ଉତ୍କଳ ଦିବସ

ଲେଖା: ଫ୍ରାନସିସ ଶତପଥୀ
ଆମ ସମୟର ଉଦୀୟମାନ ଯୁବକବି ଫ୍ରାନସିସ ଶତପଥୀଙ୍କ ସୃଷ୍ଟିରେ ଉତ୍କଳ ଜନନୀଙ୍କ ଜୟଗାନ ‘ଉତ୍କଳ ଦିବସ’ କବିତା . .
~ ଉତ୍କଳ ଦିବସ ~
ଓଡ଼ିଆ ମୋ ଭାଷା ନୁହେଁ,
       ସିଏ ମୋ ସଂସ୍କାର;
ଓଡ଼ିଶା ମୋ ରାଜ୍ୟ ନୁହେଁ,
       ମୋ’ ଷଠିଘର
‘ଉଡ଼ିୟା’, ‘ଓରିୟା’ ନୁହେଁ,
       ଓଡ଼ିଆ ‘ଓଡ଼ିଆ’;
‘ଉଡ଼ିଶା’, ‘ଓରିସା’ ନୁହେଁ,
       ଓଡ଼ିଶା ତା’ ମା’ ।
ଉଡ୍ର, ଉତକଳ ଅବା
      କଳିଙ୍ଗ ପ୍ରଦେଶ;
ବୀର ପ୍ରସବିନୀ ସଦା
      ଜଗନ୍ନାଥ ଦେଶ।
ଏ ମାଟିରେ ନରହନ୍ତା
      ପାଲଟେ ଶ୍ରମଣ;
ଏ ଜାତିର ରକ୍ତ ଲେଖେ,
      ଦୟାର ପୁରାଣ ।
ଏ ମାତାର ବୀର କେବେ
      ଭୁଲି ନାହିଁ ରଣ;
ଶେଷ ରକ୍ତ ବିନ୍ଦୁ ଢାଳି,
      ଶୁଝେ ମାତୃଋଣ।
ଏ ମାଟିର ତରବାରୀ
      ଶିଖାଏ କୌଶଳ;
ରାଜାପୁଅ ଥାଟଛାଡ଼ି
      ସାଜଇ ଚଣ୍ଡାଳ ।
ଏ ଦେଶର ଗୋସେଇଁ ବି
      ସମରେ ନିପୂଣ;
ଯାହାର ରଣହୁଙ୍କାରେ
     ଭାଙ୍ଗେ ଗୋରା-ଟାଣ।
ଏ ମାଟି ପାଇକପୁଅ
     ଦେଖିନାହିଁ ପଛ;
ପ୍ରାଣ ପଛେ ଚାଲି ଯାଉ
     ନୋଇଁ ନାହିଁ ମୁଣ୍ଡ ।
ଏ ମାଟିର ସୁରଇନ୍ଦ୍ର
     ଭିଆଇଣ ମେଳି;
ହସି ହସି ମା’ ପାଇଁ
     ଦିଏ ପ୍ରାଣବଳୀ।
ଏ ଦେଶର ଲଇଖଣ
     ମୁକ୍ତିଯାତ୍ରା ପଥେ;
ଫାଶୀଖୁଣ୍ଟେ ଝୁଲିପଡ଼େ
     ନଭାବି ମୁହୂର୍ତ୍ତେ ।
କିଏ ଏଠି ଘରଭୁଲି
     ପରବନ୍ଧୁ ସାଜେ;
ସ୍ୱାଭିମାନ ପାଇଁ କିଏ
     ବଞ୍ଚଇ ଦାରିଦ୍ର୍ୟେ।
ଏ ଭୁଇଁର ଲେଖନୀରୁ
     ଝରେ ଦିବ୍ୟସ୍ରୋତ;
ଭକ୍ତି, ପ୍ରୀତି, ମୈତ୍ରୀ, ଶକ୍ତି
     ପରମ ନିଃସୃତ ।
ଏ ମାଟିର କାରିଗର
     ନିହାଣ ମୁନରେ;
ଖୋଦିପାରେ ବଇକୁଣ୍ଠ
     ରୁକ୍ଷ ପଥରରେ।
ଆକାଶର ମାପ ଏଠି
     ବାଉଁଶ ନଳୀରେ;
     କାହିଁ କେ’ ଧରାରେ !
ଏଠି କୋଇଲିର କୁହୁତାନ
     ବସନ୍ତ ଜଣାଣ;
ହିଡ଼ମାଟି, ନଦନଦୀ
     ଗାଏ ମଧୁତାନ।
ଏ ଭୂମିର ବଇଭବେ
     ସରଗ ସରମେ;
ନୀଳ-ସବୁଜ-ସ୍ୱର୍ଣ୍ଣିମ
     ରାଜ୍ୟ ଧରାଧାମେ।
ଓଡ଼ିଆ ମୋ ପରିଚୟ
     ମିଠା ଅହଂକାର;
ମୁଁ ଓଡ଼ିଶାର ନୁହେଁ,
     ଓଡ଼ିଶା ମୋହର ।।
©fsatapathy

Leave a Comment

Your email address will not be published. Required fields are marked *

Scroll to Top