ଲେଖା: ଅରବିନ୍ଦ ମହାନ୍ତି
~ ପ୍ରେମବିରହର ଯାତ୍ରା ~
ବେନି କ୍ଷେତ୍ରରେ ରଥଯାତ୍ରା ସମୟରେ ବେନି ଦେବତାଙ୍କ ଠାକୁରାଣୀ ମାନେ ଆସି ନିଜ ଅଭିମାନ ପ୍ରକଟ କରନ୍ତି ! ରଥଯାତ୍ରା ତ ନୁହେଁ ୟେ ପ୍ରେମବିରହର ଯାତ୍ରା !
ହଁ ମୁଁ କହୁଛି ଶ୍ରୀକ୍ଷେତ୍ର ଆଉ ଏକାମ୍ର କଥା। ଏହି ଦୁଇ କ୍ଷେତ୍ରରେ ଦୁଇ ମୁଖ୍ୟ ଠାକୁରାଣୀ ହେଲେ ମା’ ଲକ୍ଷ୍ମୀ ଓ ମା’ ପାର୍ବତୀ। ଦୁଇ ମହାପ୍ରଭୁ ମାନଙ୍କ ଲୀଳାରେ ବେନି ଠାକୁରାଣୀ ବହୁତ ହଇରାଣ ହୁଅନ୍ତି। ହଇରାଣ ତ ନୁହେଁ, ବିରହ। ସେହି ବିରହର ପ୍ରତିଫଳନ ହେଉଛି ହେରାପଞ୍ଚମୀ ଓ ପାର୍ବତୀ ଭେଟଯାତ୍ରା। ଉଭୟ କ୍ଷେତ୍ରରେ ଲୋକାଚାର ଲୀଳାର ବହୁଳ ପ୍ରଭାବ ଦେଖିବାକୁ ମିଳିଥାଏ। ଯାହାର ପ୍ରତିଫଳନ ଦେଖିବାକୁ ମିଳେ ଏହି ରଥଯାତ୍ରାରେ ମଧ୍ଯ।
ଯେତେବେଳେ ଅଶୋକାଷ୍ଟମୀ ରଥଯାତ୍ରା ହୁଏ ସେତେବେଳେ ମହାପ୍ରଭୁ ଲିଙ୍ଗରାଜ, ଦେବୀ ଗୋପାଳୁଣୀ ଓ ପ୍ରଭୁ ବାସୁଦେବଙ୍କ ସଙ୍ଗେ ରାମେଶ୍ୱର ତୀର୍ଥକୁ ପଞ୍ଚଦିବସ ବ୍ୟାପୀ ଯାତ୍ରା କରନ୍ତି। ସେ ସମୟରେ ମହାପ୍ରଭୁ ଦେବୀ ପାର୍ବତୀଙ୍କୁ ସଙ୍ଗରେ ନ ନେଇ ଯାଇଥିବାରୁ ମା’ ଠାକୁରାଣୀ ଅଭିମାନ କରନ୍ତି। ଅଭିମାନ ନ କରିବେ ବା କେମିତି। ଯେଉଁ ମହାଦେବ ନିଜ ମହାଦେବୀଙ୍କୁ ପ୍ରତେକ ଯାତ୍ରାରେ ନିଜ ଦକ୍ଷିଣାଙ୍ଗୀ କରି ସମସ୍ତ ଯାତ୍ରା କରନ୍ତି। କିନ୍ତୁ ନିଜର ଏତେ ବଡ଼ ଯାତ୍ରା ଆଉ ଏତେ ଦିନର ଯାତ୍ରାରେ ମହାମାୟୀଙ୍କୁ ନ ନେଇ ଚାଲି ଯାଆନ୍ତି ତେବେ ଅଭିମାନ ହେବନି କେମିତି ଯେ। ଯେଉଁ ଫଳରେ ରଥଯାତ୍ରାର ଦୁଇ ଦିନ ବିତିଯିବା ପରେ ମା’ ମହାମାୟୀ ଅଭିମାନରେ ମହାପ୍ରଭୁଙ୍କୁ ଭେଟିବା ପାଇଁ ସେବାୟତଙ୍କ ଗହଣରେ ରାମେଶ୍ୱର ଦେଉଳକୁ ଯାତ୍ରା କରନ୍ତି।
ମହାପ୍ରଭୁ, ଦେବୀ ଗୋପାଳୁଣୀ, ପ୍ରଭୁ ବାସୁଦେବଙ୍କ ସହ ବିଜେ କରିଥାନ୍ତି ରାମେଶ୍ୱରଙ୍କ ସମ୍ମୁଖସ୍ଥ ବିଜେ ଦେଉଳରେ। ହେଲେ ଏତେ ପଣ୍ଡା ପଢ଼ିହାରୀ, ଭକ୍ତମାନଙ୍କ ଗହଳରେ ମହାପ୍ରଭୁଙ୍କୁ ଭଲରେ ଟିକେ ଦେଖି ପାରନ୍ତି ନାହିଁ। ପୁଣି ସେ ଏକାମ୍ରପୁରୀର କୁଳବଧୂ। ପରଦା ପଛରୁ ଆସିବା ମନା। ପାଲିଙ୍କି ପରଦା ଉହାଡରୁ କିଞ୍ଚିତେ ଦର୍ଶନ ହୁଏ କି ନାହିଁ ତାହା ଜାଣିବା କଷ୍ଟ। ତଥାପି ମହାପ୍ରଭୁ ଫେରିବା ପ୍ରତିଶ୍ରୁତି ଦେବା ଉତ୍ତାରୁ ସେଠାରେ ଗୁପ୍ତରେ ମହାପ୍ରଭୁଙ୍କ ସହ ଭେଟ ନୀତି ହୁଏ। ଭେଟ ଆଳତି ପରେ ଦେବୀ ଫେରିବା ସମୟରେ ଅଭିମାନରେ ରୁକୁଣା ରଥକୁ ବାଡ଼େଇ ଦେଉଳକୁ ଫେରି ଆସନ୍ତି। . . ରଥଭଙ୍ଗା ହେଇନି ଏଯାଏଁ, ଲେଉଟାଣି ଯାତ ହେଉ। ପ୍ରେମବିରହର ଯାତ୍ରା କଥା ଆହୁରି ଅଛି। କପାଳି ମଠ ଭେଟ ଅଛି . . ରଥଭଙ୍ଗା ଅଛି . . ପୁଣି ଚାହାଣିମଣ୍ଡପ ଭେଟ . . ଉମାମହେଶ୍ଵର କଳି ବି ଅଛି।
ସେହିଭଳି ଶ୍ରୀକ୍ଷେତ୍ରେ ରୁକ୍ମିଣୀ ବିବାହ ଚାରିଦିନ ପରେ ଦେବ ଚାଲି ଯାଆନ୍ତି ନିଜର ଜ୍ୟେଷ୍ଠାଭିଷେକ ନିମନ୍ତେ। ନା ପୁନର୍ବାର ମହାମାୟୀଙ୍କ ସଙ୍ଗେ ଭେଟ ହୁଏ ନା ହୁଏ ବିବାହ ପରବର୍ତ୍ତୀ ମିଳନ। କୋଉ ନୂଆ ବୋହୂର ରାଗ ହେବନି ଯେ। ବିବାହ ହେଲା, ଚତୁର୍ଥୀ ହୋମ ସାରି ମହାପ୍ରଭୁ ନିଜ ଜ୍ୟେଷ୍ଠାଭିଷେକ କାର୍ଯ୍ୟ ସାରିଲେ, କିନ୍ତୁ ତତ୍ପରେ ଜ୍ଵରାକ୍ରାନ୍ତ ହେବାରୁ ପନ୍ଦର ଦିନ ଆଉ ଭେଟ ନାହିଁ କି ଭକ୍ତଙ୍କୁ ମଧ୍ଯ ଦର୍ଶନ ନାହିଁ। ତାପରେ ନବଯୌବନ ଦର୍ଶନ ଦେଇ ଶୁକ୍ଳ ଦ୍ଵିତୀୟାରେ ଚାଲି ଯାଆନ୍ତି ଗୁଣ୍ଡିଚା ମା’ଙ୍କ ଘରକୁ। ସାଙ୍ଗରେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ମଧ୍ଯ ଯାତ୍ରା କରନ୍ତି। ମା ଠାକୁରାଣୀଙ୍କ ନିମନ୍ତେ ବଗଡା ଚାଉଳ, କଳମ ଶାଗ ରଖିଦେଇ କହି ଦେଇ ଯାଆନ୍ତି ଶୀଘ୍ର ଆସିବେ ବୋଲି। ହେଲେ ଗଲେ ଯେ ଆଉ ଫେରିଲେ ନାହିଁ। ଦିନେ ଗଲା, ଦି ଦିନ ଗଲା, ତିନି ଦିନ, ଚାରି ଦିନ ବି ଗଲା ହେଲେ ମହାପ୍ରଭୁ ଫେରିଲେନି ଯେ। ପଞ୍ଚ ଦିବସରେ ଆଉ ରହି ପାରିଲେ ନାହିଁ ମା’। ବିମଳା ଠାକୁରାଣୀଙ୍କ ଠାରୁ ମୋହ ଚୂର୍ଣ୍ଣ ନେଇ ଦାସଦାସୀଙ୍କ ଗହଣରେ ଆଡପ ମଣ୍ଡପ ନିମନ୍ତେ ମା’ ଠାକୁରାଣୀ ଯାତ୍ରା କରନ୍ତି। ଛଳିଆ ଠାକୁରଙ୍କ ଲୀଳା ବିଚିତ୍ର। ଦେବୀ ଯିବେ ବୋଲି ପୂର୍ବଦିନ ବନକ ସାଜ ହୋଇ ଯାଇଥାନ୍ତି। ଦେବୀ ବିଜେ ଦିନ ଦେବୀଙ୍କୁ ଆହୁରି ହଇରାଣ କରନ୍ତି ମଧ୍ଯ। ଦେବୀ ଯେତେବେଳେ ରଥ ପାଖରେ ପହଞ୍ଚନ୍ତି ସେତେବେଳେ ମହାପ୍ରଭୁଙ୍କ ସନ୍ଧ୍ଯା ଧୂପ ପୂଜା ବସିଥାଏ। ଜୟ ବିଜୟ ଦ୍ଵାର ନିକଟକୁ ଆସିଲେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଆଜ୍ଞାମାଳ ଆସି ଠାକୁରାଣୀଙ୍କୁ ଦିଆଯାଏ। ହେଲେ ଏତେ ଭଲରେ ଦର୍ଶନ ହୋଇ ପାରେନା। ଦେଢଶୁର ଥିବା ହେତୁ ସେବାୟତ ମାନେ କବାଟ ଆହୁଡାଇ ଦିଅନ୍ତି। ମହାପ୍ରଭୁଙ୍କ ନିମନ୍ତେ ଶୀଘ୍ର ଆସିବା ପାଇଁ ମା’ ଠାକୁରାଣୀ ମୋହଚୂର୍ଣ୍ଣ ପକେଇ ଦେଇ ପଳେଇ ଆସନ୍ତି। ବାଟରେ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥକୁ କ୍ଷୁଣ କରି ଦେଇ ଆସନ୍ତି। ଫେରିଲା ବେଳେ ହେରାଗୋହିରୀ ସାହି ଦେଇ ଦେଉଳକୁ ଫେରି ଆସନ୍ତି।
ପ୍ରେମବିରହର ଯାତ୍ରା ଏତିକିରେ ସରେନି ! ପୁଣି ଅପେକ୍ଷା ବାହୁଡାକୁ . . ନଅର ଆଗରେ ଭେଟ ପୁଣି ଅଛି . . ପୁଣି ଚାହାଣି ମଣ୍ଡପ ଭେଟ . . ଲକ୍ଷ୍ମୀନାରାୟଣ କଳି ବି ଅଛି।
ବାହୁଡା ଆସିଲେ ଏହି ରାଗ ଅଭିମାନ ଆହୁରି ଯେମିତି ବଢିଯାଏ। କାରଣ ଯେତେବେଳେ କେହି ଅତି ଆପଣାର ଲୋକ ଦୁରେଇ ଯାଏ ସେତେବେଳେ ଯେତିକି ଅଭିମାନ ଆସେନି ସେତିକି ସେ ଫେରିଲା ବେଳେ ହୁଏ। ଯାହା କି ଏହି କ୍ଷେତ୍ରରେ ଦେଖିବାକୁ ମିଳେ ମଧ୍ଯ।
ପଞ୍ଚଦିବସ ବ୍ୟାପୀ ଯାତ୍ରା ସାରି ଯେତେବେଳେ ଲିଙ୍ଗରାଜ ମହାପ୍ରଭୁ ଫେରନ୍ତି ସେତେବେଳେ ମା’ ପାର୍ବତୀ ଆଉ ଦେଉଳରେ ଅପେକ୍ଷା କରି ରହିପାରନ୍ତି ନାହିଁ। ପ୍ରାଣନାଥ ମହେଶ୍ୱରଙ୍କୁ ଭେଟିବା ପାଇଁ ମାହେଶ୍ୱରୀ ଚାଲିଆସନ୍ତି ରଥଦାଣ୍ଡକୁ। ଯେତେବେଳେ ରଥ ଆସି କପାଳି ମଠ ପାଖରେ ପହଁଞ୍ଚେ ମା’ ଠାକୁରାଣୀ ପାଲିଙ୍କିରେ ବସି ଏକାମ୍ରନାଥଙ୍କୁ ଭେଟ ନିମନ୍ତେ ଆସନ୍ତି। ଏଥର ଯିବେ କୁଆଡେ ପାଖକୁ ତ ଆସି ଗଲେଣି। ଏଇଠି ରଥକାଠ ଭଙ୍ଗା ହୁଏ। ମା’ ଠାକୁରାଣୀ ରାଗରେ ରଥକାଠ ଭାଙ୍ଗିବା ପରେ ମହାପ୍ରଭୁ ଆଜ୍ଞାମାଳ ଦିଅନ୍ତି ମହାମାୟୀଙ୍କି। ଦେବୀ ଆଜ୍ଞାମାଳ ପାଇବା ପରେ ଦେବଦଳନ ରୁକୁଣା ରଥ ପରିକ୍ରମା କରି ବାହୁଡି ଆସନ୍ତି ଦେଉଳକୁ।
ଦେଉଳକୁ ଆସି ଉତ୍ତର ପୂର୍ବ କୋଣସ୍ଥ ଚାହାଣି ମଣ୍ଡପରେ ପରଦା ପଛରେ ରହି ଅପେକ୍ଷା କରନ୍ତି କେତେବେଳେ ଦିଅଁ ଆସି ପହଞ୍ଚିବେ। ମହାପ୍ରଭୁ ଆସି ରଥ ଖଳାରେ ଆସି ପହଞ୍ଚନ୍ତି। ସେହି ଲେଉଟାଣି ଦିନ ହିଁ ମହାପ୍ରଭୁ ଦେଉଳକୁ ବିଜେ କରି ଯାଆନ୍ତି କାରଣ ତାର ପରେ ଥାଏ ଦମନକ ଯାତ୍ରା। ବିଶ୍ରାମ ନେଲେ ସିନା ପରଦିନ ଆଉ ଗୋଟିଏ ଯାତ୍ରାକୁ ବିଜେ କରିବେ। ବେଳେ ବେଳେ ରଥ ପହଞ୍ଚିବା ବିଳମ୍ବ ହେଲେ ଶୟନ ବିଗ୍ରହ ପଞ୍ଚବକ୍ର ଏହି ଦମନକ ଯାତ୍ରା ନିମନ୍ତେ ବିଜେ ହୋଇଥାନ୍ତି। ତେଣୁ ଶୀଘ୍ର ବାହୁଡିବାକୁ ପଡେ। ଦେଉଳକୁ ପ୍ରବେଶ କରିବା କ୍ଷଣି ମହାଦେବୀ ଆସି ଭିତର ଦରଜା ବନ୍ଦ କରି ଦିଅନ୍ତି।
ଏହାପରେ ଉମା ମହେଶ୍ବର ବଚନିକା ହୁଏ। ଦୁଇ ସେବାୟତ ଗୋଷ୍ଠୀ ଦୁଇ ଜଣଙ୍କ ପକ୍ଷ ନେଇ ଏହି ବଚନିକା କରନ୍ତି। ଠାକୁରାଣୀ କୁହନ୍ତି ହେ ଏକାମ୍ରନାଥ ସବୁ ଯାତ୍ରାରେ ସାଥିରେ ନେଇ ଯାତ୍ରା କର, ହେଲେ ଏତେ ବଡ଼ ଏବଂ ଏତେ ଦିନର ଯାତ୍ରାକୁ ମୋତେ ନେଲନାହିଁ। ଏତେ ଦିନ ଦେଉଳ ଛାଡି ରହିଲ। ଆପଣଙ୍କ ବିନା ମୁଁ ଏକା କେମିତି ରହିବି ଯେ। ଜଣେ ଶକ୍ତିଙ୍କୁ ସଙ୍ଗରେ ନେଇ ଆର ଜଣଙ୍କ ପ୍ରତି ଏତେ ଅନ୍ୟାୟ କାହିଁକି ? ମା’ଙ୍କ ସବୁ ରାଗ ଅଭିମାନ, ଅଭିଯୋଗ ସବୁ ଏଇଠି ଫୁଟି ପଡେ। କୁଳବଧୂକୁ ଏକା ଛାଡ଼ି ମହାପ୍ରଭୁ ଭୁବନେଶ୍ବର ସହିତେ ଆଦ୍ୟା ଗୋପାଳୁଣୀ, ଶ୍ରୀ ବାସୁଦେବ ସମସ୍ତେ ଚାଲି ଯାଇଥିଲେ ଭକ୍ତଙ୍କ ଗହଣରେ ବୁଲିଯିବା ପାଇଁ। ପାର୍ବତୀଙ୍କ ରାମେଶ୍ୱର ଦେଉଳ ବିଜେ ସମୟରେ କୂଳବଧୁର ମାନ ହେତୁ କିଛି କହି ପାରିନଥିଲେ ପୁଣି ରଥରେ ଭେଟ ସମୟରେ କିଛି କହି ପାରିଲେନି ତେଣୁ ମା’ ନିଜର ସବୁ ଅଭିମାନ ଏଇଠି ବ୍ୟକ୍ତ କରିଦିଅନ୍ତି। ଏଇଠି ମହାପ୍ରଭୁ ବୁଝାନ୍ତି ଏକାମ୍ର ନଗରର କୁଳବଧୂ ତୁମେ ଏମିତି କେମିତି ସଙ୍ଗରେ ନେଇ ଯାଇଥାନ୍ତୁ ପୁଣି ଏତେ ଦୂରଯାତ୍ରାକୁ ଆଉ ପୁଣି ତୁମେ ଗଲେ ଏ ଦେଉଳ ଶୂନ୍ୟ ହୋଇ ଯାଇଥାନ୍ତା। ଏହି ଦେଉଳକୁ ପୁଣି ଚଳେଇବ କିଏ। ଆମେ ସିନା ସାକାର ସ୍ଵରୁପରେ ଯାତ କଲୁ କିନ୍ତୁ ନିରାକାର ରୂପେ ନିତ୍ୟ ଏଠି ବିଜେ ଥିଲୁ ନା। ଶିବ ଶକ୍ତି କ’ଣ ପରସ୍ପର ଠାରୁ ଭିନ୍ନ ଅଟନ୍ତି କି? ତୁମେ ପା ମୋର ଅର୍ଦ୍ଧାଙ୍ଗ ବିହାରିଣୀ। ଆଉ ମାନ କରନି ଗୋ ମହାଦେବୀ। ପ୍ରତିଶ୍ରୁତି ଦେଉଅଛୁ ଆଗାମୀ ଚନ୍ଦନ ଯାତ୍ରାରେ ଦୀର୍ଘ ୨୨ ଦିନ ଧରି ବିନ୍ଦୁସାଗରରେ ତୁମ ସହ ନିଇତି ଚନ୍ଦନ ବିହାର କରିବୁ। ଏହା ଶୁଣି ମହାମାୟୀ ପ୍ରକୃସ୍ଥିତ ହୁଅନ୍ତି ଓ ମାନଭଞ୍ଜନ ହୁଏ ମହାମାୟୀଙ୍କର।
ପୁଣି ପରଦିନ ପ୍ରିୟ କାନନ ତୀର୍ଥେଶ୍ୱରଙ୍କ ନିକଟକୁ ସପରିବାରେ ବିଜେ କରିବା ହେତୁ ଏହି ମାନ ଭଞ୍ଜନ ଲୀଳାର ପରିସମାପ୍ତି ହୁଏ। ଶେଷ ହୁଏ ଉମା ମହେଶ୍ଵରଙ୍କ କଳିର।
ଏବେ ଶ୍ରୀକ୍ଷେତ୍ରକୁ ଆସିବା। ଏ ଠାକୁର ଲୀଳାରେ କୋଉ କମ୍ କି । ଲୀଳାଶ୍ରେଷ୍ଠ ଶ୍ରୀଜଗନ୍ନାଥ ପରା। ମା ଠାକୁରାଣୀ ସିନା ମାଧବ ଅଛନ୍ତି ବୋଲି ଜାଣି ଫେରି ଆସିଥିଲେ। ହେଲେ ଯେତେବେଳେ ଶୁଣିଲେ ନବଦିନ ଯାତ୍ରା ସାରି ମହାପ୍ରଭୁ ବାହୁଡୁଛନ୍ତି ମା’ ଆସି ଚାହାଣି ମଣ୍ଡପରେ ଦେଖିଲେ ମହାପ୍ରଭୁ ପାଖରେ ଆସି ପହଞ୍ଚି ଗଲେଣି। ରାଜ ନଅର ପାଖେ ହେବା କ୍ଷଣି ମହାମାୟୀ ପାଲିଙ୍କିରେ ବିଜେ କରନ୍ତି। ତାଳଧ୍ଵଜ ରଥ ଯେହେତୁ ଆଗ ପହଞ୍ଚି ଯାଇଥାଏ ତେଣୁ ମହାଦେବୀ ଓଢ଼ଣା ଟାଣି ବିଜେ କରନ୍ତି। ପୁଣି ତାଳଧ୍ଵଜ ରଥରେ ବି ତାଟି ପଡିଯାଇ ଆହୁଡ ରଖାଯାଏ। ଯେହେତୁ ବଡ଼ଠାକୁର ଦେଢଶୁର ଅଛନ୍ତି ପରା।
ଏହାପରେ ଦେବୀ ନଅର ନିକଟରେ ପହଞ୍ଚିବା କ୍ଷଣି ଗଜପତି ମହାରାଜା ଆସି ରାଜରାଜେଶ୍ଵର ରାଜରାଜେଶ୍ୱରୀ ଭେଟ କରାନ୍ତି। ଏହାପରେ ଠାକୁରାଣୀ ଫେରି ଆସନ୍ତି ଦେଉଳ କୁ। ଦେବ କଣ ଆଜି ଫେରିବେ କି? ସେ ତ ଭକତ ବାଇ ଠାକୁର। ଏତେ ଶୀଘ୍ର କେମିତି ଫେରିବେ। ହରିଶୟନ ଏକାଦଶୀରେ ସୁନାବେଶ ହୁଏ ତତ୍ପର ଦିନ ଅଧରପଣା। ତାପରେ ମହାପ୍ରଭୁ ବିଜେ କରନ୍ତି ନିଳାଦ୍ରିକୁ। ଏଇଠି ଲକ୍ଷ୍ମୀନାରାୟଣ ଲୀଳା ଆରମ୍ଭ ହୁଏ। ମହାପୁରୁ ରଥରୁ ବାହାରିବା କ୍ଷଣି ଠାକୁରାଣୀ ଚାହାଣି ମଣ୍ଡପରେ ଥାଇ ଅପଲକ ନୟନରେ କଳା ଶ୍ରୀମୁଖକୁ ଅନାଇ ରହିଥାନ୍ତି। ଭେଟ ଆଳତି ବଢେ ତାପରେ ମାପୁରୁ ରଥାରୁ ପହଣ୍ଡି ହୋଇ ଯେତେବେଳେ ସିଂହଦ୍ଵାରରେ ପହଞ୍ଚନ୍ତି ସେତେବେଳେ ଦୁଆର ଦରଜା ପଡିଯାଏ। ଏମିତିରେ ଆଷାଢ ମାସ, ପ୍ରବଳ ବର୍ଷାର ସମୟ। ଦୁର୍ଭାଗ୍ୟକୁ ବର୍ଷା ବି ହୋଇଯାଏ। ଭାରି ହନ୍ତସନ୍ତ ହୁଅନ୍ତି ମହାପ୍ରଭୁ। ବିକଳ ହୋଇ କବାଟ ଫିଟେଇବାକୁ ଅନୁରୋଧ କରିବାରୁ ମହାଲକ୍ଷ୍ମୀ କବାଟ ଖୋଲନ୍ତି। ତଥାପି ଠାକୁରାଣୀଙ୍କ ମାନ ଭଞ୍ଜନ ହୋଇନଥାଏ। ଜଗମୋହନରେ ପହଞ୍ଚିବା କ୍ଷଣି ବନ୍ଦ ହୋଇଯାଏ ଜୟ ବିଜୟ ଦ୍ଵାର।
ଏଇଠି ବଚନିକା ହୁଏ ଲକ୍ଷ୍ମୀ ନାରାୟଣଙ୍କର। ଠାକୁରାଣୀ ବହୁ ଧିକ୍କାର ବଚନ କୁହନ୍ତି। ଓଃ . . କି କଳି ଯେ ! ବଡଘର ବଡ କଥା। ମା’ କୁହନ୍ତି ନଣନ୍ଦକୁ ନେଲ ହେଲେ ମତେ ଭୁଲିଗଲ। ମହାପ୍ରଭୁ କୁହନ୍ତି, ସଙ୍ଗେ ଦେଢଶୁର ବଡଭାଇ ଅଛନ୍ତି କେମିତି ନେଇଥା’ନ୍ତୁ ଯେ। ଅନ୍ୟ ନାରୀ ସଙ୍ଗେ ରାସ କରିବା କଥା ଶୁଣି ଚିହିଙ୍କି ଉଠନ୍ତି ମହାପ୍ରଭୁ। ହେଲେ ଏହି କଳି ଏଇଠି ଶେଷ ହୁଏନାହିଁ। ମହାପ୍ରଭୁ ବି ସାଧାରଣ ସ୍ଵାମୀ ପରି କେତେବେଳେ ଶାନ୍ତ ଭାବେ ପୁଣି କେତେବେଳେ ରାଗି ଯାଇ ପଦେ ଦୁଇପଦ ବି କହିଦିଅନ୍ତି। ଶେଷରେ ମା’ ଠାକୁରାଣୀଙ୍କ ପ୍ରତି ମହାପ୍ରଭୁଙ୍କ ରାଗିବା ଦେଖି ବଡ଼ଠାକୁର ଏଇଠି ମଧ୍ୟସ୍ଥ ହୁଅନ୍ତି। ଦୂରରୁ ଥାଇ କୁହନ୍ତି ଏମିତି ଯଦି ଝଗଡ଼ା ହୁଏ ତେବେ ଭିନ୍ନେ କରି ଦେବି। ଭିନ୍ନେ କରିଦେବା କଥା ଶୁଣି ଗ୍ରହିତା ଭାରିଯା ଦୁହେଁ ଝଗଡ଼ା ଶାନ୍ତ କରନ୍ତି। ମହାପ୍ରଭୁ କୁହନ୍ତି ବଡଭାଇ ରାଗିଲେଣି ଆଉ ଝଗଡ଼ା କରିବା ନାହିଁ। ଏହାପରେ ଠାକୁରାଣୀ ରାଗ ଶାନ୍ତ କରନ୍ତି। ମହାପ୍ରଭୁ ଆଣିଥାନ୍ତି ସଙ୍ଗରେ ଛେନା ଲଡୁ। ଯାହାକୁ ଆମେ ରସଗୋଲା ବୋଲି ଜାଣୁ।
ମହାମାୟୀଙ୍କୁ ରସଗୋଲା ଖୋଇ ଆଉ ନାନାଦି ଭେଟି ଦେଇ ମାନଭଞ୍ଜନ ଲୀଳା ସମାପ୍ତ ହୁଏ। ଏହାପରେ ବିବାହର ଗଇଁଠାଳ ଫିଟେ ଓ ଶେଷ ହୁଏ ଦୀର୍ଘ ଦିନର ବିରହ ମିଳନର ଲୀଳା! ଶେଷ ହୁଏ ପ୍ରେମବିରହର ଯାତ୍ରା !
@ Shree Lingaraja Mahaprabhu