ଲେଖା: ଫ୍ରାନସିସ୍ ଶତପଥୀ

କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ ।

ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ ଦେଖିଥିବା, ତା’ର ଲୋକଙ୍କୁ ଭଲ ପାଉଥିବା, ନିଜ ସୃଜନରେ ଅଜବ ନବାବୀପଣିଆର ଝଲକ ଆଣିଥିବା ବ୍ୟକ୍ତି ହିଁ ଅକ୍ଷୟ ।


ସେ ଏକାଧାରରେ ଗାୟକ, କବି, ଲେଖକ, ଗାଳ୍ପିକ, ସାହିତ୍ୟିକ ଆଉ ସଙ୍ଗୀତଜ୍ଞ। ଏତେଟା ସହଜ ନଥିଲା। ଜଳିବାକୁ ପଡ଼ିଥିଲା, ଚପଲ ଘୋରିବାକୁ ପଡ଼ିଥିଲା, ବହୁତ କିଛି ହାରିବାକୁ ପଡ଼ିଥିଲା, ବହୁତ କିଛି ସହିବାକୁ ପଡ଼ିଥିଲା। ହେଲେ ସେ ଜଳିବା, ମରିବା, ସହିବା, ଭୋଗିବା ଭିତରେ ଥିଲା ଗୋଟିଏ ଆକର୍ଷଣ― ସଙ୍ଗୀତ ଓ ସାହିତ୍ୟ। ବାଦ୍ୟ, ଶବ୍ଦ, ତାଳ, ଲୟରେ ଡୁବି ରହୁଥିବା ସରଳ ଖିଆଲି କଟିକିଆ ବିଷୟରେ ଯଦି ପଚରାଯାଏ ଓଡ଼ିଶାର ସବୁ କୋଣ ଅନୁକୋଣରୁ ଛୁଟି ଆସିବ ଗୋଟିଏ ନାଁ, ଖୋକାଭାଇ―ଜଣେ ମୁକୁଟବିହୀନ ସମ୍ରାଟ, ସୁର ତାଳର ବାଦଶାହ।


ସେ କେବେ ଆର୍ଯ୍ୟ ଦାସ, କେବେ ଅନେଶ୍ୱତ ପ୍ରେମିକାଙ୍କ ପ୍ରେମିକ, କେବେ କଳଙ୍କିତ ନାୟକ, କେବେ ସ୍ମୃତିର ସୌଦାଗର, କେବେ ଚିର ସବୁଜ ତ କେବେ ନିଜ ଭିତରେ ବୁଡ଼ି ରହୁଥିବା ଯାଯାବର।

ଅକ୍ଷୟଙ୍କ ପୂର୍ବରୁ ବା ତାଙ୍କ ପରେ ଆଉ ଅକ୍ଷୟ ଆସିବେନି ଏହା ନିଶ୍ଚିତ। ଓଡ଼ିଆ ସଙ୍ଗୀତକୁ ନୂଆ ପରିଭାଷା ଦେଇଥିବା କେବଳ ଜଣେ ହିଁ ତ ସିଏ, ଆଉ କିଏ କି?


ଚାହିଁଥିଲେ ସେ ବଲିଉଡରେ ନିଜ କଳାର ଯାଦୁଗରୀ ଦେଖାଇ ପାରିଥା’ନ୍ତେ। ଅନ୍ୟମାନଙ୍କ ଭଳି ଜୀ’ ପାରିଥା’ନ୍ତେ ଅୟସ ଆରାମର ଜୀବନ। ହେଲେ କଟକ, ଓଡ଼ିଶା ଆଉ ଏଠାକାର ଭଲପାଇବାକୁ ଏଡ଼ାଇ ଯାଇପାରିନଥିଲେ ସ୍ୱପ୍ନନଗରୀ ତତ୍କାଳୀନ ବମ୍ବେକୁ।

ଖୋକାଭାଇଙ୍କ ଜୀବନର ଦୁଃଖମାନଙ୍କ ଭିତରୁ ଗୋଟିଏ ହେଲା, ଓଡ଼ିଶା ତାଙ୍କୁ ଜଣେ ଭଲ ସାହିତ୍ୟିକ ଭାବରେ ଚିହ୍ନି ପାରିଲାନି। ଅନେକ ହୁଏତ ଜାଣି ନଥିବେ ସେ ଜଣେ ଭଲ ଗାଳ୍ପିକ। ତାଙ୍କ ଲେଖା ସ୍ୱତନ୍ତ୍ର, ତାଙ୍କ ଭଳି। ଗଳ୍ପର ବର୍ଣ୍ଣନା, ଚରିତ୍ର ଓ ଶବ୍ଦଚୟନ ସବୁ ଜୀବନ୍ତ, ପଢ଼ିଲେ ଜାଣିହେବ; ଯାହା ସମସାମୟିକ ପ୍ରତିଷ୍ଠିତ ଗାଳ୍ପିକମାନଙ୍କ ଠାରୁ ଅଲଗା, ନିଆରା।


ଖୋକାଭାଇ, ଏ କଟକ ମାଟି ଆଜି ବି ତୁମ ଅପେକ୍ଷାରେ। କାଠଯୋଡ଼ି ତୁଠ, ବକ୍ସିବଜାର ହାଟ, ରାସ୍ତାରେ କଟିଂ ମାରୁଥିବା ସାଇକେଲ, ଝୁମକା ବଜେଇ ଚାଲିଯାଉଥିବା ରିକ୍ସା, ଡେକଚି ଖଡ଼ଖଡ଼ କରୁଥିବା ଦହିବରା, ଲୋଟଣୀ ଖେଳୁଥିବା ଗୁଡ଼ି ସବୁଠି ଆଜି ଶୁନ୍ୟତା। ସବୁ ଆଜି କେବଳ ଯନ୍ତ୍ରବତ ଚାଲିଛନ୍ତି । ତାଙ୍କୁ ନେଇ ଆଉ କେହି ଗୀତ ଗାଉନି, କି ତାଙ୍କ କଥା କେହି ଆଉ ଟିପା ଖାତାରେ ଟିପୁନି। ଆଉ ବିକ୍ରି ହେଉନି କଟକୀ ଲାଲାର ଲଟେରୀ, ଦିଶୁନି ଚନ୍ଦ୍ରମଲ୍ଲୀର ହସ; ଆଉ ଅଳସ ଭାଙ୍ଗୁନି ଅଳସକନ୍ୟା, ଆଉ ରଙ୍ଗେଇ ହେଉନି ବୟସର କୃଷ୍ଣଚୂଡ଼ା।

ଏ ମାଟି ତୁମ ହାରିବାଟା ସ୍ୱୀକାର କରିପାରୁନି। ଅପେକ୍ଷା କରି ବସିଛି ତୁମ ଫେରିବାକୁ, ଅଫେରା ଇଲାକାରୁ। କାରଣ ସେ ଜାଣିଛି ତୁମେ ଅକ୍ଷୟ, ଆଉ କେହି ନୁହେଁ।

Spread the love
admin

View Comments

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago