~ ବାଳୁତ ବୀର ସେ ~
ସୌରଭିତ ସୃଷ୍ଟି: କବି ଅନନ୍ତ ପଟ୍ଟନାୟକ
ପ୍ରଖ୍ୟାତ ସାମ୍ୟବାଦୀ କବି, ଗାଳ୍ପିକ ତଥା ଶିଶୁସାହିତ୍ୟିକ ଅନନ୍ତ ପଟ୍ଟନାୟକଙ୍କ ଏକ ଚର୍ଚ୍ଚିତ କବିତା ବାଳୁତ ବୀର ସେ ।
ଅକ୍ଟୋବର ପାଞ୍ଚ ତାରିଖ । ମନେ ପଡିଯାଏ ସ୍ମୃତି ଆଢୁଆଳେ ଏକ ଅନିନ୍ଦ୍ୟ ତରୁଣର ଦୁଃସାହସର ଗାଥା । ଜାତୀୟତାର ପ୍ରବାଳ ସ୍ରୋତରେ ବିପ୍ଳବର ଆତ୍ମପ୍ରବଣ ମନ୍ତ୍ର ଫୁଙ୍କାରିତ କରିଥିବା ବୀର ନାଉରି ବାଳକ, ବାଜି ରାଉତ ଜନ୍ମ ନେଇଛି #ଢେଙ୍କାନାଳର #ନୀଳକଣ୍ଠପୁର ଗ୍ରାମରେ।
ଜାତୀୟ ଆନ୍ଦୋଳନର ବାଗାଡମ୍ଵର ପୂର୍ଣ୍ଣ ଚିତ୍ରମୟ ଆବେଗ ତଥା ସାନ୍ଦ୍ର ଉଚ୍ଚାରଣ ମାନ୍ତ୍ରିକର ମୂର୍ଚ୍ଛନା ସୃଷ୍ଟି କରେ। #ପ୍ରଜାମଣ୍ଡଳର ଆଦେଶ ପାଇ ଯେ ବାଳକ ନିରୁଦବିଗ୍ନ ହୋଇ ଆବକ୍ଷ ନିର୍ଭୀକ ଦେହୀ ଟଳି ପକାଇଥିଲା ନିଜ ଶିର। ସାମନ୍ତବାଦୀ ଶାସନ ବିରୁଦ୍ଧରେ ପ୍ରଜାମଣ୍ଡଳର ପ୍ରତିଜ୍ଞା ରଖି ଆତ୍ମୋତ୍ସର୍ଗ ଦେଇଥିବା ବାଜି ରାଉତ ଆଜି ଚିରନ୍ତନ ଗାଥା।
#ଭାରତୀୟ #ସ୍ଵାଧୀନତା #ସଂଗ୍ରାମର ସର୍ବକନିଷ୍ଠ ସହିଦ୍ ରୂପେ #ବାଜି #ରାଉତର ବଳିଦାନ କେବଳ ଏକ ଦୃଷ୍ଟାନ୍ତ ମାତ୍ର ରୂପେ ବିଚାରଣୀୟ ନୁହେଁ, ବରଂ, ଯେଉଁ ପତିତ ମାଟିର ନିର୍ଭୀକ ରୂପକଳ୍ପର ଆଦର୍ଶ ଆଜି ବାଜି ରାଉତ, ସେହି ମାଟିର ପ୍ରତିଟି ସନ୍ତାନ ଦେଶମାତୃକା ପାଇଁ ନିଷ୍କଳଙ୍କ ଭାବେ ବକ୍ଷରୁ ରକ୍ତ ଝରାଇ ଦେବ, ହେଲେ ସତତ ଅନୀତି ବିରୁଦ୍ଧରେ ତାହାର ଧର୍ମ କରିବ।”
|| ବାଳୁତ ବୀର ସେ ||
ବରଷା ବିଜୁଳି ଖେଳୁଥିଲା ରାତି କୋଳେ
ନାଚୁଥିଲା ନଈ ବାଆ ବତାସିର ବେଳେ,
ନାହା ଭିଡି ବିଲେ ମଙ୍ଗରେ ରଖି ହାତ
ଶୋଇଥିଲା ଚେଇଁ ଉଭାରି ଆହୁଲା କାତ,
ନାଉରି ଟୋକା ସେ
― ଦେଶର ଆଦେଶ ପାଇ
ନେଇଥିଲା ନାହା ସଞ୍ଜୁଁ ବିଲକୁ ବାହି !
ପୂରୁବ ଆକାଶେ ଫିକା ନ ପଡୁଣୁ ରାତି
ବିହଗେ ନ ଉଠୁଁ କଳକାକଳିରେ ମାତି,
ଅନ୍ଧାର ତଳୁ କେତୁଟା ଅସୁର ଆଖି ―
‘କିଏରେ ନାଉରି ?’ ଘାଟରୁ ଉଠିଲା ଡାକି,
ଆଣରେ ବେଗେ ତୁ , ଲଗାରେ କୂଳରେ ନାହା !
ପାରି କରି ଦେଏ― ନ ଦେଖୁ ନଜାଣୁ ଗାଆଁ !”
ନିଦ ମଳମଳ ଆଖି ଦୋ’ଟି ମଳିମଳି
କର ଲେଉଟାଇ କୂଳକୁ ଅନାଉ ଢଳି
ହସିଲା ଟୋକା ସେ, ଓଠକୁ ଓଠରେ ଚାପି,
ମନକୁ ମନ ତା’କି କଥା ଅତଳ ମାପି।
ଦୂରରୁ ଦୂରକୁ ନେଲା ମଝି ବିଲେ ବାହି !
ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ –
– ‘ପିଲା ବକଟେ ତୁ ଆମକୁ, ଦେଖ୍, ନ ରଗା !
ଲଗା ନାହା ପଛେ-ଘାଟ-ଅଘାଟରେ ଲଗା !’
ନାହା ଚାଲିଯାଏ ବିଲ ପାଣି ପଟେ
ତଳକୁ ତଳକୁ ଖସି !
କହିଲା ଟୋକା ସେ ବୀର ଦର୍ପରେ ହସି –
‘ନେବି ନାହିଁ ନାହା
ଭାଇର ଆଦେଶ ନାହିଁ !
ମଣିଷ-ମରାଳି ଆମରି ରକ୍ତ-ପାୟୀ
ସିପାହି-କୁଳକୁ ପାରି କରି ଦେବା ପାଇଁ !
ନା’, ନାହା ନେବି ନାହିଁ …”
ଧାଇଁ ଧାଇଁ ଧାଇଁ ନଳୀରୁ ଛୁଟିଲା ଗୁଳି
ପଲକେ ପଡ଼ିଲା ନାଉରି ଟୋକା ସେ
ଡଙ୍ଗା ଉପରେ ଟଳି–
ପହଁରି ପଲାସି ସିପାହୀ ଆସିରେ
ସଙ୍ଗୀନ ମୁନେ ଭୁଷିଲା ମଥା ତା’ !
ଓଲଟିଗଲା ତା’ କଅଁଳ ଖପୁରି-ତଳି !!
ବାଳୁତ ବୀର ସେ ବାଜି ରାଉତର
ତତଲା ରକତ ଧାର !
ଦଳିତ ଜାତିର ଲଲାଟେ ଲେଖିଲା
ମୁକ୍ତି ସମରେ, ଆଦ୍ୟ ବିଜୟ ଗାର !!
ଆସୁଥିଲେ ଲୋକେ ଗାଆଁରୁ ଗାଆଁରୁ
ବିଲ-ଗହଳରେ ଧାଇଁ !
ମେଘ କୋଳେ ଦୂରେ ଉଇଁଲା ସୂର୍ଯ୍ୟେ ଚାହିଁ–
ତଟ ଘାସ ବୁଦା ଥରୁଥିଲା ସତେ
ବୀର ଆଶ୍ଳେଷ ପାଇ
‘ଅତ୍ୟାଚାରୀର ଶାସନ ସରିଲା !
ଭୟ ନାହିଁ ! ଭୟ ନାହିଁ !!”
ଉପସ୍ଥାପନା: ଅମୃତେଶ ଖଟୁଆ
Baluta bira se
Amritesh Khatua
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago