Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ-୨) ~
ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ କାର୍ଯ୍ୟକ୍ରମ ! ଏହାର ଚତୁର୍ଥ ପର୍ବରେ ସମ୍ବର୍ଦ୍ଧିତ ଉଦ୍ଦେଶ୍ୟରେ ଆମେ କେଇଜଣ ଆଗେଇ ଯାଇଥିଲୁ ଜନୈକ ଐତିହ୍ୟପ୍ରେମୀ ବ୍ୟକ୍ତିତ୍ବଙ୍କ ସମୀପକୁ !
ସମୟର ପ୍ରବାହରେ ଅନେକ ଇତିହାସ ସୃଷ୍ଟି ହୋଇଛି ଏଇ ମାଟିରେ, ଅନେକ ଅତୀତ ମଧ୍ୟ ଲୁଚି ଯାଇଛି ସମୟର ତନ୍ଦ୍ରାଛାଦିତ କରାଳ ଗର୍ଭରେ ଆଉ ପୁଣି କେବେ କେମିତି ସମୟର ସ୍ରୋତରେ ପ୍ରବାହମାନ ହୋଇ ସେହି ଅତୀତ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି ବର୍ତ୍ତମାନରେ l
ଅତୀତରେ ଆମର ଏଇ ମାଟିରେ ଅନେକ ମନ୍ଦିର, ଦେଉଳ ଓ ଦେଉଳରେ ପ୍ରାଣ ପ୍ରତିଷ୍ଠିତ ପ୍ରତିମା ବିଧର୍ମୀ ଆକ୍ରମଣରେ ଖଣ୍ଡ ବିଖଣ୍ଡିତ ହୋଇ ମାଟିରେ ମିଶିଯାଇଛି, ଆଉ ଅଜଣା ଅଶୁଣା ହୋଇ ରହିଯାଇଛି ଆମ ସ୍ୱର୍ଣ୍ଣିମ ଇତିହାସ l ଏହିପରି ଵିଧ୍ଵଂସର ଅନେକ ମୁକସାକ୍ଷୀ ଅଭିଵକ୍ତ କଟକ ଜିଲ୍ଲାର ଅନେକ ସ୍ଥାନରେ ଏବେବି ଦେଖିବାକୁ ମିଳେ l କେତେକ ସ୍ଥଳେ ନିଜ ଆରାଧ୍ୟଙ୍କ ଦେଉଳକୁ ରକ୍ଷା କରିବାରେ ଅସମର୍ଥ ଗ୍ରାମବାସୀ କିନ୍ତୁ ନିଜ ଇଷ୍ଟଙ୍କ ବିଗ୍ରହକୁ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି l ଇଷ୍ଟଙ୍କ ଶ୍ରୀବିଗ୍ରହକୁ ବଞ୍ଚାଇବାକୁ ଯାଇ ତାଙ୍କ ପ୍ରତିମାକୁ ମାଟିରେ ପୋତି ଦେଇଥିଲେ l ଆଉ ସମୟାନ୍ତରେ ସେହି ମୂର୍ତ୍ତିସବୁ ପ୍ରାଣବନ୍ତ ହୋଇ ମାଟି ତଳୁ ଉଦ୍ଧାର ହୋଇ ପୁଣି ପୂଜା ପାଉଛନ୍ତି l
ମାଟିତଳୁ ଉଦ୍ଧାର ହୋଇଥିବା ଏହିପରି ଏକ ପ୍ରାଣବନ୍ତ ମୂର୍ତ୍ତି ରହିଛି ଆମ କଟକ ସହର ଠାରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂରରେ ଥିବା #ଭାତପଡ଼ା ଗ୍ରାମରେ l ଭାତପଡ଼ା ଗ୍ରାମରେ ଥିବା ରଘୁନାଥ ମନ୍ଦିର ଠାରୁ ମାତ୍ର ଶହେ ମିଟର ଦୂରରେ ଏକ ଅର୍ଦ୍ଧ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି ଧରଣୀରୁ ଉଦ୍ଧାର ହୋଇଥିବା #ମାଧବ ପ୍ରତିମା l
ଆଜିକୁ ପ୍ରାୟ ଚାଳିଶ ବର୍ଷ ପୂର୍ବେ ଭାତପଡ଼ାର ଜନୈକ ଗ୍ରାମବାସୀ #ପୂର୍ଣ୍ଣଚନ୍ଦ୍ର_ସେଠୀ ଘର ତୋଳିବା ପାଇଁ ନିଅଁ ଖୋଳିଲା ବେଳେ ତାଙ୍କ ବାଡ଼ି ପଟରୁ ଏହି ସୁନ୍ଦର ଚତୁର୍ଭୁଜ ବିଷ୍ଣୁ ବା ମାଧବ ପ୍ରତିମାଟି ଉଦ୍ଧାର ହୋଇଥିଲା l ଆଉ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଜଣେ ମୁସଲମାନ ଲୋକର ବାରିପଟେ ଊଈହୁଙ୍କା ମୂଳରୁ ଠାକୁରଙ୍କ ବୃତ୍ତାକାର ଆସ୍ଥାନଟି ମଧ୍ୟ ଉଦ୍ଧାର ହୋଇଥିଲା l
ପ୍ରଥମେ କିନ୍ତୁ ମୁସଲମାନ ବ୍ୟକ୍ତି ଜଣକ ସେହି ଆସ୍ଥାନଟି ଦେବାକୁ ଅନିଚ୍ଛା ପ୍ରକାଶ କଲେ ମାତ୍ର ପରବର୍ତ୍ତୀ ସମୟରେ ଗାଈ ବାନ୍ଧିବା ସମୟରେ ଖଣ୍ଡିଆ ଖାବରା ହୋଇ ତାଙ୍କର ଗୁରୁତର ଅନିଷ୍ଟ ହେବା ଫଳରେ ଏବଂ ତାଙ୍କ ଘରୁ ଅନେକ ଗୁଡ଼ିଏ ବିଷଧର ସର୍ପମାନ ବାହାରିବାରୁ ଏହାକୁ ଏକ ଦୈବ ନିର୍ଦ୍ଦେଶ ମାନି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ବିଗ୍ରହଙ୍କ ସେହି ଆସ୍ଥାନଟି ପ୍ରଦାନ କରିଥିଲେ ବୋଲି ପରିବାର ଲୋକେ କୁହନ୍ତି l
ଅତୀତକୁ ଦୃଷ୍ଟିପାତ କଲେ ଜଣାଯାଏ ଯେ, ବର୍ତ୍ତମାନର #ନାନ୍ଦୋଳ ଗ୍ରାମ ଯାହାର କି ପ୍ରାଚୀନ ନାମ #ନବଦେଉଳ ଥିଲା ଏବଂ ଏହି ଅଞ୍ଚଳରେ ଛୋଟ ବଡ଼ ନଅ ଗୋଟି ମନ୍ଦିର ଥିବାରୁ ଏହାର ନାମ ନବଦେଉଳ ହୋଇଥିବା ଅନୁମାନ କରାଯାଏ l ପରବର୍ତ୍ତୀ ସମୟରେ କଳାପାହାଡ଼ର ଵିଧ୍ଵଂସ ଫଳରେ ସେହି ମନ୍ଦିର ଗୁଡ଼ିକର କୌଣସି ଅସ୍ତିତ୍ୱ ଏବେ ଆଉ ନାହିଁ ମାତ୍ର ନାନ୍ଦୋଳ ଉର୍ଦୁ ବିଦ୍ୟାଳୟର ବାମପାର୍ଶ୍ଵ ଅଞ୍ଚଳରେ ସେହି ପୁରାତନ ମନ୍ଦିରର ଭଗ୍ନାବଶେଷ ଏବେ ବି ପଡ଼ି ରହିଛି l ଖାଲି ସେଠାରେ ନୁହେଁ; ନିକଟସ୍ଥ କେତୋଟି ଛୋଟ ବଡ଼ଗାଡ଼ିଆରେ ମଧ୍ୟ ପ୍ରାଚୀନ ଦେଉଳର ବିରାଟକାୟ ପଥର ମାନ ପଡ଼ିଥିବାର ଦେଖିବାକୁ ମିଳେ l ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କ କହିବାନୁଯାଇ, ଏହି ପ୍ରତିମାଟି ଦୁର୍ବୃତ୍ତଙ୍କ ଦ୍ୱାରା ପୁନର୍ବାର ଚୋରି ହୋଇ ଯାଇଥିଲା l ମାତ୍ର, ଅନେକ ଖୋଜା ଖୋଜି କଲା ପରେ ତାହା ନିକଟସ୍ଥ ଏକ ନାଳ କୂଳରୁ ପୁନଃରୁଦ୍ଧାର କରାଯାଇଥିଲା l
ଇତି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଦେହାନ୍ତ ହୋଇଯାଇଛି l ମାତ୍ର ପରିବାର ଲୋକଙ୍କ ଦ୍ୱାରା ନାରାୟଣଙ୍କ ଏହି ପ୍ରତିମାଟି ନିଷ୍ଠା, ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜା ପାଉଛନ୍ତି l ନିଜସ୍ୱ ଉଦ୍ୟମରେ ନିର୍ମାଣ ହୋଇଥିବା ଦେଉଳର ଭିତର ପାର୍ଶ୍ଵ କାମ ସରିଥିଲେ ହେଁ ବାହ୍ୟ ପାର୍ଶ୍ଵର ପଲସ୍ତରା କାମ ବାକି ରହିଛି l
ଐତିହ୍ୟର ସୁରକ୍ଷା ନିମନ୍ତେ ଶକ୍ତିସାମର୍ଥ୍ୟ, ଅର୍ଥର ପ୍ରୟୋଗରେ ସ୍ବର୍ଗତ ସେଠୀ ତଥା ପରିବାରବର୍ଗ ଏ ଜାତିର ଐତିହ୍ୟପ୍ରେମୀଙ୍କୁ ଋଣୀ ଓ ମୁଗ୍ଧ କରିଛନ୍ତି ! ତାଙ୍କର ନିଷ୍ଠା ଓ ସାଧନା ଜନମାନସକୁ ପ୍ରଭାବିତ କରୁ । ଉତ୍କଳ ଜନନୀଙ୍କ ଚରଣକମଳରେ କୃତଜ୍ଞ ଅନ୍ତରଙ୍ଗ କଳିଙ୍ଗ ପରିବାରର ଏତିକି ପ୍ରାର୍ଥନା।
ସ୍ଥାନୀୟ ଲୋକଙ୍କ ବ୍ୟତୀତ ଏହି ନାରାୟଣ ପ୍ରତିମା ବିଷୟରେ ଅନ୍ୟ ଲୋକେ ପ୍ରାୟ କିଛି ଜାଣନ୍ତି ନାହିଁ l ଏଣୁ ଐତିହ୍ୟପ୍ରେମୀଙ୍କୁ ଅନ୍ତରଙ୍ଗ କଳିଙ୍ଗ ପରିବାରର ଆନ୍ତରିକ ଅନୁରୋଧ, ମାଧବଙ୍କ ଏହି ସୁନ୍ଦର ଶ୍ରୀବିଗ୍ରହକୁ ଯାଇ ସ୍ଵଚକ୍ଷୁରେ ଥରେ ଦେଖି ଆସନ୍ତୁ l
ବନ୍ଦେ ଉତ୍କଳ ଜନନୀ
Spread the love
Antaranga Kalinga

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago