ରଜ ପରା

ରଚନା: ତରୁଣ ରଥ
       
              ୧
            ***
୨୦ ଅଛି, ୨୧ ଅଛି, ବାଇଶି..
କ’ଣ ଏଇନେ ଆସୁଛ, ଭଲ ଜିନିଷ କ’ଣ ସବୁ ଆଣିଥିବ,
‘ଭାଇ ମୋ ପାଇଁ ଜାଗାଟେ ରଖିଥା’
ଲୁଙ୍ଗିଟା ପାଲଟି ଆସୁଛି’।
ଭାଇ ଆସିଲା ବେଳେ ପାନ ଚାରିଟା ଆଣିବ।
ବରଗଛ ଚାନ୍ଦିନୀରେ ଜମି ଉଠିଛି ତାସ୍ ଖେଳ।
ରଜ ପରା . . .


                  ୨
             *******
କ’ଣ ଏତେ ଡେରି? ମିଠା ଅଣିଛ ନା ନାହିଁ?
‘ହଁ ମ ନୁଆବୋଉ, ନିଅ ତମ ମିଠା।
ପିଠା କରିଛ ଟି’?
ଘରେ ଘରେ ମହ ମହ ପୋଡ଼ ପିଠା, ଗୁଆଘିଅ ଓ ନାନା ତରକାରୀର ବାସ୍ନା। କୋଉଠି ବା ଖାସି ମାଂସ।
ତା’ ସାଙ୍ଗରେ ରଜ ପାନ
ରଜ ପରା . .
                     ୩
                 *****
ହା ଡୁ ଡୁଡୁ ଡୁଡୁ . .
‘ମାଡ଼ି ବସ, ଜମା ଛାଡନି, ଦେଖୁଛ ଟି ଖାସି ବନ୍ଧା ହେଇଛି’, ଖେଳରେ ଜମି ଉଠିଛି ତଳ ପଡିଆ।
ସେକଡେ଼ ନୁଆ ଶାଢ଼ୀ ଆଉ ଅଳତା ଲଗା ପାଦରେ ଗଗନ ଖାଉଛି ବାଉଁଶ ଦୋଳି, ପଟା ଦୋଳି ଆଉ ମନ ଦୋଳି, କେତେ ଗୀତର ପସରା, ‘ରଜ ଦୋଳି କଟ ମଟ . .
ରଜ ପରା . .
                   ୪
              ******
କେମିତି ବୁଝେଇବି ସହରୀ ନାତୁଣୀକୁ ରଜ କ’ଣ ବୋଲି !
କେମିତି ବୁଝେଇବି ରଜସ୍ଵଳା ଧରିତ୍ରୀ ମା’ ପ୍ରତି ସମ୍ବେଦନଶୀଳ ଓଡ଼ିଆ ଜାତିର ସମ୍ମାନର ପର୍ବ ରଜ ପର୍ବ ବୋଲି।
କେମିତି ବୁଝେଇବି ମାଟି ଓ ଆକାଶର ନିବିଡ଼ ପ୍ରେମର ଗଜଲ୍ ଶୁଣାଏ ବର୍ଷା, ଏଇ ରଜରେ।
କେମିତି ବା ବୁଝେଇବି ପୋଡପିଠା-ଚକୁଳିର ବାସ୍ନାରେ ମହକୁ ଥାଏ ପ୍ରତିଟି ଘର ଏଇ ରଜରେ।
କେମିତି କହିବି ପାନ କିଣି ନିଏ ମନ
ଏଇ ରଜରେ,
କେମିତି କହିବି ମନ ଭିଜୁ ଥାଏ ପହିଲି ବର୍ଷାରେ, ଏଇ ରଜରେ।


                   ୫
                *****
ରଜ: ଓଡ଼ିଆ ମାନଙ୍କ ଉଛ୍ୱାସର ପର୍ବ
ରଜ: ମାଟି ଆଉ ମଣିଷଙ୍କ ପର୍ବ
ରଜ: ପାନ ଆଉ ମନର ପର୍ବ
ରଜ: ପିଠା ଆଉ ମିଠାର ପର୍ବ
ରଜ: ପ୍ରେମ ଓ ମିଳନର ପର୍ବ ।
ବନସ୍ତରେ ଗଜ ଡାକୁ କି ନଡାକୁ
ବସୁମତୀ ପୂଜା ପାଇଁ ଆଜି ତତ୍ପର ଓଡ଼ିଆଣୀ
ଆମ୍ବ ତୋଟା ଥାଉ କି ନ ଥାଉ
କୋଉ ଏକ ଏକୁଟିଆ ବରଗଛରେ
ଝୁଲୁଥିବା ଦୋଳିରୁ ଶୁଭି ଯାଉଛି,
‘. . . ବରଷକେ ଥରେ ଆସିଛି ରଜ . . .’ 

Spread the love

2 Comments

  1. ଅନ୍ତରଙ୍ଗ କଳିଙ୍ଗ କୁ ଆନ୍ତରିକ ଧନ୍ୟବାଦ। ଓଡ଼ିଶାର
    ପରମ୍ପରାକୁ ,ସଂସ୍କୃତିକୁ ବଞ୍ଚେଇ ରଖିବାର ପ୍ରୟାସକୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *