ଲେଖା: ନିରଞ୍ଜନ ସାହୁ

୧୮୯୯ ମସିହା ନଭେମ୍ବର ମାସ ଏକୋଇଶି ତାରିଖରେ ବାଲେଶ୍ଵର ଜିଲ୍ଲା ଅଗରପଡ଼ା ରାଜବାଟୀ ଉତ୍ସବ ମୁଖର ଓ ଚଳଚଂଚଳ ହୋଇଉଠିଲା । ଜନ୍ମ ନେଲେ ରାଜଗାଦୀ ପାଇଁ ଭବିଷ୍ୟତର ବଂଶଧର । କିନ୍ତୁ ରାଜ-ଐଶ୍ୱର୍ଯ୍ୟକୁ ପାଦରେ ଆଡ଼େଇ ଦେଇ ସେହି ଶିଶୁଟି ଯେ, ଦେଶ ପାଇଁ ନିଜକୁ ସମର୍ପଣ କରିଦେବ, ଏ କଥା କିଏ ବା କାହିଁକି ଜାଣିଥିଲେ ସେବେ ? କୃଷ୍ଣ ଚରଣ ଦାସଙ୍କ ପୁତ୍ର ଭାବେ ଜନ୍ମ ନେଇ ପୋଷ୍ୟପୁତ୍ର ହୋଇ ଚାଲିଗଲେ ଶୈଶବରୁ ଅଜା ଜମିଦାର ଜଗନ୍ନାଥ ମହତାବଙ୍କ ଘରକୁ । ପରିଚିତ ହେଲେ ହରେକୃଷ୍ଣ ମହତାବ ନାମରେ ।

ତାପରେ ପାଠପଢ଼ା । କୋଡ଼ିଏ ବର୍ଷ ବୟସରେ ରେଭେନ୍ସା କଲେଜରେ ବି.ଏ. ପାଠ୍ୟକ୍ରମର ଶେଷ ବର୍ଷର ସେହି ଛାତ୍ର ଜଣକ ଆଉ ପଛକୁ ଫେରି ଚାହିଁଲେ ନାହିଁ । ୧୯୧୯ ମସିହା ବେଳକୁ ସ୍ଵାଧୀନତା ସଂଗ୍ରାମ ପାଇଁ ଦେଶସାରା ଲୋକେ ଅଂଟା ଭିଡ଼ି ଆସୁଥାନ୍ତି । ଅଥୟ ହୋଇ ଉଠିଲେ ହରେକୃଷ୍ଣ ସ୍ଵାଧୀନତା ପାଇଁ । ବହି ବସ୍ତାନୀରେ ଡୋର ବଂଧା ହୋଇଗଲା । ବାପା, ମା, ବନ୍ଧୁ ବାନ୍ଧବଙ୍କ ବାରଣ ସତ୍ତ୍ୱେ କଲିକତାରେ ହେଉଥିବା ସ୍ଵତନ୍ତ୍ର କଂଗ୍ରେସ ଅଧିବେଶନରେ ଯୋଗ ଦେବା ପାଇଁ ସିଧା କଟକରୁ ଚାଲିଲେ କଲିକତା । ସେଠାରେ ମହାତ୍ମାଗାନ୍ଧୀ, ଜବାହାରଲାଲ ଓ ଲାଲା  ଲାଜପତ ରାୟଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇଲେ । ଶପଥ ନେଲେ ଜେଲ୍, ଫାଶୀ ଖୁଣ୍ଟରେ ଝୁଲିବେ ସିନା, ଦେଶ ସ୍ଵାଧୀନତା ପାଇଁ ଲଢ଼େଇ ଜାରି ରଖିବେ । କଲିକତାରୁ ଫେରି କଂଗ୍ରେସର ନାଗପୁର ଅଧିବେଶନରେ ଯୋଗ ଦେଇ ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମର ବାର୍ତ୍ତା ପହଞ୍ଚାଇବା ପାଇଁ ୧୯୨୧ ମସିହା ମାର୍ଚ୍ଚ ମାସରେ ବାଲେଶ୍ଵର ଜିଲ୍ଲାରେ କଂଗ୍ରେସର ସଂଗଠକ ଭାବେ ଦାୟିତ୍ଵ ଗ୍ରହଣ କରିନେଲେ । ଅରଟରେ ସୂତା କାଟିବା, ଖଦୀ ଲୁଗା ବୁଣିବା, ବିଦେଶୀ ବସ୍ତ୍ରବର୍ଜନ, ଅସ୍ପୃଶ୍ୟତା ନିବାରଣ ଆଦି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଆରମ୍ଭ କରିଦେଲେ ସମଗ୍ର ବାଲେଶ୍ଵର ଜିଲ୍ଲାରେ । ‘ସ୍ଵରାଜ୍ୟ ମନ୍ଦିର’ ସ୍ଥାପିତ ହେଲା । ୧୯୨୨ ମସିହାରେ ମୁଣ୍ଡ ଟେକି ଉଠିଲା କନିକା ପ୍ରଜା ଆନ୍ଦୋଳନ । ନିଜେ ଜମିଦାରଙ୍କ ପୁଅ ହୋଇ ମଧ୍ୟ କନିକା ରାଜା (ଜମିଦାର)ଙ୍କୁ  ତୀବ୍ର ସମାଲୋଚନା ଆରମ୍ଭ କଲେ । ତାଙ୍କ ଅନୁରୋଧ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଗୋପବନ୍ଧୁ ଦାସ, ସମ୍ପାଦକ ଭାଗିରଥି ମହାପାତ୍ର ବାଲେଶ୍ବରରେ ପହଞ୍ଚି କନିକା ରାଜାଙ୍କ ଅମାନୁଷିକ କାର୍ଯ୍ୟ ପ୍ରତିବାଦରେ ସଭା କଲେ, ୧୪୪ ଧାରା ଭଙ୍ଗ କଲେ ଏବଂ ଶେଷରେ ତିନି ଜଣ ଯାକ ଗିରଫ ହୋଇ ଦୋଷୀ ସାବ୍ୟସ୍ତ ହେଲେ । ୧୯୨୨ ମସିହା ଜୁଲାଇ ମାସ ଦଶ ତାରିଖରେ ବ୍ରିଟିଶ ସରକାର ମହତାବଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଲେ । ଦୁଃଖର କଥା ହାତରେ କଡ଼ି ଓ ଗୋଡ଼ରେ ବେଡ଼ି ପକାଇ ମହତାବଙ୍କୁ କଟକ ଜେଲ୍ ପଠାଇ ଦିଆଗଲା । ଏହି ଜେଲ୍ ଜୀବନ ତାଙ୍କୁ ଆଉ ଏକ ଦୁନିଆରେ ପାଦ ଦେବା ପାଇଁ ସତେ ଯେମିତି ଅପେକ୍ଷା କରିଥିଲା । ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହେଲା ଏହିଠାରୁ । ପ୍ରଥମ ଲେଖା ଭାବେ ଉପସ୍ଥାପିତ ହେଲା ଅଜବ ଦୁନିଆ ଏବଂ ଇଂରାଜୀ ଭାଷାରେ Free Thinking ଏହି କଟକ ଜେଲରୁ ।

ଜେଲ୍ ଜୀବନର ଏକ ବର୍ଷ ଅନ୍ତେ ୧୯୨୩ ମସିହାର ଜୁଲାଇ ମାସରେ ସ୍ଵାଧୀନତାର ବାର୍ତ୍ତା ପ୍ରଚାର ଓ ଗାନ୍ଧୀବାଦର ପ୍ରଚଳନ ପାଇଁ ମୁକୁର ପ୍ରେସରୁ ଆରମ୍ଭ ହେଲା ସାପ୍ତାହିକ ସମ୍ବାଦପତ୍ର ପ୍ରଜାତନ୍ତ୍ର, ପରେ ତାହା ବାଲେଶ୍ଵରକୁ ଉଠି ଯାଇଥିଲା । ସ୍ଵାଧୀନତା ସଂଗ୍ରାମ କାର୍ଯ୍ୟ ଚାଲିଥିବା ବେଳେ ୧୯୨୭ ମସିହାରେ ବିହାର ଓଡ଼ିଶା ବ୍ୟବସ୍ଥାପକ ଭାବେ ନିର୍ବାଚିତ ହେଲେ । ସେହି ବର୍ଷ ଭାରତମଣି ଗୋପବନ୍ଧୁ ଦାସଙ୍କ ବିୟୋଗ ଘଟିଲା । ଦାରୁଣ ଆଘାତ ପାଇଲେ ହରେକୃଷ୍ଣ ମହତାବ । ତେଣୁ କଂଗ୍ରେସର ଦାୟିତ୍ଵ ଆସିଗଲା ତାଙ୍କ ପାଇଁ । ତିନି ବର୍ଷ ପରେ ଓଡ଼ିଶା କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କର ରାଜନୈତିକ, ସଂଗ୍ରାମୀ ଜୀବନ ଆହୁରି କର୍ମବହୁଳ ହୋଇ ଉଠିଲା।

~ ଚୁମ୍ବକରେ ତାଙ୍କ ସ୍ଵାଧୀନତା ସଂଗ୍ରାମ ଜୀବନ ~
* ୧୯୩୦ ମସିହା ଏପ୍ରିଲ ୦୬ ତାରିଖ ଇଞ୍ଚୁଡି଼ ଠାରେ ଲୁଣମରା ଅଭିଯାନର ନେତୃତ୍ବ ଏବଂ ଗିରଫ । ହଜାରିବାଗ ଜେଲରେ କାରାବରଣ । ସେହି ଠାରେ ଭଗବତ୍ ଗୀତାର ଗଦ୍ୟରୁପ ଓ  ‘ସ୍ଵରାଜ୍ୟ ସାଧନ’ ନାଟକ ରଚନା ।

* ୧୯୩୧ ମସିହାରେ କାରାମୁକ୍ତ, ଅଗରପଡ଼ାରେ କର୍ମ ମନ୍ଦିର ସ୍ଥାପନ, ପତ୍ନୀ ଶ୍ରୀମତୀ ସୁଭଦ୍ରା ମହତାବଙ୍କ ସହ ।

* ୧୯୩୪ ମସିହାରେ ଗାନ୍ଧୀଙ୍କ ସହ ହରିଜନ ପଦଯାତ୍ରା , ୧୯୩୬ ରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଓ କଟକରେ ସ୍ଵରାଜ୍ୟ ଆଶ୍ରମ ପ୍ରତିଷ୍ଠା।

* ୧୯୩୮ ମସିହାରେ କେନ୍ଦ୍ରୀୟ କଂଗ୍ରେସର ସକ୍ରିୟ ସଭ୍ୟ ଏବଂ ଭାରତର ଗଡ଼ଜାତ ଅଞ୍ଚଳମାନଙ୍କୁ ଦେଶ ସହ ମିଶ୍ରଣ ପାଇଁ ପରାମର୍ଶ, ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପ୍ରଭାବିତ କରିଥିଲା ।

* ୧୯୪୨ ମସିହା ଅଗଷ୍ଟ ମାସ ୦୮ ତାରିଖରେ ଅହମଦନଗର ଜେଲରେ କାରାବରଣ, ଯେଉଁଠି ସେ ସିଧା ସାନିଧ୍ୟ ଲାଭ କଲେ ପଣ୍ଡିତ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆଚାର୍ଯ୍ୟ କୃପାଳିନୀ, ମୌଲାନା ଆଜାଦ ଆଦି ସର୍ବଭାରତୀୟ ନେତା ମାନଙ୍କର । ସେହି ଜେଲରେ ତିନି ବର୍ଷର କାରାଦଣ୍ଡ ତାଙ୍କ ଜୀବନର ସାରସ୍ଵତ ସାଧନାର ମୂଳ ଭିତ୍ତି ସ୍ଥାପନ କଲା । ସେହି ଜେଲରେ ଜନ୍ମ ନେଲା ଓଡ଼ିଆ ସାହିତ୍ୟର ମହାର୍ହ ଗ୍ରନ୍ଥ ଓଡି଼ଶାର ଇତିହାସ ଓ ତିନୋଟି ଉପନ୍ୟାସ, ତିନୋଟି କବିତା ପୁସ୍ତକ ।

* ୧୯୨୦ ରୁ ୧୯୪୫ ଦୀର୍ଘ ପଚିଶ ବର୍ଷର ଅନବରତ ସଂଘର୍ଷ, ସଂଗ୍ରାମ, ସାମାଜିକ କାର୍ଯ୍ୟ ଇତ୍ୟାଦି ତାଙ୍କୁ ସର୍ବଭାରତୀୟ ସ୍ତରରେ ଜଣେ ଜାତୀୟ ନେତା ଭାବରେ ବିଦିତ କରିଥିଲା ।

* ୧୯୪୬ ମସିହାରେ କଂଗ୍ରେସକୁ ନିର୍ବାଚନରେ ବିଜୟୀ କରାଇ ସେ ହେଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ପରେ ଲୋକେ ତାଙ୍କୁ ଗ୍ରହଣ କରିନେଲେ ଆଧୁନିକ ଉତ୍କଳର ନବ ନିର୍ମାତା ଭାବେ ।

ଦୀର୍ଘ ଆଠ ବର୍ଷ କ୍ଷମତାରେ ରହିଲେ ମୁଖ୍ୟମନ୍ତ୍ରୀ ଭାବେ ହରେକୃଷ୍ଣ ମହତାବ (୧୯୪୬ରୁ ୧୯୫୦ ଏବଂ ୧୯୫୬ ରୁ ୧୯୬୦)। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଏହି ଅଗ୍ରସାରଥୀଙ୍କ ଅବଦାନ ଓଡ଼ିଶା ପାଇଁ ଅବିସ୍ମରଣୀୟ !

* ୧୯୪୭ ମସିହା ନଭେମ୍ବର ୧୪ ତାରିଖ ଓ ୧୯୪୮ ମସିହା ଜାନୁଆରୀ ପହିଲାରେ ଓଡ଼ିଶାର ଛବିଶିଟି ଗଡ଼ଜାତ ମିଶ୍ରଣ । ନୀଳଗିରି ପ୍ରଥମ ରାଜ୍ୟ ଭାବେ ମିଶିଲା ଏବଂ ଓଡ଼ିଶା ହୋଇଗଲା ଭାରତବର୍ଷର ପ୍ରଥମ ରାଜ୍ୟ ଗଡ଼ଜାତ ମିଶ୍ରଣରେ । 

* ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖରେ ହୀରାକୁଦ ବନ୍ଧର ଭୂମି ପୂଜନ, ୧୯୪୮ ଏପ୍ରିଲ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦ୍ଵାରା କାର୍ଯ୍ୟର ଶୁଭାରମ୍ଭ । ୧୯୫୭ ମସିହା ଜାନୁଆରୀ ୧୩ ତାରିଖ ଦିନ ହୀରାକୁଦ ଜଳଭଣ୍ଡାର ଓ ବନ୍ଧ ଲୋକାର୍ପିତ ପଣ୍ଡିତ ନେହେରୁଙ୍କ ଦ୍ଵାରା ।

* ୧୯୪୮ ମସିହା ଏପ୍ରିଲ ତେର ତାରିଖରେ ନୂତନ ରାଜଧାନୀ ଭୁବନେଶ୍ବରର ଭିତ୍ତି ପ୍ରସ୍ତର ସ୍ଥାପନ ଓ ୧୯୪୯ ମସିହା ଅକ୍ଟୋବର ଦଶ ତାରିଖରେ ନୂତନ ବିଧାନସଭାର ଐତିହାସିକ ଅଧିବେଶନ ଆରମ୍ଭ ।

* ୧୯୫୭ ମସିହାରେ ରାଉରକେଲା ଇସ୍ପାତ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସର ମୂଳଦୂଆ ସ୍ଥାପନ ଓ ୧୯୫୯ ଡିସେମ୍ବର ୩ ତାରିଖରେ ଶୁଭ ଉଦଘାଟନ।

* ୧୯୫୦ ମସିହା ମଧ୍ୟଭାଗରେ କଟକର ବାରବାଟୀ ଷ୍ଟାଡିୟମର ଭିତ୍ତି ସ୍ଥାପନ ଓ ଭୈରବ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ କାର୍ଯ୍ୟାରମ୍ଭ ।

* ୧୯୪୯ ମସିହା ଜାନୁଆରୀ ୨୯ ତାରିଖରେ ଆକାଶବାଣୀ କଟକର ଶୁଭ ଉଦ୍ଘାଟନ ଯାହା କେନ୍ଦ୍ରୀୟ ସରକାରଙ୍କ ପାଖରେ ତାଙ୍କର ଅଖଣ୍ଡ ପ୍ରତିପତ୍ତି ଯୋଗୁଁ ସମ୍ଭବ ହେଲା ।

* ୧୯୪୮ ମସିହା ଓଡ଼ିଶାର କଳାର ବିକାଶ ନିମନ୍ତେ କଟକରେ କଳାବିକାଶ କେନ୍ଦ୍ରର ଭିତ୍ତି ପଡ଼ିଲା ବାବୁଲାଲ୍ ଦୋଷୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ।

* ୧୯୪୬ ମସିହାରେ ଇଂରେଜ ସରକାର ଭାରତରେ ଲୁଗାକଳ ବସାଇବାକୁ ସ୍ଥିର କଲେ । ଓଡ଼ିଶା ଭାଗରେ ପଡ଼ିଲା ଗୋଟିଏ ଲୁଗାକଳ । ବମ୍ବେର ଲୁଗାକଳ ମାଲିକମାନେ ତାହା କରାଇ ନ ଦେବାକୁ ଜିଦ୍ ଧରିଲେ । ହେଲେ ଶେଷରେ ମହତାବଙ୍କ ଜିଦ୍ ଓ ଯୁକ୍ତି ଆଗରେ ହାର୍ ମାନିବାକୁ ବାଧ୍ୟ ହେଲେ । ଚୌଦ୍ଵାର ଠାରେ ଲୁଗାକଳ ବସାଇବାକୁ ଗାନ୍ଧୀଙ୍କ ସମର୍ଥନ ପାଇଲା ଓଡ଼ିଶା । ବିଜୁବାବୁଙ୍କ ନେତୃତ୍ୱରେ କାର୍ଯ୍ୟ ଆରମ୍ଭ ହେଲା ।

* ୧୯୪୮ ମସିହା ପରଠାରୁ ଓଡ଼ିଆ ଲୋକଙ୍କୁ ଆଉ ପାଟନା ଯିବାକୁ ପଡ଼ିଲା ନାହିଁ । ମହତାବଙ୍କ ସୁପାରିଶ କ୍ରମେ କଟକରେ ପ୍ରତିଷ୍ଠିତ ହେଲା ନ୍ୟାୟାଳୟ ଓଡ଼ିଶା ହାଇକୋର୍ଟ ।

ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଉତ୍କଳର ନବ ନିର୍ମାତା । ଭାରତୀୟ ରାଜନୀତିରେ ଜଣେ ଜଣାଶୁଣା ନେତା । ଓଡ଼ିଶାକୁ ଭାରତର ଏକ ସମ୍ମାନଜନକ ସ୍ଥାନରେ ପ୍ରତିଷ୍ଠିତ କରିବା ଥିଲା ତାଙ୍କର ଏକମାତ୍ର ଧ୍ୟେୟ । ତେଣୁ ସେ ହିଁ ଲୋକ ମାନସରେ ପୂଜ୍ୟ ଏବଂ ଯଥାର୍ଥରେ ଉତ୍କଳକେଶରୀ । ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ୧୯୫୫ ର ମାର୍ଚ୍ଚ ମାସ ଦୁଇ ତାରିଖରୁ  ୧୯୫୬ ମସିହା ଅକ୍ଟୋବର ମାସ ୧୪ ତାରିଖ ପର୍ଯ୍ୟନ୍ତ ଏବଂ ସେ ଥିଲେ ପ୍ରଥମ ଓଡ଼ିଆ ରାଜ୍ୟପାଳ ।

ରାଜନୈତିକ କୃତବିଦ ଭାବେ ପରିଚିତ ମହତାବଙ୍କ ଅସଲ ପରିଚୟ କିନ୍ତୁ ଆହୁରି ଗୋଟିଏ ଥିଲା । ହରେକୃଷ୍ଣ ମହତାବ  ଥିଲେ ସାରସ୍ଵତ ସାଧକ । ଓଡ଼ିଆ ଓ ଭାରତୀୟ ସାହିତ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରନ୍ତି ସେ । ରାଜନୈତିକ ଜୀବନ ସହ ଯୋଡ଼ି ହୋଇଯାଇଥିଲା ତାଙ୍କର ସାରସ୍ଵତ ସାଧନା । ତେଣୁ ତ ସିଏ ରାଜନୀତି ଓ ସାହିତ୍ୟର ସମନ୍ଵୟର ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ସମଗ୍ର ଦେଶରେ !

~ ବିରାଟ ସାହିତ୍ୟ ସୌଧର ନିର୍ମାତା ~
“ରାଜନୀତିର କର୍ମମୟ ଜୀବନରେ ହନ୍ତସନ୍ତ ହୋଇ ଯେତେବେଳେ ଜେଲକୁ ଆସିବାକୁ ପଡ଼େ, ସେତେବେଳେ ଟିକିଏ ଛାଇରେ ବସି ପଡ଼ିଲା ଭଳି ମନେ ହୁଏ । ସେତିକିବେଳେ ଆପେ ଆପେ ସାହିତ୍ୟ ଆଡ଼କୁ ମନ ଯାଏ, ସେ ଦିଗରେ ସାଧନା ବା ଯୋଗ୍ୟତା ନଥିଲେ ମଧ୍ୟ ।” (କାବ୍ୟ – ‘ଚାରିଚକ୍ଷୁ’ର ଭୂମିକା )

ତେବେ ସତରେ କ’ଣ ସେ ଗଢି଼ଥିବା ସାହିତ୍ୟ ସୌଧ ତାଙ୍କ ଅବସର ବିନୋଦନର ଫଳଶ୍ରୁତି ହୋଇପାରେ ! ହେଲେ ରାଜନୀତିର ସେହି ଅବସର ବିନୋଦନ ଯେ ଓଡ଼ିଆ ସାହିତ୍ୟର ପାଠକଙ୍କ ପାଇଁ ମହାମନ୍ତ୍ର ପ୍ରଦାନ କରିଛି ! ତାଙ୍କ ରଚିତ ଉପନ୍ୟାସ ଗୁଡ଼ିକ ନବଜାଗରଣର ବାର୍ତ୍ତା ପହଞ୍ଚାଇବା ସହ ରାଜନୀତି ଓ ସାମାଜିକ ପୃଷ୍ଠଭୂମିରେ ରଚିତ । ରାଜନୀତିରେ ସେ ଯେମିତି ଅପରାଜେୟ, ସାହିତ୍ୟରେ ମଧ୍ୟ ତଦୃପ । ପ୍ରତିଭା, ଅବ୍ୟାପାର, ଟାଉଟର, ତୃତୀୟ ପର୍ବ, ନୂତନଧର୍ମ, ୧୯୭୫ ଭାରତର ରାଜନୀତି ଓ ସାମାଜିକତାର ବାର୍ତ୍ତା ବହନ କରେ । ଏହି କେତୋଟି ଉପନ୍ୟାସରେ ସାମାଜିକ ଚେତନା କେତେ ସ୍ପଷ୍ଟ ସତେ !

ପ୍ରତିଭା: ଗାନ୍ଧୀଜୀଙ୍କ ଆଦର୍ଶବାଦ, ସମାଜରୁ ଜାତିଧର୍ମର  ଭେଦଭାବ ଦୂର କରି ଏ ଦେଶର ତରୁଣମାନଙ୍କୁ ଦେଶସେବାର ମହାମନ୍ତ୍ରରେ ଦୀକ୍ଷିତ କରାଇବା ହେଉଛି ଏହାର ମର୍ମବାଣୀ । ନାରୀ ଜାଗରଣର ବାର୍ତ୍ତା ଓ ଜାତି ପାଇଁ ନାରୀର କର୍ତ୍ତବ୍ୟବୋଧ ହିଁ ଏହି ସର୍ବାଦୃତ ଉପନ୍ୟାସର ବିଷୟବସ୍ତୁ ।

ଅବ୍ୟାପାର: ଗଡ଼ଜାତର ଅତ୍ୟାଚାରୀ ରାଜାମାନଙ୍କ ସ୍ଵରୂପ ପଦାରେ ପକାଇ ଦେଇଛନ୍ତି ଏହି ଉପନ୍ୟାସରେ । ସମାଜରେ ବେଶ୍ୟା ସମସ୍ୟା, କଲିକତାରେ ନିରୀହ ଓଡ଼ିଆ ଝିଅମାନଙ୍କର ଦୁର୍ଦ୍ଦଶା, ପଲ୍ଲୀ ଅଞ୍ଚଳରେ ଖାଦ୍ୟାଭାବର ସମସ୍ତ ଚିତ୍ରରେ ଚିତ୍ରିତ ଏହି ଉପନ୍ୟାସ ।

ନୂତନଧର୍ମ: ଧର୍ମର ବାହ୍ୟ ରୂପକୁ ବିଦ୍ରୁପ କରି, ଆନ୍ତରିକତାର ସହ ମଣିଷର ସେବା କରିବା ହିଁ ଏହି ଉପନ୍ୟାସର କଥାବସ୍ତୁ ।

ଟାଉଟର: ଗାଁ ଟାଉଟରୀ ଏକ ସାମାଜିକ ସମସ୍ୟା । ଗାଁ ଟାଉଟର ମାନଙ୍କର ସୁନ୍ଦର ଛବି ଅତି ନିଛକ ଭାବେ ଆଙ୍କି ଦେଇଛନ୍ତି ଡ. ମ‌ହତାବ । ଲୋକ ଚରିତ୍ରର ପରିବର୍ତ୍ତନ ନହେଲେ, ଗାଁ ଲୋକ ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗରିତ ନହେଲେ, ଏହା ବ୍ୟାଧିରେ ପରିଣତ ହୋଇଯିବ । ତେଣୁ ସମାଜ ଓ ଗାଁ ଟାଉଟରଙ୍କୁ ସାବଧାନ କରିଦେଇଛନ୍ତି ଏହି ଉପନ୍ୟାସ ମାଧ୍ୟମରେ ।

ତୃତୀୟ ପର୍ବ ଓ ୧୯୭୫: ଏଥିରେ ପ୍ରଥମ ପର୍ବର ପୁରୋଧା ଗାନ୍ଧିଜୀ, ଦ୍ଵିତୀୟ ପର୍ବର ପୁରୋଧା ନେହେରୁ ଏବଂ ତୃତୀୟ ପର୍ବ ହେଉଛି ଏସବୁ ମୂଲ୍ୟବାନ ଆଦର୍ଶବୋଧରୁ ଦୂ୍ରେଇ ଯାଇ ଦେଶରେ ବିଶୃଙ୍ଖଳା ସୃଷ୍ଟି । ଏ ସମ୍ପର୍କରେ ତାଙ୍କର ମତ ଥିଲା, “ତତ୍କାଳୀନ ଅବସ୍ଥାରେ ଅନ୍ଧକାର ଦୂର କରିବା ପାଇଁ ଗାନ୍ଧିଜୀ ପ୍ରଥମ ପର୍ବରେ ଯେଉଁ ତୈଳଦୀପଟି ଜାଳିଥିଲେ, ତାହା ଦ୍ଵିତୀୟ ପର୍ବରେ ଉଜ୍ବଳ ବିଦ୍ୟୁତଲୋକରେ ପରିଣତ ହେଲା । ତୃତୀୟ ପର୍ବରେ ତାହା ସର୍ଟ ସର୍କିଟ ବିଦ୍ୟୁତ ତାରର ବିଭ୍ରାଟ ଘଟି ଦେଶସାରା ଏକ ପରିସ୍ଥିତି ସୃଷ୍ଟି କଲା ।”

~ କବି ମଣିଷ ଡ. ହରେକୃଷ୍ଣ ମହତାବ ~
ଦୁଇଟି କାବ୍ୟ ଚାରିଚକ୍ଷୁ ଓ ପଲାସୀ ଅବସାନେ ତାଙ୍କର ଅମ୍ଳାନକୃତି । ଚାରିଚକ୍ଷୁରେ ତିନୋଟି କାହାଣୀ ସନ୍ନିବେଶିତ । ପ୍ରଥମଟି ‘ନନ୍ଦିକା’, ଦ୍ୱିତୀୟଟି ‘ଲଳିତା’, ତୃତୀୟଟି ‘ରାଜରାଣୀ’ । ତାଙ୍କ ମନରେ ଘୂର୍ଣ୍ଣି ସୃଷ୍ଟି କରିଥିବା ଐତିହାସିକ ବେଦନାବୋଧକୁ ସେ କାବ୍ୟରେ ସ୍ଥାନ ଦେଇଛନ୍ତି, ଯାହା ତାଙ୍କ ଜାତୀୟତା ବୋଧର ଯଥାର୍ଥ ନିଦର୍ଶନ । ପଲାସୀ ଅବସାନେ କାବ୍ୟର କଥାବସ୍ତୁ ହେଉଛି, ପଲାସୀ ଯୁଦ୍ଧରେ ଭାଗ ନେଇଥିବା ବ୍ୟକ୍ତି ମାନଙ୍କର ରଚିତ୍ର ବର୍ଣ୍ଣନା । ଏହି ପୁସ୍ତକ ବ୍ରିଟିଶ ସରକାରଙ୍କ ଦ୍ଵାରା ବାଜ୍ୟାପ୍ତ କରାଯାଇଥିଲା ଅବଶ୍ୟ ।

ନାଟ୍ୟକାବ୍ୟ ଆତ୍ମଦାନ ପରିକଳ୍ପିତ ଓ ରଚିତ ହୋଇଥିଲା ସେ ଜେଲରେ (୧୯୪୨- ୪୫) ଥିବା ସମୟରେ । ତାଙ୍କ କବିତା ଆଦିରେ ଐତିହାସିକ ଦୃଷ୍ଟିସମ୍ପନ୍ନତା ଓ ଅତୀତକୁ ମର୍ଯ୍ୟାଦାଦୀପ୍ତ ଦୃଷ୍ଟିରେ ଦେଖିବାର ଅଭିଳାଷ ସ୍ପଷ୍ଟ ଭାବରେ ଚିତ୍ରିତ । କବିତା ଗୁଡ଼ିକ ସଙ୍କଳିତ ହୋଇ ଗ୍ରଥିତ ହୋଇଛି ଆନନ୍ଦ ସନ୍ଧାନ ଶୀର୍ଷକ ଗ୍ରନ୍ଥରେ ।

~ ନାଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଡ. ହରେକୃଷ୍ଣ ମହତାବ ~
‘ଶେଷଅଶ୍ରୁ’ ‘ଜୀବନସମସ୍ୟା’ ନାଟକ ଦୁଇଟି ତାଙ୍କୁ ଜଣେ ସଫଳ ନାଟ୍ୟକାର ଭାବେ ପରିଚିତ କରାଏ । ତାଙ୍କ ରଚିତ ଏକାଙ୍କିକା ଗୁଡ଼ିକ ସ୍ଥାନ ପାଇଛି ‘ଯୁଗସଙ୍କେତ’ ଶୀର୍ଷକ ଗ୍ରନ୍ଥରେ । ଭାରତରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି (୧୯୭୫-୭୬) ସମୟରେ ଲିଖିତ ଗଳ୍ପ ‘ସ୍ଵର୍ଗରେ ଏମର୍ଜେନସି’ ସାରା ଦେଶରେ ଚହଳ ପକାଇଥିଲା । ଏହା ବ୍ୟତୀତ ତାଙ୍କର ଅନ୍ୟ ରଚନାସମୂହ ହେଲା “ରୂପାନ୍ତର, ପ୍ରବଚନ, ଉତ୍ତରୋତ୍ତର, ଅନ୍ଧଯୁଗ, ଭାରତୀୟ ସଂସ୍କୃତି, ନେତା ଓ ଜନତା, ଗାନ୍ଧୀଜୀ ଓ ଓଡ଼ିଶା, ଆରବ ସାଗରରୁ ଚିଲିକା” ଇତ୍ୟାଦି ।

ଆତ୍ମଜୀବନୀ ସାଧନାର ପଥେ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ । ଓଡ଼ିଶାର ଦିଗବଳୟକୁ ଲକ୍ଷ୍ୟ କରି ସେ ଆମକୁ ଭେଟିଟିଏ ଦେଇଛନ୍ତି ‘ଓଡି଼ଶାର ଇତିହାସ’ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ।

ଜଣେ ସଫଳ ସମ୍ପାଦକ ଥିଲେ ଡ. ହରେକୃଷ୍ଣ ମହତାବ । ‘ପ୍ରଜାତନ୍ତ୍ର’ ଦୈନିକ ଖବରକାଗଜ ରୁପେ ଓଡ଼ିଶାର ଘରେ ଘରେ ପରିଚିତ । ମର୍ଯ୍ୟାଦାସମ୍ପନ୍ନ ମାସିକ ଓଡ଼ିଆ ପତ୍ରିକା ‘ଝଙ୍କାର’ ତାଙ୍କର ସାହିତ୍ୟ ସଂସ୍କୃତି ପ୍ରୀତିର ଏକ ବଳିଷ୍ଠ ପଦକ୍ଷେପ। ବହୁ ବିଶିଷ୍ଟ ସାହିତ୍ୟିକ ଗୋଷ୍ଠୀ ସୃଷ୍ଟି କରିଛନ୍ତି ସମ୍ମାନନୀୟ ହରେକୃଷ୍ଣ ମହତାବ ଓଡ଼ିଆ ସାହିତ୍ୟରେ ଏହି ଅପ୍ରତିଦ୍ଵନ୍ଦୀ ସାହିତ୍ୟ ପତ୍ରିକା ମାଧ୍ୟମରେ ।

ସାହିତ୍ୟିକଙ୍କୁ ପୁରସ୍କୃତ କରାଯିବା ଦେଶ ଓ ଜାତିର ଏକ ମୁଖ୍ୟ କର୍ତ୍ତବ୍ୟ । ସେହି ଦୃଷ୍ଟିରୁ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ସକାଶେ ତାଙ୍କ ପ୍ରତିଷ୍ଠିତ ‘ବିଷୁବ ପୁରସ୍କାର’ ଭାରତୀୟ ସାହିତ୍ୟାକାଶରେ ଧ୍ରୁବତାରା ସଦୃଶ । ବିଶେଷ ଉଲ୍ଲେଖଯୋଗ୍ୟ ଯେ , ପ୍ରଜାତନ୍ତ୍ର ଖବରକାଗଜରେ ସେ ଯେଉଁ ପାଣ୍ଡିତ୍ୟ ପୂର୍ଣ୍ଣ ଆଲୋଚନାମାନ ‘ଗାଁ ମଜଲିସ’ ଶିରୋନାମାରେ କରୁଥିଲେ ତାହା ତାଙ୍କ ଅସାଧାରଣ ବ୍ୟୁତ୍ପତ୍ତିର, ବାଗ୍ମିତାର ପରିଚୟ ଦିଏ । ଏ ସମସ୍ତ ଆଲୋଚନା ସମକାଳୀନ ଭାରତୀୟ ରାଜନୀତି, ସାମାଜିକ, ସାଂସ୍କୃତିକ ସମସ୍ୟାବଳୀ ଉପରେ ଆଧାରିତ । ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଜଣେ ସଫଳ ଗବେଷକ ଥିଲେ ଏହି ବିଶିଷ୍ଟ ପ୍ରତିଭା ।  History of Orissa, Gandhi, the Political Leader, While Serving My Nation, Recollection of a Congress Man ଇତ୍ୟାଦି ଗ୍ରନ୍ଥ ତାଙ୍କୁ ଇଂରାଜୀ ସାହିତ୍ୟରେ ଜଣେ ସଫଳ ଗବେଷକର ମର୍ଯ୍ୟାଦା ପ୍ରଦାନ କରେ।‌

ଭାରତବର୍ଷର ରାଜନୀତିରେ, ସ୍ଵାଧୀନତା ସଂଗ୍ରାମରେ, ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର ଏହି ଜନନାୟକ ଏକ ବିଶେଷ ସ୍ଥାନ ଅଧିକାର କରନ୍ତି । ଭାରତର ଗଡ଼ଜାତ ଅଞ୍ଚଳମାନଙ୍କୁ ଦେଶ ସହ ମିଶ୍ରଣ ପାଇଁ ତାଙ୍କର ଉଦ୍ୟମ ସର୍ବଦା ଭାରତର ନେତୃବୃନ୍ଦଙ୍କୁ ରାସ୍ତା ଦେଖାଇଥିଲା । ଆଜି ଯଦି ଗଡ଼ଜାତର ମିଶ୍ରଣ ହୋଇଥାଏ, ତେବେ ତାହାର ଶ୍ରେୟ ହିଁ ଆମ ଓଡ଼ିଶାର ଜନନାୟକ, ନବ ଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କୁ । ଆମେ ଆଜି ନିଶ୍ଚିତ ଭାବେ ଗର୍ବିତ ଯେ ଏହି ମହାନ ପୁତ୍ର ଓଡ଼ିଶାରେ ଜନ୍ମିତ ! ଦୀର୍ଘ ଅଠାଅଶୀ ବର୍ଷର ଯାତ୍ରା ଶେଷ ହୋଇଗଲା ୧୯୮୭ ମସିହା ଜାନୁଆରୀ ମାସ ୦୨ ତାରିଖରେ । ଓଡ଼ିଶାର ଅନ୍ୟତମ ବିଶ୍ଵକର୍ମା ବିଦାୟ ନେଲେ ଆମ ଗହଣରୁ, ପଶ୍ଚାତରେ କିନ୍ତୁ ରଖିଗଲେ ଅମର କୀର୍ତ୍ତି ।

ଆଧାର: “ଆମେ ଓଡ଼ିଆ”, “ଓଡ଼ିଆ ସାହିତ୍ୟର ଇତିହାସ”, ଉଦୟନାଥ ଷଡ଼ଙ୍ଗୀଙ୍କ ପୁସ୍ତକ, ଡ. ହରେକୃଷ୍ଣ ମହତାବଙ୍କ  ଆତ୍ମଜୀବନୀ “ସାଧନାର ପଥେ”

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago