ଉପସ୍ଥାପନା: ଶିଶିର ସାହୁ ମନୋଜ
ଵୈରୀଗଞ୍ଜନ ମହାନ୍ତି ଘୁମୁସରର ଅଧିଵାସୀ ଥିଲେ । ସେ ଅତ୍ୟନ୍ତ ଚତୁର, ଵିଚକ୍ଷଣ ଓ ଵୀର ଥିଲେ । ତାଙ୍କ ଗୁଣରେ ମୁଗ୍ଧ ହୋଇ ନୟାଗଡ଼ ରଜା ତାଙ୍କୁ ମନ୍ତ୍ରୀ କରି ନେଇଥିଲେ । ନୟାଗଡ଼ର ରାଣୀ ଥିଲେ ଘୁମୁସର ରାଜାଙ୍କର ସହୋଦରା ଭଗିନୀ । ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ । ଵୈରୀଗଞ୍ଜନଙ୍କର କାମଦୃଷ୍ଟି ନୟାଗଡ଼ ରାଣୀଙ୍କ ଉପରେ ପଡ଼ିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଗୁପ୍ତ ସ୍ନେହଭାଵ ଓ ପ୍ରଣୟର ଅଦାନ ପ୍ରଦାନ ମଧ୍ୟ ଚାଲିଲା । କଥା କିନ୍ତୁ ଲୁଚି ଛପିରହିଲା ନାହିଁ । ଘୁମୁସର ରାଜାଙ୍କ କାନରେ ମଧ୍ୟ ଏ ଖବର ପହଞ୍ଚିଲା । ଘୁମୁସର ରଜା ସେତେବେଳେ ଖାଇଵାକୁ ଯାଉଥାଆନ୍ତି । ସେ ସଙ୍ଗେ ସଙ୍ଗେ ସୈନ୍ୟମାନଙ୍କୁ ଆଦେଶ ଦେଲେ, ‘ଯାଅ—ଵୈରୀଗଞ୍ଜନର କଟାମୁଣ୍ଡ ଧରିଆସ । ଵୈରୀଗଞ୍ଜନର ମୁଣ୍ଡ ନ ଆସିଵା ପର୍ଯ୍ୟନ୍ତ ମୁଁ ଭାତ ଖାଇବି ନାହିଁ । ପ୍ରଥମେ ତାହାର ରକ୍ତରେ ଚିତା ଘେନବି ।”
ଘୁମୁସର ରାଜାଙ୍କ ଆଜ୍ଞା ପାଳନକରି ସୈନ୍ୟମାନେ ଅଵିଳମ୍ବେ ଘୋଡ଼ାରେ ଚଡ଼ି ନୟାଗଡ଼ ଗଲେ । ସେତେବେଳେ ଵୈରୀଗଞ୍ଜନ ମହାନ୍ତି ପିଣ୍ଡାରେ ବସି ତେଲ ଲଗାଉଥାନ୍ତି । ଘୁମୁସରର ସୈନ୍ୟମାନେ ତାଙ୍କୁ ଘେରିଗଲେ ।
ଭୀଷଣ ଲଢେ଼ଇ ହେଲା କିନ୍ତୁ ଵୈରୀଗଞ୍ଜନଙ୍କୁ କେହି କାବୁ କରିପାରୁନଥାନ୍ତି । ତେବେ କଥାରେ ଅଛି ଯୋଡା଼କୁ ଘୋଡ଼ା ସରି ନୁହେଁ ତେଣୁ ଶେଷରେ ଵୈରୀଗଞ୍ଜନ ମହାନ୍ତି ହାରିଗଲେ ଏଵଂ ତାଙ୍କ ମୁଣ୍ଡ କଟା ହୋଇ ଘୁମୁସର ଅଣାଗଲା ।
ମୁଣ୍ଡକୁ ଥାଳୀରେ ଧରି ସୈନ୍ୟମାନେ ଗୀତ ଗାଇ ଗାଇ ଘୁମୁସର ଫେରିଲେ—
‘କେ କଂ, ହୋ ହା !
ଵୈରୀଗଞ୍ଜନର ମୁଣ୍ଡ ଯାଉଛି
କେ କଂ, ହୋ ହା ।’
ଵୈରୀଗଞ୍ଜନର ଦୁଇ ସ୍ତ୍ରୀ ଥିଲେ । ଜଣେ ଧର୍ମପତ୍ନୀ ଆର ଜଣକ ରକ୍ଷିତା । ନୟାଗଡ଼ ରାଜା ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଓ ଵାଳକ ପୁତ୍ର ଦୀନବନ୍ଧୁକୁ ନୟାଗଡ଼ରୁ ଵହିଷ୍କାର କରିଦେଲେ । ଘୁମୁସର ଓ ରସୁଲକୁଣ୍ଡା ଗଲେ ପ୍ରାଣପ୍ରତି ଵିପଦ ଜାଣି ସେମାନେ ଜୀଵନଵିକଳରେ ଆସି ଇଂରେଜମାନଙ୍କର ଶରଣ ପଶିଲେ ।
ଵୈରୀଗଞ୍ଜନଙ୍କର ପୁଅ ଦୀନବନ୍ଧୁ, ବଡ଼ହୋଇ ଇଂରେଜଙ୍କ ଅଧୀନରେ ଚାକିରୀ କଲେ । କୂଟ କପଟ କରି ପିତୃ-ହତ୍ୟାର ପ୍ରତିଶୋଧ ନେଵାପାଇଁ ସବୁ ରାଜାମାନଙ୍କୁ ଧରାଇଦେଲେ । ଘୁମୁସରର ରାଜା ଵ୍ରଜରାଜ ଭଞ୍ଜ ଧରା ହୋଇ ଜେଲ୍ ଗଲେ । ଦୀନବନ୍ଧୁ ମହାନ୍ତି ଭାରତବର୍ଷରେ ପ୍ରଥମ ଓଡ଼ିଆ ଡେପୁଟି କଲେକ୍ଟର । ତାଙ୍କର ଅଚଳାଚଳ ସମ୍ପତ୍ତି ହେଲା ଓ ଖ୍ୟାତି ବଢି଼ଲା । ଢେଙ୍କାନାଳ, ବିସିପୋଡ଼ା ଆଦି ରାଜ୍ୟରେ ମଧ୍ୟ ଇଂରେଜଙ୍କ ହାତବାରସି ଭାଵରେ ଦୀନବନ୍ଧୁ ମହାନ୍ତି କାମ କରୁଥିଲେ ।
ଏଣୁ ପ୍ରଵାଦ ଅଛି—
‘‘ଦୀନବନ୍ଧୁ ତହସିଲ୍‌ଦାର,
ଢେଙ୍କାନାଳରୁ ବିସିପୋଡ଼ାକୁ
ରସୁଲକୁଣ୍ଡା ଲାଗିଚି ଭାର ।”
ଲୋକକଥାରେ ଏହି କାହାଣୀକୁ ଆହୁରି ଅତିରଞ୍ଜିତ କରାଯାଇ କୁହାଯାଏ । ଯଥା—
(କ) ଵୈରୀଗଞ୍ଜନ ମହାନ୍ତିଙ୍କ ମୁଣ୍ଡ ଅନେକ ଥର କାଟିଵାକୁ ପ୍ରଯତ୍ନ କଲେ ହେଁ ତାହା କଟୁନଥିଲା । ଦେଖାଗଲା ତାଙ୍କ ବେକରେ ଗୋଟିଏ ମନ୍ଥୁରା ଡେଉଁରିଆ ରହିଛି ଫଳତଃ ତାଙ୍କ ବେକ କାଟିଲେ ମଧ୍ୟ କଟୁନାହିଁ । ସେହି ଡେଉଁରିଆକୁ କାଢି଼ ଆଣିଵାରୁ ଵୈରିଗଞ୍ଜନଙ୍କ ମୁଣ୍ଡ କାଟିଵାକୁ ଘୁମସରର ସୈନିକମାନେ ସମର୍ଥ ହେଲେ ।
(ଖ) ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଥିଲେ । ବୈରୀରଞନର ମୁଣ୍ଡ କଟିଵା କ୍ଷଣି ତାଙ୍କ ଵିଵାହିତ ପତ୍ନୀର ହାତରେ ଥିଵା ସୁନାକାଚ ଫାଟିଗଲା । ଏଣୁ ସେ ସ୍ବାମୀଙ୍କୁ ଵିପତ୍ତି ପଡି଼ଛି ବୋଲି ଜାଣିପାରି ନୟାଗଡ଼ ଛାଡ଼ି ଚାଲିଯାଇଥିଲେ ।
(ଵି:ଦ୍ର: ଏହି ଲୋକକଥାଟି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଓଡ଼ିଶାର କିଂଵଦନ୍ତୀ ପୁସ୍ତକରୁ ସଂଗୃହୀତ)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

7 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago