ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~
ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ ଗୋଟିଏ ବୈଶାଖର ଝାଞ୍ଜି ଭଳି ତା ଭିତରେ ଗତି କରି ସାରିବା ପରେ ସୁଦ୍ଧା ବ୍ୟଗ୍ର ଗୋଧୂଳିର ମଧୁର ସଞ୍ଜ ପହରର ମଲ୍ଲୀଫୁଲ ପରି ପୁଣି ଆମ ଉଦ୍ୟମର ସାର୍ଥକ ସୁରଭି ମହକି ଉଠିଛି । ଆମେ ସର୍ବଦା ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣିର ଅକଳନ ଚିତ୍ର ଓ ମାତୃଭୂମିର ଭୂୟସୀ ସଂଗ୍ରାମର ଗାଥା ଗାନ କରିବା ଭିତରେ ସର୍ବାଦୌ ଲକ୍ଷ୍ୟ କରିଅଛୁ ଗୋଟିଏ ନିବିଡ଼ ପ୍ରସଙ୍ଗ ।
ଦିଗନ୍ତ-ବିସ୍ତୀର୍ଣ୍ଣ ସମୁଦ୍ରର ବେଳାଭୂମି ହେଉ ଅଥବା ଉପତ୍ୟକା ତଳ ନଦୀର ବାଲୁକା ଶଯ୍ୟାରେ ପଡ଼ିଥିବା ପାଦଚିହ୍ନ ଉପରେ ଚାଲିଥିବା ଗୋଟିଏ ଅପୋଗଣ୍ଡ ଶିଶୁକୁ କେବେ ଲକ୍ଷ୍ୟ କରିବେ । ତାହାର ପଦଚଲା ମାର୍ଗ ଓ ଗତିରେ ନିହିତ ରହିଛି ତା’ ସରଳ ମନସ୍ତତ୍ତ୍ୱ । ଏକ ସୂକ୍ଷ୍ମ ସିକତାର ଗର୍ଭରେ ତାହାର ପଦଗତି ତା ଆଭିମୁଖ୍ୟର ପରିଚାୟକ । ତା’ ବାପା ହେଉ ଅବା ମା ହେଉ, ତାଙ୍କ ହାତ ଧରି ଚାଲିଲେ ମଧ୍ୟ ପିଲାଟି ଅବଶ୍ୟ ସେମାନଙ୍କ ଠାରୁ ଭିନ୍ନ । ପଡ଼ିଥିବା ପାଦଚିହ୍ନ ଉପରେ ପାଦ ଥାପି ଥାପି ଯିବାକୁ ଶ୍ରେୟ ମଣେ ଶୈଶବର ସେହି ନିଷ୍ପାପ, ପଙ୍କିଳ ଭାବନାର ଶୂନ୍ୟତା ବହନ କରୁଥିବା କୋମଳମତି ଶିଶୁ !
ଏହା ଆବହମାନ କାଳରୁ ହିଁ ଶିଶୁର ଏକ ଦୃଢ଼ ଚିତ୍ତର ଆବେଦନ ! ଏସବୁ ପ୍ରଶ୍ନର ଉତ୍ତର ଟିକେ ଚିନ୍ତା କରିବା କି ? ଏହାହିଁ ହେଉଛି ଆମ ନିତ୍ୟ ଅଗ୍ରଗତିର ଗୋଟିଏ ବଳିଷ୍ଠ ଉଦାହରଣ ସ୍ୱରୂପ । ଅନ୍ୟ ପକ୍ଷରେ ଏହା ଉଚିତ ଭାବେ କହିପାରୁ ଆଉଜଣେ ମଣିଷର ପୂର୍ବରୁ ପଡ଼ିଥିବା ପାଦଚିହ୍ନର ଅନୁକରଣ । ଶିଶୁର ଦୃଷ୍ଟିରେ ଜଣେ ମହତ୍ ଜନଙ୍କ ପଦାଙ୍କ ଅନୁସରଣ, ଏହା ଯେ ପୁଣି କେତେ ମହନୀୟ ଉଦ୍ୟମ ।
ସୁତରାଂ, ଏହା ଯଥାର୍ଥ ଭାବରେ ଏକ ପ୍ରବାଦ ସ୍ବରୂପ ଜନୈକ ଦାର୍ଶନିକଙ୍କ ଦ୍ବାରା ମତବ୍ୟକ୍ତ, “ଆମ ସମଗ୍ର ଚତୁଷ୍ପାର୍ଶ୍ଵରେ ମହତ୍ ପୁରୁଷଙ୍କ ଜୀବନ, ବସ୍ତୁତଃ ସେମାନଙ୍କ ଯୋଗେ ଆମେ ନିଜସ୍ବ ଜୀବନକୁ ସାବଲୀଳ ଏବଂ ପ୍ରସ୍ଥାନ ମୁହୂର୍ତ୍ତରେ ସେମାନଙ୍କ ପଦାଙ୍କ ଅନୁସରଣ କରି କେବଳ ରହିଯିବ ସମୟର ସୈକତରାଶି ପଛରେ ଅମଳିନ କତିପୟ ପଦଚିହ୍ନ ।”
ତେବେ, ସ୍ବାଭିମାନ ଦ୍ଵାରା ଊର୍ଜ୍ଜ୍ବସଳ ଆମ ଅତୀତର ହୃତଗୌରବକୁ ପାଥେୟ କରି ଏକ ସ୍ବତନ୍ତ୍ର ଭିତ୍ତିଭୂମି ଯେ ଆବଶ୍ୟକ ଏଥିରେ ସନ୍ଦେହର ଅବକାଶ ନାହିଁ ! ଅତୀତକୁ ରୋମନ୍ଥନ କଲେ ସିନା ପ୍ରେରଣା ପାଇବା । କିନ୍ତୁ, ଅତୀତ ଯେ କେବଳ ପ୍ରତିଭାଧରଙ୍କ ଜନ୍ମ ଓ ଲୀଳାର ଏକାନ୍ତ କାଳଖଣ୍ଡ ନୁହେଁ । ଯେଣୁ, ପ୍ରବହମାନ ଯୁଗର ଘଡ଼ିସନ୍ଧିକୁ ଆମ ଗହଣରେ ବିଦ୍ୟମାନ ଅଛନ୍ତି ଏପରି କେତେ ଜଣ ପ୍ରତିଭାଦୀପ୍ତ ସାଧକ, ଯେଉଁ ମାନେ ଆମ ପୂର୍ବପୁରୁଷଙ୍କ ଗୁରୁ ଦାୟିତ୍ଵ ନିଜେ ତୁଲାଇବାକୁ ଅଣ୍ଟା ଭିଡ଼ିଥା’ନ୍ତି ।
ଏ ସମସ୍ତର କ୍ଷୁଦ୍ର ଉତ୍ତର କେବଳ ହେଉଛି ପୂଜ୍ୟପୂଜା । ଯେଉଁ ଦିଗରେ ନିଜ ଉଦ୍ଯମର ଉଦୟଲଗ୍ନରୁ ସିଧା ସଳଖ କାର୍ଯ୍ୟରତ ‘#ଅନ୍ତରଙ୍ଗ_କଳିଙ୍ଗ । ଦୀର୍ଘ ଆଠ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଅତିବାହିତ ହୋଇଗଲାଣି, ଆଠ ଗୋଟି ବସନ୍ତର ନବ କିଶଳୟ ପଲ୍ଲବି ପୁଣି , ଆଠ ଗୋଟି ଶରତର ଶୁଭ୍ର ପତ୍ରଝଡ଼ା ଗହଳରେ ଆମ ମାତୃଭୂମି ତଥାପି ଚିର ବର୍ଷୀୟସୀ । ସେ ଯେଉଁ ସନ୍ତାନମାନଙ୍କୁ ସର୍ବଦା ଆମ ଓଡ଼ିଆ ସମାଜ ତଥା ସମସାମୟିକ ଉତ୍ତରବଂଶର ଉନ୍ନୟନ ପାଇଁ ପ୍ରେରିତ କରିଚାଲିଛି, ସେମାନେ ଆମର ସର୍ବଦା ନମସ୍ୟ ।
ପୌଷ ମାସର ଶିଶିର ଶେଷ ସକାଳରେ ଯେପରି ପଦ୍ମଟିଏ ଅଗୋଚରରେ ଫୁଟି ମଧ୍ୟ ଯେତେ କାନ୍ତି ବିସ୍ତାର କରେ, ଠିକ୍ ସେପରି ଭାବରେ ଲୋକ ଲୋଚନ ଆଢୁଆଳରେ ଆମ ସମାଜରେ ଫୁଟି ଉଠିଥାନ୍ତି କେତେ ପଦ୍ମ । ସେମାନେ ଶତଦଳ ପଦ୍ମ ଯେଉଁ ମାନେ ନିଜ ପ୍ରତିଭାର ବାସନା ଦିଗବିଦିଗ କେବଳ ସାମାଜିକ କଲ୍ୟାଣ ପାଇଁ ପ୍ରସାରିତ କରି ଆସିଛନ୍ତି । କିନ୍ତୁ, ବିଡ଼ମ୍ବନାର ପ୍ରସଙ୍ଗ ଯେ ସେମାନଙ୍କ ଅବଦାନକୁ ଅନୁରୂପ ମର୍ଯ୍ୟାଦା ଓ ଉପଯୁକ୍ତ ସାର୍ବଜନୀନ ସ୍ବୀକୃତି ମିଳି ପାରିନାହିଁ ।
ଏପରି ସୁଦ୍ଧା ଘଟିଛି ଯେ ବିଦ୍ୟୁଚ୍ଛଟା ଝଟକିତ ଆମ ସଭ୍ୟତାର ପ୍ରତିଭାଧର କେବଳ ବଣମଲ୍ଲୀ ପରି ରହିଗଲେ । ଅନେକ ରତ୍ନ ମଧ୍ୟରୁ କେବଳ କାଚକୁ ମଣିତୁଲ୍ୟ ମୁକୁଟମଣି କରି ଆମେ ହୀରକ ହରାଇ ପାଲଟି ଯାଇଛୁ କେବଳ କ୍ଷଣିକ ରୁଚିର ପାତ୍ର । ଆମ୍ଭମାନଙ୍କ ନେତ୍ରରେ ଆଜି ଯଦି କେହି ପରାଙ୍ମୁଖ ସମାଜକୁ ନିଜ ଶ୍ରେୟ ନ ଦେଖି ସ୍ବୀୟ ନିଷ୍କାମ ଉଦ୍ଯମ ବଳରେ ପରିବର୍ତ୍ତନର ସୂତ୍ରପାତ କରିଛି, ସେ ନାନା ଆକ୍ରୋଶ ଓ ବିରୋଧାଭାସର ସମ୍ମୁଖୀନ ହୋଇଛନ୍ତି ।
କାରଣ, ସେଠାରେ ସମାଜର କଲ୍ୟାଣ ଊର୍ଦ୍ଧ୍ବରେ ବ୍ୟକ୍ତି ସ୍ତର ନିଜ ସ୍ବାର୍ଥ ପୂର୍ତ୍ତିର କୌଣସି ସ୍ଥାନ ପାଏ ନାହିଁ । ଆଉ ତାହା ହିଁ ହେଉ । ଏହି ଆଭିମୁଖ୍ୟ ପ୍ରତି ବିତୃଷ୍ଣ କେତେ ଜଣଙ୍କ ପାଇଁ ଆମେ ଯେ ପୂଜ୍ୟପୂଜା ପ୍ରଥାକୁ ଭ୍ରଷ୍ଟ ଓ କଦାକାର କରିଛୁ, ଏହା କେଉଁ ଦୃଷ୍ଟିରୁ ସମୀଚୀନ ? ପ୍ରାଞ୍ଜଳ ଭାବେ କହିଲେ #କବିବର #ରାଧାନାଥ ରାୟ ‘ଦରବାର’ କାବ୍ୟରେ :
‘ସଲିଳ ନ ଛିଞ୍ଚି ଖାଲି ଦଣ୍ଡବତ,
କରିବାକୁ ଛନ୍ତି ଲୋକ ଶତ ଶତ ।”
ତେବେ, ଯାହା ବି ହେଉ, ସମାଜର ଦୁଇଗୋଟି ପାର୍ଶ୍ବ ନିଶ୍ଚୟ ରହିଛି କିନ୍ତୁ ଆମେ ସର୍ବଦା ଏକ ସ୍ଥିର ସଦଭିପ୍ରାୟରେ ଅଗ୍ରସର ହେଉଛୁ । ଆମେ ଚାହୁଁ, ପୁଣି ଥରେ ଫୁଟି ଉଠୁ ଏହି ସଭ୍ୟତାର ନିବିଡ଼ ସରୋବର ଅଙ୍ଗେ ଅଙ୍ଗେ ସଂସ୍କାର-ଚେତନାର ନିର୍ମଳ ଲୀଳା-ଅରବିନ୍ଦ । ଯାହାର ଆଭା ବଳରେ ପୁଣି ଥରେ ପ୍ରସାରିତ ହେବ ଆମ ସମାଜର ବରେଣ୍ୟ ନାୟକମାନଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ଉନ୍ମେଷ ।
ପଛେ ହେଉ କ୍ଷୁଦ୍ର, କିନ୍ତୁ ହେଉ #ଚିରନ୍ତନ, ରହୁ ସର୍ବଦା #ଗରୀୟାନ୍ । କାରଣ ଆମର ବିଶ୍ଵାସ, ପ୍ରତିଭା ପୂଜା ହିଁ ପ୍ରତି ଜାତିର ଉନ୍ନତି ସାଧକ । ବରଂ, ପ୍ରତିଭା ପୂଜା ବିନା ଜାତୀୟ ଚେତନାର ବିକାଶ ସୁଦୂରପରାହତ । ସେଥିପାଇଁ ଆମେ ଗତ ଦୁଇ ବର୍ଷ ପୂର୍ବେ ଆରମ୍ଭ କରିଥିଲୁ #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ ସମାବେଶ । ଆଞ୍ଚଳିକ ସ୍ତରରେ ଅଥବା ରାଜ୍ୟ ସ୍ତରରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂସ୍କୃତି, ପରମ୍ପରା ଓ ସର୍ବୋପରି ମାତୃଭୂମି ପାଇଁ ବିବିଧ ସଂସ୍କାରରେ ଉଦ୍ୟମରତ ମଣିଷମାନଙ୍କ ପାଇଁ । ଗତାନୁଗତିକ ସଭା ସମିତିର ଆଡ଼ମ୍ବରପୂର୍ଣ୍ଣ ପରିପାଟୀ ଠାରୁ ଆମେ ଦୂରରେ ରହି କେବଳ ଏକ ଅନତିବୃହତ୍ ସମିତି ଭଳି ଆମେ ଏକତ୍ର ହେଉଛୁ ।
କେବଳ ଗୋଟିଏ ଲକ୍ଷ୍ୟ, ଆମର ମୁଷ୍ଟିମେୟ ଯେତେକ ସମଧର୍ମା ସଭ୍ୟ ଓ ଅନୁଷ୍ଠାନ ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷ ନିଜ ଗହଣକୁ ସର୍ବନିମ୍ନ ଜଣେ ସମସାମୟିକ ପୂଜ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରିଥାଉ । ସାଜିବାକୁ ଅନେକ ପ୍ରେରଣାର ଉତ୍ସ ଓ ତେଜି ଦେବାକୁ ଉଦ୍ଦୀପନାର ନବୀନ #ସ୍ଫୁଲିଙ୍ଗ । ତେଣୁ ସେ କେବଳ ସମ୍ବର୍ଦ୍ଧିତ ଯେ ହୁଅନ୍ତି ନାହିଁ, ବରଂ ଆମ ମହତ୍ ଉଦ୍ଦେଶ୍ଯର ଜଣେ #ସତୀର୍ଥ ଭାବରେ ଚିର କାଳ ଅନୁବନ୍ଧିତ ହୋଇ ଯାଆନ୍ତି । ଏହି ପରିପ୍ରେକ୍ଷୀରେ ଆଷାଢ଼ର ମହଳ ଅପରାହ୍ଣରେ ଆଜି ୨୦୧୪ ମସିହା ଜୁନ ୩୦ ତାରିଖରେ କଟକ ଗୋପାଳପୁର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆମ ‘ଅନ୍ତରଙ୍ଗ କଳିଙ୍ଗ’ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ନିଜ ଷଷ୍ଠ ସଂସ୍କରଣରେ ସମ୍ପନ୍ନ ହୋଇଛି । ଏଥିରେ ସମ୍ବର୍ଦ୍ଧିତ ହୋଇଛନ୍ତି ଦୁଇ ଜଣ ନିଷ୍ଠାପର ସାଧକ ।
ପ୍ରଥମେ ବାଲିପାଟଣା ଅଞ୍ଚଳର ଉଦୀୟମାନ ଯୁବ ଅଭିନେତା ତଥା ଚଳଚ୍ଚିତ୍ର ଓ ବୃତ୍ତାନ୍ତ ନିର୍ମାତା ଶ୍ରୀମାନ୍ #ଶେଖ୍_ଗୁଲଜାର୍_ହୁସେନ୍ । ତାଙ୍କର ଜନ୍ମ ବାଲିପାଟଣା ଅଞ୍ଚଳର ଏକ ନିବିଡ଼ ଓ ପ୍ରଖ୍ୟାତ ପଲ୍ଲୀ ଠାରେ । ତାଙ୍କ ଅଞ୍ଚଳର ଇତିହାସ ତଥା ନିଜ ପୂର୍ବପୁରୁଷଙ୍କ ପ୍ରେରଣା ଦ୍ଵାରା ଅନୁପ୍ରାଣିତ ଶେଖ୍ ଗୁଲଜାର୍ ସର୍ବଦା ନିଜ ପ୍ରତିଭା ଓ ଏହାର କୃତିତ୍ବ ପାଇଁ ଜନ୍ମମାଟିକୁ ଆଦ୍ୟ ଶ୍ରେୟ ଦେଇଛନ୍ତି ।
ବାଲିପାଟଣାରେ ହିଁ ନିଜ ସମସ୍ତ ଉଚ୍ଚଶିକ୍ଷା ଶେଷ କରି ତାଙ୍କର ଇଚ୍ଛା ଥିଲା ଜନ୍ମମାଟି ପାଇଁ କିଛି କରିବାର । ସେ କେବେ ଆଶା ରଖିନଥିଲେ ଯେ ସେ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରିବେ । କିନ୍ତୁ, ନିଜ କଲେଜ୍ ପଢ଼ାର ଅନ୍ତରାଳରେ ସେ ଯୋଗ ଦେଇଛନ୍ତି ପ୍ରଥମ ପଥପ୍ରାନ୍ତ ନାଟକରେ । ସମାଜର ହୀନ ପ୍ରଥା ଓ କଳୁଷିତ ବ୍ୟବସ୍ଥା ବିରୁଦ୍ଧରେ ତାଙ୍କର ଏହି ଅଭିଯାନ ଗତି ଧରିଲା ତାଙ୍କ ନିଖୁଣ ଅଭିନୟରେ ।
ପରବର୍ତ୍ତୀ ସମୟରେ ଓଡ଼ିଆ ଧାରାବାହିକ ‘ପ୍ରତିଶୋଧ’, ‘ଜୀବନ ରଙ୍ଗ’ ଓ ପ୍ରାମାଣିକ ଚଳଚ୍ଚିତ୍ର ‘ଜୈନ ହେରିଟେଜ୍ ଅଫ୍ ଓଡ଼ିଶା’ ରେ ନିଜେ ନିର୍ଦ୍ଦେଶନା ଓ ଅଭିନୟ କରିଥିଲେ । ଏଇଠୁ ପ୍ରଚ୍ଛଦ ଚିତ୍ରଶିଳ୍ପ ପାଇଁ ସେ ଅନେକ ଅଭିଜ୍ଞତା ସାଉଁଟି ଶେଷରେ ନିଜ ଜନ୍ମ ମାଟି ବାଲିପାଟଣା ପାଇଁ କାମ କରିଥିଲେ । ୨୦୨୦ ମସିହାରେ ନିଜ ଜନ୍ମ ସ୍ଥାନର ଅନ୍ୟତମ ମହାପୁରୁଷ ତଥା ଓଡ଼ିଆ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଶିଶୁ ଅନନ୍ତ ଦାସଙ୍କ ଜୀବନୀକୁ ସେ ଆଧାର କଲେ ।
ତାହାର କାରଣ ସେ ଉଲ୍ଲେଖ କରି କୁହନ୍ତି, ତାଙ୍କ ପୂର୍ବପୁରୁଷଙ୍କ ବନ୍ଧୁ ସ୍ଵରୂପ ଥିଲେ ଶିଶୁ ଅନନ୍ତ ଦାସ । ତାଙ୍କର ଜେଜେବାପା ଯେବେ ଏହି ମନ୍ତବ୍ୟ ଦେଲେ, ସେଇ ବାଣୀର ଗଭୀର ମର୍ମ ସନ୍ଧାନ କଲେ ଗୁଲଜାର୍ ହୋସେନ୍ । ତେଣିକି, ସେ ଆଉ ପଶ୍ଚାତ୍ପଦ ହେଇ ନାହାନ୍ତି ଓ ତାଙ୍କ ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ବୃତ୍ତାନ୍ତ #ଶିଶୁ_ଅନନ୍ତଙ୍କ_ଗାଥା ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।
କେବଳ ସେତିକି ନୁହେଁ, ସେ ଐତିହ୍ୟ ଅନୁସନ୍ଧାନ ଓ ପୁନଃ ପ୍ରଚାର ଦିଗରେ ମହାକବି ଜୟଦେବଙ୍କ ଜୀବନ ଧାରା ଓ ତାଙ୍କ ଜନ୍ମମାଟି କେନ୍ଦୁଲି ଗ୍ରାମରେ ମଧ୍ୟ ‘#ଜୟଦେବ ଚଳଚ୍ଚିତ୍ରଟି ଉତ୍ତୋଳନ କରିଛନ୍ତି । ସମ୍ଭବତଃ ଆଗାମୀ ଦିନମାନଙ୍କରେ ତାହା ମୁକ୍ତି ଲାଭ କରିବା ଆଶା ରଖି, ଆମେ ତାଙ୍କ ସମଗ୍ର ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛୁ ।
ଦ୍ବିତୀୟରେ ଥିଲେ ଜଣେ ବର୍ଷୀୟାନ୍ ଶିକ୍ଷାବିତ୍ ତଥା ସାମାଜିକ ସଙ୍ଗଠକ ପୁରୀରୁ #ଶ୍ରୀଯୁକ୍ତ_ରାଧାକାନ୍ତ_ଦାସ ମହୋଦୟ । ବୃତ୍ତିରେ ସେ ପ୍ରାଧ୍ୟାପନା କରିଥିଲେ, ଅବସରପ୍ରାପ୍ତ ଜୀବନ ତାଙ୍କର ଆହୁରି ଅନନ୍ୟ ସାଧାରଣ । ପୂଜ୍ୟ ମହାପୁରୁଷଙ୍କ ସ୍ମୃତିଚାରଣକୁ ବାସ୍ତବ ସମାଜ ଗଠନର ନିଦାନ ବୋଲି ମତ ରଖି ତାଙ୍କ ସାମୂହିକ ଉଦ୍ୟମରେ ପ୍ରତିଷ୍ଠିତ #ଉତ୍କଳ_ସ୍ବାଭିମାନ_ମଞ୍ଚ ୨୦୦୯ ରୁ ସକ୍ରିୟ ରହିଛି । କେବଳ ପୂଜ୍ୟ ସଂଜ୍ଞା ଠାରେ ସୀମିତ ନ ରହି ବରଂ ନିଜ ମାଟିର ହିଁ ବରପୁତ୍ରମାନଙ୍କ ଆଦର୍ଶ ଓ ଅବଦାନ ଜାତୀୟ ସଂସ୍କାରର ଯେ ମୂଳଦୁଆ, ଏଥି ପ୍ରତି ସେ ଦୃଢ଼ ମତ ରଖନ୍ତି । ସେଥିପାଇଁ ନିଜ ଅନୁଷ୍ଠାନରେ ଆୟୁ ଓ ଅଞ୍ଚଳ ନିର୍ବିଶେଷରେ ସମଭାବାପନ୍ନ ଯେତେ ଆଗ୍ରହୀ ବ୍ୟକ୍ତିମାନଙ୍କ ନିଷ୍ଠାକୁ ପୁଞ୍ଜି କରି ସେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଚାଲିଛନ୍ତି ।
ତାଙ୍କର ସର୍ବଦା ଲକ୍ଷ୍ୟ ରହିଛି ଯେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁରୂପ ଅନୁଷ୍ଠାନଗୁଡ଼ିକ ଯଦି ନିଜ କ୍ଷେତ୍ରରେ ଓଡ଼ିଶାର ଜାତୀୟ କର୍ଣ୍ଣଧାର ରୂପେ #ଉତ୍କଳ_ଗୌରବ_ମଧୁସୂଦନ_ଦାସ#ଭାରତମଣି #ଗୋପବନ୍ଧୁଙ୍କ ସଦୃଶ ତାଙ୍କ ନେତୃତ୍ଵର ଅଗ୍ରଦୂତ ଅନ୍ୟ ମହାମନିଷୀଙ୍କ ଗାଥା ମୂର୍ତ୍ତିମନ୍ତ ଉପାୟରେ ପହଞ୍ଚାଇ ପାରିଲେ ପୂଜ୍ୟପୂଜା ନିଶ୍ଚୟ ସାର୍ଥକ ହୋଇପାରିବ । ଏହା ଦ୍ବାରା ଯେ କେବଳ ପୂଜ୍ୟ ମହାପୁରୁଷଙ୍କ ପ୍ରଚାର ଯେ ହେବ, ତା ବ୍ୟତିରେକ ଆମ୍ଭ ସମାଜର ସମସାମୟିକ ଶିଶୁ ବର୍ଗ, ଛାତ୍ର ପିଢ଼ି ତଥା ଜନହିତୈଷୀ ଯୁବ ବର୍ଗ ନିଜ ସଭ୍ୟତାର ସ୍ତରରେ ସେମାନଙ୍କୁ ନିଜ ମାଟିର ଜ୍ଞାନ ଓ ସ୍ବାଭିମାନ ବଳରେ ପରିଚିତ କରାଇବେ ।
ସେହି ସିଦ୍ଧ ପୁରୁଷମାନଙ୍କ ଗାଥାକୁ ଗାଇ ଗାଇ ନିଜକୁ ଧନ୍ୟ ମଣୁଥିବା ଓଡ଼ିଆ ମଧ୍ୟ ଅଛନ୍ତି ଆମ ଭିତରେ । ଶ୍ରୀଯୁକ୍ତ ରାଧାକାନ୍ତ ଦାସ ମହୋଦୟଙ୍କ ସମୁଚ୍ଚ ଉଦ୍ୟମ ଚରିତାର୍ଥ ହୋଇଛି ସମଗ୍ର ରାଜ୍ୟରେ । ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳର ୨୬୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟରେ ଓଡ଼ିଆ ମହାମନିଷୀମାନଙ୍କର ୧୨୦୦ରୁ ଊର୍ଦ୍ଧ୍ବ ପ୍ରତିମୂର୍ତ୍ତି ସ୍ଥାପନା ପୂର୍ବକ ପୂଜ୍ୟପୂଜାର ଅନନ୍ୟ ଉଦାହରଣ ସୃଷ୍ଟି କରି ସାରିଛନ୍ତି । ସମାନ ବିଧିରେ ତାଙ୍କ ଲକ୍ଷ୍ୟ ରହିଛି, #ସ୍ବତନ୍ତ୍ର_ଉତ୍କଳ_ପ୍ରଦେଶ_ଗଠନର ସମସ୍ତ ସହଭାଗୀ ପ୍ରତିଭାଧର ଓ ବରେଣ୍ୟ ମହାନାୟକଙ୍କ ମଧ୍ୟ ବର୍ତ୍ତମାନ ଅଞ୍ଚଳ ସ୍ତରରେ ପ୍ରତିମୂର୍ତ୍ତି ସ୍ଥାପିତ ହେବ । 
ଏହି ଦୁଇ ସାଧକଙ୍କୁ ଆଜି ସମ୍ବର୍ଦ୍ଧିତ କରି ଆମେ ସର୍ବଦା ସେହି ବାର୍ତ୍ତା ଦେବାକୁ ଚାହୁଁ, ସମୟର ଗତି ଅସମାହିତ ଓ ସୁଯୋଗ ଅନେକ । ସେହି ପ୍ରଚ୍ଛନ୍ନ ସମ୍ଭାବନାକୁ ଦୃଷ୍ଟି ସମ୍ମୁଖରେ ରଖି ନିଜ ସୁପ୍ତ ପ୍ରତିଭା ଓ ଜାଗ୍ରତ ପ୍ରେରଣାକୁ ଉପଜୀବ୍ୟ କରିପାରିବା । କାରଣ, ଶହେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଆମେ ପ୍ରଥମେ ନିଜ ପାଞ୍ଚ ଜଣଙ୍କ ଠାରୁ ଆରମ୍ଭ କରି କରି ଯାଉ ।
ଶେଷରେ ସେହିପରି କେତେ ଜଣ ମୁଷ୍ଟିମେୟ ସାଧକମାନେ ଯଦି ନିଜ ସଂକଳ୍ପରେ ବଳବତ୍ତର, ତେବେ ସେମାନଙ୍କ ଅବିଚଳିତ ସାଧନା ଦ୍ବାରା ସମାଜର ନୈତିକ ଗତିରେ ଏକ ସ୍ପର୍ଦ୍ଧିତ ପରିବର୍ତ୍ତନ ଆଣିପାରିବା, ତାହା ହିଁ ଆମର ମହତ୍ ଲକ୍ଷ୍ୟ ଓ ଏକାନ୍ତ ଆଭିମୁଖ୍ୟ ।
#ଉତ୍କଳ_ଜନନୀଙ୍କ ଚରଣ ପଙ୍କଜରେ ବିନୀତ ଓ ସମର୍ପିତ ‘ଅନ୍ତରଙ୍ଗ କଳିଙ୍ଗ’ ପରିବାର ।
Radhakanta Dash
Utkal Swabhiman Mancha
Antaranga Kalinga Award
Antaranga Kalinga Foundation
Odia Pride

 

Spread the love

Leave a Reply

Your email address will not be published. Required fields are marked *