦେଶକ ରୂପେ । ସମସ୍ତ ଆଶା ଓ ଆଶଙ୍କାକୁ ପ୍ରତିହତ କରି ଏହି ଚଳଚ୍ଚିତ୍ର ହେଲା ସୁପରହିଟ୍ । ଏହି ଚଳଚ୍ଚିତ୍ର ପାଇଁ ବଟକୃଷ୍ଣଙ୍କୁ ମିଳିଲା ରାଜ୍ୟ ପୁରସ୍କାର, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହେଲେ ସେ କହିବାକୁ ଗଲେ ତିନୋଟି ଯାକ ଫିଲ୍ମ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ, ଆଉ ସବୁଠୁ ନିଆରା କଥା ହେଲା ଏଇ ସବୁ ସିନେମାଗୁଡିକ ଥିଲା ଆମ ମୟୂରଭଞ୍ଜ ମାଟିର ସିନେମା । ଏବେବି ଏହା ଏକ ମାଇଲଷ୍ଟୋନ, ଓଡ଼ିଆ ଚଳଚ୍ଚିତ୍ର ଭାବେ ମାନ୍ୟତା ପାଇସାରିଛି ।
ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିବା ବଟକୃଷ୍ଣ ନାୟକ କଳାପ୍ରେମୀ ଥିଲେ ଏବଂ ଜଣେ ରଙ୍ଗୀନ ମିଜାଜର ସିନେପ୍ରେମୀ ମଣିଷ ଥିଲେ । ନିଜେ ଚିତ୍ରକଳାରେ ନେପଥ୍ୟ ସେଟର ରୂପରେଖ ଏବଂ ବେଶଭୁଶା ତିଆରି କରୁଥିଲେ । କିନ୍ତୁ ଏତିକିରେ ତାଙ୍କରଅଭିଳାଷ ପୂର୍ଣ୍ଣ ହେଲା ନାହିଁ । ସେ ୧୯୫୨ ରୁ ୧୯୮୨ ପର୍ଯ୍ୟନ୍ତ କଟକରେ ଅବସ୍ଥାନ କରୁଥିଲେ ଏବଂ ବିଭିନ୍ନ ରଙ୍ଗମଞ୍ଚ ନିମନ୍ତେ ଦୃଶ୍ୟାବଳୀ ସମ୍ବଳିତ ସ୍କ୍ରିନ୍ ନିର୍ମାଣ କାର୍ଯ୍ୟରେ ନିଜକୁ କରିଥିଲେ ନିୟୋଜିତ । ନିଷ୍ପତ୍ତି ନେଲେ କଟକରୁ ଜନ୍ମସ୍ଥାନ ବାରିପଦାକୁ ଫେରି ଆସିବେ । ବାରିପଦାରେ ତାଙ୍କର ଏକ ଗୁଡାଖୁ କାରଖାନା ଓ ମୟୂରଭଞ୍ଜର ବେତନଟୀ ଠାରେ ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଥିଲା । ଯେତେବେଳେ ଓଡ଼ିଶାରେ ଆକବରୀ ଖାଁ କଡା ଗୁଡାଖୁର ଚାହିଦା ଥିଲା ସେ ‘ସମୟରେ ସେ ଦୁଃସାହସ କରି “ଜୟଶ୍ରୀ ଗୁଡାଖୁ’’ ଆରମ୍ଭ କରିଥିଲେ । ଏଥିରେ ସେ’ ସଫଳତାର ଶୀର୍ଷକୁ ଛୁଇଁଥିଲେ ମଧ୍ୟ । ଗୁଡାଖୁ ବ୍ୟବସାୟ ପରେ ପରେ ମହମବତୀ କାରଖାନା,ଏହାର ମଧ୍ୟ ବେଶ୍ ଚାହିଦା ହେଲା । ବାସ୍ ! ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ପ୍ରଥମ ଦୁଇଟି ଫିଲ୍ମ ‘ଫୁଲଚନ୍ଦନ’ ଓ ‘ମାନିନୀ ‘ମାଧ୍ୟମରେ ସେ ‘ରାତାରାତି ସଫଳ ଚଳଚ୍ଚିତ୍ର ପ୍ରଯୋଜକର ମର୍ଯ୍ୟାଦା ପାଇସାରିଥିଲେ । ତାଙ୍କର ସବୁ ଫିଲ୍ମରେ ଓଡ଼ିଆ ଘର ଓ ପରିବାରର ବାସ୍ନା ଚହକି ଉଠୁଥିଲା ।
ମାତ୍ରୁ . . ! ମାତ୍ର ସପ୍ନ ସବୁ ପୁରା ହୁଏନା . . ! କିଛି ରହିଯାଏ ଅଧାରେ । ଆକସ୍ମିକ ଭାବେ ଇହଲୀଳା ସମ୍ବରଣ କଲେ ବଟକୃଷ୍ଣ ନାୟକ, ଚଳଚିତ୍ରରେ ବନ୍ଧା ହେଲା ଡୋରି । ରଜନୀଗନ୍ଧାର ଅପୂର୍ବ ସଫଳତା ପରେ ନିର୍ମାଣାଧୀନ ଥିଲା ତାଙ୍କର ଚତୁର୍ଥ ଅବଦାନ ‘ତୁଳସୀ’ ଏବଂ ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ । ସମସ୍ତ ଗୀତର ରେକର୍ଡ ସରିଥିଲା ବମ୍ବେରେ । ବଟବାବୁଙ୍କ ଆବର୍ତ୍ତମାନରେ ତୁଳସୀ ମଉଳି ଗଲା, ପ୍ରତିଟି ଚଳଚ୍ଚିତ୍ରର ସଫଳତା, ଯାହାକୁ ଛୁଇଁ ଯାଉଥିଲା ବିଭୂକୃପା ପରି ।
ଆଜି ବି ମୟୂରଭଞ୍ଜଟିଆ ଟିଏ ଗର୍ବକରେ ଏଇ ସବୁ ସିନେମା ଓ ବାରିପଦାରେ ଥିବା ଆମ ଓଡ଼ିଆ ସିନେମା କଳାକାର ମାନଙ୍କ ପାଇଁ ! ଏଠି ସେମାନେ ଡାକ ନାମରେ ବେଶ୍ ନାମରେ ପରିଚିତ। ନିଃସନ୍ଦେହରେ ସେମାନେ ଓଡ଼ିଆ ସିନେଜଗତର ଗର୍ବ ଓ ଗୌରବ । ଘାତପ୍ରତିଘାତର ପ୍ରଚଣ୍ଡ ଘୂର୍ଣ୍ଣିଘେର ମଧ୍ୟରେ ଥମିଯାଇନି ମୟୂରଭଞ୍ଜିଆର ସ୍ବପ୍ନ ! ଭାଙ୍ଗିପାରିନି ଆଶା ! ଅପେକ୍ଷା କରିଛି ଏ ‘ଭଞ୍ଜମାଟି ତା’ର ଉତ୍ତରାଧିକାରୀକୁ . . . !
© Manoj Kumar Behera, Baripada
Spread the love
admin

View Comments

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

11 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

4 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

6 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago