ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~
ଲେଖା: ଶୁଭ ରଞ୍ଜନ ପୃଷ୍ଟି
ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷଙ୍କର ନିଃସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି ! ସେଭଳି ନିଃସ୍ଵାର୍ଥପର ଓଡ଼ିଆ ସାହିତ୍ୟ ସାଧକଙ୍କ ମଧ୍ୟରେ “ଭକ୍ତକବି ମଧୁସୂଦନ ରାଓ” ଅନ୍ୟତମ I ନିଜର ମାତୃଭୂମି ପ୍ରତି ପ୍ରେମ ଏବଂ ମାତୃଭାଷାର ସକଳ ଉନ୍ନତି ପାଇଁ ଜୀବନରତ ଓଡ଼ିଆ ସାହିତ୍ୟକୁ ତାଙ୍କ ଅତୁଳନୀୟ ଅବଦାନ ହିଁ ତାଙ୍କୁ ଉତ୍କଳର ପୁରପଲ୍ଲୀରେ ଚୀରଜୀବିତ କରି ରଖିପାରିଛି ! 
1853 ମସିହା ଜାନୁଆରୀ ମାସ 29 ତାରିଖରେ ପବିତ୍ର ଶ୍ରୀପଞ୍ଚମୀ ତିଥିରେ ପୁରୀ ଜିଲ୍ଲାର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ ପୁଜ୍ୟସ୍ପଦ ଭକ୍ତକବି ମଧୁସୂଦନ ରାଓ, ତାଙ୍କ ପିତାଙ୍କ ନାମ ଭାଗିରଥି ରାଓ ଏବଂ ମାତାଙ୍କ ନାମ ଅମ୍ବିକା ବାଇ, ମଧୁସୂଦନଙ୍କ ପୂର୍ବପୁରୁଷ ମରାଠୀ ଥିଲେ କିନ୍ତୁ ସେମାନେ ବହୁ ଆଗରୁ ପୁରୀରେ ସ୍ଥାୟୀ ଭାବେ ବସବାସ କରୁଥିଲେ ! ପିଲାଟି ଦିନରୁ ମଧୁ ବାବୁଙ୍କର ସାହିତ୍ୟ ପ୍ରତି ଅନାବିଳ ରୁଚି ରହିଆସିଥିଲା, ସେ ପୁରୀ ଜିଲ୍ଲା ସ୍କୁଲର ଛାତ୍ର ଥିବା ସମୟରେ କବିବର “ରାଧାନାଥ ରାୟ” ତାଙ୍କ ଶିକ୍ଷକ ଥିଲେ I ବିଦ୍ୟାଳୟ ସମୟରେ ରାଧନାଥଙ୍କର କବି ପ୍ରତିଭା ସଂସ୍ପର୍ଶରେ ଆସିବା ପରଠୁ ହିଁ ତାଙ୍କ ସାହିତ୍ୟ ସାରସ୍ୱତ ସାଧନାର ଆକାଂକ୍ଷା ଉଜ୍ଜୀବିତ ହୋଇ ଉଠିଥିଲା I
କଲିକତା ବିଶ୍ୱବିଦ୍ୟାଳୟରୁ ଏଫ. ଏ. ପାସ ପରେ ଶିକ୍ଷକତାକୁ ନିଜ ବୃତ୍ତି ଭାବେ ଗ୍ରହଣ କରିଥିଲେ I ଜଣେ ଆଦର୍ଶ ଓ ଦକ୍ଷ ଶିକ୍ଷକ ଭାବେ ତାଙ୍କର ଢେର ସୁଖ୍ୟାତି ଥିଲା ! କଟକ ରେଭେନ୍ସା କଲେଜିଏଟ ସ୍କୁଲରେ ସେ ପ୍ରଥମ ଓଡ଼ିଆ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ !
ଓଡ଼ିଆ ସାହିତ୍ୟ ଏକ ଖରାପ ସମୟ ମଧ୍ଯ ଦେଇ ଗତି କରୁଥିବା ସମୟରେ ଆବିର୍ଭାବ ହୋଇଥିଲେ ଭକ୍ତକବି ମଧୁସୂଦନ ରାଓ, ଏବଂ ଫକୀରମୋହନ ସେନାପତି, ରାଧାନାଥ ରାୟଗୌରୀଶଙ୍କର ରାୟଙ୍କ ସହ ମିଶି ସେ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ଲେଖନୀ ଚାଳନା କରିଥିଲେ ! ତତ୍କାଳୀନ ସମୟରେ ଓଡ଼ିଆ ପାଠ୍ୟପୁସ୍ତକର ଘୋର ଅଭାବ ପରିଲକ୍ଷିତ ହେଉଥିଲା, ଯେହେତୁ ମଧୁସୂଦନ ବାବୁ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ତେଣୁ ପାଠ୍ୟପୁସ୍ତକର ଅଭାବ ତାଙ୍କୁ ଖୁବ କଷ୍ଟ ଦେଇଥିଲା ! ସେଥିପାଇଁ ନିଜ ଭାଷାକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ପାଇଁ ବିଦ୍ୟାଳୟ ଭିତ୍ତିକ ପୁସ୍ତକ ରଚନା ପାଇଁ ମନୋନିବେଶ କରିଥିଲେ !
ପିଲାଙ୍କୁ ବର୍ଣ୍ଣ ପରିଚୟ କରାଇବା ଉଦ୍ଦେଶ୍ୟରେ ସେ ରଚନା କରିଥିଲେ “ବର୍ଣ୍ଣବୋଧ” ! ପରେପରେ ସେ ଶିଶୁଙ୍କ ସାହିତ୍ୟ ଜ୍ଞାନରେ ଦୃଢ଼ତା ପାଇଁ ରଚନା କରିଯାଇଥିଲେ “ଶିଶୁବୋଧ”, “ବାଲ୍ୟବୋଧ”, “ସାହିତ୍ୟ କୁସୁମ”“ସାହିତ୍ୟ ପ୍ରସଙ୍ଗ” ଭଳି ପାଠ୍ୟ ପୁସ୍ତକ ! ତାଙ୍କ ରଚିତ ଅନ୍ୟାନ୍ୟ କୃତି ମଧ୍ୟରୁ “ଛାନ୍ଦମାଳା”, “କବିତାବଳୀ”, “ବିବିଧ କବିତା”, “କୁସୁମାଞ୍ଜଳି”, “ବସନ୍ତ ଗାଥା”, “ଉତ୍କଳ ଗାଥା” “ହିମାଳୟେ ଉଦୟ ଉତ୍ସବ” ହେଉଛି ଅନ୍ୟତମ ! ଏତଦବ୍ୟତୀତ ସେ ଅନେକ ଖଣ୍ଡକାବ୍ୟ, କ୍ଷୁଦ୍ର ଗୀତି କବିତା ଓ ପ୍ରାର୍ଥନା ସଂଗୀତ ରଚନା କରିଥିଲେ ! ତାଙ୍କର ପ୍ରତ୍ୟେକଟି ରଚନାରେ ପ୍ରଭୁପ୍ରେମ ଓ ଭକ୍ତିରସ ପ୍ରାଞ୍ଜଳ ଭାବେ ପ୍ରସ୍ଫୁଟିତ ହୁଏ ! ବିଦ୍ୟାଳୟମାନଙ୍କରେ ଉଚ୍ଚାରିତ ହେଉଥିବା ବହୁ ଲୋକପ୍ରିୟ ପ୍ରାର୍ଥନା ସଂଗୀତ ‘ଅଖିଳ ବ୍ରହ୍ମାଣ୍ଡ ପତି ହେ ଜୀବନ ସ୍ୱାମୀ’, ‘ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ’ର ସେ ହେଉଛନ୍ତି ପ୍ରାଣଦାତା !
ନିଜର ସୁନ୍ଦର ଚରିତ୍ର, କାର୍ଯ୍ୟଦକ୍ଷତା ଓ କର୍ମନିଷ୍ଠାରେ ସନ୍ତୁଷ୍ଟ ହୋଇ ତତ୍କାଳୀନ ସରକାର ତାଙ୍କୁ ‘ରାୟବାହାଦୂର’ ଉପାଧିରେ ସମ୍ମାନିତ କରିଥିଲେ, ଏଥିସହିତ ଓଡ଼ିଶାର ଶିକ୍ଷିତ ସମାଜ ତାଙ୍କୁ “ଭକ୍ତକବି”ର ଉପାଧି ଦେଇଥିଲେ !
Bhaktakabi Madhusudan Rao
Barnnabodha
Spread the love

Leave a Reply

Your email address will not be published. Required fields are marked *