ଘଣ୍ଟପାଟୁଆ
ଲେଖା: ଅମୃତେଶ ଖଟୁଆ
“ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି
ପଚାରୁ ଅଛି ଘଟ ଜନମିଲା କାହୁଁ ।
ଘଟ ଜନମିଲା ଈଶ୍ଵରଙ୍କ ଠାରୁ . . .”
ଓଲଟ କଳସରେ ଚିତ୍ରିତ ଦେବୀଙ୍କ ପଞ୍ଚମୁଖୀ ଚଳନ୍ତି ଘଟ ସହ ସେଥିରେ ପବିତ୍ର ନଦୀ ଘାଟରୁ ପାଣି ତୋଳି ସୂର୍ଯ୍ୟ ଦେବତାଙ୍କର ଉପସ୍ଥିତିରେ ରାଉଳ ସେବକ ମାନେ ଏହି ଘଟକୁ ଅଭିମନ୍ତ୍ରିତ କରି ସ୍ଥାପନା କରିଥାନ୍ତି । ଏହି ନୂତନ ଘଟରେ ଶୁଦ୍ଧପୂତ ପାଟୁଆଙ୍କ ଦ୍ଵାରା ଜଳଗ୍ରହଣକୁ ‘ପାଣିତୋଳା’ ପର୍ବ କୁହାଯାଏ । ଜଗତସିଂହପୁରର ଝଙ୍କଡ଼ ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ସାରଳାଙ୍କ ଏହି ପର୍ବ ମୀନ ମାସ ଅବ୍ୟବହିତ ପୂର୍ବରୁ ସଂକ୍ରାନ୍ତି ଦିନ ଆରମ୍ଭ ହୁଏ ।
ଏହି ମଧୁର ପର୍ବ ଅପର ସ୍ଥଳେ ଅନ୍ୟ ଦେବୀ ପୀଠ ଯଥା କାକଟପୁର ମା’ ମଙ୍ଗଳା, ସାଲେପୁର ହରଚଣ୍ଡୀ, ବାଣପୁର ଭଗବତୀ ପ୍ରଭୃତିଙ୍କ ଚୈତ୍ର ମାସ ମଙ୍ଗଳବାରରୁ ଆରମ୍ଭ ହୁଏ । ପବିତ୍ର ମୀନ ସଂକ୍ରାନ୍ତି ଅବସରରେ ମା’ ଶାରଳାଙ୍କ ଘଣ୍ଟ ପାଟୁଆ ଯାତ୍ରାର ଉପକ୍ରମ ପର୍ବ ହେଉଛି ‘ପାଣିତୋଳା’ । ଘଣ୍ଟପାଟୁଆମାନେ ପବିତ୍ର ନଦୀ ଘାଟରୁ ପାଣି ଆଣି ଏତଦ୍ ଦ୍ଵାରା ଘଟ ଆବାହନ କରିସାରିଲେ ଶାରଳାଙ୍କ ପୀଠ ଅଦୂରରେ କ୍ଷେତ୍ରର ରୁଦ୍ର ବା ଶିବ ଶ୍ରୀକନକେଶ୍ଵରଙ୍କ ନିକଟକୁ ଦଶଗୋଟି ଘଟ ସହ ଦଶ ଜଣ ପାଟୁଆ ଯିବେ ।
ସେଠାରେ ଘଣ୍ଟନୃତ୍ୟ ପ୍ରଦର୍ଶନ ହୋଇଥାଏ । ତେଣେ ଦଶ ଘଟମାନଙ୍କୁ ଧରି ଘଣ୍ଟପାଟୁଆ ମାନେ ସେଇଠାରେ ଅପେକ୍ଷା କରିଥାନ୍ତି, ଅପରାହ୍ଣ ପର୍ଯ୍ୟନ୍ତ । ଅପରପକ୍ଷରେ ମାଆ ଶାରଳାଙ୍କ ଦିବା ପହୁଡ଼ ସରି ଦ୍ଵାର ଫିଟିବା ପରେ କନକେଶ୍ଵରଙ୍କ ଦେଉଳରୁ ଏକ ସୁଶୋଭିତ ପଟୁଆର ଗହଣରେ ଦଶ ଘଟମାନଙ୍କୁ ମାଆ ଶାରଳାଙ୍କ ମନ୍ଦିରକୁ ପାଛୋଟି ନିଆଯାଏ । ସେଠାରେ ଘଟ ଓ ଘଣ୍ଟପାଟୁଆଙ୍କୁ ମାଆ ଶାରଳାଙ୍କ ଆଜ୍ଞାମାଳ ପ୍ରଦାନ ହେବା ପରେ ଦଶଘଟ ମନ୍ଦିର ପରିକ୍ରମା କରିଥାନ୍ତି ।
ମନ୍ଦିର ପରିକ୍ରମା ସାରି ମାଆଙ୍କ ସମ୍ମୁଖରେ ଘଟନୃତ୍ୟ ଅନୁଷ୍ଠିତ ହୋଇଥାଏ । ଯେଉଁ ଦଶ ଜଣ ଘଣ୍ଟପାଟୁଆ ମାଆଙ୍କ ଆଜ୍ଞା ପାଇଥାନ୍ତି ସେମାନେ ଏକ ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାରେ ରହିବା ସହ ମୀନ ସଂକ୍ରାନ୍ତି ପର ଦିନ ଠାରୁ ପଣା ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ମାଆଙ୍କ ଚଳନ୍ତି ଘଟମାନଙ୍କୁ ବିଭିନ୍ନ ଗାଁ ଦେଇ ଯିବା ବେଳେ ବିଜେ କରାନ୍ତି ଏବଂ ପଣା ସଂକ୍ରାନ୍ତିର ଝାମୁଯାତ୍ରା ଝାମୁ ନିଆଁରେ ଚାଲିବା ପରେ ତାଙ୍କର ଗତ ଏକ ମାସ ଧରି ଚାଲିଥିବା ନିତାନ୍ତ ଅଭିନବ ବ୍ରତ ସମାପ୍ତ ହୁଏ ।
ଘଣ୍ଟପାଟୁଆ କାଠରୁଖା ଉପରେ ଉକ୍ତ ଦଶଗୋଟି ଘଟମାନଙ୍କୁ ଯଥାକ୍ରମେ ସ୍ଥାପନା କରନ୍ତି । ଦେବୀଙ୍କ ସ୍ଵରୂପକୁ ଏହି ଘଟରେ ଆବାହନ କରି ନାନାଦି ଶାଢ଼ି, ନାନା ଜାତି ଫୁଲରେ ସଜାଇ ଦେବୀ ସ୍ଵରୂପ ଦିଆ ଯାଇଥାଏ । ହଳଦୀ ଚନ୍ଦନ ମଖା ଘଟ ଦେହକୁ ମନ୍ଦାର, ଅରଖ ଆଉ କନିଅର ଫୁଲର ସାଜ ଦେଖିଲେ ସତେ ଯେମିତି ମା’ ଙ୍କୁ ସାକ୍ଷାତରେ ଦେଖିଲା ଭଳି ଅନୁଭବ କରିଥାଆନ୍ତି ସମସ୍ତେ ।
ସେମାନଙ୍କୁ ବହନ କରୁଥିବେ ଦେବୀଙ୍କୁ ନୂଆ ଶାଢ଼ୀ ଲୁଗା ଦେଇ ବରଣ ହୋଇଥିବା ବ୍ରତାଚାରୀ ଘଣ୍ଟପାଟୁଆ । ଯେଉଁମାନେ ନୂଆ ମାନସିକ କରିଥିବେ, ସେମାନେ ଶାଢ଼ୀ ଲୁଗା ଦେଇ ଚଳିତ ଥର ଘଣ୍ଟପାଟୁଆରେ ଯୋଗ ଦେଇଥିବେ କିମ୍ଵା ଯେଉଁ ମାନେ ଆଗରୁ ବରଣ ହେଇଥିବେ ସେମାନଙ୍କ ହଳଦୀ ପାଣିରେ ପାଦ ଧୋଇ ପବିତ୍ର ଘାଟରୁ ଆବାହନ କରନ୍ତି । ଗୋଡ଼ରେ ତାଙ୍କର କାଠବେଣ୍ଟ, ହାତରେ ବାହୁଟି ପିନ୍ଧି; ନୂଆ ଶାଢ଼ି, ଘାଗରା ଓ କାଞ୍ଚୁଲିରେ ନିଜକୁ ନାରୀଟିଏ ପରି ସଜେଇ ହାତରେ ବେତ ଧରି ପୁଷ୍ପବିଭୂଷିତ ଘଟକୁ ମୁଣ୍ଡ ଉପରେ ଥାପିକି ସେମାନେ ନିର୍ବାହ କରନ୍ତି ଦେବୀଙ୍କର ଚଳନ୍ତି ଘଟ ।
ଘଟଟିଏ ମୁଣ୍ଡରେ ଘେନି ଠାକୁରାଣୀଙ୍କ ନାମ ଓ ମହିମା ପ୍ରଚାର କରିବା ସହ ସ୍ଥାନ ସ୍ଥାନ ପର୍ଯ୍ୟଟନ କରନ୍ତି ଏହି ଘଣ୍ଟପାଟୁଆ । ଦୋଳାୟମାନ ଟାହିଆ ମରା ହୋଇଥିବା ସେହି ସୁନ୍ଦର ବିଚିତ୍ରବର୍ଣ୍ଣା କାଠରୁଖା ଉପର ଚଳନ୍ତି ଘଣ୍ଟକୁ ଧାରଣପୂର୍ବକ ପଥ ଦେଖି ଅଗ୍ରସର ହେଉଥିବେ । ତାଙ୍କ ଚାରି ପାଖରେ ଧଳା, ହଳଦିଆ, ନେଳୀ, ନାଲି ରଙ୍ଗର ପତାକା ମଧ୍ୟ ଉଡୁଥାଏ । ଘଟପାଟୁଆ ବା ଘଣ୍ଟପାଟୁଆ ପିନ୍ଧିଥିବା ଗୋଟିଏ ଘେର ଓ ମୁଣ୍ଡରେ ପଗଡ଼ି ସାଙ୍ଗକୁ ପଗଡ଼ିର ଗୋଟିଏ ଅଂଶ ପିଠିପଟକୁ ଝୁଲୁଥିବ । ଜଣେ ପାଳି ଧରି ତାଙ୍କ ସହ ଘଣ୍ଟ ବାଦନ କରୁଥିବା ସେବକ ନିୟମିତ ଘଣ୍ଟଧ୍ଵନିର ଅନୁରଣନରେ ମା’ଙ୍କ ଅଭ୍ୟର୍ଥନା କରୁଛି ।
ଏହା ମାଆଙ୍କ ଚଳନ୍ତି ଘଟର ପରିକ୍ରମା ପଥର ସୂଚନା ଦିଏ । ଯେଉଁ ସ୍ଥାନ ଦେଇ ଦେବୀଙ୍କ ଚଳନ୍ତି ଗମନ କରିବ, ସେଠି ଦାଣ୍ଡ ଯାକ ଲୋକେ ପୂର୍ବହୁଁ ପ୍ରସ୍ତୁତ ରହି ପଦାକୁ ଅନେଇଥିବେ । ଗୀତର ଛନ୍ଦଲଳିତ ସ୍ଵରରେ ଚାଟୁ କଥାମାନ ପ୍ରକାଶ କରନ୍ତି କିମ୍ଵା ନିଜ ଇଷ୍ଟ ଦେବୀଙ୍କ ମହିମା ଗାନ କରୁଥିବେ । ଏପରି ଉତ୍ସାହ ଏବଂ ଉଦ୍ଦୀପନାର ସ୍ଵର ତାଙ୍କର ବିଲୀନ କରେଇଦିଏ ସକଳ ବେଦନା, ଅର୍ଥଗ୍ଳାନି ଓ ପଦବ୍ରଜର ଆତ୍ମଦୈନ୍ୟ । ଦୁଇ ସାଥୀ ଘଣ୍ଟୁଆଙ୍କ ସହ ଜଣେ ମାଳୀ ପୁଣି ବୋହି ଆଣୁଥିବ ଭାର । ସମସ୍ତ ରାଉଳ ଦେଇ ପାଦୁକ ନେବେ, ଠାକୁରାଣୀଙ୍କ ଆଗରେ ଲୋକଙ୍କ ଭଲମନ୍ଦର ହାରିଗୁହାରି ଜଣାଣ କରେଇବେ ।
ପୂର୍ବ ସମୟର ସମାଜରେ ଏମାନେ ବ୍ରାହ୍ମଣେତର ଜାତି, ଯେଉଁମାନେ ଏହି ପରମ୍ପରାକ୍ରମେ ପ୍ରତିଷ୍ଠିତ ଲୋକନୃତ୍ୟ ଦ୍ଵାରା ଦେବୀଙ୍କ ମହିମା ଜଣା’ନ୍ତି । ଗାଁ ଗାଁ ବୁଲି ଲୋକଙ୍କ ପାଖରେ ଉଦୁଉଦିଆ ଟାଣ ଖରାର ରୌଦ୍ର ପ୍ରକୋପକୁ ଭ୍ରୂକ୍ଷେପ ନ କରି ସେମାନେ ଲୋକଙ୍କ ନିକଟରେ ଉପସ୍ଥିତ ହୁଅନ୍ତି । ଯାହା ପ୍ରାପ୍ୟ ମିଳେ, ତାହା କଉଡ଼ି ଧରଣର ବା ଫଳମୂଳ, ନୂତନ ଅମଳ ହେଇଥିବା ଚାଉଳ ବା ଦାନଦକ୍ଷିଣା, ସେ ସବୁ ସାଥୀ ଘଣ୍ଟୁଆ ଏବଂ ଗାୟନ କରୁଥିବା ପାଟୁଆ ପରସ୍ପର ମଧ୍ୟରେ ଆବଣ୍ଟନ ସୂତ୍ରରେ ଗ୍ରହଣ କରନ୍ତି । ତଥାପି ସେମାନଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ଭାଷଣରେ ଥାଏ ସମାଜର ନିଚ୍ଛକ ବାସ୍ତବତା ଓ କରୁଣ ସମ୍ଵେଦନାର ଛବି ।
କାଳକ୍ରମେ ସଭ୍ୟତାର ଅଗ୍ରଗତିରେ ମହାନଗରଙ୍କ କଳେବରରେ ଆପାତ ବୃଦ୍ଧି ପାଇଛି । କିନ୍ତୁ ଏଯାବତ ହଜି ନାହିଁ ପରମ୍ପରା । ଅଦ୍ୟାବଧି ସୁଦ୍ଧା ବଞ୍ଚି ରହିଛି ଲୋକଜୀବନରେ ଦୈବ କଲ୍ୟାଣର ପ୍ରଥା । ଆଜି ବି ସହରମାନଙ୍କରେ ନାଲି ଓ କଳା ଲୁଗାପିନ୍ଧି ଠାକୁରାଣୀଙ୍କୁ ମୁଣ୍ଡରେ ଧରି ଯେତେବେଳେ ସେମାନେ ଉଦୁଉଦିଆ ଦ୍ୱିପ୍ରହରରେ ଘଣ୍ଟ ବଜାନ୍ତି, ଆଗରୁ ପିଲାମାନେ ସବୁ ପ୍ରତିଯୋଗିତା କରି ଦଉଡିଯାଉଥିଲେ ଘର ଦାଣ୍ଡକୁ । ଏଥିରେ ମୁଁ ମଧ୍ୟ ଜଣେ ଅନୁଭୂତିସମ୍ପନ୍ନ ସାକ୍ଷୀ ।
ଦାଣ୍ଡ ଅଗଣାର ଆୟତାକାର ପିଣ୍ଡା ଉପରେ ପାଣି ପଡ଼ି ନୂଆ ଗାମୁଛା ପଡେ ଓ ମାଆ ବିଜେ ହୁଅନ୍ତି । ପରେ ପରେ ସାହିର ବିଭିନ୍ନ ଘରୁ ନୁଆ ଲୁଗା, ଚାଉଳ, ପରିବା, ଫଳ ଓ ନଡ଼ିଆ ଆସିଯାଏ । ସେମାନଙ୍କ ମୁଣ୍ଡରେ ସଜ୍ଜିତ ମାଆଙ୍କ ପ୍ରତିମୂର୍ତ୍ତିକୁ ମୁଣ୍ଡରେ ସ୍ଥିରରେ ଧରି ଘଣ୍ଟର ତାଳେ ତାଳେ ନାଚିବା ଆରମ୍ଭ କରନ୍ତି ଘଣ୍ଟପାଟୁଆ । ଘରର ମାଆମାନଙ୍କ ଅନୁରୋଧ ରକ୍ଷା କରି ସେମାନେ ଆଶୀର୍ବାଦ ସ୍ଵରୂପ ଛୋଟପିଲାଙ୍କ ମୁଣ୍ଡରେ ପିନ୍ଧା ଲୁଗା କାନିକୁ ଉଡେଇଦେଇ କହନ୍ତି, “ସନ୍ତାନମାନଙ୍କୁ ବିଦ୍ୟାବୁଦ୍ଧି ଦେ ଲୋ ମାଆ । ଏ ବର୍ଷ ଭଲ ବର୍ଷା ଦେ । ସୁନାକେଣ୍ଡା ଧାନ ଦେ । ସମସ୍ତଙ୍କୁ ନୀରୋଗ ରଖ ଲୋ ମାଆ ।”
ବଡ଼ ହେଲା ବେଳକୁ ସେ ପରମ୍ପରା ଆଜି ଦେଖିବାକୁ ଅଳ୍ପ । ଯୁଗ ଓ ସମାଜର ପରିବର୍ତ୍ତନ ସତ୍ତ୍ଵେ କିନ୍ତୁ ଏଯାଏଁ ହଜିନି ଏ ଲୋକନୃତ୍ୟ । ତୁଟିନି ବିଶ୍ଵାସ । ଏବେ ବି ଘଣ୍ଟପାଟୁଆର ଆଗମନରେ ଢଳାହୁଏ ପାଣି, ପଡେ ନୂଆ ଗାମୁଛା ଆଉ ଯାଚି ଦିଆଯାଏ ମାନସିକ । ଏହି ପାରମ୍ପରିକ ବୃତ୍ତିରେ ବର୍ତ୍ତମାନ ସୁଦ୍ଧା ଦେବୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଶହଶହ ପରିବାର ଜୀବିକା ନିର୍ବାହ କରନ୍ତି ।
ଘଣ୍ଟପାଟୁଆ ଙ୍କ ନିଷ୍ଠା ଓ ଏକାଗ୍ରତାରେ କୋଟି କୋଟି ଭକ୍ତ ହୃଦୟରେ ବଞ୍ଚିରହନ୍ତି ମାଆ । ଏହି ବିଶ୍ଵାସରେ କାହାର ମେଧା ପ୍ରାପ୍ତିରୁ ଭଲ ପାଠ ହୁଏ; ଅପୁତ୍ରବତୀ ନାରୀ ପାଇଁ କାହା ଘରେ ସନ୍ତାନ ଆସେ । କୌଣସି ଦୁରାରୋଗ୍ୟ ପୀଡ଼ିତ ଘରର ମୁରବିଙ୍କ ଦେହ ନୀରୋଗ ହୋଇଯାଏ ଆଉ ଫି’ ବର୍ଷ ଭଲ ବର୍ଷା ହୋଇ କାହା ବିଲରେ ଫଳିଥାଏ ସୁନାକେଣ୍ଡା ଧାନ । ଆଶ୍ଚର୍ଯ୍ୟ ଯେ ଏମାନେ କେବଳ ଗୋଟିଏ ପାଖ ଗାଁ କିମ୍ଵା ନିକଟବର୍ତ୍ତୀ ଏକାଧିକ ଗାଁକୁ ମାତ୍ର ଯାଆନ୍ତିନି । ବରଂ, ପ୍ରତି ଜିଲ୍ଲାକୁ ଅତିକ୍ରମ କରି ସୁଦ୍ଧା ସେମାନେ ଅଗ୍ରସର ହୁଅନ୍ତି ଅଜ୍ଞାତ ଅଞ୍ଚଳରେ ପରିଚିତ କରାଇବା ପାଇଁ ଜନକଲ୍ୟାଣର ବାର୍ତ୍ତାବହ ରୂପେ ମାଆଙ୍କ ଗରିମାମଣ୍ଡିତ ବାତ୍ସଲ୍ୟ ।
. . . © ମୋ ପ୍ରିୟତମ ପାଥେୟର ସରଣୀ, ଅମୃତେଶ