ସାର୍ ବାସୁଦେବ ସୁଢଳଦେବ 

ଲେଖା: ଅମ୍ରିତେଶ ଖଟୁଆ

ରାଜପ୍ରବୀର, ନବ ଉତ୍କଳରେ ଅଗ୍ରଗଣ୍ୟ ହେବାରେ ସୁରଭାରତୀ ସମୁପାସକ ହେଉଛନ୍ତି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ। ଅନ୍ଧାରୀ ଶାସକମାନଙ୍କ ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ କବଳିତ ଓ ଅତ୍ୟାଚାରିତ ପ୍ରଜାମାନେ ନିର୍ଯ୍ୟାତନା ସହୁଥିଲେ, ତତ୍କାଳୀନ ରାଜ୍ୟ ବାମଣ୍ଡା ରାଜା ସୁଢଳଦେବ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଯେଉଁ ବିକାଶ ଘଟାଇଲେ, ତାହା ସେ ସମୟରେ ବିରଳ ନିଦର୍ଶନ।

ସାର୍ ବାସୁଦେବ ସୁଢଳଦେବ ୧୮୫୦ ମସିହା ମେ ମାସ ୧୬ ତାରିଖରେ ବାମଣ୍ଡା ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ବଡ଼କୁମାର ହରିହର ଦେବ, ତତ୍କାଳୀନ ରାଜା ବ୍ରଜସୁନ୍ଦର ଦେବଙ୍କ ତୃତୀୟ ଭାଇ ଥିଲେ।

ଶୈଶବରୁ ତାଙ୍କ ଚଳଚଞ୍ଚଳ ପ୍ରକୃତିରୁ ଅସାମାନ୍ୟ ପ୍ରତିଭାର ପରିଚିତି ମିଳିଥିଲା। ନଅବର୍ଷ ବୟସରେ ତାଙ୍କ ଉପନୟନ କରାଯାଇ ଓଡ଼ିଆ ଓ ସଂସ୍କୃତ ଶିକ୍ଷା ନିମନ୍ତେ ବ୍ୟବସ୍ଥା କଲେ ରାଜା ବ୍ରଜସୁନ୍ଦର ଦେବ। ତାଙ୍କର ଗୁରୁ ଥିଲେ ଆନନ୍ଦବର୍ମା, ପୁରୁଷୋତ୍ତମ ତର୍କାଳଙ୍କାରଭୁବନେଶ୍ୱର ବଡ଼ପଣ୍ଡା, ଯାହାଙ୍କ ନିକଟରୁ ସେ କାବ୍ୟ, ନାଟକ, ଅଳଙ୍କାର, ନ୍ୟାୟ, ବେଦ, ବେଦାନ୍ତ ପ୍ରଭୃତି ଶାସ୍ତ୍ର ଅଧ୍ୟୟନ କରିଥିଲେ। ୧୮୬୯ ମସିହାରେ ବ୍ରଜସୁନ୍ଦର ଦେବଙ୍କ ଦେହାନ୍ତ ଅନ୍ତେ ବାସୁଦେବ ସୁଢଳଦେବ, ମାତ୍ର ୧୮ ବର୍ଷ ବୟସରେ ରାଜସିଂହାସନରେ ବସିଲେ। ନିଜ ପିତା ହରିହର ଦେବଙ୍କ ତତ୍ତ୍ୱାବଧାନରେ ଶାସନ ଦାୟିତ୍ବ ପରିଚାଳିତ ହେବା ଫଳରେ ଦୁହିଁଙ୍କର ଭିତରେ ମତଭେଦ ସୃଷ୍ଟି ହେଲା, ଓ ତାଙ୍କ ପିତା ରାଜ୍ୟ ଛାଡି ଅନ୍ୟତ୍ର ବାସ କଲେ। ଏହା ପରବର୍ତ୍ତୀ ସମୟ ରାଜା ସୁଢଳଦେବ ପ୍ରତ୍ୟକ୍ଷ ଶାସନ କରିଥିଲେ।

୧୮୭୧ ମସିହାରେ, କଳାହାଣ୍ଡି ମହାରାଜା ଉଦିତ୍ ପ୍ରତାପ ଦେବଙ୍କ ମଧ୍ୟମା କନ୍ୟା ଗିରିରାଜ କୁମାରୀଙ୍କ ସହ ତାଙ୍କ ବିବାହ ହେଲା। ସେ ଥିଲେ ସାହିତ୍ୟନିପୁଣା ଓ ସୁଲଳିତା ଗାୟିକା। ମାତ୍ର,  ୧୮୭୨ ମସିହା ମେ ୩ ତାରିଖ ଦିନ ନିଜ ପୁତ୍ର ସଚ୍ଚିଦାନନ୍ଦଙ୍କ ଜନ୍ମର କେଇ ମାସ ପରେ ଗିରିରାଜ କୁମାରୀଙ୍କ ଦେହାନ୍ତ ହେଲା। ପ୍ରିୟତମା ପତ୍ନୀଙ୍କ ଦେହାନ୍ତରେ ଦୁଃଖାଭିଭୂତ ରାଜା ସୁଢଳଦେବ ମନ ପରିପର୍ତ୍ତନ ନିମନ୍ତେ ଦେଶଭ୍ରମଣ ନିମନ୍ତେ ପ୍ରସ୍ଥାନ କରିଲେ। ସମ୍ବଲପୁର ପଲିଟିକାଲ୍ ଏଜେଣ୍ଟଙ୍କ ପରାମର୍ଶ କ୍ରମେ ସେ ମହାନଦୀ ସାହାଯ୍ୟରେ କଟକ ଗସ୍ତ କଲେ। ମହାନଦୀର ଉଭୟ ପାର୍ଶ୍ବର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ସେ ରଚନା କରିଥିଲେ “ଚିତ୍ରୋତ୍ପଳା” ନାମକ ସୁନ୍ଦର କାବ୍ୟ। ସେ କାବ୍ୟରେ ସେ ଚିତ୍ତାକର୍ଷକ ବର୍ଣ୍ଣନା କରିଛନ୍ତି:
“ମୂର୍ତ୍ତିକା ଚର୍ଚ୍ଚିତ କରିବର ପ୍ରାୟେ
ଭାସୁଛନ୍ତି ଫେନାବଳୀ,
ନୃଶଂସ ଉରଗ ଉଦରେ ପୂରାଇ,                                                                                      ଆସୁଛନ୍ତି ଢଳି ଢଳି।”

ଏହା ପରେ ସେ କଟକଠାରେ ପହଞ୍ଚି ଗୌରୀଶଙ୍କର ରାୟଙ୍କୁ ସାକ୍ଷାତ କରି ଉତ୍କଳ ପ୍ରିଣ୍ଟିଂ କମ୍ପାନୀଓଡ଼ିଶା ମିଶନ ପ୍ରେସ୍ ପରିଦର୍ଶନ କରିଥିଲେ। କଟକରେ କମିଶନର ଅଫିସ, ଖ୍ରୀଷ୍ଟିଆନମାନଙ୍କ ଧର୍ମପୀଠ ଆଦି ପରିଦର୍ଶନ କରି ଚାନ୍ଦବାଲିରୁ ଜାହାଜରେ କଲିକତା, ପରେ କାଶୀ ଏବଂ ଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ ନିଜ ରାଜ୍ୟରେ ବିକାଶ ନିମନ୍ତେ ଏହି ଅଭିଜ୍ଞତା ସବୁର ଉପଯୋଗ ନିମନ୍ତେ ମନସ୍ଥ କଲେ।

ମହାରାଜା ସାର୍ ବାସୁଦେବ ସୁଢଳଦେବ ୨୮ଟି ପ୍ରାଥମିକ ଓ ବାମଣ୍ଡାର ରାଜଧାନୀ ଦେଓଗଡ଼ଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ଉଚ୍ଚବିଦ୍ୟାଳୟଟି କଲିକତା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଥିଲା । ବହୁ ଉଚ୍ଚଶିକ୍ଷିତ ଓ ଯୋଗ୍ୟ ଶିକ୍ଷକମାନଙ୍କୁ ଆଣି ପାଠ ପଢାଯାଉଥିଲା । ବାମଣ୍ଡାର ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ସୁବିଧା ପାଇଁ, ସେ ବ୍ରାହ୍ମଣୀ ନଦୀ ଦେଇ କଟକ ସହ ରାସ୍ତା ସଂଯୋଗ କରିଥିଲେ । ଅନ୍ୟ ଦେଶୀୟ ରାଜ୍ୟମାନଙ୍କ ସହ ସଡ଼କପଥରେ ସଂଯୋଗ ସାଧନ କରାଯାଇଥିଲା । ବାମଣ୍ଡାରେ ଏକ ବୃହତ କରତ କଳ ସ୍ଥାପନା କରି, ସେ ରୋଜଗାରର ସୁଯୋଗ ସୃଷ୍ଟି କରିଥିଲେ । ବିଜ୍ଞାନ ଓ ପ୍ରାଦ୍ୟୋଗିକୀ କ୍ଷେତ୍ରରେ ସେ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ । ଦେଓଗଡ଼ଠାରେ ସେ ଏକ ଅବଜର୍ଭେଟରି ପ୍ରତିଷ୍ଠା କରିଥିଲେ । ଏକ୍ସ-ରେ ଓ ଟେଲିସ୍କୋପ ମେସିନ କ୍ରୟ କରି ଲୋକର୍ପିତ କରିଥିଲେ ।

୧୮୯୪ ମସିହାରେ ବାମଣ୍ଡାରେ ପୋଷ୍ଟ ଅଫିସ ପ୍ରତିଷ୍ଠା କରାଯାଇଥିଲା ଓ ୧୯୦୦ ମସିହାରେ ବାମଣ୍ଡାକୁ ଟେଲିଫୋନ ସଂଯୋଗ କରାଯାଇଥିଲା । ବାଲ୍ୟବିବାହ ଓ ଯୌତୁକ ପ୍ରଥାର ବିଲୋପ କରିଥିଲେ । ଅନାଥ ପିଲା ଓ ବିଧବାମାନଙ୍କ ଥଇଥାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ । ନିଶାଦ୍ରବ୍ୟର ସେ ଘୋର ବିରୋଧୀ ଥିଲେ । ରାଜା ହୋଇ ମଧ୍ୟ, ସେ ନିରାଡମ୍ବର ଜୀବନ ଯାପନ କରୁଥିଲେ । ଅଙ୍ଗରକ୍ଷୀ ଅବା ଛତ୍ର-ଚାମରଧାରୀ ଆଦି ସୀମିତ ବ୍ୟବହାର କରୁଥିଲେ । କଳାଭାସ୍କର୍ଯ୍ୟର ସେ ପ୍ରଶଂସକ ଥିଲେ।

 

କୃଷିରେ ଉନ୍ନତି ସକାଶେ “ରାଜସ୍ୱ ବିଭାଗ” ନାମରେ ନୂତନ ବିଭାଗ ଖୋଲିଲେ। କୃଷି ଉପଯୋଗୀ ଜମିକୁ ତିନି ଭାଗରେ ବିଭକ୍ତ କରାଯାଇ ଭିନ୍ନ ଭିନ୍ନ ହାରରେ ରାଜସ୍ବ ଧାର୍ଯ୍ୟ କରାଗଲା। ସେ ସିଂହାସନ ଆରୋହଣ କଲା ସମୟରେ ରାଜସ୍ବ ମାତ୍ର ଛଅ ହଜାର ଟଙ୍କା ଥିଲା। ତାଙ୍କର ୩୪ ବର୍ଷ ଶାସନ ମଧ୍ୟରେ ରାଜସ୍ବ ୧ ଲକ୍ଷ ୭୨ ହଜାର ୩୧୦ ଟଙ୍କାକୁ ବୃଦ୍ଧି ପାଇଲା। କୃଷି ସଂପର୍କରେ କୃଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଦେବଗଡଠାରୁ ଦଶ ମାଇଲ ଦୂର ବଲସ ନାମକ ସ୍ଥାନରେ ସେ ଏକ ଆଦର୍ଶ କୃଷିକ୍ଷେତ୍ର ପ୍ରତିଷ୍ଠା କରିଥିଲେ। ନିଜ ରାଜ୍ୟରେ ସ୍ଥାୟୀ ଜଳସେଚନର ବ୍ୟବସ୍ଥା ପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ। ଫଳରେ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଲା।

ଦେବଗଡ଼ର ଉତ୍ତର ଦିଗରେ ପ୍ରଧାନପାଟ ଜଳପ୍ରପାତ ପର୍ବତର ପାଦଦେଶରୁ ଇଟା ଦ୍ୱାରା ପ୍ରଣାଳୀମାନ ତିଆରି କରାଯାଇ ସେହି ବାଟେ ଗୋଟେ ଜଳଭଣ୍ଡାର ସୃଷ୍ଟି କରାଗଲା। ସେହି ଜଳ ବର୍ତ୍ତମାନ ଯାଏଁ ମଧ୍ୟ ସହରବାସୀଙ୍କୁ ଯୋଗାଣ ହେଉଛି। ବାମଣ୍ଡାରେ କଳାଜିରା ଓ ମତୁଆଳୀ ନାମକ ଦୁଇ ପାହାଡିଆ ନଦୀରେ ବନ୍ଧ ପକାଇ, ସେହି ଆବଦ୍ଧ ଜଳକୁ ନେଇ ଆନିକଟ କରାଗଲା। ଜମିମାନଙ୍କରେ ଜଳ ମଡାଇବା ବ୍ୟବସ୍ଥା କରାଇବା ତାଙ୍କ ଅସାଧାରଣ ଚିନ୍ତା ଓ ପ୍ରତିଭାର ପରିଚାୟକ।

ପ୍ରଚୁର ମାତ୍ରାରେ ଅର୍ଥ ବ୍ୟୟ କରି ରାଜ୍ୟ ଭିତରେ ଗମନାଗମନ ସୁବିଧା ପାଇଁ ସାର୍ ବାସୁଦେବ ସୁଢଳଦେବ ବହୁତ ରାଜପଥ ନିର୍ମାଣ କରାଇଥିଲେ। ସେ ସମୟରେ ଇଞ୍ଜିନିୟର ମାନଙ୍କ ଅଭାବ ଥିବାରୁ ସେ ନିଜେ ମାନଚିତ୍ର ଅଙ୍କନ କରି କେଉଁ ପଥରେ ଗଲେ ଅଳ୍ପ ଖର୍ଚ୍ଚରେ ରାସ୍ତା ନିର୍ମାଣ ହୋଇପାରିବ ତାହା ସ୍ଥିରୀକୃତ କରୁଥିଲେ। ପାହାଡ଼ ଉପର ଦେଇ ପଥ ନିର୍ମାଣ କୌଶଳ ଓ ସ୍ଥାପତ୍ୟ ବର୍ତ୍ତମାନ ଇଞ୍ଜିନିୟରମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ବାମଣ୍ଡା ରେଳଷ୍ଟେସନ ଠାରୁ ଦେବଗଡ଼ ସହର ପର୍ଯ୍ୟନ୍ତ ୫୮ ମାଇଲ୍ ରାସ୍ତା ତିଆରି ହୋଇଥିଲା। ନିଜେ ରାଜା ମୂଲିଆମାନଙ୍କ ସହ ରହି ସବୁ କାର୍ଯ୍ୟର ତଦାରଖ କରିଥିଲେ। ୧୮୯୧ ମସିହା ଇଂରେଜ ପ୍ରଶାସକଙ୍କ ରିପୋର୍ଟ ଅନୁଯାୟୀ, କୁଚିଣ୍ଡା ନିକଟସ୍ଥ ଗୋଟିଏ ଘାଟି ରାସ୍ତା ନିର୍ମାଣ କଲାବେଳେ ୩ ସପ୍ତାହ କାଳ ରହିଥିଲେ ସାର୍ ସୁଢଳଦେବ। ତାଙ୍କ ସମୟରେ ଦେବଗଡ଼ ଠାରୁ ତାଲଚେର, ପାଲଲହଡା ଓ ବଣାଇର ସୀମାନ୍ତ ପର୍ଯ୍ୟନ୍ତ ରାଜପଥ ଗୁଡିକ ନିର୍ମାଣ କରାଯାଇଥିଲା।

ରାଜ୍ୟରେ ରେଳପଥ ବିକାଶ ନିମନ୍ତେ ସେ ବେଙ୍ଗଲ-ନାଗପୁର ରେଲୱେକୁ ସହସ୍ରାଧିକ ଏକର ଜମି ମଧ୍ୟ ଦାନ କରିଥିଲେ। ସେ ରଞ୍ଜନରଶ୍ମି, ଦୂରବୀକ୍ଷଣ ଯନ୍ତ୍ର, ଅଣୁବୀକ୍ଷଣ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ର ସବୁ ଅଜସ୍ର ଅର୍ଥ ବ୍ୟୟରେ ଆଣି କାଶୀର ମାନମନ୍ଦିର ଭଳି ବିଜ୍ଞାନଗାର ରାଜ୍ୟରେ ସ୍ଥାପନ କରିଥିଲେ। ସେ ସବୁର ବ୍ୟବହାର ପାଇଁ ଅନେକ ବହି ସଂଗ୍ରହ କରିଥିଲେ। କଟକ ରେଭେନ୍ସା କଲେଜର ପ୍ରଖ୍ୟାତ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟଙ୍କୁ ନିମନ୍ତ୍ରଣ କରି ଆଣି ତାଙ୍କ ପରାମର୍ଶ ଅନୁସାରେ ବିଜ୍ଞାନଗାରକୁ ସଂପୂର୍ଣ୍ଣ କରାଇ ପାରିଥିଲେ। ତାଙ୍କ ଯୋଗୁଁ ପ୍ରଥମ କରି ୧୯୦୦ ମସିହାରେ ଟେଲିଫୋନ ସଂଯୋଗ ହୋଇଥିଲା। ବ୍ରାହ୍ମଣୀ ନଦୀର ଏକ ପାହାଡ଼କୁ ଡାଇନାମାଇଟ୍ ଦ୍ବାରା ଚୂନା କରିଦେଲେ। ଫଳରେ ନଦୀବାଟେ କଟକକୁ ବାମଣ୍ଡାରୁ ଶାଳକାଠ ପଠାହେଲା।

ସାହିତ୍ୟପ୍ରେମୀ, ବୀଣା ଉପାସକ ରାଜା ସାର୍ ବାସୁଦେବ ସୁଢଳଦେବ ଓଡ଼ିଆ ଭାଷାକୁ ପ୍ରାଞ୍ଜଳ ଓ ତ୍ରୁଟିଶୂନ୍ୟ କରିବା ନିମନ୍ତେ ସାହିତ୍ୟସ୍ରଷ୍ଟା ମାନଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରୁଥିଲେ। ସରସ ଭାଷା, ଯଥାର୍ଥ ଗୁଣଗୀତି, ଶବ୍ଦାଳଙ୍କାର ପ୍ରଭୃତିକୁ ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣାତ୍ମକ ଚିତ୍ର “ଅଳଙ୍କାର ବୋଧୋଦୟ“ରେ ପ୍ରତିଫଳିତ ହୋଇଛି। ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ସମ୍ବଲପୁର ହିତୈଷିଣୀ” ପତ୍ରିକା ପ୍ରକାଶିତ କରାଗଲା, ଯେଉଁ ପତ୍ରିକାରେ କବିବର ରାଧାନାଥ, ଫକୀରମୋହନଙ୍କ ଭଳି ବ୍ୟକ୍ତିତ୍ୱମାନେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାପାଇଁ ଲେଖା ଲେଖୁଥିଲେ।

ସର୍ବବିଧ ଉନ୍ନତିକୁ ଲକ୍ଷ୍ୟ କରି ୧୮୮୯ ମସିହାରେ ଇଂରେଜ ସରକାର ତାଙ୍କୁ “ସି.ଆଇ.ଆଇ” ଓ ୧୮୯୫ ମସିହାରେ ଇଂଲଣ୍ଡ ସାମ୍ରାଜ୍ଞୀଙ୍କ ଦ୍ବାରା କେ.ସି.ଆଇ.ଇ ଉପାଧିରେ ଭୂଷିତ ହୋଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top