ଲେଖା: ଦେଵ ତ୍ରିପାଠୀ
କଳାର ଚିରନ୍ତନ ପୂଜାରୀ ସାଧୁ ମେହେର ।
ସ୍କୁଲରେ ପଢିବାବେଳେ ସେ ଅଭିନୟ କ’ଣ ଜାଣି ନ ଥିଲେ, ମାତ୍ର ମନ ଭିତରେ ଥିଲା ପ୍ରଚଣ୍ଡ ଆଗ୍ରହ । ତେବେ ସେ ରାସ୍ତାରେ ଆଗକୁ ଯିବା ପାଇଁ ନା ଥିଲା ପିତାମାତାଙ୍କର କ୍ଷମତା ନା ତାଙ୍କର କେହି ଥିଲେ ଗୁରୁ ଅବା ଗଡ଼ଫାଦର, କିନ୍ତୁ ଥିଲା ଜନ୍ମଗତ ଆଗ୍ରହ ଓ ପ୍ରଚଣ୍ଡ ଆତ୍ମବଳ । ଜୀବନ ତାଙ୍କର ଥିଲା କୃଛ୍ର ସାଧନା ଓ ଅବିଶ୍ରାନ୍ତ ସଂଘର୍ଷର ପାଠଶାଳା । ସଚ୍ଚା କଳାକାର ବନିବାର ଅଫୁରନ୍ତ ଲକ୍ଷ୍ୟ ସାଧନ କରି ସେ ବନିଯାଇଥିଲେ ଓଡ଼ିଆ ମାଟିର ସୁନାମ ଓ ସ୍ବାଭିମାନ । ସେ ହେଲେ ଖ୍ୟାତନାମା ଅଭିନେତା କଳାର ଚିରନ୍ତନ ପୂଜାରୀ ପଦ୍ମଶ୍ରୀ ସମ୍ମାନିତ ସାଧୁ ମେହେର (Sadhu Meher) – ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ସଂଘର୍ଷ, ସାଧନା, ସଫଳତା ଓ ଆଦର୍ଶର ଏକ ଅଫୁରନ୍ତ ସ୍ଫୁରଣ ।
ନିଛକ ସାମାଜିକ ସତ୍ୟତା ଓ ଗୁରୁତ୍ୱକୁ କଳାତ୍ମକ ଚଳଚ୍ଚିତ୍ରରେ ଫୁଟେଇବାର ବ୍ୟାପକ ସୁଯୋଗ ମିଳୁଥିବାର ଅନୁଭବ କରିଥିବା ସାଧୁ ମେହେରଙ୍କୁ ମିଳିଥିଲା ଶ୍ୟାମ ବେନେଗାଲଙ୍କ “ଅଙ୍କୁର” ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ମହାର୍ଘ ସୁଯୋଗ, ଏବଂ ଶ୍ରେଷ୍ଠ ଅଭିନେତା ଓ ରଜତକମଳ ପୁରସ୍କାର । ତା’ ପରଠାରୁ ପଛକୁ ଫେରି ଚାହିଁ ନ ଥିବା ସାଧୁ ମେହେର ଆନ୍ତର୍ଜାତିକ ସ୍ତରର ଖ୍ୟାତନାମା ନିର୍ଦ୍ଦେଶକ ସତ୍ୟଜିତ ରାୟ, ବିମଳ ଦତ୍ତ, ମୃଣାଳ ଚାଟାର୍ଜୀ, ତପନ ସିହ୍ନା, ଉତ୍ପଳେନ୍ଦୁ ଚକ୍ରବର୍ତ୍ତୀ ଇତ୍ୟାଦିଙ୍କ ସହ ସଂଶ୍ଳିଷ୍ଟ ଭାବରେ ଅଭିନୟ କରିଛନ୍ତି ୪୦ରୁ ଉର୍ଦ୍ଧ୍ବ କ୍ଲାସିକ ଚଳଚ୍ଚିତ୍ରରେ ।
ଜୀବନରେ ଚ୍ୟାଲେଞ୍ଜ ଓ ନୂଆ କିଛି କରିବାର ଝୁଙ୍କରେ ସାଧୁ ମେହେର ମଧ୍ୟ ବନିଯାଇଛନ୍ତି ସଫଳ ନିର୍ଦ୍ଦେଶକ । ଅସଂଖ୍ୟ ବିଜ୍ଞାପନ ଓ ବୃତ୍ତଚିତ୍ର ସହିତ ନିର୍ଦ୍ଦେଶନା ଜଗତରେ ସେ ସୃଷ୍ଟି କରିଛନ୍ତି “ବାବୁଲା”, “ଅଭିମାନ”, “ଅଭିଳାଷ” ପରି କ୍ଲାସିକ ଓଡ଼ିଆ କଥାଚିତ୍ର ମାନ । ସମ୍ବଲପୁରୀ ଚଳଚ୍ଚିତ୍ର “ଭୁଖା”ରେ ଅଭିନୟ କରି ସେ ସାଉଁଟିଛନ୍ତି ଅସଂଖ୍ୟ ପୁରସ୍କାର ଓ ସମ୍ମାନ ।
କଳାର ଚିରନ୍ତନ ପୂଜାରୀ ସାଧୁ ମେହେର । କଳା ପ୍ରତି ତାଙ୍କର ଦୁର୍ବାର ଆକର୍ଷଣ, ନିଷ୍ଠାପରତା ଏବଂ ଦୂରଦର୍ଶିତା, ନିଖୁଣ ଓ ହୃଦୟସ୍ପର୍ଶୀ ଅଭିନୟ ପାଇଁ ସେ ‘ପଦ୍ମଶ୍ରୀ ସମ୍ମାନ‘, ‘ଜୟଦେବ ପୁରସ୍କାର‘ ତଥା ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତିରେ ଅନେକ ଥର ଜୁରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ଇତ୍ୟାଦିରେ ସମ୍ମାନିତ ହୋଇ ଓଡ଼ିଶାର କଳାପ୍ରେମୀମାନଙ୍କୁ କରିଛନ୍ତି ଗୌରବାନ୍ଵିତ ।
ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗ୍ରାମରେ ୧୯୪୦ ମସିହା ଜାନୁଆରୀ ୧ ତାରିଖରେ ଜନ୍ମିତ ଏହି ପ୍ରଚଣ୍ଡ ପ୍ରତିଭାଧର ତଥା ଅଶୀଦଶକର ମଧ୍ୟଭାଗରେ ଭାରତୀୟ ସମାନ୍ତରାଳ ସିନେମାକୁ ସୁସମୃଦ୍ଧ କରିବାରେ ଅବିସମ୍ବାଦିତ ଅବଦାନ ଥିବା ସାଧୁ ମେହେର ମହୋଦୟଙ୍କୁ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ଦଣ୍ଡବତ ।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…