ଲେଖା: ନିରଞ୍ଜନ ସାହୁ
~ ଅଭିମନ୍ୟୁ ସାମନ୍ତସିଂହାର ~
ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels Upendra in some parts and unlike Upendra, he has composed his poems in genuine Oriya language.”
ଅଭିମନ୍ୟୁ ଥିଲେ ଏକାଧାରରେ ଜଣେ ବିଶିଷ୍ଟ କବି ଓ ବୈଷ୍ଣବ ଧର୍ମର ବିଶିଷ୍ଟ ଭାଷ୍ୟକାର । ଆମର ଏହି ବିଦଗ୍ଧକବି ଅଭିମନ୍ୟୁ ଧରାବତରଣ କରିଥିଲେ ୧୭୫୭ ମସିହାରେ ଅଧୁନା ଯାଜପୁର ଜିଲ୍ଲାନ୍ତର୍ଗତ ବାଲିଆ ଜମିଦାରୀର ଗୋଳକୁଣ୍ଡ ଗ୍ରାମରେ ପବିତ୍ର ମାଘ ସପ୍ତମୀ ଦିନ ଏକ ଅଭିଜାତ ଖଣ୍ଡାୟତ ପରିବାରରେ । ପିତା ଇନ୍ଦ୍ରଜିତ ସାମନ୍ତସିଂହାର, ଥିଲେ ବାଲିଆ ଚଉପାଢ଼ୀର ଜମିଦାର । କିଛି ସାହିତ୍ୟ ସମାଲୋଚକଙ୍କ ମତରେ ଅଭିମନ୍ୟୁଙ୍କ ପୂର୍ବଜମାନେ ଉତ୍ତର ଭାରତର ଭାବନଗରରୁ ଆସି ଓଡ଼ିଶାରେ ବସବାସ କରୁଥିଲେ, ଯାହା ଦୃଢ଼ ଭାବରେ ଖଣ୍ଡିତ ବିଶିଷ୍ଟ ସମାଲୋଚକ ସୁରେନ୍ଦ୍ର ମହାନ୍ତିଙ୍କ ଦ୍ବାରା । ତାଙ୍କ ମତରେ ଅଭିମନ୍ୟୁ ଥିଲେ ଖାଣ୍ଟି ଓଡ଼ିଆ ଖଣ୍ଡାୟତ ।
ବାଲ୍ୟକାଳରୁ କବିତ୍ଵର ସ୍ଫୁରଣ ଘଟିଥିଲା ଅଭିମନ୍ୟୁଙ୍କର । ଆଦ୍ୟ ଯୌବନର ରଚନା ସମୂହ ଥିଲା ଲୋକଗୀତ ପର୍ଯ୍ୟାୟର । ତଥାପି ସେହି କବିତାମାନଙ୍କରେ ସେକାଳର ଆଭିମୁଖ୍ୟ କୃଷ୍ଣ ଭାବାଶ୍ରିତ ସୁସ୍ପଷ୍ଟ : —
“କର୍ମଙ୍ଗା ଗଛର ଛାଇ ଗୋ ମୋର ହୁଁ ଗୋ
କରମ ଯାହାର ସୁଫଳ ହୋଇବ
କୃଷ୍ଣଙ୍କୁ ଧରିବ ସେହି ଗୋ
ମୋର ହୁଁ ଗୋ ।
ଗଞ୍ଜେଇ ଗଛର ଛାଇ ଗୋ ମୋର ହୁଁ ଗୋ ।
ବେଣୁ ବିନୋଦିଆ ଯେଣେ ଯାଉଥାଇ
ତେଣେ ହୁରି ପଡ଼ୁଥାଇ ଗୋ
ମୋର ହୁଁ ଗୋ” ।
ଅପରିପକ୍ବ ବୟସର କବିତା ଥିଲା ଏସବୁ । ପରବର୍ତ୍ତୀ ସମୟରେ ମଧ୍ୟ ବାଘଗୀତଚଢ଼େଇଗୀତ ଦୁଇଟି କାବ୍ୟ ରଚନା କରିଥିଲେ ଅଭିମନ୍ୟୁ । ଅବଶ୍ୟ ସେସବୁ ‘ ଲୋକଗୀତ ଶ୍ରେଣୀର ନୁହେଁ ‘ , ବିଶିଷ୍ଟ ସାହିତ୍ୟିକ ମାନେ ମତ ଦିଅନ୍ତି , କିନ୍ତୁ ସେହି ସାହିତ୍ୟ ସମାଲୋଚକ ମାନେ ମଧ୍ୟ ମତ ଦିଅନ୍ତି ଯେ , ଏସବୁ ବର୍ଣ୍ଣନାତ୍ମକ ପଦ୍ୟସମୂହ । ଏହି ତିନୋଟି କାବ୍ୟ ରଚନା ପରେ ଅଭିମନ୍ୟୁ ପାଇଥିଲେ ସାନିଧ୍ୟ ବିଶିଷ୍ଟ ବୈଷ୍ଣବକବି ଓଡ଼ିଆ ସାହିତ୍ୟର ଚିରବନ୍ଦନୀୟ ସଦାନନ୍ଦ କବିସୂର୍ଯ୍ୟଙ୍କର । ସଦାନନ୍ଦ କବିସୂର୍ଯ୍ୟ ଥିଲେ ତାଙ୍କର କାବ୍ୟଗୁରୁ, ଦୀକ୍ଷା ଓ ତତ୍ତ୍ଵଗୁରୁ, ମାର୍ଗଦର୍ଶକ । ତାଙ୍କ ଠାରୁ ଅଧ୍ୟୟନ କରିଥିଲେ ଗଭୀର ଭାବରେ #ରାଗାନୁଗା ପ୍ରେମଭକ୍ତି ସାଧନାର ମାର୍ଗ ଓ ତତ୍ତ୍ଵ ‌। ଅପରପକ୍ଷରେ କୁଳଦେବତା ରାଧାକୃଷ୍ଣଙ୍କ ପ୍ରତି ସମର୍ପିତ ହୋଇସାରିଥିଲେ ଅଭିମନ୍ୟୁ ଶୈଶବରୁ । ତେଣୁ ଅଭିମନ୍ୟୁ ହୋଇ ଉଠିଲେ ସୁଧାଭକ୍ତିର ଉପାସକ ଏବଂ ସ୍ମୃତିରୁ ଉଭେଇ ଗଲା ଖଣ୍ଡାୟତ ଧର୍ମ ! (ଏହା ଓଡ଼ିଶାର ବୀରବିଲୟର ଘୋର ବିପର୍ଯ୍ୟୟ ବୋଲି ସୁରେନ୍ଦ୍ର ମହାନ୍ତିଙ୍କ ମତ) ।
ଅସୀ ଉପରେ ଗୁରୁତ୍ବ ଦେଇଥିଲେ ଓଡ଼ିଆ ସାହିତ୍ୟ ଓ ବୈଷ୍ଣଂବୀୟ ଭକ୍ତିରସ ସମ୍ବଳିତ ଶ୍ରେଷ୍ଠ କାବ୍ୟ ସମୂହ ଉପରେ ଆମେ ନିଃସ୍ଵ ହୋଇଯାଇଥାନ୍ତେ ସିନା !! ଏବଂ ଏସବୁର ଭିତ୍ତିଭୂମି ହେତୁ ଆମେ ଓଡ଼ିଆ ସାହିତ୍ୟରେ ପାଇଲେ ଅଭିମନ୍ୟୁ ସାମନ୍ତସିଂହାର କୃତ #ସୁଲକ୍ଷଣା, #ପ୍ରେମ #ଚିନ୍ତାମଣି, #ରସବତୀ, #ପ୍ରେମ #ତରଙ୍ଗିଣୀ, #ପ୍ରେମକଳା ଏବଂ ରସମାଧୁର୍ଯ୍ୟ ଭରା #ବିଦ୍ଗଧ #ଚିନ୍ତାମଣି । ଯେଉଁଥି ପାଇଁ ଚିର ସ୍ମରଣୀୟ, ବନ୍ଦନୀୟ , ପୂଜ୍ୟ ହିଁ ଅଭିମନ୍ୟୁ ସାମନ୍ତସିଂହାର ! ଅଳଙ୍କାରିକ ଅଭିମନ୍ୟୁ, ରାଗାନୁଗା ଭକ୍ତିର ଭାଷ୍ୟକାର ଅଭିମନ୍ୟୁ, ଅମଳିନ କାନ୍ତି ଯୁକ୍ତ ଅଭିମନ୍ୟୁ
~ ପୌରାଣିକ ଓ ଆଖ୍ୟାୟିକା କାବ୍ୟ ~
ସୁଲକ୍ଷଣା, ପ୍ରେମ ଚିନ୍ତାମଣି, ରସବତୀ, ପ୍ରେମ ତରଙ୍ଗିଣୀ, ପ୍ରେମକଳା ଆଦି କେତେକ ଆଖ୍ୟାୟିକା କାବ୍ୟ ରଚନା ଥିଲା ଅଭିମନ୍ୟୁଙ୍କ ନିରୋଳ କବିତ୍ଵ ।‌ ଏହି ସବୁ କାବ୍ୟମାନଙ୍କରେ କବିସମ୍ରାଟ ଉପେନ୍ଦ୍ରଙ୍କ ପ୍ରଭାବ ସୁସ୍ପଷ୍ଟ । ସୁଲକ୍ଷଣା ଓ ରସବତୀର ଅଳଙ୍କାର ଚାତୁର୍ଯ୍ୟ ହିଁ କାବ୍ୟର ଆତ୍ମା । ଆଦ୍ୟ ଅକ୍ଷର ଗୋଟିଏ ସମ୍ପୂର୍ଣ୍ଣ କାବ୍ୟରେ । #ସ ଅକ୍ଷରରୁ ଆରମ୍ଭ ପ୍ରତି ପଦ —
“ସୁଲକ୍ଷଣା ନାମରେ ଏ କବିତ୍ଵ ହୋଇବ
ସରସ ଲକ୍ଷଣାଳଙ୍କାରରେ ବିରାଜିବ ହେ
ସମସ୍ତ ରମ୍ୟରେ ରାମା ପ୍ରାୟ ସୁଖ ହେବ
ସ ଆଦ୍ୟ ନିୟମ ଅବିଘ୍ନରେ ସିଦ୍ଧ ହେବ ହେ ।”
(ସୁଲକ୍ଷଣା)
~ ଉତ୍କଳ ଦେଶର ଉଚ୍ଚ ସମ୍ମାନାସ୍ପଦ ଗ୍ରନ୍ଥ ବିଦଗ୍ଧ ଚିନ୍ତାମଣି ~
ଅଭିମନ୍ୟୁଙ୍କ ଶ୍ରେଷ୍ଠ କୃତି ହିଁ ବିଦଗ୍ଧ ଚିନ୍ତାମଣି କାବ୍ୟ । ଅଭିମନ୍ୟୁ ସାମନ୍ତସିଂହାର ନାମ ଶୁଣିଲେ ପ୍ରତି ଓଡ଼ିଆ ସାହିତ୍ୟପ୍ରେମୀ ମନଶ୍ଚକ୍ଷୁରେ ଉଦ୍ଭାବିତ ହୁଏ ବିଦଗ୍ଧ ଚିନ୍ତାମଣି କାବ୍ୟ । ଅଭିମନ୍ୟୁଙ୍କ ସ୍ଵାଭାବିକ କବିତ୍ଵ ଶକ୍ତି ଥିଲା ଅସାଧାରଣ । ପୁନଶ୍ଚ କୃଷ୍ଣ କଥା ପରମ ସୁନ୍ଦର ସହଜ ମାନବୀୟ ଲୀଳା ଭରା ଏହି କାବ୍ୟଟି । ଆମର ପାର୍ଥିବ ଆଖିକୁ ଐଶ୍ୱରିକ ପ୍ରଣୟ ସହିତ ପରିଚିତ କରାଇପାରିଛି ଅପ୍ରାକୃତ ପ୍ରେମ ମୂର୍ତ୍ତି ରାଧାକୃଷ୍ଣ ଲୀଳା ବର୍ଣ୍ଣନାରେ :-
“ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି,
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ।”
~ ରାଗାନୁଗା ଭକ୍ତି ~
ରାଗାନୁଗା ପ୍ରେମ ଭକ୍ତି ସାଧନାରେ ସାଧକମାନେ ନିଜକୁ ନାରୀ ଭାବରେ ବା ରାଧାଭାବ ମଧ୍ୟରେ ଭାବିତ କରିଥାନ୍ତି । ଅଭିମନ୍ୟୁ ଥିଲେ ରାଗାନୁଗା ଭକ୍ତି ମାର୍ଗର ସାଧକ । ତେଣୁ ‘ରାଧାଭାବ’ରେ ଅନୁପ୍ରେରିତ ଥିଲେ —
“ଦୀନ ଅଭିମନ୍ୟୁ ଜୀବ
ରାଧାଭାବ ଭାବି ବାହାରି ଯିବ ରେ” ।
ଓଡ଼ିଆ ସାହିତ୍ୟରେ ରାଗାନୁଗା ଭକ୍ତିଧର୍ମର ପ୍ରଚାର ପାଇଁ ବିଦଗ୍ଧ ଚିନ୍ତାମଣି ମୁଖ୍ୟତଃ ଉଦ୍ଧିଷ୍ଟ । ଏଥିରେ ତତ୍ତ୍ଵ ପ୍ରଚାର ମୁଖ୍ୟ ସ୍ଥାନ ଗ୍ରହଣ କରିଥିଲା । ଏହି କାବ୍ୟର ତତ୍ତ୍ଵ ସମ୍ବନ୍ଧରେ କବିଙ୍କ ଦୃଢ଼ତା ସହ ରାଧାକୃଷ୍ଣଙ୍କ ଅନୁଗାମୀ ମାନଙ୍କୁ କି ସୁନ୍ଦର ଆହ୍ବାନ:
“ଡାକି କହୁଛି ମୁଁ ରାଗମାର୍ଗ ଭକ୍ତଜନେ
ଡେରି କର୍ଣ୍ଣ ସସ୍ନେହତ୍ କର ମୋ ବର୍ଣ୍ଣନେ ହେ ।”
ଭଗବାନ ପ୍ରେମ ସ୍ବରୂପ । ତାଙ୍କର ଶକ୍ତି ମଧ୍ୟରେ ପ୍ରୀତି ଶକ୍ତି ଶ୍ରେଷ୍ଠ । ସେହି ପ୍ରେମମୟ ଶକ୍ତି ବଳରେ ଗୋପୀମାନେ ଭକ୍ତ ଶିରୋମଣି ! ତନ୍ମଧ୍ୟରୁ ଶ୍ରେଷ୍ଠ ହେଉଛନ୍ତି ଶ୍ରୀରାଧା । ସେ ପ୍ରେମ ସ୍ବରୂପ ଭଗବାନଙ୍କ ପ୍ରେମମୟୀ ଆନନ୍ଦମୟୀ ଶକ୍ତି, ସେ ହ୍ଳାଦିନୀ ଅଂଶ ସମ୍ଭୂତା, ଆହ୍ଳାଦିନୀକାରିଣୀ ଶକ୍ତି ।
“ସନ୍ଧିନୀ ସମ୍ବନ୍ଧିନୀ ଆହ୍ଳାଦିନୀ
ବିକାର ତତ୍ତ୍ଵ ଗୁଣ ଅଛି ଘେନି
କାର୍ଯ୍ୟ କାରଣ ସମ୍ଭବ କାରିଣୀ
ସର୍ବଶକ୍ତିମୂଳ ଏ ଘେନି ଜାଣି ।”
ବିଦଗ୍ଧ ଚିନ୍ତାମଣିରେ ସାଧନାର ମାର୍ଗ କାମ-ପ୍ରମତ୍ତମାନଙ୍କର ଆଦିମ ପ୍ରବୃତ୍ତିର ଜାନ୍ତବ ଚରିତାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ, ସେହି ସାଧକମାନେ ଅଧିକାରୀ ନୁହନ୍ତି ଏ ମାର୍ଗର:
“ବନ୍ଧାଇବ ଯେ ହୀରାରେ ଛାତିକି
ମତ ବଳାଇବ ସେହି ପ୍ରୀତିକି ।
ଜୀବନ ଯାହା ସ୍ଵ ଆୟତ୍ତରେ ଥିବ
ସେହି ତ ପ୍ରୀତି ପଥେ ପାଦ ଦେବ ।”
ବିଦଗ୍ଧ ଚିନ୍ତାମଣିର ଆଳଙ୍କାରିକତା ଅନେକ ସ୍ଥଳରେ ଉପେନ୍ଦ୍ର ଓ ଦୀନକୃଷ୍ଣଙ୍କୁ ମଧ୍ୟ ଟପିଯାଇଛି । ଏହାକୁ ଅବଶ୍ୟ କିଛି ବିଶିଷ୍ଟ ସମାଲୋଚକ ମତ ରଖିଛନ୍ତି, “ଅଳଙ୍କାରର ଏହି ନିଷ୍ପ୍ରଭ ପ୍ରଦର୍ଶନୀକୁ ଯେଉଁମାନେ କାବ୍ୟକାନ୍ତି ସହିତ ସମୀକୃତ କରନ୍ତି, ସେମାନେ ଅଭିମନ୍ୟୁଙ୍କୁ ମହାକବି ଆଖ୍ୟା ଦେବା ଅବଶ୍ୟ ଯଥାର୍ଥ । ମାତ୍ର ଅଳଙ୍କାରର ଗୋଲକଧନ୍ଦା ଓ ଶବ୍ଦାଳଙ୍କାର କସରତ୍ ଛାଡ଼ି, କବି ଯେଉଁଠାରେ ଅନଳଙ୍କାରିକ ଶୈଳୀରେ ସହଜ, ବୋଧଗମ୍ୟ ଭାଷାରେ ପଦ ରଚନା କରିଛନ୍ତି, ସେଠାରେ ଅଭିମନ୍ୟୁଙ୍କ ସ୍ଵତଃସିଦ୍ଧ କବିତ୍ଵ, ପ୍ରସାଦ ଗୁଣଯୁକ୍ତ ହୋଇ ଧ୍ରୂପଦୀ ସତ୍ତା ଲାଭ କରିପାରିଛି ‌।” ଉଦାହରଣ ସ୍ୱରୂପ —
“ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ,
କଳାମାଣିକ ରେ !
ନିର୍ଧନ ସଂଖାଳି ମୋର ଦରିଦ୍ର ପସରା
ଅନ୍ଧ-ଲଉଡ଼ି ବାବୁରେ ହୃଦରତ୍ନ ହୀରା,
କଳାମାଣିକ ରେ !
ମୋ ଜୀବ ଜୀବନ ତୁହି ନୟନ ପ୍ରତିମା
ତୋତେ କି ପାଶୋରି ହେବ ମୋର ସୁଖ ସୀମା,
କଳାମାଣିକ ରେ !
ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ
ଜନକ ଜନନୀ ସୁଖ କାହିଁପାଇଁ ସାରୁ,
କଳାମାଣିକ ରେ !
ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ
ହୃଦତାପ ବିନାଶନେ ତୁ ହରିଚନ୍ଦନ ,
କଳାମାଣିକ ରେ ! “
ଅଥବା —
“ଘନଶ୍ୟାମ ଗୁଣମାନ
ରଖିଅଛି କି ମୋ ଧୈର୍ଯ୍ୟ ଗୁମାନ ଗୋ,
ମନ ଦହୁଛି ତା ସନମାନ; ସଜନୀ ଗୋ ।
ତୁଚ୍ଛ ମୋହିବା ମୁନିଙ୍କି
ତାଙ୍କୁ ପ୍ରୀତିପଣେ ଯୋଗ୍ୟ ମୁଁ ନିକି, ଗୋ,
ଅଳଙ୍କାର ସେ ତ ଅବନୀକି, ସଜନୀ ଗୋ !”
କି ଲାଳିତ୍ୟପୁର୍ଣ୍ଣ ବର୍ଣ୍ଣନା ସତରେ ! ସଂସ୍କୃତ ସାହିତ୍ୟରେ ଯେପରି କୁହାଯାଏ,
“ଉପମା କାଳିଦାସସ୍ୟ ଭାରବେ ଅର୍ଥଗୌରବଂ,
ନୈଷଧେ ପଦ ଲାଳିତ୍ୟମ
ମାଘେ ସନ୍ତି ତ୍ରୟଗୁଣ !” ଓଡ଼ିଆ ସାହିତ୍ୟରେ କୁହାଯାଏ,
“ଉପମା ଭଞ୍ଜ ବୀରବରସ୍ୟ
ତସ୍ୟଏବଚାର୍ଥ ଗୌରବମ୍,
କଲ୍ଲୋଳେ ପଦଲାଳିତ୍ୟମ
ଚିନ୍ତାମଣଉ ତ୍ରୟ ଗୁଣାହ !”
ଅଭିମନ୍ୟୁ ସାମନ୍ତସିଂହାର ଓଡ଼ିଆ ସାହିତ୍ୟର ବରେଣ୍ୟକବି । ଆଲୋଚନା, ସମାଲୋଚନା ଯାହା ହେଉନା କାହିଁକି ଓଡ଼ିଆ ସାହିତ୍ୟ ତଥା ବୈଷ୍ଣବ ସାହିତ୍ୟରେ ଏକ ଉଚ୍ଚତର ସ୍ଥାନରେ ନିଜ ଆସନ ରଖିଛନ୍ତି ସେ ! ଏକ ସ୍ବତନ୍ତ୍ର ପରିଚୟ ଅଧିଗ୍ରହଣ କରିଛନ୍ତି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ! ସେଥିପାଇଁ ସେ ଲାଖି ଯାଇଛନ୍ତି ଓଡ଼ିଆ ସାହିତ୍ୟପ୍ରେମୀମାନଙ୍କ ହୃଦୟରେ ଓ ରହିଥିବେ ମଧ୍ୟ !
ତଥ୍ୟ ଉପସ୍ଥାପନ: ବିଦଗ୍ଧ ଚିନ୍ତାମଣି, ଅଭିମନ୍ୟୁ ସାମନ୍ତସିଂହାର କୃତ କାବ୍ୟସମୂହ; ‘ଓଡ଼ିଆ ସାହିତ୍ୟର ଇତିହାସ’ (ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ/ସୁରେନ୍ଦ୍ର ମହାନ୍ତି ମହୋଦୟ)
Abhimanyu Samanta Singhara Bidagdha Chintamani
Niranjan Sahu
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago