~ ୧୫ ଅଗଷ୍ଟ ୧୯୪୭ ~

ସୌରଭିତ ସୃଷ୍ଟି: ପଦ୍ମଶ୍ରୀ ଡ. ସଚ୍ଚି ରାଉତରାୟ

ଦୀର୍ଘ ଶତାବ୍ଦୀର ଔପନିବେଶିକ ଶାସନାଧୀନ ରହି ନାନାବିଧ ଘଟଣାଘଟଣରେ ଭାରତୀୟ ସଭ୍ୟତାର ପଟ୍ଟପରିବର୍ତ୍ତନ ହେଇ ସାରିଥାଏ। ପ୍ରଥମେ ଦୁର୍ଦ୍ଧର୍ଷ ଜେନେରାଲ୍ ରବର୍ଟ କ୍ଲାଇଭଙ୍କ ସହ ମିଶି ବିଶ୍ଵାସଘାତକ ସାଜିଥିଲେ ମୀର୍ ଜାଫର୍, ବଙ୍ଗ ନବାବଙ୍କ ସେନାଧ୍ୟକ୍ଷ। ଏହି ବିଶ୍ଵାସଘାତକର ରାଜ୍ୟ-ପିପାସାର ଚରମ ପରିଣତିର ଭୁକ୍ତଭୋଗୀ ହେଲା ଭାରତବର୍ଷ।

ଇତି ମଧ୍ୟରେ ଏଇ ଓଡ଼ିଶା ମାଟିରେ ମରହଟ୍ଟା, ଆଫଗାନ୍ ଓ ଅନ୍ୟାନ୍ୟ ପ୍ରତିବେଶୀଙ୍କ ଆକ୍ରମଣ ପରେ ୧୮୧୭ର ଦୁର୍ଦ୍ଧର୍ଷ ପାଇକ ବିଦ୍ରୋହରେ ପାଇକମାନଙ୍କ ଲଢେଇ ସତ୍ତ୍ଵେ ଛଳନାଶ୍ରିତ ବ୍ରିଟିଶମାନଙ୍କ ଜୟ ହୋଇଥିଲା। ହେଲେ, ଏହା ପରେ ଯେଉଁ ଅଗ୍ନିସ୍ଫୁଲିଙ୍ଗ ଜଳିଉଠିଥିଲା , ତାହାର ପରିଣତି ଆଗରେ ଫିରିଙ୍ଗି ଶାସନ ଭାଙ୍ଗିଲା।

ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରାଙ୍କ ବଦାନ୍ୟତା ଓ ପରାକ୍ରମ,  ସିଂହଭୂମିର ଜଗୁ ଦେବାନ୍, ନିମାପଡାର ଉତ୍ସବ ମଳିକ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ, ପୁରୀର ଜୟୀ ରାଜଗୁରୁ, ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ, ବାଇଧର ସ୍ଵାଇଁ, ଘୁମୁସରର ଦୋରା ବିଷୋୟୀ ଓ ଚକରା ବିଷୋୟୀ, ରମାଦେବୀ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଇତ୍ୟାଦି।

ଏମାନଙ୍କ ଭଳି ମାଟିପ୍ରାଣ ଓଜସ୍ଵୀ ବ୍ୟକ୍ତିତ୍ଵଙ୍କ ଆବିର୍ଭାବ ଓଡ଼ିଆ ମାଟି ସମେତ ସମଗ୍ର ବିଶ୍ଵପଟ୍ଟଳରେ ଓଡ଼ିଆ ଜାତି ଓ ଭାରତାତ୍ମାର ଏକ ଅଭୂତପୂର୍ବ ପରାକ୍ରମ ଦେଖେ। ଆଉ ଏହାର ଫଳଶ୍ରୁତି ସ୍ଵରୂପ, ଆମ୍ଭେ ପାଇଲୁ ମୁକ୍ତିର ପ୍ରଥମ ସନନ୍ଦ, ୧୫ ଅଗଷ୍ଟ ୧୯୪୭ ଦିନ।

                                 (Image Courtesy: Saswat Debadutta)
~ ୧୫ ଅଗଷ୍ଟ ୧୯୪୭ ~
୧୫ ଅଗଷ୍ଟ . .
ଚେହେରା ତା’ ମନେ ଆଜି ଦେଖାଯାଏ ସ୍ପଷ୍ଟ।
ମନେ ପଡେ ତାର ପୂର୍ବ ରାତିର କଳ୍ପନା
ପୋରୁହାଁ ଉଷାର ଆଗ ରାତି ଉନ୍ମାଦନା
ଆଉ ସେଇ ନୀଳ ନୀଳ ସ୍ଵପ୍ନର ଝରଣା
ତୀରେ ତୀରେ ହୋଇ ବାଟବଣା
କିମିତି ମୁଁ ଧାଇଁଥିଲି ବୁଲି;
ଲକ୍ଷ ଲକ୍ଷ ରଙ୍ଗୀନ ସାପର ଫଣା
ମନେ ମନେ ତୋଳିଥିଲା କେମିତି ମୋ’
ସେଦିନର ଆକାଶୀ କଳ୍ପନା।ହେଉଥିଲା ମନେ-
କାଲିଠାରୁ ମୁକ୍ତ ଆମେ, ଆମେ ବାଧାହୀନ,
ପକ୍ଷୀ ପରି ପ୍ରାଣୀନ, ସ୍ଵାଧୀନ;
ମୁକ୍ତ ଆମେ ଯେମିତି ଏ ସାଗରର ମାଛ,
ତୀର୍ଯ୍ଯକ୍ ଡେଣାରେ ଚିରି ପାଣିର ପାହାଚ
ନକ୍ସା କାଟି ଢେଉ ତଳେ
ଚହଲାଇ ତରଙ୍ଗର ଆଞ୍ଚ
ଲୁଚିଯାଉଁ, ଭାସି ଉଠୁ, ଖେଳି ବୁଲୁଁ ପୁଣି।ଲବଣ ବତାସେ
ନିଃଶ୍ଵାସରେ ଚମକାଇ ପାଣିର ଛାଉଣୀ,
ନିଭିଯାଉଁ ପ୍ରାଣୀନ ଉଚ୍ଛ୍ବାସେ,
ମନେ ପଡେ ସେ ରାତିର ହରିତ୍ ରୋମାଞ୍ଚ।ଇତିହାସର ସେ ରକ୍ତ ତାରିଖ
ବହ୍ନିମାନ ଶିଖା ପରି ଜଳେ।
ଆକାଶ ତଳେ
ବନହଳଦୀ ଶିମୁଳି ଫୁଲ,
କଦଳୀପତ୍ରେ ଓ ଶ୍ଵେତପଦ୍ମର ପତାକା ଉଡେ଼।
ତଳେ ଭଗ୍ନ ମନ୍ଦିର ଚୂଡାରେ
ଭାସମାନ ହଂସମିଥୁନର
ଗତିକୋଣ
ଆଗାମୀ ସଭ୍ୟତାର ପ୍ରତୀକ ଗଢେ।।

ବତାସରେ ନୂଆ ଫଳ, କିଶଳୟ ଆଉ
ମଣିଷର ଝାଳୁଆ ଦିହର ଗନ୍ଧ,
ରକ୍ତଗୋଲାପ,
ଶୋଲ ଓ କାଗଜଫୁଲର ମର୍ମର
ଶୋଲରି ଫୁଲର ହାଓୟାରେ କଳରୋଳ।
ଗୋଦୁଗ୍ଧ, ଚନ୍ଦନ, ଆଲକାତରା ଓ ଅରୁଆ
ଚାଉଳ ବାସ୍ନାରେ
ମହକି ଉଠୁଚି ସାରା ସହର।।ମନେ ହୁଏ ଗାଭୀ ଆଜି ଦୁଗ୍ଧବତୀ
ଫଳବତୀ ଅସଂଖ୍ୟ ଓଷଧି।
ଆକାଶେ ପବନେ ଏ କି ଉତ୍ସବ ?
ସବୁରି କଣ୍ଠରେ ଅଗଷ୍ଟର ସ୍ତବ ।ଆକାଶର ମେଘବଳୟ ତଳେ
ସେଇ ଏକା ଉଡନ୍ତା ହଂସର ଗତିବିହ୍ଵଳ
ଡେଣାରେ
ସେ କି ସ୍ପନ୍ଦନ ?
ନୂଆ ଶସ୍ଯର ଆଘ୍ରାଣ ଆସେ
ନୂତନ ଫସଲର ଆବାହନ,
ନୂଆ ଧାନ ଆଉ ମଣିଷର ଝାଳ
ସ୍ନାନପୂତ ଦେହର ସୁରଭି,
ପୁଣି ପେଟ୍ରୋଲ ଓ କସ୍ତୁରୀ ବାସ୍ନାରେ
ଭରି ଉଠୁଚି ଚଉଦିଗ।
ସପ୍ତର୍ଷିର ନୀଳ ଉପତ୍ୟକା ତଳେ
ସାତ ରଙ୍ଗର ହିନ୍ଦୋଳ ।
ରଙ୍ଗର ପଞ୍ଚୁଦୋଳ ! !ଶୁଣ ଶୁଣ ଉପରେ…
ମେଘୁଆ ସକାଳର, ନୂଆ ମେଘର
ମେଘମଲ୍ଲାର,
ପୃଥିବୀରେ ନୂଆ ଯୋଜନା,
ନୂତନ ଶସ୍ଯର ମାନଚିତ୍ର
ସବୁଜ ମନର ନବୀନ ଚଟାଣରେ
ନୂତନ ଫସଲର ଆମନ୍ତ୍ରଣ ।।

ନୀଳବନର ବନ୍ଦର ଡେଇଁ
ହଜାର ହଜାର ପକ୍ଷୀର ଜାହାଜ..
ଚଢେଇଙ୍କ ଭେଳା…
ସେମାନଙ୍କ ଲଘୁଡେଣାର କମ୍ପନ,
ଲଘୁ ପୁଚ୍ଛର ମାସ୍ତୁଲ…
ଶାଳବନର ମୁହାଣ ଡେଇଁ
ଭାସି, ଭାସିଯାଏ…. ।

ନୁହେଁ ଭୁଲ, ନୁହେଁ ଭୁଲ
ପହିଲି ଅନୁକୂଳ
ଭାସିଯାଏ, ପକ୍ଷୀର ଜାହାଜ,
କପୋତ ଓ ବୀଜ
ଛଞ୍ଚାଣ ଓ ତୀକ୍ଷ୍ଣ ଶଙ୍ଖଚିଲ
ପ୍ରାଣରେ ପାଇ ନୂଆ ଜୀବନର ନିମନ୍ତ୍ରଣ
ଭାସି ଭାସି ଯାଏ।।
ଭାସିଯାଏ କପୋତ ଓ ବାଜ
ପକ୍ଷୀର ଜାହାଜ।
ନୀଳବନ ଶାଳବନ ପାରେ, ପ୍ରାଣର ଜୁଆରେ।।

ମନର ପକ୍ଷୀ ଜାଗେ,
ନୂତନ ଫସଲ ଡାକେ।
୧୫, ଅଗଷ୍ଟ ତା’ରି ସମ୍ଵୋଧନ।
ଚଢେଇକି ଆକାଶର ନିମନ୍ତ୍ରଣ ! !

(ଏହି କବିତାଟି ୧୯୪୯ ମସିହା ଅଗଷ୍ଟ ୧୫ରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା। ସଚ୍ଚି ରାଉତରାୟଙ୍କ “ଅଭିଜ୍ଞାନ” ସଙ୍କଳନର ଏହା ଅନ୍ତର୍ଗତ।)

ଉପସ୍ଥାପନା: ଅମୃତେଶ ଖଟୁଆ

Amritesh Khatua 15 August 1947

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago