ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପରି ରଣପୁର ଗଡ଼ରେ ଦେବୀଙ୍କ ଅନୁରୂପ ଅନ୍ୟ ଏକ ବିଗ୍ରହ ପୂଜା ପାଇ ଆସୁଛନ୍ତି । ଏହି ଦେବୀଙ୍କ ଆସ୍ଥାନଟି ରଣପୁର ନିଜିଗଡ଼ ବଡଦାଣ୍ଡ ସାହିର ହେରାସାହି ମଧ୍ୟରେ । ମା’ ଏଠାରେ ଵାତ୍ସଲ୍ୟମୟୀ ମା’ ମଙ୍ଗଳା ରୂପେ ଦେବୀ ବନଦୁର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି । ସ୍ଥାନୀୟ ଶ୍ରଦ୍ଧାଳୁ ତଥା ଗଡ଼ର ବୁଦ୍ଧିଜୀବି ମାନେ କୁହନ୍ତି ଦେବୀ ପ୍ରଥମେ ଏଠାରେ ପ୍ରଥମେ ଘଟ ରୂପେ ପୂଜା ପାଉଥିଲେ ପରେ ଆଜିର ଦିବ୍ୟ ମୂର୍ତ୍ତିଟିକୁ ସ୍ଥାପନ କରାଯାଇଛି। ନୟାଗଡ଼ ନିଜିଗଡ଼ ବିଜେ ତଥା ନୟାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ପ୍ରଥମେ ଯେପରି ବିଧାର ସାମନ୍ତ ନାମକ ଜୈନିକ ଦେବୀ ସାଧକଙ୍କ ବ୍ୟକ୍ତିଗତ ତଥା ଘରୋଇ ଦେବୀ ଥାଇ ପରବର୍ତ୍ତୀ ସମୟରେ ନୟାଗଡ଼ ଅଧିଷ୍ଠାତ୍ରୀ ଦେବୀ ରୂପେ ସାରା ଉତ୍କଳ ଭୂଖଣ୍ଡେ ପ୍ରସିଦ୍ଧ ହେଲେ ।

ସେହିପରି ୟେ ଦେବୀ ରଣପୁର ଗଡ଼ର ଜୈନିକ ଉଦୟନାଥ ସାହୁ ପରିବାରଙ୍କ ଈଶାଣ ଦେବୀ ଭାବରେ ଘଟ ଆକାର ରେ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି । କିନ୍ତୁ ବର୍ତମାନ ଦେବୀଙ୍କ ମହିମାର ପ୍ରଚାର ପ୍ରସାର ତଥା ଦେବୀଙ୍କ ଆଲୋକିକ ଶକ୍ତି ବଳରେ ଏଠାକୁ ଶତାଧିକ ଭକ୍ତଙ୍କ ସମାଗମ ହେଉଅଛି । ଶ୍ରଦ୍ଧାଳୁ ମାନଙ୍କ ମାନସିକ ପୂରଣ କରଣ ତଥା ମନବାଂଛିତ ଫଳ ପାଇବା ହେତୁ ଭକ୍ତମାନେ ଦେବୀଙ୍କୁ ପଣାପାଣି ଦେବା ସହ କିଛି ରୋପ୍ୟ ଅଳଂକାର ମଧ୍ୟ ପ୍ରଦାନ କରିଛନ୍ତି । ଦେବୀ ମା ବର୍ତମାନ ସମୟରେ ରଣପୁର ସହରର ଜଣେ ପ୍ରମୁଖ ଦେବୀ ରୂପେ ଉଭା ହୋଇଛନ୍ତି ।
ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ ମତାନୁସାରେ ଉଦୟନାଥ ସାହୁ ପରିବାରର ପୁତ୍ର ବାଳୁତ ସମୟରୁ ଦେବୀଙ୍କ ମହିମା ପ୍ରତି ଆକୃଷ୍ଟ ହୋଇ ମା ମଙ୍ଗଳାଙ୍କୁ ପୂଜା ସେବା ଭକ୍ତି କରିଆସୁଛନ୍ତି ।ରଣପୁର ସହର ନିକଟ ତଥା ଅନ୍ୟ ଗ୍ରାମ ଗୁଡିକରେ ଥିବା ମା’ମଙ୍ଗଳା ପୀଠରେ ପୂଜା ପାଉଥିବା ମା’ଙ୍କ ମୂର୍ତ୍ତି ପରମ୍ପରା ପ୍ରତି ଆକୃଷ୍ଟ ହୋଇ ନିଜ ମନ୍ଦିରରେ ଦେବୀଙ୍କର ଏକ ବିଗ୍ରହ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ, ଏବଂ ନିଜ ବନ୍ଧୁ ମାନଙ୍କ ସହ ବିଚାର ବିମର୍ଶ କରି ଶ୍ରୀକ୍ଷେତ୍ରର ବାସେଳୀ ସାହି ସ୍ଥିତ ବାତ୍ସଲ୍ୟମୟୀ ମା’ ମଙ୍ଗଳାଙ୍କ ପୀଠକୁ ଯାଇଥିଲେ । ଉକ୍ତ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିଜ ଭାବାବେଗ ପ୍ରକଟ କରିଥିଲେ । ଏହା ପୂର୍ବରୁ ଜନୈକ ଭକ୍ତ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ପୁରୀ ଯାଉଥିଲେ ସେ ନିଶ୍ଚୟ ସହର ସ୍ଥିତ ଉକ୍ତ ଦେବୀ ମଙ୍ଗଳାଙ୍କୁ ଦର୍ଶନ କରି ଫେରୁଥିଲେ । ମା’ଙ୍କ କୃପା ହେଉ ଵା ଭକ୍ତର ନିଶ୍ଚଳ ସମର୍ପଣ ଭାବ ହେଉ, ବୋଧେ ସେହି ଦିନ ହିଁ ମା’ ନିଷ୍ପତି ନେଇଥିଲେ ଶ୍ରୀକ୍ଷେତ୍ରରୁ ଆସି ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ କରୁଣାମୟୀ ମା’ ରୂପେ ବିରାଜିତ ହେଵା ନିମନ୍ତେ । ଉକ୍ତ ମନ୍ଦିର ମୁଖ୍ୟ ପୂଜକଙ୍କ ଆଦେଶରେ ଶ୍ରୀ ସାହୁ ସେଠାରେ ପୂଜା ପାଉଥିବା ଅନେକ ଦେବୀ ମୂର୍ତ୍ତିଙ୍କ ମଧ୍ୟରୁ ଉକ୍ତ ଦେବୀ ମା’ ମଙ୍ଗଳାଙ୍କ ପାଷାଣ ମୂର୍ତ୍ତିଟିକୁ ରଣପୁର ଆଣିବାକୁ ମନସ୍ତ କରିଥିଲେ ।
ସେତେବେଳର ସମୟ ଥିଲା ଭାଦ୍ରବ ମାସ ପ୍ରବଳ ବର୍ଷା ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଅଗଷ୍ଟ ମାସ ୨୦୨୦ ମସିହା । କିନ୍ତୁ ବ୍ରାହ୍ମଣ ଗୋସାଇଁଙ୍କ ନିର୍ଦ୍ଧାରିତ ପ୍ରତିଷ୍ଠା ତାରିଖକୁ ନଜର ରଖି ତଥା ସମୟ ଅଭାବରୁ ସେମାନେ ସେହିଦିନ ହିଁ ମା’ଙ୍କୁ ରଣପୁର ଆଣିଥିଲେ । ନିଜ ଅନୁଭୂତିରେ ସେଇ ଯୁବକମାନେ କୁହନ୍ତି, ମା’ଙ୍କୁ ରଣପୁର ଆଣିସାରିବା ପରେ ସେମାନଙ୍କ ମନରେ କିଛି ଗର୍ବ ଏବଂ ଅହଂକାର ଆସିଥିଲା ଯେଉଁ କାରଣରୁ ସେମାନେ ଅନୁଭୂତି କଲେ ମା’ଙ୍କ ପାଷାଣ ବିଗ୍ରହଟି ପୂର୍ବ ଅପେକ୍ଷା ଅଧିକ ଓଜନ ହୋଇଯାଇଛନ୍ତି ଯାହାକୁ ଉଠାଇବା କଷ୍ଟସାଧ୍ୟ । ଏହାର ପ୍ରାୟଶ୍ଚିତ ସ୍ୱରୂପ ଉକ୍ତ ଯୁବକମାନେ ମା’ଙ୍କ ଶରଣାପର୍ଣ୍ଣ ହୋଇଥିଲେ । ବୋଧହୁଏ ଏହାପରେ ମା’ ନିଜ ପିଲାମାନଙ୍କ ମନର ଭାବନାକୁ ବୁଝି ପାରିଥିଲେ ଏବଂ କ୍ଷମା କରିଦେଇଥିଲେ । ଯେଉଁ କାରଣରୁ ନିଜ ଦେବୀଙ୍କ ପାଷାଣ ମୂର୍ତ୍ତିର ଓଜନ ହ୍ରାସ କରିଦେଇଥିଲେ । ଏହାପରେ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ହରିବୋଲ ହୁଳହୁଳି ଭିତରେ ମା’ ସିଂହାସନ ବିଜେ ହୋଇଥିଲେ । ଓଡ଼ିଆ ପାଞ୍ଜି ଅନୁସାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଲଳିତା ସପ୍ତମୀ ତିଥିରେ ରଣପୁରଗଡ଼ ବର୍ତମାନର ରାଜାସାହେବ ଦିଲୀପ ସିଂହ ନରେନ୍ଦ୍ରଙ୍କ ଦ୍ୱାରା ମା’ଙ୍କୁ ବୈଦିକ ରୀତିନୀତି ଅନୁସାରେ ସେଠାରେ ପ୍ରତିଷ୍ଠା କରାଯାଇଥିଲା ।
ଦେବୀଙ୍କ ନିକଟରେ ମା’ ବନଦୁର୍ଗାଙ୍କ ମନ୍ତ୍ରରେ ବର୍ଷତମାମ ରୀତିନୀତି ସମ୍ପାଦନ ହୋଇଥାଏ । ଏଠାରେ ଆମିଷ ଭୋଗ ନିଷିଦ୍ଧ ଥିବାବେଳେ କେବଳ ଆଶ୍ୱିନ ମାସର ମହାପର୍ବ ଦଶହରା ସମୟରେ ମହାଷ୍ଟମୀରେ ବିଧିରକ୍ଷା ନିମିତ୍ତ ଏକ ପାଣିକଖାରୁ ବଳି ଦିଆଯାଇଥାଏ । ଗଡ଼ର ରାଜାସାହେବ ଏହି ପର୍ବ ସମୟରେ ମା’ଙ୍କ ନିମନ୍ତେ ନୂତନ ଶାଢ଼ୀ ସଙ୍ଖା, ସିନ୍ଦୁର ଏବଂ ଭୋଗ ପଠାଇବାର ଏକ ପରମ୍ପରା ମଧ୍ୟ ଯୋଡି ହୋଇଯାଇଛି, ଯାହା ପ୍ରତେକ ବର୍ଷ ରାଜବାଟୀରୁ ମା’ଙ୍କ ପୀଠକୁ ଆସୁଅଛି । ଦେବୀଙ୍କୁ ପ୍ରତଃ ପ୍ରଭାତ ସମୟରେ ଅବକାଶ ନିତି ପରେ ବାଳ ଭୋଗ କରାଯାଇଥାଏ ଏବଂ ସନ୍ଧ୍ୟା ସମୟରେ ମା’ଙ୍କ ଠାରେ ଛେନାପଣା ଭୋଗ ସହ ପଞ୍ଚ ଆରତୀର ନିତି ସମ୍ପାଦନ କରାଯାଇଥାଏ । ଓଡ଼ିଶାର ଅନ୍ୟ ଦେବୀପୀଠ ଗୁଡିକରେ ଦେବୀ ପର୍ବ ମାନଙ୍କରେ ଦେବୀ ମାନଙ୍କୁ କରାଯାଉଥିବା ବେଶ ଭଳି ଏଠାରେ ମଧ୍ୟ ମା’ଙ୍କୁ ଭିନ୍ନ ଭିନ୍ନ ବେଶ କରାଯାଇଥାଏ । ବର୍ଷତମାମ ଦେବୀ ମଙ୍ଗଳା ହେଉଥିବା ବେଶମାନଙ୍କ ମଧ୍ୟରୁ, ମା’ ଜୟଦୁର୍ଗା ବେଶ, ମା’ ଦକ୍ଷିଣକାଳୀ ବେଶ ତଥା ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ବେଶ ଶ୍ରେଷ୍ଠ ତଥା ଆକର୍ଷଣୀୟ ଅଟେ । ସ୍ଥାନୀୟ ଲୋକ ତଥା ମା’ଙ୍କ ପୂଜାରୀ କୁହନ୍ତି, ମା’ ମଙ୍ଗଳାଙ୍କ ଶ୍ରୀମୁଖ ପ୍ରତି ମୁହୁର୍ତରେ ବଦଳିଥାଏ ଯେଉଁଥିରୁ ମା’ଙ୍କ ଭାବ ଯେମିତି କି, ମା’ ଖୁସି ଅବା ଦୁଃଖ କି ଅଭିମାନରେ ଅଛନ୍ତି ଶ୍ରୀମୁଖରୁ ସମ୍ପୂର୍ଣ ବାରି ହୋଇଯାଇଥାଏ । ମା’ ବାତ୍ସାଲ୍ୟମୟୀ ମଙ୍ଗଳା ଏମିତି ତାଙ୍କ ପଣତ କାନି ତଳେ ରଣପୁର ବାସୀ ତଥା ସାରା ବିଶ୍ୱକୁ ଘୋଡେଇ ରଖିଥାନ୍ତୁ |

Maa Mangala Mandir of Nayagarh Nayagada Itihasa Ranapur Maa Dakhinakali Prasant Das