Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: ନିରଞ୍ଜନ ସାହୁ
ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା ପାଇଁ ସେ ଅଧୀର ଭାବରେ ଘୋର ବନ ମଧ୍ୟରେ ତାଙ୍କ ସନ୍ଧାନ କରି ଚାଲିଛନ୍ତି। ଏହି ସମୟରେ ଜନୈକା ସଖୀ ଶ୍ରୀରାଧାଙ୍କୁ ଏକ ଅଭିନବ ଦୃଶ୍ୟ ଦେଖିବାକୁ ବୃନ୍ଦାବନର ଅଭ୍ୟନ୍ତରକୁ ଡାକି ନେଇଯାଇଛି ଓ କହିଛି:
“ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ,
ମଧୁକରନିକର କରମ୍ବିତ କୋକିଳ କୂଳିତ କୁଞ୍ଜକୁଟିରେ,
ବିହରତି ହରିରିହ ସରସ ବସନ୍ତେ,
ନୃତ୍ୟତି ଯୁବତିଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ ।”
ଅର୍ଥାତ୍, ଦେଖ ସଖୀ, ମଳୟ ସମୀର ଦକ୍ଷିଣ ଦିଗରୁ ଧୀରେ ଧୀରେ ପ୍ରବାହିତ ହୋଇ ଲଳିତ ଲବଙ୍ଗଲତାର କୋମଳ ତନୁକୁ କିପରି ଆଦରରେ ଆଲିଙ୍ଗନ କରୁଛି। ମଧୁପର ଗୁଞ୍ଜନ ଓ କୋକିଳର କୁହୁକୁହୁ ତାନରେ କୁଞ୍ଜବନ ମୁଖରିତ ହୋଇଉଠୁଛି। ଏହି ନବବସନ୍ତ କାଳରେ ନନ୍ଦସୁତ ଯୁବତୀମାନଙ୍କ ସହିତ ରାସକ୍ରିଡାରେ ବିଭୋର ହୋଇଛନ୍ତି।
ଏହି ମଧୁମାସକୁ କୃଷ୍ଣଙ୍କର ରାସକ୍ରୀଡାର ଉପଯୁକ୍ତ ସମୟ ମନେକରି ବସନ୍ତରାସର ପ୍ରବର୍ତ୍ତନ କରିଥିବା କବିଗଣ ଆମର ପ୍ରିୟ ଉତ୍କଳ ଖଣ୍ଡରେ ଅନେକ। ଜୟଦେବ, ସାରଳା ଦାସ, ଦେବଦୁର୍ଲଭ ଦାସ, ଅତିବଡ଼ି ଜଗନ୍ନାଥ ଦାସ, ଦୀନକୃଷ୍ଣ ଦାସ କୃତ କାବ୍ୟକବିତା ମାନଙ୍କରେ ବସନ୍ତରାସର ବିପୁଳ ବର୍ଣ୍ଣନା କରାଯାଇଛି। ଆଧୁନିକ ଯୁଗରେ କବି ମାୟାଧର ମାନସିଂହ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି।
ଗୀତଗୋବିନ୍ଦ କବି ଜୟଦେବଙ୍କ ଦ୍ଵାରା ବୃନ୍ଦାବନରେ ବସନ୍ତରାସରେ ନିମଜ୍ଜିତ କୃଷ୍ଣଙ୍କର ମନୋହର ରୂପ ବର୍ଣ୍ଣନାରେ କେତେ ସୁନ୍ଦର ଚିତ୍ର:
“ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ପୀତବସନ ବନମାଳୀ,
କେଳିଚଳନ୍ମଣି କୁଣ୍ଡଳମଣ୍ଡିତ ଗଣ୍ଡଯୁଗ
ସ୍ମିତଶାଳୀ ହରିରିହ ମୁଗ୍ଧବଧୂ ନିକରେ,
ବିଳସତି ବିଳାସିନୀ କେଳିପରେ।”
ଅର୍ଥାତ୍, ଚନ୍ଦନରେ ଚିତ୍ରିତ ସୁନ୍ଦର ନୀଳତନୁ କୃଷ୍ଣଙ୍କର କଟୀଦେଶରେ ଶୋଭା ପାଉଛି ପୀତବସ୍ତ୍ର, ଗଳାରେ ବନମାଳା, କର୍ଣ୍ଣାରେ କୁଣ୍ଡଳ ଝଟକି ଉଠୁଛି। ଶ୍ରୀପତି କୃଷ୍ଣ ବିମୋହିତ ଗୋପାଙ୍ଗନାଙ୍କ ସଙ୍ଗରେ ବୃନ୍ଦାବନରେ ନାନାରଙ୍ଗରେ କେଳି କରୁଛନ୍ତି।ଗୋପୀ ମାନଙ୍କ ଗହଣରେ ଅପ୍ରାକୃତ ପ୍ରେମ ମୂର୍ତ୍ତି ‘ଶ୍ରୀକୃଷ୍ଣ ଓ ଶ୍ରୀରାଧା’ ଉପସ୍ଥିତ।
ଏହାହିଁ ବସନ୍ତ ରାସ। ବିଶିଷ୍ଟ ବୈଷ୍ଣବ ପ୍ରାମାଣିକ ଗ୍ରନ୍ଥ ଭାଗବତର ବର୍ଣ୍ଣନା ଅନୁସାରେ ଗୋପରମଣୀଗଣ କୃଷ୍ଣଙ୍କର ମୋହନବଂଶୀର ଆହ୍ବାନରେ ଲଜ୍ଜା, ସଙ୍କୋଚ, ଭୟ, ସଂସ୍କାର, ଗୃହଧର୍ମ, କୁଳାଚାର ଓ ସାମାଜିକ ରୀତିକୁ ଉପେକ୍ଷା କରି ଉନ୍ମାଦିନୀ ପରି ଧାଇଁ ଆସିଛନ୍ତି ବୃନ୍ଦାବନର ନିଭୃତ କୁଞ୍ଜକୁ। କୃଷ୍ଣ ପ୍ରେମରେ ଆତ୍ମବିସ୍ମୃତା ଗୋପୀଗଣ କହିଉଠନ୍ତି:
“ହେ କୃଷ୍ଣ, ଆମେ ଆମର ଗୃହସ୍ଥଳୀରେ ସୁଖରେ ଥିଲୁ। ଆମର ଚିତ୍ତ ଚଞ୍ଚଳ ନଥିଲା। ତୁମେ ଆମର ସେ ସବୁ ସୁଖ ଅପହରଣ କରି ନେଇଛ।ଆମର ଯେଉଁ ପାଦ ଆଜି ଗୃହ ଛାଡ଼ି ତୁମ ପାଖକୁ ଦଉଡି ଆସିଛି ସେ ଆଉ ଫେରିଯିବା ପାଇଁ ଚାହେଁନା। ଏବେ ଆଉ ଫେରିଲେ ବି ଲାଭ କ’ଣ ? ତୁମର ମୃଦୁମଧୁର ବଂଶୀର ମନୋହର ସ୍ଵନ, ତୁମର ସ୍ମିତହାସ୍ୟ, ତୁମର ମନ୍ଦ ମନ୍ଦ ଦୃଷ୍ଟିର ଆନନ୍ଦ ପାଇବା ପରେ ଆମର ଦ୍ଵିତୀୟ ଗତି ବା କାହିଁ? ତେଣୁ ତୁମ ପ୍ରେମଦାନରେ ଅଧରର ସ୍ପର୍ଶରେ ଆମକୁ ଧନ୍ୟ କର, ତୃପ୍ତ କର। ନହେଲେ ତୁମ ବିରହରେ ଦଗ୍ଧ ଏ ଶରୀରକୁ ନେଇ ଆମେ ତୁମରି ପାଦଦ୍ଵୟର ଧ୍ୟାନରେ କାଳାତିପାତ କରିବୁ।”
ଏହି ବସନ୍ତରାସ ବହନ କରେ ଆତ୍ମସମର୍ପଣ, ଶୃଙ୍ଗାର ଓ ବିରହ, ଅକୁଣ୍ଠ ଓ ନୈସର୍ଗିକ ପ୍ରେମର ସ୍ବରୂପ।
© Niranjan Sahu