ପର୍ଯ୍ୟଟନ କ୍ଷେତ୍ର

ସୋନପୁର ଜିଲ୍ଲାର ମେଟା ଲୁହୁରା ଓ ପଣତ କାନିର ଦେବୀ ମା’ ମେଟାକାନି

ଲେଖା: ଶିବାଶିଷ ମହାପାତ୍ର
ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ ଜିଲ୍ଲା ହେଲା ସୁବର୍ଣ୍ଣପୁର। ଛୋଟ ଏକ ଜିଲ୍ଲା, କିନ୍ତୁ ଏହାର କଳା, ସାହିତ୍ୟ, ସଂସ୍କୃତି ତଥା ସ୍ଥାପତ୍ୟ ଅନନ୍ୟ । ଏହି ଅଞ୍ଚଳ ତାହାର ମନ୍ଦିର ପାଇଁ ପ୍ରସିଦ୍ଧ। ଜଗନ୍ନାଥଙ୍କ ନବକଳେବର ପାଇଁ ମଧ୍ୟ ଏହି ଅଞ୍ଚଳର ଅବଦାନ ଅନେକ । ସ୍ବୟଂ ଜଗନ୍ନାଥ ମହାପ୍ରଭୁ ନିଜକୁ ଏହି ଅଞ୍ଚଳରେ ୧୪୪ ବର୍ଷ ଲୁଚେଇ ରଖିଥିଲେ । ଏହି ଅଞ୍ଚଳର ଅନେକ ମନ୍ଦିର ମଧ୍ୟରୁ ମା’ ମେଟାକାନିଙ୍କ ମନ୍ଦିର ଅନ୍ୟତମ ।
ନିଘଞ୍ଚ ବାଘଝଲପା ଜଙ୍ଗଲ ମଧ୍ୟରେ ଏହି ମନ୍ଦିରଟି ଅବସ୍ଥିତ । ଜଙ୍ଗଲର ନାମକରଣ ଏମିତି ଯାହା ଛାତିରେ ଛନକା ଦେଇଦେବ । ସୁବର୍ଣ୍ଣପୁର ଜିଲ୍ଲାର ସଦରମହକୁମା ସୋନପୁରରୁ ସମ୍ବଲପୁର ଯିବା ରାସ୍ତାରେ ଉଲୁଣ୍ଡା ଗ୍ରାମରୁ ୮ କିଲୋମିଟର ଅତିକ୍ରମ କଲାପରେ ମା’ ମେଟାକାନିଙ୍କ ସୁଦୃଶ୍ୟ ମୁଖଶାଳା ଦେଖାଯାଏ । ମୁଖ୍ୟ ରାସ୍ତାରୁ ୧ କି.ମି. ଜଙ୍ଗଲିଆ ରାସ୍ତାରେ ଭିତରକୁ ଗଲେ ପଡ଼ିବ ମା’ଙ୍କ ମୁଖ୍ୟ ମନ୍ଦିର ତଥା ଆସ୍ଥାନ ।
ଲୋକକଥା ତଥା ବିଶ୍ୱାସ ଅନୁସାରେ ଲୋକ ମାନେ ଏଠାକୁ ନିଜର ହଜି ଯାଇଥିବା ଜିନିଷ ଫେରି ପାଇବା ପାଇଁ ଆସିଥାନ୍ତି । ଏହାର ଅନେକ ଗୁଡ଼ିଏ ଉଦାହରଣ ସୃଷ୍ଟି ହୋଇଛି ।
ଅନେକ ଦିନ ତଳର କଥା । ଏବେକାର ବଉଦ ଜିଲ୍ଲାର ବାଉଁଶୁଣି ଗ୍ରାମରେ ପ୍ରତାପ ସିନ୍ଧୁ ନାମକ ଜଣେ ବ୍ୟକ୍ତି ପତ୍ନୀ ସୁକାନ୍ତିଙ୍କ ସହ ରହୁଥିଲେ । ସୁକାନ୍ତିଙ୍କ ଗର୍ଭରୁ ଏକ ଝିଅ ଜନ୍ମ ହେଲା, ଝିଅର ଅପରୁପ ସୁନ୍ଦରତାକୁ ଦେଖି ନାମ ଦେଲେ ହେମଲତା । ଜନ୍ମର ତିନି ମାସ ମଧ୍ୟରେ ମା ସୁକାନ୍ତିଙ୍କ ମୃତ୍ୟୁ ପରେ ଝିଅ ଛୁଆଟି ମା’ ଛେଉଣ୍ଡ ହେଇଗଲା । ବାପା ପ୍ରତାପଙ୍କ ମୁଣ୍ଡରେ ବଜ୍ରପାତ ହେଲା କେମିତି ସେହି ମା’ ଛେଉଣ୍ଡ ପିଲାଟିର ଲାଳନପାଳନ କରିବେ । ଏହି ଚିନ୍ତାରେ ସେ ହେମଲତାକୁ ଧରି ଏଠି ସେଠି ଘୁରିବୁଲିବାକୁ ଲାଗିଲେ । ଦିନେ ସୋନପୁର ରାଜା ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଜଣେ କ୍ରନ୍ଦନରତ ଲୋକକୁ ପାଇଲେ । ସେହି ବ୍ୟକ୍ତି ଜଣକ ଥିଲେ ପ୍ରତାପ ନିଜର କନ୍ୟା ହେମଲତା ସହିତ । ରାଜା ତାଙ୍କୁ କାନ୍ଦିବାର କାରଣ ପଚାରିଲେ । ନିଜର ଛୋଟ ଝିଅର ଲାଳନ ପାଳନର ଦୁଃଖ କହିଲେ । ଏଥୁଅନ୍ତେ ରାଜା ସେଇ ଝିଅର ପାଳନ ଭାର ସମ୍ଭାଳିବାକୁ କହିଲେ ଓ ନିଜ ଉଆସକୁ ନେଇ ଝିଅ କରି ରଖିଲେ । ଆଗରୁ ବାଲ୍ୟ ବିବାହ ପ୍ରଥା ଥିଲା । ଝିଅକୁ ଦେଖନିପାଲି ଗ୍ରାମର ବାସୁଦେବ ସହ ବିବାହ କରାଗଲା । ବାଲ୍ୟବିବାହ ହେଲେ ମଧ୍ୟ ବୟସ ନ ହେବା ଯୋଗୁଁ ହେମଲତା ରାଜାଙ୍କ ସହ ରହିବାକୁ ଲାଗିଲା ‌। ଠିକ୍ ବୟସ ହେଲାପରେ ରାଜା ହେମଲତାକୁ ଶାଶୁ ଘରକୁ ପଠେଇବାର ବନ୍ଦୋବସ୍ତ କଲେ । ଝିଅ ବିଦା ସମୟରେ ଦୁଃଖ ସହି ନପାରି ସେ ମା’ ସୁରେଶ୍ଵରୀଙ୍କ ଚରଣକୁ ଗଲେ । ଗୁହାରି କଲେ ଝିଅର ଦେଖାଶୁଣା ପାଇଁ । କନ୍ୟା ବିଦା ପାଇଁ ଅନେକ ସୈନ୍ୟସାମନ୍ତ ସହ ଜିନିଷ ସବୁ ରାଜା ପଠେଇଥିଲେ ।
ଏବେକାର ବାଘଝଲପା ଜଙ୍ଗଲ ପାଖରେ ହେମଲତା ଦେହରେ ଦେବି ସୁରେଶ୍ଵରୀ ବିରାଜମାନ କଲେ । ସମସ୍ତେ ଭାବିବାକୁ ଲାଗିଲେ କଣ କରିବେ ବୋଲି। ଜଙ୍ଗଲ ମଧ୍ୟରେ କାହାକୁ ଖୋଜିବେ ଏମିତି ଭାବୁ ଭାବୁ ଇତମେଣ୍ଡା ଗାଁ ର ମେଟା ନାମ୍ନୀ ଜଣେ ଲୁହୁରାକୁ ପାଇଲେ ଓ ସବୁ କଥା କହିଲେ। ସେହି ଲୁହୁରା ମେଟା ଜଣେ ତାନ୍ତ୍ରିକ ତଥା ଗୁଣିଆ ଥିଲା । ସେହି ଲୁହୁରା ପୂଜା କରିବା ମାତ୍ରେ ଦେବି ମା’ ସୁରେଶ୍ଵରୀ ପ୍ରଚଣ୍ଡ ରୂପେ ରାଗି ଆବିର୍ଭାବ ହୋଇ ସବୁ ବନ୍ଦ କରିବାକୁ ଆଦେଶ ଦେଲେ । ମା’ ନିଜର ପରିଚୟ ଦେଇ ହେମଲତା ଦେହରୁ ସବୁ ସୁବର୍ଣ୍ଣ ଅଳଙ୍କାର ଖୋଲି ଏକ ନିର୍ଦ୍ଦିଷ୍ଟ ବୃକ୍ଷ ମୂଳରେ ରଖିବାକୁ ଆଦେଶ ଦେଲେ। ଦେବୀଙ୍କ ନିର୍ଦ୍ଦେଶ ଥିଲା, ମେଟା ମଧ୍ୟ ଦେବୀଙ୍କ ସହ ପୂଜା ପାଇବ । ମେଟା ଲୁହୁରାର ନାମ ସହିତ ଦେବି ହେମଲତାର ପଣତ କାନିରେ ଆସିଥିବା ଯୋଗୁଁ ମେଟାକାନି ରୂପେ ପରିଚିତ ହେଲେ । ଏହା ପରେ ମେଟା ଲୁହୁରା ଓ ହେମଲତା ଅନ୍ତର୍ଦ୍ଧାନ ହେଇଗଲେ ।
ଏହି ଖବର ରାଜାଙ୍କ ପାଖରେ ପହଞ୍ଚିଲା । ରାଜା ଲୋକ ପଠେଇଲେ ଖୋଜା ଖୋଜି କଲେ କିନ୍ତୁ ସବୁ ବ୍ୟର୍ଥ ଗଲା । ଧିରେ ଧିରେ ଲୋକ ମାନେ ଭୂଲିବାକୁ ଲାଗିଲେ । ତେଣେ ଦେବୀ ବାଘ ରୂପରେ ଜଙ୍ଗଲର ଆଖପାଖ ଲୋକଙ୍କୁ ଡରେଇବାକୁ ଲାଗିଲେ । ସେଥିପାଇଁ ଜଙ୍ଗଲକୁ ଆଜି ମଧ୍ୟ ଲୋକେ ବାଘଝଲପା ଜଙ୍ଗଲ ବୋଲି କୁହନ୍ତି । ବାଘର ଶିକାର ପାଇଁ ସ୍ବୟଂ ରାଜା ଆସିଲେ । ଦେବୀ ସେହି ସ୍ଥାନରେ ଆବିର୍ଭାବ ହୋଇ ନିଜର ପରିଚୟ ଦେଇ ପୂଜା ଅର୍ଚ୍ଚନାର ବ୍ୟବସ୍ଥା କରେଇଥିଲେ। ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତା କଡ଼ରେ ଆଉ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଛି । ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଯାନବାହାନ ଏହି ମନ୍ଦିର ସାମ୍ନାରେ ରହି ପୂଜାର୍ଚ୍ଚନା କରିଥାନ୍ତି ।
ସେହି ଦିନ ଠାରୁ ମା’ ଏକ ଗଛମୂଳେ ପୂଜା ପାଇଁ ଆସୁଥିଲେ । ଏବେକାର ମନ୍ଦିରଟି ଜଣେ ଭକ୍ତ ବୁଲୁ ବିଶ୍ବାଳଙ୍କ ଦ୍ଵାରା ନିର୍ମିତ । ସବୁଦିନ ଏହି ମନ୍ଦିରରେ ଭିଡ ହୁଏ କିନ୍ତୁ ମଙ୍ଗଳବାର ଦିନ ଓ ଚୈତ୍ର ମାସରେ ଅପେକ୍ଷାକୃତ ବହୁତ ଲୋକ ଆସନ୍ତି । ଆଖପାଖ ଜିଲ୍ଲା ତଥା ସୁଦୂର ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ଅନେକ ଶ୍ରଦ୍ଧାଳୁମାନେ ବିଶ୍ୱାସ ରଖି ଆସିଥାନ୍ତି । ପାନୀୟ ଜଳ, ସବୁଦିନିଆ ରାସ୍ତା ତଥା ଯାତ୍ରୀ ପ୍ରତୀକ୍ଷାଳୟ ଭଳି କିଛି ଅତ୍ୟାବଶ୍ୟକ ସେବା ଓ ସୁବିଧା ସୁଯୋଗ ଯୋଗାଇ ଦେଲେ ଏହି ଅଞ୍ଚଳର ଉନ୍ନତି ହେଇପାରିବ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago