ଲେଖା: ଫ୍ରାନସିସ୍ ଶତପଥୀ

କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ ।

ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ ଦେଖିଥିବା, ତା’ର ଲୋକଙ୍କୁ ଭଲ ପାଉଥିବା, ନିଜ ସୃଜନରେ ଅଜବ ନବାବୀପଣିଆର ଝଲକ ଆଣିଥିବା ବ୍ୟକ୍ତି ହିଁ ଅକ୍ଷୟ ।


ସେ ଏକାଧାରରେ ଗାୟକ, କବି, ଲେଖକ, ଗାଳ୍ପିକ, ସାହିତ୍ୟିକ ଆଉ ସଙ୍ଗୀତଜ୍ଞ। ଏତେଟା ସହଜ ନଥିଲା। ଜଳିବାକୁ ପଡ଼ିଥିଲା, ଚପଲ ଘୋରିବାକୁ ପଡ଼ିଥିଲା, ବହୁତ କିଛି ହାରିବାକୁ ପଡ଼ିଥିଲା, ବହୁତ କିଛି ସହିବାକୁ ପଡ଼ିଥିଲା। ହେଲେ ସେ ଜଳିବା, ମରିବା, ସହିବା, ଭୋଗିବା ଭିତରେ ଥିଲା ଗୋଟିଏ ଆକର୍ଷଣ― ସଙ୍ଗୀତ ଓ ସାହିତ୍ୟ। ବାଦ୍ୟ, ଶବ୍ଦ, ତାଳ, ଲୟରେ ଡୁବି ରହୁଥିବା ସରଳ ଖିଆଲି କଟିକିଆ ବିଷୟରେ ଯଦି ପଚରାଯାଏ ଓଡ଼ିଶାର ସବୁ କୋଣ ଅନୁକୋଣରୁ ଛୁଟି ଆସିବ ଗୋଟିଏ ନାଁ, ଖୋକାଭାଇ―ଜଣେ ମୁକୁଟବିହୀନ ସମ୍ରାଟ, ସୁର ତାଳର ବାଦଶାହ।


ସେ କେବେ ଆର୍ଯ୍ୟ ଦାସ, କେବେ ଅନେଶ୍ୱତ ପ୍ରେମିକାଙ୍କ ପ୍ରେମିକ, କେବେ କଳଙ୍କିତ ନାୟକ, କେବେ ସ୍ମୃତିର ସୌଦାଗର, କେବେ ଚିର ସବୁଜ ତ କେବେ ନିଜ ଭିତରେ ବୁଡ଼ି ରହୁଥିବା ଯାଯାବର।

ଅକ୍ଷୟଙ୍କ ପୂର୍ବରୁ ବା ତାଙ୍କ ପରେ ଆଉ ଅକ୍ଷୟ ଆସିବେନି ଏହା ନିଶ୍ଚିତ। ଓଡ଼ିଆ ସଙ୍ଗୀତକୁ ନୂଆ ପରିଭାଷା ଦେଇଥିବା କେବଳ ଜଣେ ହିଁ ତ ସିଏ, ଆଉ କିଏ କି?


ଚାହିଁଥିଲେ ସେ ବଲିଉଡରେ ନିଜ କଳାର ଯାଦୁଗରୀ ଦେଖାଇ ପାରିଥା’ନ୍ତେ। ଅନ୍ୟମାନଙ୍କ ଭଳି ଜୀ’ ପାରିଥା’ନ୍ତେ ଅୟସ ଆରାମର ଜୀବନ। ହେଲେ କଟକ, ଓଡ଼ିଶା ଆଉ ଏଠାକାର ଭଲପାଇବାକୁ ଏଡ଼ାଇ ଯାଇପାରିନଥିଲେ ସ୍ୱପ୍ନନଗରୀ ତତ୍କାଳୀନ ବମ୍ବେକୁ।

ଖୋକାଭାଇଙ୍କ ଜୀବନର ଦୁଃଖମାନଙ୍କ ଭିତରୁ ଗୋଟିଏ ହେଲା, ଓଡ଼ିଶା ତାଙ୍କୁ ଜଣେ ଭଲ ସାହିତ୍ୟିକ ଭାବରେ ଚିହ୍ନି ପାରିଲାନି। ଅନେକ ହୁଏତ ଜାଣି ନଥିବେ ସେ ଜଣେ ଭଲ ଗାଳ୍ପିକ। ତାଙ୍କ ଲେଖା ସ୍ୱତନ୍ତ୍ର, ତାଙ୍କ ଭଳି। ଗଳ୍ପର ବର୍ଣ୍ଣନା, ଚରିତ୍ର ଓ ଶବ୍ଦଚୟନ ସବୁ ଜୀବନ୍ତ, ପଢ଼ିଲେ ଜାଣିହେବ; ଯାହା ସମସାମୟିକ ପ୍ରତିଷ୍ଠିତ ଗାଳ୍ପିକମାନଙ୍କ ଠାରୁ ଅଲଗା, ନିଆରା।


ଖୋକାଭାଇ, ଏ କଟକ ମାଟି ଆଜି ବି ତୁମ ଅପେକ୍ଷାରେ। କାଠଯୋଡ଼ି ତୁଠ, ବକ୍ସିବଜାର ହାଟ, ରାସ୍ତାରେ କଟିଂ ମାରୁଥିବା ସାଇକେଲ, ଝୁମକା ବଜେଇ ଚାଲିଯାଉଥିବା ରିକ୍ସା, ଡେକଚି ଖଡ଼ଖଡ଼ କରୁଥିବା ଦହିବରା, ଲୋଟଣୀ ଖେଳୁଥିବା ଗୁଡ଼ି ସବୁଠି ଆଜି ଶୁନ୍ୟତା। ସବୁ ଆଜି କେବଳ ଯନ୍ତ୍ରବତ ଚାଲିଛନ୍ତି । ତାଙ୍କୁ ନେଇ ଆଉ କେହି ଗୀତ ଗାଉନି, କି ତାଙ୍କ କଥା କେହି ଆଉ ଟିପା ଖାତାରେ ଟିପୁନି। ଆଉ ବିକ୍ରି ହେଉନି କଟକୀ ଲାଲାର ଲଟେରୀ, ଦିଶୁନି ଚନ୍ଦ୍ରମଲ୍ଲୀର ହସ; ଆଉ ଅଳସ ଭାଙ୍ଗୁନି ଅଳସକନ୍ୟା, ଆଉ ରଙ୍ଗେଇ ହେଉନି ବୟସର କୃଷ୍ଣଚୂଡ଼ା।

ଏ ମାଟି ତୁମ ହାରିବାଟା ସ୍ୱୀକାର କରିପାରୁନି। ଅପେକ୍ଷା କରି ବସିଛି ତୁମ ଫେରିବାକୁ, ଅଫେରା ଇଲାକାରୁ। କାରଣ ସେ ଜାଣିଛି ତୁମେ ଅକ୍ଷୟ, ଆଉ କେହି ନୁହେଁ।

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago