ଲେଖା: ରବୀନ୍ଦ୍ର କୁମାର ରଣା

ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଗୋଟିଏ ଅତି ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ ବା ବାଲି ସିଂହାସନ ପୀଠ । ମହାନଦୀର ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ କୁଦରେ ଏହି ପ୍ରାଚୀନ ଐତିହାସିକ ପୀଠଟି ଅବସ୍ଥିତ ।

ଓଡ଼ିଶାରେ ଭୌମକରମାନଙ୍କ ଶାସନ ସମୟରେ ନବମ ଶତବ୍ଦୀରେ ଏହି ପ୍ରାଚୀନ ଐତିହପୂର୍ଣ୍ଣ ମନ୍ଦିରଟି ନିର୍ମାଣ ହୋଇଥିଲା । ମନ୍ଦିର ଚାରିପାଖରେ ଦେବଦାରୁ ଗଛରେ ପରିପୂର୍ଣ୍ଣ ସବୁଜ ବନାନୀ ଯେତିକି ଆମୋଦିତ କରେ ମନ୍ଦିରର କାରୁକାର୍ଯ୍ୟ ମଧ୍ଯ ତା’ ଠାରୁ ବେଶୀ ମନ ମୋହିନିଏ ।

ପୌରାଣିକ କାହାଣୀ ଆଧାରରେ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟରେ ରାମ, ଲକ୍ଷ୍ମଣ, ସୀତା ଏହି ସ୍ଥାନରେ କିଛି ଦିନ ରହିଥିଲେ । ସମବାହୁ ତ୍ରିଭୁଜର ଶୀର୍ଷ ଆକୃତିର ତିନୋଟି ପାହାଡ଼ ଉପରେ ତିନୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । ସେଥିମଧ୍ୟରୁ ନଦୀ ଭିତରେ ସିଂହନାଥ  ଓ ବୈଦେଶ୍ୱରରେ ନଦୀ କୂଳରେ ରାମନାଥ ଏବଂ ବୈଦ୍ୟନାଥଙ୍କ ମନ୍ଦିର ଅବସ୍ଥିତ ।

ତେବେ ମହାନଦୀ ଭିତରେ ଥିବା ସିଂହନାଥ ପୀଠର ମନ୍ଦିର କିନ୍ତୁ ସବୁଠୁ ପ୍ରାଚୀନ । ଭୁବନେଶ୍ବରର ପର୍ଶୁରାମେଶ୍ଵର ମନ୍ଦିର, ଗନ୍ଧରାଡିର ଚାରିଶମ୍ଭୁ ମନ୍ଦିର ଓ ଚଉରାଶିର ବାରାହୀ ମନ୍ଦିରର ଜଗମୋହନର ନିର୍ମାଣ ଶୈଳୀ ପରି ଏହି ମନ୍ଦିରର ବିମାନର ଗଠନ ରେଖା ଶୈଳୀରେ ଏବଂ ଜଗମୋହନର ଆକାର ଆୟତାକାର ଚଟାଣ ଓ ସମତଳ ଛାତ ଅଟେ। ଜଗମୋହନର ଛାତର ଧାରରେ ରାମାୟଣ ଯୁଦ୍ଧର ଚିତ୍ର ଖୋଦିତ ହୋଇଥିବା ବେଳେ ମନ୍ଦିର ଚାରିପାଖରେ ରାମାୟଣର କଥାବସ୍ତୁ ପଥରରେ ଖୋଦିତ ହୋଇଛି। ତ୍ରିରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ପରିସରରେ ମୂଳ ସିଂହନାଥଙ୍କ ମନ୍ଦିର ସହିତ ଜମ୍ବେଶ୍ଵର ଓ ଇଶାନେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି। ମନ୍ଦିରର ସାମ୍ନା କାନ୍ଥରେ ଗଙ୍ଗା ଯମୁନାଙ୍କ ମୂର୍ତ୍ତି ସହିତ ପ୍ରବେଶ ପଥରେ ସପ୍ତମାତୃକାଙ୍କ ମୂର୍ତ୍ତି, ବାମପଟେ ବୀରଭଦ୍ର, ମାହେଶ୍ୱରୀ, ବୈଷ୍ଣବୀ, ଇନ୍ଦ୍ରାଣୀ ଓ ଡାହାଣ ପଟେ ବ୍ରାହ୍ମଣୀ, ବରାହୀ, ଚାମୁଣ୍ଡାଙ୍କ ମୂର୍ତ୍ତି ରହିଛି ଏହା ବ୍ୟତୀତ କାନ୍ଥରେ ଅର୍ଦ୍ଧନାରୀଶ୍ଵର, ହରିହର, ଏକପାଦଭୈରବଙ୍କ ମୂର୍ତ୍ତି ମଧ୍ୟ ରହିଛି। ବିମାନର ଦ୍ଵାର ବନ୍ଧ ଉପରେ ଅଷ୍ଟଗ୍ରହଙ୍କ ମୂର୍ତ୍ତି ଦେଖାଯାଏ ।

ସପ୍ତଦଶ ଶତାବ୍ଦୀରେ ବଡମ୍ବା ରାଜା ନାରାୟଣ ମଙ୍ଗରାଜ (୧୬୧୭ – ୧୬୩୫) ଏହି ମନ୍ଦିରର କିଛି ମରାମତି କାର୍ଯ୍ୟ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସିଂହନାଥ ପୀଠରେ ଆଉ ଦୁଇଟି ପ୍ରାଚୀନ ମନ୍ଦିର ମଧ୍ଯ ରହିଛି, ଗୋଟିଏ ହେଲା ରଘୁନାଥ ମନ୍ଦିର ଓ ଅନ୍ୟଟି ଦକ୍ଷିଣକାଳୀ ମନ୍ଦିର । ବଡ଼ମ୍ବାର ରାଜା ବଜ୍ରଧର ରାଉତ (୧୫୬୦ – ୧୫୮୪) ରଘୁନାଥ ମନ୍ଦିରଟି ନିର୍ମାଣ କରିଥିଲେ ଏବଂ ବଡ଼ମ୍ବା ରାଜା ପଦ୍ମନାଭ ବୀରବର ମଙ୍ଗରାଜ ମହାପାତ୍ର (୧୭୮୪ – ୧୭୯୬)  ଦକ୍ଷୀଣକାଳୀ ମନ୍ଦିରଟି ନିର୍ମାଣ କରିଥିଲେ ।

ସିଂହନାଥ ପାହାଡ଼ ଉପରେ ସୀତାକୁଣ୍ଡ ବୋଲି ଗୋଟିଏ ଛୋଟିଆ କୁଣ୍ଡ ରହିଛି ଯେଉଁଠାରେ ଖରାଦିନେ ମଧ୍ଯ ସେଇ କୁଣ୍ଡରେ ପାଣି ରହିଥାଏ ଏବଂ ରଘୁନାଥ ମନ୍ଦିର ପାଖରେ ଗୋଟିଏ ଗୁମ୍ଫା ମଧ୍ଯ ରହିଛି । ସଂସ୍କୃତି ଓ ପରମ୍ପରାକୁ ଧରି ରଖିଥିବା ଏହି ସିଂହନାଥ ପୀଠରେ ପ୍ରତିବର୍ଷ ମକର ମେଳା ହୋଇ ଆସୁଅଛି । ଇତିହାସ କହେ, ବଡ଼ମ୍ବାର ରାଜା ମାଧବ ରାଉତ (୧୫୧୪ – ୧୫୩୭) ପ୍ରଥମେ ଏଠାରେ ମକର ମେଳା ଆୟୋଜନ କରିଥିଲେ । ସେବେଠାରୁ ପ୍ରତି ମକର ସଂକ୍ରାନ୍ତିରେ ଏଠାରେ ବିରାଟ ଯାତ୍ରା ଅନୁଷ୍ଠିତ ହେଉଅଛି । ଏବେ ତିନି ଦିନ ଧରି ଅତି ଯାକଜମକରେ ଏଠାରେ ମକର ମେଳା ଆୟୋଜନ ହେଉଅଛି । ମକର ସଂକ୍ରାନ୍ତିଠାରୁ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପିନାଥପୁର ପଟେ ନଦୀରେ ପ୍ରାୟ ପାଣି ନ ଥାଏ ଏବଂ ଅସ୍ଥାୟୀ ମୋରମ ରାସ୍ତା ବି ନିର୍ମାଣ କରାଯାଇଥାଏ, ତେଣୁ ଏହି ସମୟରେ ଗାଡି଼ରେ ସେ ସ୍ଥାନକୁ ଯାଇ ହେବ ।

ବଡ଼ମ୍ବାରୁ ୮ କି.ମି. ଦୂରରେ ଗୋପିନାଥପୁର ଗ୍ରାମ ଯାହାକି ବଡ଼ମ୍ବା ରାଜା ଗୋପିନାଥ ମଙ୍ଗରାଜଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ଏହି ଗ୍ରାମର ମହାନଦୀ କୂଳରୁ ୧ କି.ମି. ନଦୀ ଭିତରେ ଏହି ପ୍ରସିଦ୍ଧ ସିଂହନାଥ ପୀଠ ଅବସ୍ଥିତ । ବଡ଼ ଖୁସିର କଥା, ଏହିଠାରେ ମହାନଦୀ ଉପରେ ଏକ ପୋଲ ନିର୍ମାଣ କାମ ଚାଲିଛି ଆସନ୍ତା ଏକ ବର୍ଷ ମଧ୍ୟରେ ଏହା ସରିଯାଇପାରେ. ତେବେ ଆସନ୍ତା ବର୍ଷେ ଦୁଇ ବର୍ଷ ମଧ୍ୟରେ ତ୍ରିକୂଟ ଧାମ ବୈଦେଶ୍ୱରରୁ ସିଂହନାଥ ପୀଠକୁ ସଡକ ପଥରେ ଯିବାର ସୁଯୋଗ ମିଳିବ ଏବଂ ଏହା ଓଡିଶାର ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇ ପାରିବ ଏହା ନିଃସନ୍ଦେହ ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago