Physical Address
Sai Samarpanam, Satya Vihar, Bhubaneswar

~ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ~
ଲେଖା: ଅମୃତେଶ ଖଟୁଆ
ଏପ୍ରିଲ ୧, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମଦିନ। ହେଲେ ଆଉ ଜଣେ ମହୀୟାନ ବୈଜ୍ଞାନିକ, ଯିଏକି ଓଡ଼ିଆ ମାଟିରୁ ବିଶ୍ଵସ୍ତରକୁ ନିଜ ଅଭୂତପୂର୍ବ ବୈଜ୍ଞାନିକ ସିଦ୍ଧାନ୍ତ ବଳରେ ଜ୍ଞାନର ଅନୁପମ ଶ୍ରେଣୀକୁ ଆରୋହଣ କରି ନିଜ ବିଦବତ୍ତାର ପରିଚୟ ଦେଇଥିଲେ। ଏଇ ମହାନ ଦିବସଟି ମଧ୍ୟ ଡ. ପ୍ରାଣକୃଷ୍ଣ ପରିଜାଙ୍କ ଜନ୍ମଦିନ।
ସାଧାରଣତଃ, ବର୍ତ୍ତମାନ ଯୁଗରେ ରାଜନୀତି ମଧ୍ୟରେ ବୈଜ୍ଞାନିକମାନଙ୍କ ପରି ବ୍ୟକ୍ତିବିଶେଷଙ୍କ ଅଂଶଗ୍ରହଣ ଖୁବ ନ୍ୟୂନ। ହେଲେ, ଆମ ଓଡିଶାର ପ୍ରଥମ ନିର୍ବାଚନୀ ଇତିହାସରେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା କୌଣସି ମନୋନୀତ ସଭ୍ଯ ଅଥବା ରାଜନୈତିକ ଦଳର ପୃଷ୍ଠପୋଷକତା କରି ନିର୍ବାଚିତ ନ ହୋଇ ବରଂ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ଦଳୀୟ ନିର୍ବାଚିତ ହୋଇଥିଲେ।
ପ୍ରାଣକୃଷ୍ଣ ପରିଜା ଏପ୍ରିଲ ୧, ୧୮୮୧ ମସିହାରେ କଟକର ବାଲିକୁଦା ସ୍ଥିତ ଇଚ୍ଛାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାଲିକୁଦା ମଧ୍ୟ-ଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷକରି, ସେ ୧୯୦୪ ମସିହାରେ କଟକର ରେଭେନ୍ସା କଲିଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ ଯିବା ପାଇଁ, ବହୁ ସମୟରେ ତାଙ୍କୁ ବାଲିକୁଦାରୁ କଟକ, ୩୬ ମାଇଲ ବାଟ, ଚାଲି ଚାଲି ଯିବାକୁ ପଡୁଥିଲା । ସେ ରେଭେନ୍ସା କଲିଜିଏଟ ସ୍କୁଲରୁ ମାଟ୍ରିକ ଓ ରେଭେନ୍ସା ମହାବିଦ୍ୟାଳୟରୁ କୃତିତ୍ୱର ସହ ଆଇ.ଏସ୍. ସି. ପାସକରିଥିଲେ । ୧୯୧୩ ମସିହାରେ ସେ କଲିକତାର ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହ ବି.ଏସ୍.ସି. ପାସ କରିଥିଲେ ଓ ଛାତ୍ରବୃତ୍ତି ପାଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଅଧ୍ୟୟନ କରିବା ପାଇଁ ୧୯୧୪ ମସିହାରେ ଇଂଲଣ୍ଡ ଯାତ୍ରା କରିଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ, ସେ ପ୍ରଥମ ଭାରତୀୟ ଭାବରେ ଫ୍ରାଙ୍କସ୍ଫର୍ଟ ଛାତ୍ରବୃତ୍ତି ପାଇବାର ଗୌରବ ଅର୍ଜନ କରିଥିଲେ । ୧୯୪୩ ମସିହାରେ ପ୍ରତିଷ୍ଠିତ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ପଦ ମଣ୍ଡନ କରିଥିଲେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା।


ବିଧାନସଭାରେ ସେ କଟକ ସହରର ଉନ୍ନତି ପାଇଁ ଗୋଟିଏ ବେସରକାରୀ ବିଲ୍ ଉପସ୍ଥାପନ କରି ଏହି ସର୍ବପୁରାତନ ସହରର ଯଥୋଚିତ ଉନ୍ନତିକଳ୍ପେ ଧ୍ୟାନ ପ୍ରଦାନ କରିଥିଲେ। ଏଥି ସହ ନିଜ ନିର୍ବାଚନୀ ବ୍ୟୟକୁ ତତ୍କାଳୀନ ନିୟମାନୁସାରେ ୭ ହଜାର ଟଙ୍କାରୁ କମ୍ ରଖି ସେ ସମଗ୍ର ଭାରତବର୍ଷରେ ବେଶ ପ୍ରଶସ୍ତି ଲାଭ କରିବାର ସହ ଓଡ଼ିଶା ସରକାରଙ୍କ ଦ୍ଵାରା ଗଠିତ ନିଶା ନିବାରଣ କମିଟିରେ ପ୍ରଫେସର ପରିଜା ଅଧ୍ୟକ୍ଷ ରୂପେ କାର୍ଯ୍ୟ କରି ବହୁ ଉପାଦେୟ ଓ ମୂଲ୍ୟବାନ ଗଠନମୂଳକ ପରାମର୍ଶ ପ୍ରଦାନ କରୁଥିଲେ। ୧୯୫୫ରେ ଭାରତ ସରକାରଙ୍କ ଦ୍ଵାରା ପଦ୍ମଭୂଷଣ ଉପାଧି ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା।