ଲେଖା: ଅରବିନ୍ଦ ମହାନ୍ତି
ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଓ ମୁକ୍ତେଶ୍ଵର ଦେଉଳର ଠିକ୍ ପାର୍ଶ୍ୱରେ ସିଦ୍ଧେଶ୍ୱର ଦେଉଳ ଅବସ୍ଥିତ। ଜଗନ୍ନାଥ ସଡକର ଦକ୍ଷିଣ ପଟକୁ ଲାଗି ଏହି ସ୍ଥାନ। କେଦାରେଶ୍ବର, ଗୌରୀ ମନ୍ଦିରମୁକ୍ତେଶ୍ଵର ଦେଉଳକୁ ଲୋକ ଯେମିତି ଜାଣନ୍ତି ପ୍ରାୟ ସମସ୍ତେ ଏହାଙ୍କୁ ସେମିତି ଜାଣନ୍ତି ନାହିଁ। ପୂର୍ବେ ଏହି ସମସ୍ତ ମନ୍ଦିର ଗୋଟିଏ ପରିସର ମଧ୍ୟରେ ଥିଲେ।
କୁହାଯାଏ, କେଦାରଗୌରୀ ଠାରୁ ଆରମ୍ଭ କରି ପରଶୁରାମେଶ୍ୱର ପର୍ଯ୍ୟନ୍ତ ସ୍ଥାନ ସିଦ୍ଧେଶ୍ବରଙ୍କ ଆସ୍ଥାନ ହେତୁ ଏହା ସିଦ୍ଧବନ ନାମେ ପରିଚିତ ଏବଂ କେଦାରେଶ୍ବରଙ୍କୁ ସିଦ୍ଧବନ ଆଶ୍ରିତ କେଦାରେଶ୍ବର ଓ ଗୌରୀଙ୍କୁ ସିଦ୍ଧବନାଶ୍ରିତା ଗୌରୀ ବୋଲି କୁହାଯାଇଥାଏ। ଏଥିରୁ ଜଣାପଡେ ଏହାର ମହତ୍ତ୍ୱ କେତେ ଅଧିକ। ତେବେ ସିଦ୍ଧେଶ୍ବରଙ୍କ ସିଦ୍ଧ ନାମ କାହିଁକି ହେଲା ଏବେ ତାହା ଜାଣିବା।
ଯେତେବେଳେ ବିନ୍ଦୁସାଗର ବେଦପତି ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା ହେଲା ତାହାପରେ ସେହି ବିନ୍ଦୁ ସରୋବରରେ ସମସ୍ତ ଦେବତା ସେଥିରେ ସ୍ନାନ କରି ନିଜ ନିଜ ଇଷ୍ଟ ସ୍ୱରୂପରେ ଗୋଟିଏ ଗୋଟିଏ ଶିବଲିଙ୍ଗ ପ୍ରତିଷ୍ଠା କଲେ। ପ୍ରତିଷ୍ଠା ଓ ପୂଜନ ଅନ୍ତେ ସ୍ୱର୍ଣାଦ୍ରିରେ ସ୍ୱୟମ୍ଭୁ ହିରଣ୍ୟଗର୍ଭ ପରମେଶ୍ୱରଙ୍କୁ ଦର୍ଶନ କରିଥିଲେ। ବହୁ କାଳ ଅନ୍ତେ ସ୍ୱୟଂ ନାରାୟଣ ଏହି କ୍ଷେତ୍ରକୁ ପଦାର୍ପଣ କରି ନିଜ ଇଷ୍ଟଲିଙ୍ଗ ରୂପେ ଏହି ଲିଙ୍ଗଙ୍କୁ ପ୍ରତିଷ୍ଠା କରିଥିଲେ। ସ୍ଥାପନା ପରେ ପରମେଶ୍ୱରଙ୍କୁ ଏହିଠାରେ ସ୍ତୁତି ଅର୍ଚ୍ଚନା କରିଥିଲେ। ବିଷ୍ଣୁଙ୍କ ସ୍ତୁତିରେ ପ୍ରସନ୍ନ ହୋଇ ମହାପ୍ରଭୁ ଲିଙ୍ଗରାଜ ତାଙ୍କୁ ବରଦାନ ଦେଲେ ଯେ “ଯେହେତୁ ଆପଣ ଏହି ଲିଙ୍ଗରେ ମୋତେ ଆରାଧନା କଲେ ତେଣୁ ଏହା ଆମ୍ଭ ସାନ୍ନିଧ୍ୟରେ ଏହା ସିଦ୍ଧେଶ୍ବର ନାମ ବହନ କରି ଚିରକାଳ ରହିବ ଓ ଯେଉଁ ଭକ୍ତ ମୋତେ ଏହିଠାରେ ଆରାଧନା କରିବ ତାହାର ସମସ୍ତ କାମନା ସିଦ୍ଧି ଲାଭ କରିବ”। ଏହା ଶ୍ରୀ ହରିଙ୍କ ଦ୍ୱାରା ପ୍ରତିଷ୍ଠିତ ଲିଙ୍ଗ ହେତୁ ଏହାଙ୍କୁ ପୂଜା କଲେ ସ୍ୱୟଂ ଶ୍ରୀ ହରି ମଧ୍ୟ ବହୁ ପ୍ରସନ୍ନ ହୋଇଥା’ନ୍ତି। ଏହା ସ୍ୱର୍ଣାଦ୍ରି ମହୋଦୟର ଉକ୍ତି।
ହରିଙ୍କ ଦ୍ୱାରା ପ୍ରତିଷ୍ଠିତ ହେତୁ ଏହି ଦେଉଳରେ ହରିଙ୍କ ପ୍ରିୟ ପୀତବର୍ଣ୍ଣ ଧ୍ୱଜା ଲାଗି ହୋଇଥାଏ।
ସିଦ୍ଧେଶ୍ବର ଦେଉଳ କଳିଙ୍ଗ ପଞ୍ଚରଥ ରେଖା ଶୈଳୀରେ ନିର୍ମିତ ହୋଇଅଛି। ଏହି ଦେଉଳ ଗର୍ଭଗୃହ, ଜଗମୋହନ ଆଦି ଦ୍ବିବିଧା ଭାଗରେ ବିଭକ୍ତ। ଗର୍ଭ ଗୃହରେ ସ୍ୱୟଂ ନାରାୟଣ ପ୍ରତିଷ୍ଠିତ ସିଦ୍ଧେଶ୍ବର ଲିଙ୍ଗ ବିରାଜମାନ କରିଅଛନ୍ତି।  ମନ୍ଦିର ନିର୍ମାଣ ସମୟ ୧୨-୧୩ ଶତାବ୍ଦୀ। ଦେଉଳର ସମ୍ମୁଖ ଭାଗରେ ଏକ ସୁବିସ୍ତୀର୍ଣ୍ଣ ବାରଣ୍ଡା ରହିଅଛି। ଏହି ମନ୍ଦିରର ଜଗମୋହନ ସହ ରାଜାରାଣୀ ଓ ମୁକ୍ତେଶ୍ଵର ଦେଉଳର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ। ସୂକ୍ଷ୍ମ କାରୁକାର୍ଯ୍ୟ ବିହୀନ ହୋଇଥିଲେ ମଧ୍ୟ ଏହା କଳିଙ୍ଗ ଶିଳ୍ପ କଳାର ଅନ୍ୟତମ ଉଦାହରଣ ଅଟେ। ପାର୍ଶ୍ୱ ଦେବତା ଭାବେ ଗଣେଶ, କୁମାର ଓ ଦେବୀ ପାର୍ବତୀ ରହି ଅଛନ୍ତି। ମନ୍ଦିରର ବିଶେଷ ପର୍ବ ଭାବେ ମହାଶିବରାତ୍ରି ବିଶେଷ ଭାବେ ପରିଚିତ। ବିଶେଷ ଆକର୍ଷଣ ଭାବେ ବହୁ ଶୁକପକ୍ଷୀ ଏହି ସିଦ୍ଧେଶ୍ୱର ଦେଉଳଚୂଡାରେ ବାସ କରନ୍ତି।
Images: Sabya Sachi Ghosh
©Shree Lingaraja Mahaprabhu
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago