ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ ପ୍ରଥମେ ରଣପୁର ପ୍ରଜାମେଳିର ଚିତ୍ର ଆସିଥାଏ। ସେଥିରେ ଆଖିଆଗରେ ନାଚିଉଠେ ଦୁଇଜଣ ସୁନ୍ଦର, ଉଦୟମାନ ଯୁବ ସଂଗ୍ରାମୀଙ୍କ ମୁହଁ, ଯେଉଁମାନେ ନିଜ ଯୌବନର ପ୍ରଥମ ଭାଗରେ ଦେଶମାତୃକା ପାଇଁ ହସିହସି ଫାଶୀଦଣ୍ଡକୁ ଆଲିଙ୍ଗନ କରିଥିଲେ। ସେମାନେ ହେଲେ ନୟାଗଡ଼ର ଗୌରବ, ବୀର ରଘୁନାଥ ମହାନ୍ତି ଏବଂ ଦିବାକର ପରିଡା, ଏବଂ ତାରିଖ ଥିଲା ଏପ୍ରିଲ ୪, ୧୯୪୧ ମସିହା । ଏଣୁ ଏହି ତାରିଖଟିକୁ ଚିରସ୍ମରଣ କରିବା ନିମନ୍ତେ ଆମେ ଜଣେ ସଚ୍ଚା ନୟାଗଡିଆ ଭାବରେ ଏହାକୁ ବୀର ଏବଂ ଶୌର୍ଯ୍ୟର ଦିବସ ରୂପେ ପାଳନ କରିବା ଉଚିତ ।
ଇତିହାସ ପୃଷ୍ଠାରେ ସେ ଦିନ ଥିଲା ୧୯୩୮ ମସିହା ରଣପୁର ପ୍ରଜାମଣ୍ଡଳ ଇତିହାସର ପ୍ରଥମ ଅଧ୍ୟାୟ ଏହି ବର୍ଷ ଗଠନ କରାଯାଇଥିଲା ରଣପୁର ପ୍ରଜାମଣ୍ଡଳ । ଏହାର ସମ୍ପାଦକ ଥିଲେ ରଘୁନାଥ ମହାନ୍ତି (ଜନ୍ମ: ୧୮.୧୦.୧୯୧୦, ଗ୍ରାମ -ବାଦଭୂଇଁ) ଏବଂ ସହ-ସମ୍ପାଦକ ଥିଲେ ଦିବାକର ପରିଡା (ଜନ୍ମ: ୩୦.୧୧.୧୯୧୧, ଗ୍ରାମ -ବାଣିକିଲୋ)। ଉଭୟେ ଉଚ୍ଚଶିକ୍ଷିତ ଓ ସାହସୀ ଯୁବକ ଥିଲେ। ସେମାନଙ୍କ ନେତୃତ୍ୱରେ ହଜାର ହଜାର ପ୍ରଜା ଏକତ୍ରିତ ହୋଇ “ରାଜତନ୍ତ୍ର ବିଲୋପ” ଓ “ବିଦେଶୀ ଶାସନ ଛାଡ଼” ନାରା ଦେଇ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ଦେଖି ରଣପୁରର ତତ୍କାଳୀନ ଦେୱାନ ତଥା ଇଂରେଜ ଚାମଚା ଜଗନ୍ନାଥ ମହାନ୍ତି,ଭୟଭୀତ ହୋଇ କଟକକୁ ପଳାଇଯାଇଥିଲେ। ରାଜା କୃଷ୍ଣଚନ୍ଦ୍ର ନରେନ୍ଦ୍ର ବ୍ରିଟିଶ ସରକାରଙ୍କ ସହାୟତା ଚାହିଁଥିଲେ।
୧୯୩୯ ଜାନୁଆରୀ ୫ରେ ପଲିଟିକାଲ ଏଜେଣ୍ଟ ମେଜର ବେଜେଲଗେଟ ସେନା ସହ ନୟାଗଡ଼ରୁ ରଣପୁରକୁ ଆସିଥିଲେ। ଲୋଧାଚୁଆରେ ପ୍ରଜାମାନେ ତାଙ୍କୁ ପ୍ରତିରୋଧ କରିଥିଲେ, ଯାହାରେ ଅନେକେ ଲାଠିମାଡ଼ରେ ଆହତ ହୋଇଥିଲେ। ଏହି ସମୟରେ ବୀର ସଂଗ୍ରାମୀ ଅର୍ଜୁନ ରାଉତ ଗୁଳିରେ ଶହୀଦ ହେଲେ। ଏହାର ପ୍ରତିବାଦରେ ସଂଗ୍ରାମୀ ମାନେ ରଣପୁର ରାଜବାଟୀ ଘେରାଉ କରିଥିଲେ । ପ୍ରଜାମାନେ ଅଧିକ ଉତ୍ତେଜିତ ହୋଇ ବେଜେଲଗେଟଙ୍କୁ ଆକ୍ରମଣ କରିଥିଲେ ଓ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା “ବେଜେଲଗେଟ ହତ୍ୟାକାଣ୍ଡ” ଭାବେ ଓଡିଶା ଇତିହାସରେ ଅମର ହୋଇ ରହିଛି। ଏହି ନୃଶଂସ ମାନବରୂପୀ ରାକ୍ଷସର ବଧ ସେଇ ଦୁଇଜଣ ନବଯୁବକଙ୍କ ଦ୍ୱାରା ହୋଇଥିଲା, ଯେଉଁକାରଣରୁ ସେମାନେ ରଣପୁର ତଥା ଓଡିଶା ଇତିହାସରେ ଚିର ଦିନ ପାଇଁ ଅମର ହୋଇ ରହିଯାଇଛନ୍ତି । ସେଇ ଦୁଇ ଦୀପ୍ତିବାନ ଯୁବକଙ୍କୁ ପୁରାଣ ଯୁଗର ଅଭିମନ୍ୟୁ ସହ ତୁଳନା କଲେ ଵି ଅତ୍ୟୁକ୍ତି ହେବନାହିଁ | ସେ ଯେପରି ଧର୍ମର ରକ୍ଷା ହେତୁ ତଥା ପାଣ୍ଡଵ ମାନଙ୍କ ବିଜୟ ଗାରିମା ପାଇଁ କୁରୁକ୍ଷେତ୍ରରେ ନିଜେ ବଳିଦାନ ଦେଇଥିଲେ ଠିକ ସେହିପରି ରଣପୁରର ଅସଂଖ୍ୟ ପ୍ରଜାଙ୍କ ସ୍ୱାର୍ଥ ସ୍ୱାଭିମାନ ପାଇଁ ୟେ ଦୁଇ ଯୁବକ ହସି ହସି ଫାଶୀଖୁଣ୍ଟକୁ ଆପଣେଇ ଥିଲେ ।
ଏହି ଘଟଣା ପରେ ଉକ୍ତ ମାମଲାରେ ୧୦୪ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା ଏବଂ ରଘୁନାଥ ମହାନ୍ତି ଓ ଦିବାକର ପରିଡାଙ୍କୁ ଦୋଷୀ ସ୍ୟାବସ୍ତ କରି ୧୯୪୧ ଏପ୍ରିଲ ୪ରେ ବାଗଲପୁର କାରାଗାରରେ ଫାଶୀ ଦିଆଯାଇଥିଲା । ଏହାପରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଥିଲା। ୧୯୪୬ ନଭେମ୍ବର ୩ରେ ଚାନ୍ଦପୁରରେ ରାଧାନାଥ ରଥଙ୍କ ଅଧ୍ୟକ୍ଷତାରେ ବିଶାଳ ସଭା ହୋଇଥିଲା, ଯେଉଁଠାରେ ସ୍ୱରାଜ ପାଇଁ ଶପଥ ଗ୍ରହଣ କରାଯାଇଥିଲା।
~ ଇଂଲଣ୍ଡ ପାର୍ଲାମେଣ୍ଟରେ ରଣପୁର ବାଉଁଶ ~
ରଣପୁରରେ ବେଜେଲଗେଟଙ୍କ ହତ୍ୟା ବାଉଁଶ ଦ୍ୱାରା ହୋଇଥିବାରୁ ଏହା ବ୍ରିଟିଶ ପାର୍ଲାମେଣ୍ଟରେ ଆଲୋଚନାର ବିଷୟ ହୋଇଥିଲା। ରଣପୁରରୁ ବାଉଁଶ ପଠାଯାଇ ଏହାର ଶକ୍ତି ଦେଖାଯାଇଥିଲା। ସେଠାରେ କୁହାଯାଇଥିଲା: “The suppressed feelings of an oppressed nation found expression . . ” ଏହା ପ୍ରମାଣ କରିଥିଲା ଯେ ଦମିତ ଜନତାଙ୍କ ରୋଷ କେତେ ଭୟାନକ ହୋଇପାରେ।
~ ଆନ୍ଦୋଳନରେ ନରେନ୍ଦ୍ର ପ୍ରେସର ଭୂମିକା ~
ରଣପୁର ଆନ୍ଦୋଳନରେ ନରେନ୍ଦ୍ର ପ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଧୁସୂଦନ ସାମନ୍ତରାୟଙ୍କ ଦ୍ୱାରା ସ୍ଥାପିତ ଏହି ପ୍ରେସ ଦିନେ ସରକାରୀ କାମ କରୁଥିଲା, କିନ୍ତୁ ରାତିରେ ସ୍ୱାଧୀନତା ଆନ୍ଦୋଳନର ସନ୍ଦେଶ ପ୍ରଚାର କରୁଥିଲା। ରଘୁନାଥ ଓ ଦିବାକର ଏହି ପ୍ରେସରେ କାମ କରୁଥିଲେ, ଯାହା ଦ୍ୱାରା ଆନ୍ଦୋଳନର ସନ୍ଦେଶ ଗାଁଗାଁକୁ ପହଞ୍ଚୁଥିଲା। କିନ୍ତୁ ବେଜେଲଗେଟ ଘଟଣା ପରେ ବ୍ରିଟିଶ ସରକାର ଏହାକୁ ବନ୍ଦ କରିଦେଇଥିଲେ।
~ ଅନ୍ୟ ସଂଗ୍ରାମୀଙ୍କ ଅବଦାନ ~
ରତ୍ନାକର ପଟ୍ଟନାୟକ ମଧ୍ୟ ଏହି ଆନ୍ଦୋଳନର ଏକ ସକ୍ରିୟ ସଂଗ୍ରାମୀ ଥିଲେ। ସେ ନିର୍ଭୟ ଭାବରେ ରାଜତନ୍ତ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଯଦିଓ ସେ ସରକାରୀ ସମ୍ମାନରୁ ବଞ୍ଚିତ ହୋଇଥିଲେ, ତଥାପି ସେ ଲୋକମନଙ୍କ ହୃଦୟରେ ସଦା ସ୍ମରଣୀୟ ରହିଛନ୍ତି।
ସଂଗୃହିତ: “ନୟାଗଡ଼ ଚାରି ଗଡଜାତର ଗୌରବମୟ ଗାଥା, ନୟାଗଡ଼ ଇତିହାସ” ପୁସ୍ତକ
Nayagarh Prajamandal Andolan Nayagada Itihasa Ranapur Raghunath Mohanty Dibakar Parida Prasant Das